Unknown

 

 

 

 

 

 

 

 

 

 

 

ହରିଶଙ୍କର

ଶ୍ରୀ ଉପେନ୍ଦ୍ରପ୍ରସାଦ ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

ହରିଶଙ୍କର ବିଦେଶ ଯାତ୍ରା କରିବାର ଠିକ୍‍ ପୂର୍ବଦିନ ମା’ ଡାକି କହିଲେ–‘‘ହରି, ସତେ କାଲି ଯାଉଛୁ ?’’

 

ହରିଶଙ୍କର ଜବାବ୍‍ ଦେଲେ–ହଁ, ମା, କାଲି ନ ଗଲେ ଉପାୟ ନାହିଁ । ଚିଠି ଉପରେ ଚିଠି, ତା’ଉପରେ ଗୋଟାଏ ଟେଲିଗ୍ରାମ ମଧ୍ୟ ଆଜି ପାଇଛି । ସେମାନେ ମୋତେ ଅପେକ୍ଷା କରିଛନ୍ତି । ଅନେକ ଗୁଡ଼ାଏ କାମ କରିବାକୁ ଅଛି, ମୁଁ ନ ଗଲେ ସେମାନେ ବିରକ୍ତ ହେବେ । ତା’ଛଡ଼ା ଗୋଟାଏ କାମର ଭାର ମୁଣ୍ଡ ଉପରେ ନେଇ ମୋତେ ନିଶ୍ଚିନ୍ତ ହୋଇ ବସି ରହିବାକୁ ଭଲ ଲାଗେ ନାହିଁ–ତା’ ତ ତୁ ଜାଣୁ । ଶୀଘ୍ର ଯାଇ ସେ ସବୁ କାମ ସାରିବାକୁ ହେବ । ମୁଣ୍ଡ ଉପରେ ଗୋଟାଏ ମସ୍ତବଡ଼ ପଥରର ବୋଝ ଲଦା ହୋଇ ରହିଥିଲା ପରି ଜଣାଯାଉଛି, ତା’ ଗଲେ ରକ୍ଷା । ସେ ଯା ହେଉ, ତୋର କିଛି କହିବାର ଅଛି ମା ?

 

ମା’ କହିଲେ–ନାହିଁ, କାହିଁକି ବାବା, ଅନେକ କଥା କହିବାର ଅଛି । ଅନେକ ଦିନରୁ ବି କହିବି କହିବି ବୋଲି ହେଉଛି କହି ପାରି ନାହିଁ । ତୁ ତ ସବୁବେଳେ ବ୍ୟସ୍ତ, ନାନା କାମରେ ହାତ ଦେଇଛୁ । ଆଜି ଏଠି ଗୋଡ଼େ ତ କାଲି ଆଉ ଏକ ଜାଗାରେ । କହିବାକୁ ଫୁରସତ୍‍ ମିଳୁଛି କେଉଁଠି-? ପୁଣି ସବୁକଥା ତ ସମାନ ନୁହେଁ । ଏମିତି ଅନେକ କଥା ଅଛି, ଯା’ ଟିକିଏ ବେଳକାଳ ଦେଖି କହିବାକୁ ହୁଏ, ଆଉ ଧୀର ସ୍ଥିର ଭାବରେ ବି ଶୁଣିବାକୁ ହୁଏ । ଏ କାନରେ ଶୁଣି ଆର କାନରେ ବାହାର କରି ଦେବା ଭଳି କଥା ତ ସବୁ ନୁହେଁ ।

 

ହରିଶଙ୍କର ଅବାକ୍‍ ହୋଇ କହିଲେ–କେଉଁ କଥାଟା ତୋର ଏ କାନରେ ଶୁଣି ଆର କାନରେ ବାହାର କରି ଦେଇଛି ମା’ ?

 

ମା’ ଜବାବ୍‍ ଦେଲେ–ତା’ କ’ଣ ମୁଁ କହୁଛିରେ ହରି । ସେ ଭଳି ପିଲା ଆଉ ଯେ ହେଉନା କାହିଁକି, ମୋର ହରିଶଙ୍କର ନୁହେଁ । ଏଟା ମୁଁ ବେଶ୍‍ ଜାଣେ । ମା’ର କଥା ଯେ ସେ କେବେ ତଳେ ପକେଇ ଦେଇଛି,–ତା’ ସାତ ଶତ୍ରୁ ବି କହିପାରିବ ନାହିଁ, ମୋ କଥା ଦୂରେ ଥାଉ । କିନ୍ତୁ ଆଜି ଗୋଟାଏ ବଡ଼ କଥା କହିବାର ଅଛି ବାବା, ତା’ ନ କହିଲେ ପ୍ରାଣଟା ବୁଝୁ ନାହିଁ । ତୁ ଟିକିଏ ପାଖକୁ ଆ, ମୁଁ କହୁଛି ।

 

ହରିଶଙ୍କର କୌତୁହଳୀ ହୋଇ ପାଖକୁ ଘୁଞ୍ଚିଯାଇ ବସିଲେ । ମା’ ଆରମ୍ଭ କଲେ–ହରି, ସବୁ ଦିନେ କ’ଣ ନିଜକୁ ପିଲା ବୋଲି ମନେ କରୁଥିବୁ ?

 

ହରିଶଙ୍କର ମା’ର କଥାଟା ଶୁଣି ହସି ଉଠିଲେ । କହିଲେ–ଏଇଟା କି ତୋର ‘‘ବଡ଼’’ କଥା ମା’ ? ତୋ ଆଗରେ ମୁଁ ତ ନିଜକୁ ବୁଢ଼ା ବୋଲି କଳ୍ପନା କରିପାରୁ ନାହିଁ । ଆଜି କ’ଣ ତୋ ଆଖିରେ ମୁଁ ଖୁବ୍‍ ପାକଳ ଦେଖା ଯାଉଛି ?

 

ମା ଉତ୍ତର ଦେଲେ–ହସିବାର କଥା ନୁହେଁ ବାବା । ମୁଁ ଯାହା କହୁଛି ଶୁଣ । ସମୟ ଥିଲା, ଯେତେବେଳେ ସମସ୍ତେ ତୋତେ ପିଲା ବୋଲି ମନେ କରୁଥିଲେ । ତୁ ସେତେବେଳେ ଇସ୍କୁଲ କଲେଜରେ ପାଠ ପଢ଼ୁଥିଲୁ । ଘର ସଂସାର କ’ଣ ଜାଣି ନ ଥିଲୁ । ତୋର ବାପା ଥିଲେ ଘରର ମୁରବି, ସେ ସବୁ ହାଲ ବୁଝୁଥିଲେ, ସବୁ ବିଷୟ ତୁଲାଉଥିଲେ । ସେତେବେଳେ ଭୁଲରେ ବି ତୋତେ କେହି ଘରର ମାଲିକ ବୋଲି କହୁ ନ ଥିଲା । କିନ୍ତୁ ଆଜି ତ ଆଉ ସେ କଥା ନାହିଁ ବାପା, ସବୁ ଦିନେ ତ ସବୁ କଥା ନ ଥାଏ । ତୋର ବାପାଙ୍କର କାଳ ହୋଇଯିବାର ଆଜିକୁ ଚାରିବର୍ଷ ହୋଇଗଲା । ତୁ ଏବେ ଘରର ମାଲିକ । ଆଜି ତୁ ଆଉ ଫାଙ୍କି ଦେଇ ବୁଲିଲେ ଚଳିବ କି ? ତୋତେ ସଂସାରର ଭାର ମୁଣ୍ଡାଇବାକୁ ହିଁ ହେବ । ସବୁ ଦିନେ ବାବାଜୀ ବୈରାଗୀ ପରି ହୋଇ ରହିବାଟା ସୁନ୍ଦର ଦିଶୁ ନାହିଁ ବାବା ।

 

ହରିଶଙ୍କର ମା‘ର ଉଦ୍ଦେଶ୍ୟଟା ଠିକ୍‍ ବୁଝି ପାରିଲେ ନାହିଁ । କହିଲେ–ଘର ସଂସାର କି ଆଉ ଉଜୁଡ଼ି ଯାଉଛି ମା’ ? ବାପାଙ୍କର ସିନା କାଳ ହୋଇ ଯାଇଛି, କିନ୍ତୁ ତୁ ତ ଅଛୁ ? ତା’ ଛଡ଼ା ସମ୍ପତ୍ତିବାଡ଼ି ଦେଖାଶୁଣା କରିବା ପାଇଁ ତ ଲୋକର ଅଭାବ ନାହିଁ, ଘରେ ତ ମାମୁଁ ରହିଛନ୍ତି । ସବୁବେଳେ ସେ ତ ବୁଝାଶୁଝା କରୁଛନ୍ତି । ତାଙ୍କ ହାତରେ ତ ସମସ୍ତ ବିଷୟସମ୍ପତ୍ତି ନିରାପଦ । ଆଉ ବାବା ବଞ୍ଚିଥିବା ସମୟରେ ବି ସେ ଯେ ବେଶି କିଛି ବୁଝୁଥିଲେ ତା’ ନୁହେଁ,–ସବୁ ଭାର ତ ସେହି ମାମୁଙ୍କ ଉପରେ ହିଁ ଥିଲା । ତେବେ ଆଜି ଏ ଘରଟାର କଥା ଭାବି ତୁ ଏତେ ବ୍ୟତିବ୍ୟସ୍ତ ହେଉଛୁ କାହିଁକି ମା’ ?

 

ମା’ କହିଲେ–ତୁ ଯାହା କହିଲୁ ସବୁ ଠିକ୍‍ ବାବା । କିନ୍ତୁ ଏ ଘରଟା କ’ଣ ଆଜି ଘର ଭଳି ଲାଗୁଛି ହରି !

 

ହରିଶଙ୍କର ଆଶ୍ଚର୍ଯ୍ୟ ହୋଇ ପଚାରିଲେ–କାହିଁକି ମା’ ? କ’ଣ ହେଇଚି ?

 

ମା’ କହିଲେ–ନା, ବାବା ଘରର ଶୋଭା ନାହିଁ । ଯାହା ନେଇ ଘରର ଶୋଭା, ତା’ ଯଦି ଘରେ ନ ଥାଏ ତେବେ ତା’ ସୁନ୍ଦର ହେବ କାହୁଁ ?

 

ହରିଶଙ୍କର ପଚାରିଲେ–ତେବେ ଘରର ଶୋଭା ଆଉ କ’ଣ ମା’ ?

 

ଏହା କହି ସେ ସତୃଷ୍ଣ ନୟନରେ ମା’ର ମୁହଁକୁ ଚାହିଁ ରହିଲେ । ମା’ ଟିକିଏ ଗୁମ୍‍ ମାରି କହିଲେ–ବୁଝିଲୁ ନାହିଁରେ ହରି, ଘରର ଶୋଭା ବଢ଼େ ଘରର ପୁଅକୁ ନେଇ, କିନ୍ତୁ ସେ ତ ଘରେ ଦଣ୍ଡେ ବି ରହିଲା ନାହିଁ,–ରହିବା ମଧ୍ୟ ତା’ ପକ୍ଷରେ ମୁଁ କଠିନ ଦେଖୁଛି । ତା’ ପରିବର୍ତ୍ତରେ, ଏତେ ବଡ଼ ଘରଟାରେ ଆଉ କିଏ ଅଛି ଯାର ମୁହଁକୁ ଅନେଇ ମୁଁ କାଳକାଟିବି ? ଏତେ ଧନ ଦୌଲତ ଥାଇ ସୁଦ୍ଧା ମୋର କିଛି ନ ଥିଲା ପରି ମନେ ହେଉଛି । ତୁ କ’ଣ ଏ ଅଭାବଟା ବୋଧ କରି ପାରୁନାହୁଁ ବାବା ? ଘରେ ଯଦି ଘରର ଲକ୍ଷ୍ମୀ ଥାନ୍ତା; ସେଥିରେ ଅନ୍ତତଃ ଟିକିଏ ଆନନ୍ଦର ଢେଉ ଖେଳୁଥାନ୍ତା । ତୋର ଅଭାବ, ମୁଁ ତା’ର ମୁହଁଟିକୁ ଚାହିଁ କେତେକ ପରିମାଣରେ ଭୁଲି ପାରୁଥାନ୍ତି । କିନ୍ତୁ ତା’ ବି କାହିଁ ? ତୁ ତ ଯୋଗୀ-ସନ୍ୟାସୀଠାରୁ ଅଧିକ ହୋଇ ରହିଲୁ । ଏପରି ହେଲେ ତୁ କ’ଣ ସଂସାର ଚଳେ ବାବା ?

 

ଏହା କହି ମା’ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇଲେ । ହରିଶଙ୍କର ଆତ୍ମାମୂଳରେ ତା’ ଯାଇ ହଠାତ୍‍ ଗୋଟାଏ ଧକ୍‍କା ମାଇଲା ।

 

ହରିଶଙ୍କର ବୁଝିଲେ–ମା ’ର ବ୍ୟଥାଟିକ ଠିକ୍‍ କେଉଁ ଜାଗାରେ । ଏକାକିନୀ ବିଧବାର ଆତ୍ମା ଯାହାଲାଗି ଆଜି ଆକୁଳ ହୋଇ ଉଠିଛି, ତାହା ହେଉଛି ପୁତ୍ରବଧୁ । ଏ ସୁଖଟିକରୁ ସେ ଅଦ୍ୟାପି ତାକୁ ବଞ୍ଚିତ କରିଅଛନ୍ତି । ଏହି ପ୍ରସଙ୍ଗକୁ ଆଶ୍ରୟ କରି ତାଙ୍କ ହୃଦୟରେ କେତେ ଭାବ, କେତେ ସ୍ମୃତି ଆସି ଉପସ୍ଥିତ ହେଲା । ମାତ୍ର ସେ ସବୁ ବିଷୟ ବର୍ତ୍ତମାନ ଆଲୋଚନା କରିବାକୁ ନ ଯାଇ ସେ କୋମଳ ସ୍ନେହାର୍ଦ୍ର କଣ୍ଠରେ ପଚାରିଲେ–ମା, ସତେ କ’ଣ ସେଥିପାଇଁ ତୁ ମନରେ କଷ୍ଟ କରୁ ? ତୋତେ କ’ଣ ଏଟା ଖୁବ୍‍ ବାଧେ ?

 

ମା ଏ କଥାର ଉତ୍ତର ତୁଣ୍ଡରେ ନ ଦେଇ ଛଳଛଳ ଚକ୍ଷୁରେ ପ୍ରକାଶ କଲେ । ହରିଶଙ୍କର କହିଲେ ନା ମା’, ଆଉ ମନ କଷ୍ଟ କର ନା । ଏଇ ସାମାନ୍ୟ ବିଷୟ ନେଇ ତୋର ପ୍ରାଣରେ ଯେ ଏତେ ବଡ଼ ଗଭୀର ବ୍ୟଥା ରହିଯାଇଛି, ତା’ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । ତୋର ସେ ଅଭାବ ଆଉ ବେଶି ଦିନ ରହିବ ନାହିଁ । ତାହା ଶୀଘ୍ର ଦୂର କରିବାକୁ ମୁଁ ଚେଷ୍ଟା କରିବି ।

 

ଏହା କହି ହରିଶଙ୍କର ଉଠିଲେ । କହିଲେ–ମା’, ଏଥର ମୁଁ ଆସେ । ମୋର ଆଜି ଅନେକଗୁଡ଼ାଏ ଚିଠିପତ୍ର ଲେଖିବାକୁ ଅଛି । ସେ ଗୁଡ଼ାକ ଲେଖି ଆଜି ଡାକରେ ଦେବାକୁ ହେବ ।

 

ମା’ ପ୍ରସନ୍ନ ହୋଇ ବିଦାୟ ଦେଲେ । ଅନେକ ଦିନର ପୁଞ୍ଜୀଭୂତ ହୃଦୟ ବେଦନା ଯେପରି ଆଜି ଏକ ମୁହୂର୍ତ୍ତରେ ସଫା ହୋଇଗଲା । ପ୍ରଜାପତିଙ୍କୁ ମନେ ମନେ ଦଣ୍ଡବତ କରି ସେ ଗୋଟାଏ କ୍ଷୁଦ୍ର ଆଶ୍ୱସ୍ତିର ନିଃଶ୍ୱାସ ତ୍ୟାଗ କଲେ । ପରଦିନ ସକାଳେ ଗାଡ଼ିରେ ହରିଶଙ୍କର କଟକ ଯାତ୍ରା କଲେ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ପ୍ରହରାଜ ପରିବାର ଓଡ଼ିଶାର ଏକ ବିଶିଷ୍ଟ ଜମିଦାର ବଂଶ । ଏହି ବଂଶରେ ଜଣେ ଅଧେ ଲୋକ ବେଶ୍‍ ସୁଖ୍ୟାତି ଅର୍ଜ୍ଜନ କରି ଯାଇଛନ୍ତି, ମାତ୍ର ଅଖ୍ୟାତି ଅର୍ଜ୍ଜନ କରିଯାଇଛନ୍ତି ଅଧିକାଂଶ । ସାଧାରଣତଃ ଯେଉଁ ଯେଉଁ କାରଣରେ ଆମ ଦେଶର ଜମିଦାରମାନଙ୍କର ଅଖ୍ୟାତିଲାଭ ହୋଇଥାଏ, ତା’ର କୌଣସି ଗୋଟିଏ କାରଣ ଏମାନଙ୍କର ଜୀବନ ଇତିହାସରେ ଅଭାବ ନ ଥିଲା । ପ୍ରଜାପୀଡ଼କ ହିସାବରେ ଏମାନଙ୍କର ସ୍ଥାନ ଥିଲା ଖୁବ୍‍ ଉଚ୍ଚରେ । ପ୍ରଜାର ରକ୍ତ ଶୋଷଣକରି ଏମାନେ ବଢ଼ିଥିଲେ,–ଜମିଦାରୀର କାୟା ମଧ୍ୟ ବଢ଼ାଇଥିଲେ । ଯେତେ ଯେତେ ଉପାୟରେ ପ୍ରଜାର ରକ୍ତମାଂସ ଶୋଷଣ କରାଯାଇ ପାରେ ସେ ସମସ୍ତ ଊପାୟ ଏମାନଙ୍କ ସୁବିଦିତ ଥିଲା । ଦରିଦ୍ର ନିର୍ଯାତନ ବିଦ୍ୟେ ଏମାନେ ପିଲାଦିନରୁ ଶିକ୍ଷା କରୁଥିଲେ । ସେ ନିର୍ଯାତନ ଗ୍ରନ୍ଥର ପ୍ରତ୍ୟେକ ପୃଷ୍ଠା, ପତ୍ୟେକ ପଂକ୍ତି ଏମାନଙ୍କର କଣ୍ଠସ୍ଥ ଥିଲା । ଲୋକେ କହୁଥିଲେ–ବାଘ ମୁହଁରୁ ହେଲେ ଉଦ୍ଧାର ମିଳିବ, ପ୍ରହରାଜବଂଶର ଲୋକ ହାତରୁ ଉଦ୍ଧାର ପାଇବା କଠିନ । ଭୋକୀ ଶୋଷୀର ବ୍ୟଥାବେଦନା ଏମାନେ ବୁଝୁ ନ ଥିଲେ–ବୁଝି ପାରୁ ନଥିଲେ । ଉଦର ଜ୍ୱାଳାରେ ଛଟପଟ ହୋଇ ଦରିଦ୍ରର ଦୁଃଖମୟ ଜୀବନ କିପରି କଟେ ତାହା ସେମାନେ ଭ୍ରମବଶତଃ ବି ଜାଣିବାକୁ ଚେଷ୍ଟା କରୁ ନ ଥିଲେ । ବିଳାସବାସନା ଚରିତାର୍ଥ କରିବା ସେମାନଙ୍କ ଜୀବନର ଚରମ ଲକ୍ଷ୍ୟ ଥିଲା । ଏହି ବଂଶର ଜଣେ ଜଣେ ଜମିଦାରଙ୍କର ପ୍ରଣୟିନୀ ସଂଖ୍ୟା ହିସାବ କରିବାକୁ ଗଲେ ଅଙ୍ଗୁଳିର ରେଖା ନିଅଣ୍ଟ ହେବ । ଏହି ବଂଶର ଲଖିପ୍ରହରାଜ (ଲକ୍ଷ୍ମୀକାନ୍ତ ପ୍ରହରାଜ) ଙ୍କର ଚିତ୍ତବିନୋଦ ପାଇଁ ସୁଦୂର କାଶ୍ମୀର ମୁକାମରୁ ବାଇଜୀ ବଛା ହୋଇ ଆସୁଥିଲେ । ପ୍ରହରାଜେ ଦିନକୁ ରାତି ଓ ରାତିକୁ ଦିନ କରୁଥିଲେ । ସାରାରାତି ବିଳାସବ୍ୟସନରେ କଟୁଥିଲା । ଉଦ୍ୟାନବାଟୀର ସୁପ୍ରଶସ୍ତ କକ୍ଷରେ ଉଜ୍ଜ୍ୱଳ ଆଲୋକ ପ୍ରବାହ ମଧ୍ୟରେ ଅପ୍‍ସରୀ ନୃତ୍ୟର ଅଭିନୟ ହେଉଥିଲା,–ଅମୃତପାନର ଅନୁକରଣ କରାଯାଉଥିଲା । ମର୍ତ୍ତ୍ୟମଣ୍ଡଳରେ ସ୍ୱର୍ଗର ସୁଖଭୋଗ କରିବା ଯେ ନିତାନ୍ତ ଅସମ୍ଭବ ନୁହେଁ ତାହାର ଚାକ୍ଷୁଷ ପ୍ରମାଣ ପ୍ରହରାଜେ ଜଗତ୍‍ବାସୀଙ୍କୁ ପ୍ରଦାନ କରିଥିଲେ । ଏସବୁ ପୁଖୋପଭୋଗ ପାଇଁ ଅର୍ଥର ଅଭାବ ନ ଥିଲା । ପ୍ରକାଣ୍ଡ ଜମିଦାରୀର ନିରୀହ ପ୍ରଜାମାନେ ସମସ୍ତ ସୁଖୋମ୍ଭବର ବ୍ୟୟ ନିର୍ବାହ କରୁଥିଲେ । ଜମିଦାରୀ ଖଣ୍ଡିକ ପରମ ଦୁଗ୍ଧବତୀ ଗାଭୀରତ୍ନପରି ଜମିଦାର ବାବୁଙ୍କର ସେବା କରୁଥିଲା । ଯେତେବେଳେ ଯାହା ଦରକାର ସେତେବେଳେ ତାହା ପାଇବାପାଇଁ ଏହି ଗାଭୀରତ୍ନକୁ ଦୋହନ କରା ହେଉଥିଲା । ଅତି ସୁଦାର ଗାଈ ପରି ସେ ତାହା ପ୍ରାଣପଣେ ଯୋଗାଉଥିଲା,–ଜମିଦାରବାବୁଙ୍କର ଅନିବାର୍ଯ୍ୟ ତୃଷ୍ଣା ମେଣ୍ଟାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ଏତେ ଅପବ୍ୟୟ ସତ୍ତ୍ୱେ ଜମିଦାର ପରିବାରର ଅବସ୍ଥା ଅକ୍ଷୁଣ୍ଣ ଥିଲା । ନାନା ଭାବରେ ନାନା ଦିଗରୁ କିପରି ଅର୍ଥାଗମ ହୋଇପାରେ, ତାହାର ଉପାୟ ପ୍ରହରାଜମାନଙ୍କୁ ବେଶ୍‍ ଜଣାଥିଲା । ଜମିଦାରୀର କୌଣସି ପ୍ରଜା ନିଜ ବାଡ଼ିରୁ ଶୁଖିଲା ଗଛର ସାମାନ୍ୟ ଡାଳ ଖଣ୍ଡିଏ କାଟିଲେ ପଚିଶ ପଚାଶ ଜୋରିମାନ ହେଉଥିଲା । ଜହ୍ନି, କଖାରୁ, ଭେଣ୍ଡି, ବାଇଗଣ, କଦଳୀ ଯାହା କିଛି ଫସଲ ପ୍ରଜା ପ୍ରଥମେ ଆମଦାନି କରୁଥିଲା, ତାହା ଜମିଦାରଙ୍କର ଶ୍ରୀଚରଣରେ ଭେଟି ଦିଆହେଉଥିଲା । ତା’ ଛଡ଼ା ମୋଟ ଫସଲ ଆମଦାନିର ଅର୍ଦ୍ଧାଂଶ ଜମିଦାରବାବୁଙ୍କ ଭଣ୍ଡାରକୁ ଯାଉଥିଲା । ଜମିଦାରଘରର ସମସ୍ତ ଖର୍ଚ୍ଚ, ଏପରିକି ତେଲ ହଳଦୀ ପର୍ଯ୍ୟନ୍ତ ପ୍ରଜାମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଉତ୍ପାଦନ କରି ଦେଉଥିଲେ । ବିବାହ ବ୍ରତ ଇତ୍ୟାଦି ଉପଲକ୍ଷରେ ଜମିଦାରୀର ପ୍ରଜାଙ୍କୁ କେତେ ଯେ ଶୋଷଣ କରା ହେଉଥିଲା, ତାହାର ଇୟତ୍ତା ନାହିଁ । ନୂଆ ଖଦି ବା ନୂଆ ଶାଢ଼ୀ ଖଣ୍ଡିଏ ପିନ୍ଧିବାକୁ ଗଲେ ପ୍ରଜାଙ୍କୁ କିଛି ଦକ୍ଷିଣା ଦେଇ ପିନ୍ଧିବାକୁ ପଡ଼ୁଥିଲା । ନଚେତ୍‍ ଜମିଦାରଙ୍କ ଚର ତାହା ଗୋପନରେ ବୁଝିନେଇ ମଣିମାଙ୍କ ଶ୍ରୀକର୍ଣ୍ଣଗୋଚର କରି ଦେଉଥିଲେ ଏବଂ ଗରିବ ପ୍ରଜାକୁ ପଇସାକ ଜାଗାରେ ପାଞ୍ଚପଇସା ଦେବାକୁ ପଡ଼ୁଥିଲା । ପ୍ରହରାଜମାନଙ୍କର ପ୍ରଜାଶାସନ ଗଲା ଏହି ଧରଣର ।

 

ହରିଶଙ୍କର ଏହି ପ୍ରହରାଜ ବଂଶର ବଂଶଧର । ପିତା ଶିବଶଙ୍କରଙ୍କର ପରଲୋକ ହୋଇଯିବା ପରେ ସେ ସମସ୍ତ ସମ୍ପତ୍ତିର ମାଲିକ । ହରିଶଙ୍କର ଯୁବକ, ବୟସ ୨୫।୨୬ ବର୍ଷରୁ ଅଧିକ ନୁହେଁ । କଟକରେ ଶିକ୍ଷାଲାଭ କରି ଆସିଛନ୍ତି । ବି.ଏ ପାସ୍‍ କରି ନାନା ଦେଶ ହିତକର କାର୍ଯ୍ୟରେ ବର୍ତ୍ତମାନ ନିଯୁକ୍ତ ।

 

ଭୂଗର୍ଭରୁ କଳା କୋଇଲା ବାହାରେ, ପଚାପାଣି ବାହାରେ, ବିଷାକ୍ତ ବାଷ୍ପ ବାହାରେ,– ଏହିପରି କେତେ କ’ଣ ଅପଦାର୍ଥ ବାହାରେ; ପୁଣି ସେହି ଭୂଗର୍ଭରୁ ବାହାରେ ସୁନା, ରୂପା, ହୀରା, ମଣିମାଣିକ୍ୟ । ସେହିପରି ଏହି ପ୍ରହରାଜ ବଂଶରୁ କେତେ ଅପଦାର୍ଥ ଅମଣିଷ ବାହାରିଛନ୍ତି । ପୁଣି ସେହି ବଂଶରୁ ବାହାରିଛନ୍ତି–ହରିଶଙ୍କର । ପଙ୍କରୁ ପଙ୍କଜର ଉତ୍ପତ୍ତି । ହରିଶଙ୍କର ପୂର୍ବପୁରୁଷମାନଙ୍କର ଠିକ୍‍ ଓଲଟା । ପିତୃପିତାମହଙ୍କ ଆଚରଣଠାରୁ ତାଙ୍କ ଆଚରଣ ଏକାବେଳକେ ପୃଥକ୍‍, ଜମିନ୍‍ ଉସମାନ୍‍ ଫରକ; ସେ ଜମିଦାରୀର ଭାର ଗ୍ରହଣ କରିବା ଦିନଠାରୁ ଏକ ଅଭାବନୀୟ ପରିବର୍ତ୍ତନ ଘଟିଛି । ପୂର୍ବ ପଦ୍ଧତିର ଅନେକ ବ୍ୟତିକ୍ରମ ପ୍ରକାଶ ପାଇଛି । ଅବଶ୍ୟ ହରିଶଙ୍କର ପ୍ରତ୍ୟକ୍ଷରେ ଜମିଦାରୀ ପରିଚାଳନା କେବେ ହେଲେ କରିବାକୁ ଯାଇନାହାନ୍ତି । ଜମିଦାରୀଠାରୁ ସେ ବରାବର ଦୂରରେ ରହିଆସିଛନ୍ତି । ଘରେ ସେ ଖୁବ୍‍ କମ୍‍ ରହନ୍ତି,––ଅଧିକାଂଶ ସମୟରେ ବିଦେଶରେ । ଜମିଦାରୀର କାର୍ଯ୍ୟରେ ତାଙ୍କର ବିଶେଷ କିଛି ସମ୍ପର୍କ ଥିଲା ପରି ଜଣାପଡ଼େ ନାହିଁ । ପିତା ଶିବଶଙ୍କରଙ୍କ ଅମଳରେ ବିଷୟ ସମ୍ପତ୍ତିର ତତ୍ତ୍ୱାବଧାନ ଯେଉଁମାନେ କରୁଥିଲେ ଆଜି ଠିକ୍‍ ସେହିମାନେ ହିଁ କରୁଛନ୍ତି,––ସେହି ଗୁମାସ୍ତା, ସେହି ତହସିଲଦାର, ସେହି କର୍ମଚାରୀ । ସର୍ବୋପରି ସେହି ସର୍ବନିୟନ୍ତା ମାତୁଳ କୃଷ୍ଣମାଧବ । ତଥାପି ଏହି ସମସ୍ତ ପୁରାତନ ମଧ୍ୟରେ ଯେପରି ନୂତନତ୍ୱର ବିକାଶ । ଜମିଦାରୀ ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ହରିଶଙ୍କର ପୂର୍ବନୀତି ପରିବର୍ତ୍ତନ କରି ଉଦାରନୀତି ପ୍ରବର୍ତ୍ତନ କରିବା ଆରମ୍ଭ କରି ଦେଇଛନ୍ତି । ଯେଉଁଦିନ ହରିଶଙ୍କରଙ୍କର ପ୍ରକାଶ୍ୟରେ ପ୍ରହରାଜ ଗାଦିରେ ବସିବାର ସ୍ଥିର ହେଲା, ସେହିଦିନ ସେ କୃଷ୍ଣମାଧବକୁ ପାଖକୁ ଡାକି କହିଲେ–ମାମୁଁ, ଏତେ ଗୁଡ଼ାଏ ସମାରୋହର ପ୍ରୟୋଜନ କ’ଣ ! ଏଗୁଡ଼ାକ ମୋତେ ନିତାନ୍ତ ଅନର୍ଥକ ବୋଧ ହେଉଛି । ଏସବୁ କି ବାଦଦେଲେ ଚଳିବ ନାହିଁ ?

 

କୃଷ୍ଣମାଧବ ହସି ହସି କହିଲେ–କି ସମାରୋହ, ହରି ? ସମୟ ଥିଲା, ଯେତେବେଳେ ଏହା ଅପେକ୍ଷା ଢେର ଢେର ଛୋଟ ଘଟଣାରେ ବି ଲାଖ ଲାଖ ଟଙ୍କା ଉଡ଼ିଯାଇଛି । ଏ ତ ପୁଣି ଗାଦିନସିନ୍‍ ହେବା କଥା, ଆଉ କିଛି ନୁହେଁ । ସମସ୍ତଙ୍କ ଜୀବନରେ କ’ଣ ଏପରି ମୁହୂର୍ତ୍ତ ଆସେ ? ରାମା, ଶାମା, ଭୀମା, ଭଗିଆ କେତେ କେତେ ଲୋକ ଏ ଦେଶ ଦୁନିଆରେ ବା ନାହାନ୍ତି ? କିନ୍ତୁ ସମସ୍ତଙ୍କୁ ତ ଗାଦିନସିନ୍‍ ହେବାକୁ ପଡ଼େ ନାହିଁ,––ସମସ୍ତେ ତ ରଜା ହୋଇ ରାଜଗାଦି ମାଡ଼ି ବସନ୍ତି ନାହିଁ । ବିଧାତା ଯାହା ଭାଗ୍ୟରେ ତାହା ଲେଖିଥାଏ, ସେହି ଏକା ହୁଏ । ଆଜି ସେହି ଭଗବାନଙ୍କ କୃପାରୁ ତୋର ଏ ଯୋଗ ଘଟିଛି । ଏଥିପାଇଁ ଟିକିଏ ଆମୋଦଉତ୍ସବ ନ ହେଲେ ଚଳିବ କିପରି ? ତେବେ, ମୁଁ ତ ଆଗ ପରି ଲାଖ୍‍ ଲାଖ୍‍ ଟଙ୍କା ଖର୍ଚ୍ଚ କରିବାକୁ ଯାଉ ନାହିଁ । ଏଇ ସାମାନ୍ୟ ପାଞ୍ଚ ସାତ ହଜାରରେ ସମସ୍ତ ମୁଣ୍ଡ ଲଗାଇବାର ଚେଷ୍ଟା କରୁଛି । ଏଟାକୁ ତୁ ଯଦି ସମାରୋହ ବୋଲି ଧରିବାକୁ ଯାଉ, ତା’ହେଲେ ସେଟା ତୋର ଭୁଲ ନୁହେଁ କି ହରି ?

 

ହରିଶଙ୍କର କହିଲେ–ନା, ଭୁଲ ନୁହେଁ ମାମୁ । ମୋ ପକ୍ଷରେ ଏଟା ନିତାନ୍ତ ଗୋଟାଏ ନିର୍ଲଜ ବ୍ୟାପାର ପରି ମନେ ହେଉଛି । ଆମ ଆଖି ଆଗରେ ଯେତେବେଳେ ହଜାର ହଜାର ଲୋକ ‘‘ହା ଅନ୍ନ ହା ଅନ୍ନ’’ ହୋଇ ମରୁଛନ୍ତି, ସେତେବେଳେ ଏହି ତୁଚ୍ଛ ଘଟଣାଟାକୁ ନେଇ ଏପରି ଆଡ଼ମ୍ୱର କରିବାଟା ସାଜେ କି ? ବରଂ ସେତିକି ଅର୍ଥ ବ୍ୟୟରେ ଲୋକଙ୍କର ତ କିଛି ମଙ୍ଗଳ କରାଯାଇପାରେ । ତା’ହେଲେ ଅର୍ଥଟାର ସଦ୍‍ବ୍ୟବହାର ହେଲା ବୋଲି ମନେ କରାଯିବ । ତା’ଛଡ଼ା ଏହି ଗାଦିରେ ବସିବା କଥାଟା ଗୋଟାଏ ଭେଦ ଭାବର ସୃଷ୍ଟି ନୁହେ କି ? ଅନ୍ୟ ଲୋକଙ୍କୁ ହୀନ ଦୃଷ୍ଟିରେ ଦେଖିବା, ନିଜକୁ ପ୍ରଭୁ ବୋଲି ମନେ କରିବା ଓ ସ୍ୱତନ୍ତ୍ର ବୋଲି ଭାବିବା–ଏହି ସବୁ ହୀନ ଆଦର୍ଶ ଉପରେ ଏହାର ପ୍ରାଣ ପ୍ରତିଷ୍ଠା ସିନା ! ଏ ସମସ୍ତ ପ୍ରଥା ଆମ ଦେଶରୁ, ନା ନା ସମଗ୍ର ପୃଥିବୀରୁ ଯେତେ ଶୀଘ୍ର ଲୋପ ପାଇବ, ମନୁଷ୍ୟ ମନୁଷ୍ୟ ଭିତରେ ସମ୍ପର୍କ ତେତେ ପରିମାଣରେ ଭଲ ହୋଇ ଉଠିବ ।

 

ଏହା କହି ହରିଶଙ୍କର ସମୁଜ୍ଜ୍ୱଳ ନେତ୍ରରେ କୃଷ୍ଣମାଧବଙ୍କ ମୁହଁକୁ ଅନାଇ ରହିଲେ । କୃଷ୍ଣମାଧବ ମନେ ମନେ ଟିକିଏ କ୍ଷୁଣ୍ଣ ହେଲେ ସତ୍ୟ, ମାତ୍ର ବେଶି କିଛି ଆପତ୍ତି କରିବାଟା ବୁଦ୍ଧିମାନର କାର୍ଯ୍ୟ ନୁହେଁ ଭାବି କହିଲେ–ତେବେ, ଏ ସମସ୍ତ ଆୟୋଜନ କ’ଣ ବନ୍ଦ କରିଦେବାକୁ ହେବ ହରି ?

 

ହରିଶଙ୍କର କୃଷ୍ଣମାଧବଙ୍କର ଅନ୍ତର୍ଗତ ଭାବ ବୁଝି ପାରିଲେ । କୃଷ୍ଣମାଧବ କେତେ କ’ଣ ଆୟୋଜନ କରି ରଖିଛନ୍ତି, ସମସ୍ତ ଏକାବେଳକେ ବନ୍ଦ କରିଦେବାଟା ନିଶ୍ଚୟ ରୁଢ଼ତାର କାର୍ଯ୍ୟ ହେବ । ସେଥିରେ କୃଷ୍ଣମାଧବଙ୍କ ମନରେ ଆଘାତ ଲାଗିପାରେ । ଏହାଭାବି ସେ କହିଲେ–ତା’ କି ବର୍ତ୍ତମାନ ସମ୍ଭବ, ମାମୁ ? ତେବେ, ତା’ ସଙ୍ଗେ ସଙ୍ଗେ ଆଉ କିଛି ମଙ୍ଗଳକର ବ୍ୟବସ୍ଥା କି କରାଯାଇ ନ ପାରେ ?

 

କୃଷ୍ଣମାଧବ ଆଗ୍ରହରେ ପଚାରିଲେ–ଆଉ କ’ଣ କରିବାକୁ ଚାହୁଁ, ହରି ? ଯାହା ତୋର ଇଚ୍ଛା, ତାହା ମୁଁ କରିବାକୁ ପ୍ରସ୍ତୁତ ଅଛି ।

 

ହରିଶଙ୍କର ଟିକିଏ ଚିନ୍ତାକରି କହିଲେ–ଆଚ୍ଛା, ପ୍ରଜାମାନଙ୍କୁ ଏ ଉପଲକ୍ଷରେ ଖଜଣାରୁ କିଛି ଅବ୍ୟାହତି ଦିଆଯାଇ ନ ପାରେ କି ମାମୁ ?

 

କୃଷ୍ଣମାଧବ ଏହା ଶୁଣି ବିସ୍ମିତ ହେଲେ । ଭାବିଲେ–ଏଇ ବୁଦ୍ଧି ନେଇ କ’ଣ ଏ ପିତୃପିତାମହର ଜମିଦାରୀ ରକ୍ଷା କରିବ ! ଜମିଦାରୀ ସମ୍ଭାଳିବା କ’ଣ ଖେଳଘର କଥା ! ଏହା ଭାବି ସେ ପଚାରିଲେ–କ’ଣ କହିଲୁ, ହରି ? ଖଜଣା ଛାଡ଼ ଦେବାକୁ ଚାହୁଁ ? ସେଟା କି ସହଜ କଥା-! ତା’ର ପରିଣାମ କ’ଣ ହୋଇପାରେ ତା’ ଥରେ ଭାବି ଦେଖିଛୁ କି ? କଥା କଥାକେ ଯଦି ଏପରି ଖଜଣା ଛାଡ଼ କରି ଦିଆଯାଏ, ତେବେ ଜମିଦାରୀ ରକ୍ଷା କରିବା ଯେ ଦୁର୍ବହ ହେବ, ବାବା-

 

ଏହା କହି ସେ ସାଂସାରିକ ଜ୍ଞାନ ବିବର୍ଜିତ ଏହି ଯୁବକର ଭାବପ୍ରବଣତାକୁ ଲକ୍ଷ୍ୟ କରି ମନେ ମନେ ହସିବାକୁ ଲାଗିଲେ । ଏଟା ନିତାନ୍ତ ଅବିମୃଷ୍ୟକାରୀ କିତାବ୍‍-ପଢ଼ା ବୁଦ୍ଧିର ନମୁନା ଛଡ଼ା ଆଉ କିଛି ନୁହେଁ–ଏହା ହିଁ ତାଙ୍କୁ ସ୍ପଷ୍ଟ ପ୍ରତୀୟମାନ ହେଲା । ହରିଶଙ୍କର କହିଲେ ନା, ମାମୁ–ସମସ୍ତ ଖଜଣା ଛାଡ଼ କରିବାକୁ ମୁଁ କହୁ ନାହିଁ । ଏହି ଚଳିତ ବର୍ଷର ପାଉଣାରୁ ସାମାନ୍ୟ କିଛି ଏ ଉପଲକ୍ଷରେ ଛାଡ଼ି ଦେବାକୁ ମୋର ଇଚ୍ଛା । ତଦ୍ଦ୍ୱାରା ଜମିଦାରୀର ଯେ ବିଶେଷ କିଛି କ୍ଷତି ହେବ, ସେପରି ମୁଁ ମନେ କରୁନାହିଁ । ବରଂ ଆମ୍ଭମାନଙ୍କ ଆଡ଼ୁ କିଞ୍ଚିତ୍‍ ଉଦାରତା ପ୍ରକାଶ ପାଆନ୍ତା ।

 

କୃଷ୍ଣମାଧବ ତଳକୁ ମୁହଁ କରି ଟିକିଏ ଚିନ୍ତା କଲେ । ଭାବିଲେ–ମାଲିକର ଇଚ୍ଛାହିଁ ତାଙ୍କର ଇଚ୍ଛା । ସମ୍ପତ୍ତି ହରିଶଙ୍କରର, ସେ ଯଦି ଖଜଣାରୁ କିଛି ଛାଡ଼ିଦେବାକୁ ଚାହେଁ,–ବେଶ୍‍, ଦେଉ । ସେଥିରେ ବାଧା ଦେଇ କି ଫଳ ? ଏହା ଭାବି ସେ କହିଲେ–ଆଚ୍ଛା ହେଉ, ସେ ଦିନ ଏହି ମର୍ମରେ ଗୋଟାଏ ଘୋଷଣା କରି ଦିଆଯିବ । ଚଳିତ ବର୍ଷର ଖଜଣାର ଛ’ ଭାଗରୁ ଭାଗେ ପ୍ରଜାମାନଙ୍କୁ ମାଫ ଦିଆଗଲା ବୋଲି ଜଣାଇ ଦିଆଯିବ ।

 

ତଦନୁସାରେ ଏ ସୁସମ୍ୱାଦ ପ୍ରଜାମାନଙ୍କୁ ଜଣାଇ ଦିଆଗଲା । ପ୍ରହରାଜ ବଂଶର ଚିରାଚରିତ ଶାସନ ପଦ୍ଧତି ସହିତ ଏହାର ଅମେଳ କେତେକେ ଲକ୍ଷ୍ୟ କଲେ । ଅନ୍ୟ କେତେକ ଏହାକୁ ସନ୍ଦେହ ଚକ୍ଷୁରେ ଦେଖିଲେ । ପଚାଶ ଆଡ଼ୁ ପାଚାଶ ରକମ ଆଦାୟ କରିନେଇ ଶେଷରେ ଦି’ପଇସା ଖଇରାତ କରିଦେବାରେ ସେମାନେ ବେଶି କିଛି ଉଦାରତାର ଆଭାସ ପାଇଲେ ନାହିଁ । ତେବେ ଏହାକୁ ଯଥାଲାଭ ବୋଲି ଧରିନେଇ ମନକୁ ବୋଧ ଦେଲେ ।

 

ମାତ୍ର ହରିଶଙ୍କର ଜମିଦାରୀ ଶାସନର ଏହା କେବଳ ଅୟମାରମ୍ଭ । ଏ ଘଟଣାର ପରେ ପରେ ଆଉ କେତେକ ଉଦାରତାର ସୂଚନା ପ୍ରକାଶ ପାଇଲା । ନୂତନ ଜମିଦାର ଅନ୍ୟ କେତେକ ସଂସ୍କାର ପ୍ରବର୍ତ୍ତନ କଲେ । ସେ ବର୍ଷ ସୁନିଆଁ ବନ୍ଦ କରିବାପାଇଁ ଆଦେଶ ଦିଆଗଲା । ଜମିଦାରୀର କର୍ମଚାରୀମାନେ ଏ ଆଦେଶ ଶୁଣି ସ୍ତମ୍ଭିତ ହେଲେ । ସେମାନଙ୍କ ମନରେ ଧୋକା ପଶିଲା । ନୂଆ ଜମିଦାରବାବୁଙ୍କର ଗତି ପ୍ରକୃତି ନେଇ କେତେ ପ୍ରକାର ଆଲୋଚନା ସମାଲୋଚନା ହେଲା । ‘‘ବାବୁଙ୍କର ଏ କି ପାଗଳାମି; ଏହିପରି କରି କି ଜମିଦାରୀ ବୁଝାଯାଏ ?’’ ସମସ୍ତେ ଏହାହିଁ କୁହାକୁହି ହେବାକୁ ଲାଗିଲେ ।

 

କୃଷ୍ଣମାଧବଙ୍କ ପ୍ରମାଦ ଗଣିଲେ । ଭଗିନୀ ରାଧାପ୍ରିୟାଙ୍କୁ ସମସ୍ତ କଥା ଜଣାଇ କହିଲେ–ହରିର ଢଙ୍ଗ ଦେଖୁଛୁ ତ ? ଜମିଦାରୀ ଚଳାଇବା ଯେ କି କଷ୍ଟକର ତା’ ତ ସେ ବୁଝିଲା ନାହିଁ । ନିଜେ ତ ସେଥିରେ ପଶିଲା ନାହିଁ–ବାହାରେ ବାହାରେ ରହିଲା । ମୋତେ ଯେ କି ଅସୁବିଧାରେ ପଡ଼ିବାକୁ ହେଉଛି, ତା’ ଦେଖିଲେ ସିନା ଜାଣନ୍ତା । ଏଥିକୁ ଉପାୟ କ’ଣ କହିଲୁ ?

 

ରାଧାପ୍ରିୟା ଏ କଥାର ଗୁରୁତ୍ୱ ବୁଝିଲେ । କିଛି କ୍ଷଣ ନୀରବ ରହି ପରି କହିଲେ–ମୁଁ ଯେ ସେଦିନରୁ କହୁଛି, ପିଲାଟାର ମନ ଯେପରି ଘରେ ଲାଗିବ, ତା’ର କିଛି କିନାରା କର । ତା’ ତ ତୁ ଏ ଯର୍ଯ୍ୟନ୍ତ କଲୁ ନାହିଁ । ତା’ର ମନ ଉଡ଼ି ବୁଲିଲା । ହାତକୁ ଦି ହାତ ନ ହେବା ପର୍ଯ୍ୟନ୍ତ ସେୟା ହେଉଥିବ ।

 

କୃଷ୍ଣମାଧବ କହିଲେ–ସେ ଯେ ଆହୁରି ଏକ ମୁସ୍କିଲ କଥା, ଅପା । ବିବାହ ନାଁ ଶୁଣିଲେ ଯେ ସେ ଡିଆଁ ମାରୁଛି । ମୁଁ କ’ଣ ସେ ଦିଗରେ ଆଖି ଫେରାଇ ନାହିଁ ? ଏଇକ୍ଷଣି କହିଲେ–ପାଞ୍ଚଗଣ୍ଡା ପାତ୍ରୀ ଯୋଗାଡ଼ କରିପାରିବି । ପ୍ରହରାଜ ଘରେ ଝିଅ ଦେବାକୁ କିଏ ନାରାଜ ? ସେଥିପାଇଁ ତ ଧରାପରା । କିନ୍ତୁ ଯା କହନ୍ତି–‘‘ ଯାହାର ବାହା ତା’ର ମନ ନାହିଁ, ନା ସାଇପଡ଼ିଶାଙ୍କୁ ନିଦ ନାହିଁ ।’’ ମୁଁ କୌଶଳ କରି କ’ଣ ହରିର ମନ ବୁଝିବାକୁ ଚେଷ୍ଟା କରିନାହିଁ । କେତେ ଖଞ୍ଜରେ ବୁଝିଛି । ପ୍ରଥମେ ପ୍ରଥମେ ମୁଁ ମନେ କରିଥିଲି–ପାତ୍ରୀ ବୋଧହୁଏ ପସନ୍ଦ ହେଉନାହିଁ, ସେଇଥିପାଇଁ ସେ ବିଭା ହେବାକୁ ନାରାଜ । କିନ୍ତୁ ପରେ ବୁଝିଲି ତା’ ନୁହେଁ । ବିଭା ହେବାକୁ ତା’ର ଆଦୌ ଇଚ୍ଛା ନାହିଁ । ବିଭା ହେଲେ ଦେଶର କାମ କରିବାରେ କାଳେ ବାଧା ଘଟିବ ! ଆଚମ୍ୱିତ କଥା ନାନୀ ! ଏତେ ଲୋକ ଯେ ଦେଶର କାମ କରୁଛନ୍ତି ସେମାନେ ଯେପରି ଅଭିଆଡ଼ା ପ୍ରେତ ହୋଇ ରହିଛନ୍ତି–ତାଙ୍କର ଯେପରି ଘର-ଦ୍ୱାର, ପୁଅ ଭାରିଯା କିଛି ନାହିଁ ! ଏ ପାଗଳାମିକି ଉପାୟ କ’ଣ ଅଛି-?

 

ରାଧାପ୍ରିୟା କ’ଣ କହିବେ କିଛି ଭାବି ପାରିଲେ ନାହିଁ । ପୁଅର ଏ ବିଚିତ୍ର ସ୍ୱଭାବ ତାଙ୍କ ନିକଟରେ ଗୋଟାଏ ଅବୋଧ୍ୟ ପ୍ରହେଳିକା ପରି ପ୍ରତିଭାତ ହେଲା । ସେ ଗୁମ୍‍ ମାରି ବସି ରହିଲେ ।

 

କୃଷ୍ଣମାଧବ କହିଲେ–ନ ହେଲେ, ତମେ ଥରେ ଚେଷ୍ଟା କରି ଦେଖ ନାନୀ । କି ଜାଣି ବା ତୁମ କଥାରେ ହରିର ମନ ବଦଳିପାରେ । ପିଲାଟାର ଆଉ ଯେତେ ଦୋଷ ଆଉ ନା କାହିଁକି, ମା’ ର କଥାକୁ ଯେ ସେ ସହଜରେ କାଟି ଦିଏ ନାହିଁ,–ଏଟା ତା’ର ଗୋଟାଏ ମହତ୍‍ ଗୁଣ । ହରି ଏହି ଦୁଇ ତିନି ଦିନ ମଧ୍ୟରେ ଆସିବ ବୋଲି ତ ଲେଖିଛି । ଏ ଗୋଟାଏ ସୁଯୋଗ । ଏହି ସୁଯୋଗରେ ତାକୁ ମଙ୍ଗେଇବାକୁ ଚେଷ୍ଟା କରି ଦେଖ ତ କ’ଣ ହେଉଛି । ତମେ ଯା କହିଲ–ହାତ ଛନ୍ଦାଟା ନ ହେବା ଯର୍ଯ୍ୟନ୍ତ ହରିକୁ ଧରି ରଖିବା କଠିନ ହେବ । ହାତକୁ ଦି’ହାତ ହୋଇଗଲେ, ତେଣିକି ସେ ବଳେ ଛନ୍ଦି ହୋଇ ପଡ଼ିବ । ଯିବ କୁଆଡ଼େ ? ପିଞ୍ଜରାରେ ପଶି ନ ଥିବା ଯାଏ ମଇନା ଉଡ଼ି ବୁଲୁଥାଏ । ଥରେ ପଶିଲେ ତ ରହିଲା ।

 

ଏହା କହି କୃଷ୍ଣମାଧବ ଉଠିଲେ । ରାଧାପ୍ରିୟା ବସି ବସି ହରିଶଙ୍କରଙ୍କର ଏ ଅଦ୍ଭୁତ ପ୍ରକୃତିର ବିଷୟ ମନେ ମନେ ଆଲୋଚନା କରିବାକୁ ଲାଗିଲେ । ଯେତିକି ଆଲୋଚନା କଲେ, ତେତିକି ବିସ୍ମୟରେ ଅଭିଭୂତ ହେଲେ । ଏ ଯୁଗରେ କେତେ ଜମିଦାର ପିଲା ପାଠ ପଢ଼ି ମଣିଷ ନ ହେଉଛନ୍ତି ! କିନ୍ତୁ ଏଭଳି ବୈରାଗୀ ହୋଇଯାଉଛି କିଏ ? ହାୟରେ କପାଳ !

 

ଦୁଇଦିନ ପରେ ହରିଶଙ୍କର ଘରକୁ ଫେରିଲେ । ସାମାନ୍ୟ କେତେଟା ଦିନ ମାତ୍ର ରହି ପୁଣି କଟକ ବାହାରି ଗଲେ । କଟକ ଯିବା ପୂର୍ବରୁ ମା’ ରାଧାପ୍ରିୟାଙ୍କ ସହିତ ତାଙ୍କର ଯାହା କଥାବାର୍ତ୍ତା ହୋଇଥିଲା ତାହା ଆଗରୁ କୁହାଯାଇଛି ।

 

ରାଧାପ୍ରିୟା ଯଥାସମୟରେ ସମସ୍ତ ବିଷୟ ଭ୍ରାତା କୃଷ୍ଣମାଧବଙ୍କର କର୍ଣ୍ଣଗୋଚର କଲେ-। କୃଷ୍ଣମାଧବ ତାହା ଶୁଣି ଖୁସି ହେଲେ ।

Image

 

ତୃତୀୟ ପରିଚ୍ଛେଦ

 

କିଛିଦିନ ପରେ ଦୁଇଜାଗାରେ ବିବାହ ପ୍ରସ୍ତାବ ଆସି ଉପସ୍ଥିତ ହେଲା । ପ୍ରଥମତଃ କେନ୍ଦ୍ରାପଡ଼ାର ଜୟରାମ ପାଢ଼ୀଙ୍କ ଘରୁ । ଦ୍ୱିତୀୟତଃ ଯାଜପୁରର ଜମିଦାର ସତ୍ୟବ୍ରତ ମହାପାତ୍ରଙ୍କ ଘରୁ । ଉଭୟ ଖାନ୍‍ଦାନ୍‍ ବୁନିଆଦି ବଂଶ; କେହି କାହାରିକୁ ଊଣା ନୁହେଁ । କୃଷ୍ଣମାଧବ ଉଭୟଙ୍କ ସହିତ କଥାବାର୍ତ୍ତା କରି ଦେବା ନେବା ସ୍ଥିର କରିବାକୁ ଗଲେ । ଉଭୟଙ୍କ ଶକ୍ତି ସାମର୍ଥ୍ୟ ବୁଝିଲେ । ଶେଷରେ କାହାକୁ ଜବାବ ଦେବେ, କାହାକୁ ବା ନ ଦେବେ, କିଛି ଠିକ୍‍ କରି ପାରିଲେ ନାହିଁ । ଉଭୟ ବଂଶର ପ୍ରତିଷ୍ଠା ସମାନ । ଉଭୟ ପାତ୍ରୀ ମଧ୍ୟ ରୂପଗୁଣରେ ପରସ୍ପରର ସମକକ୍ଷ । ତା’ ଛଡ଼ା, ଯୌତୁକାଦି ପ୍ରଦାନ ବିଷୟରେ ବି କେହି କାହାରିଠାରୁ ହଟିଯିବାର ପାତ୍ର ନୁହନ୍ତି ।

 

କୃଷ୍ଣମାଧବ ରାଧାପ୍ରିୟାଙ୍କୁ ପଚାରିଲେ–କ’ଣ କରାଯିବ କହିଲୁ, ନାନୀ ? ବଡ଼ ମୁସ୍କିଲରେ ପଡ଼ିଲି ଯେ ! କାହାକୁ ଜବାବ୍‍ ଦେବି, କାହାକୁ ନ ଦେବି କିଛି ଠିକ୍‍ କରି ପାରୁନାହିଁ । ଏକକୁ ଆରେକ ସରସ ।

 

ଏହା କହି ସେ ଉଭୟ ପକ୍ଷକୁ ତୁଳନା କରି ଯଥାଯଥ ଭାବରେ ସମସ୍ତ ବିଷୟ ବର୍ଣ୍ଣନା କରିଗଲେ । ସୁଦକ୍ଷ ଚିତ୍ରକର ପରି ଦୁଇଟି ସୁନ୍ଦର ମନୋହର ଚିତ୍ର ସେ ରାଧାପ୍ରିୟାଙ୍କ ଚିତ୍ତପଟରେ ଅଙ୍କନ କରିଦେଲେ । ଅବଶେଷରେ ଭଗିନୀଙ୍କୁ ସମ୍ୱୋଧନ କରି କହିଲେ–ନାନୀ, ଏ ଦୁଇଟି ମଧ୍ୟରୁ ତୋର ଯେଉଁଟି ମନକୁ ପାଉଛି ସେଇଟି ବାଛି ନେ । ତୋହରି ଉପରେ ଏ ମୀମାଂସାର ଭାର ରହିଲା ।

 

ରାଧାପ୍ରିୟା ବଡ଼ ଅଡ଼ୁଆରେ ପଡ଼ିଲେ ।

 

କୃଷ୍ଣମାଧବ ତାଙ୍କର ଏ ଅବସ୍ଥା ଲକ୍ଷ୍ୟ କରି କହିଲେ–ଆଚ୍ଛା ନାନୀ, ଗୋଟାଏ କଥା କଲେ କିମିତିକା ହୁଅନ୍ତା ? ରାଧାପ୍ରିୟା ପଚାରିଲେ–କ’ଣ ?

 

କୃଷ୍ଣମାଧବ ଜବାବ ଦେଲେ–ମୁଁ ଭାବୁଛି, କଥାଟା ନେଇ ଏକାବେଳକେ ହରିଶଙ୍କର ଉପରେ ପକାଇଦେବାକୁ । ତା’ହେଲେ ସବୁ ଦିଗରୁ ରକ୍ଷା ହୋଇଯାନ୍ତା । ତମର ମୋର ବି ଏତେ ମୁଣ୍ଡ ଘୂରାଇବାକୁ ପଡ଼ନ୍ତା ନାହିଁ । ତା’ର ମନ ଅନୁସାରେ ସେ ମଧ୍ୟ ଗୋଟିକୁ ବାଛିନିଅନ୍ତା । କନ୍ୟାପକ୍ଷକୁ ମଧ୍ୟ ଜବାବ୍‍ ଦେବାକୁ ସୁବିଧା ହୁଅନ୍ତା । ପୁଅର ଯେଉଁଠି ବିଭା ହେବାକୁ ମନ ହେଲା ଆମର ସେଥିରେ କ’ଣ କହିବାର ଅଛି,–ଏହି ଯୁକ୍ତି ଦେଖାଇ ଆମେ ବି ଏଥିରୁ ରକ୍ଷା ପାଇପାରନ୍ତେ; ନା, କ’ଣ କହୁଛୁ ନାନୀ ?

 

ରାଧାପ୍ରିୟା ଅନ୍ଧାରରେ ଆଲୁଅ ଦେଖିଲେ । କହିଲେ–ହଁ, ତା ଯାହା କହିଲୁ ଠିକ୍‍, କୃଷ୍ଣ-। ତା’ ଠାରୁ ଭଲ ଉପାୟ ତ ଆଉ କିଛି ଥିଲା ପରି ମୋତେ ଜଣାଯାଉନାହିଁ ।

 

ଅବଶେଷରେ ତାହା ହିଁ ସାର ହେଲା । କୃଷ୍ଣମାଧବ ହରିଶଙ୍କରଙ୍କର ମତାମତ ବୁଝି ଜବାବ ଦେବେ ବୋଲି ଉଭୟ ପକ୍ଷଙ୍କୁ ଜଣାଇଦେଲେ । ପରେ ସେ ହରିଶଙ୍କରଙ୍କ ନିକଟକୁ ସମସ୍ତ ବିଷୟ ସୁବିସ୍ତୃତଭାବରେ ବର୍ଣ୍ଣନା କରି ଚିଠି ଲେଖିଲେ ।

 

ହରିଶଙ୍କର ସେତେବେଳେ କଟକରେ ନ ଥିଲେ । ପୁରୀ ଜିଲ୍ଲାର ଏକ ବନ୍ୟାପ୍ଲାବିତ ପଲ୍ଲୀଗ୍ରାମରେ ବାସ କରୁଥିଲେ । ସେତେବେଳେ ଭୀଷଣ ବନ୍ୟାପ୍ରକୋପରେ ଦେଶସାରା ହାହାକାର ପଡ଼ିଥାଏ । ବିଷେଷତଃ କଟକ ଓ ପୁରୀ ଜିଲ୍ଲାରେ । ମହାନଦୀ, କାଠଯୋଡ଼ି, କୁଆଖାଇ, ଭାର୍ଗବୀ, କୁଶଭଦ୍ରା ପ୍ରଭୃତି ନଦୀମାନଙ୍କର ଉପଦ୍ରବ ବଶତଃ ଦେଶରେ ସଙ୍କଟମୟ ପରିସ୍ଥିତିର ସୃଷ୍ଟି ହୋଇଥାଏ । ଅସଂଖ୍ୟ ପରିବାର ଗୃହହୀନ, ଅନ୍ନହୀନ ହୋଇ ଅକୂଳ ସମୁଦ୍ରରେ ଭାସୁଥାନ୍ତି । ବନ୍ୟାଜଳ ଅନେକ ପରିମାଣରେ ଛାଡ଼ି ଯାଇଥାଏ ସତ, ମାତ୍ର ଲୋକଙ୍କର ଅବସ୍ଥା ନିତାନ୍ତ ଶୋଚନୀୟ ହୋଇ ରହିଥାଏ । ସେମାନଙ୍କୁ ସାହାଯ୍ୟ କରିବା ଲାଗି ହରିଶଙ୍କରଙ୍କ ସେବାଦଳ ଅକ୍ଲାନ୍ତ ପରିଶ୍ରମ କରି ଅର୍ଥସଂଗ୍ରହ କରୁଥାନ୍ତି ଏବଂ ନିଜେ ହରିଶଙ୍କର ବିଭିନ୍ନ ସ୍ଥାନରେ କେନ୍ଦ୍ରଖୋଲି ସାହାଯ୍ୟ ବାଣ୍ଟୁଥାନ୍ତି । ଚୁଡ଼ା, ଚାଉଳ, ଲୁଗା, ପଇସା, ଔଷଧ ନେଇ ଗ୍ରାମରୁ ଗ୍ରାମାନ୍ତର ଯାଇ ସହାୟ ସମ୍ୱଳହୀନ ପଲ୍ଲୀବାସୀଙ୍କ ମଧ୍ୟରେ ଦୟାର ଅବତାର ସ୍ୱରୂପ ସେବାଧର୍ମ ଆଚରଣ କରି ବୁଲୁଥାଆନ୍ତି ।

 

ହରିଶଙ୍କର ଯେଉଁ ପଲ୍ଲୀଗ୍ରାମରେ ଅବସ୍ଥାନ କରୁଥାନ୍ତି ତା’ର ନାମ କାକଟପୁର । ଗ୍ରାମଟି ଖୁବ୍‍ ବଡ଼ ନ ହେଲେ ସୁଦ୍ଧା ନିତାନ୍ତ ଛୋଟ ନୁହେଁ ।

 

ସନ୍ଧ୍ୟା ଆସନ୍ନ । କର୍ମୀମାନେ କେତେକ ଫେରିଲେଣି, କେତେକ ଫେରି ନାହାନ୍ତି । ହରିଶଙ୍କର ଗୋଟିଏ ଅର୍ଦ୍ଧଭଗ୍ନ ପକା ଚାନ୍ଦିନୀ ଉପରେ ବସି ସହକର୍ମୀମାନଙ୍କ ସହିତ ନାନା ଆଲୋଚନାରେ ନିଯୁକ୍ତ । ଏହିପରି ସମୟରେ ଦୁଇଜଣ କର୍ମୀ ନିକଟବର୍ତ୍ତୀ ଗ୍ରାମରୁ ଫେରିଲେ । ହରିଶଙ୍କର ସେମାନଙ୍କୁ ଯେପରି ଚାହିଁ ବସିଥିଲେ । ସେମାନେ ଉପସ୍ଥିତ ହେବାମାତ୍ରେ ସେ ପଚାରିଲେ–କାଲି ଯେଉଁ ଦୁଃସ୍ଥ ପୀଡ଼ିତ ମହିଳାଟିର କଥା କହୁଥିଲି ଆଜି ତାଙ୍କର ଅବସ୍ଥା କିପରି ?

 

କର୍ମୀଦ୍ୱୟ ଉତ୍ତର ଦେଲେ ଅତି ଶୋଚନୀୟ । କିନ୍ତୁ ସେ ଥରେ ଆପଣଙ୍କୁ ଦେଖିବାକୁ ଚାହାନ୍ତି । ବଡ଼ ବିକଳ ହୋଇ ସେ ଆମ୍ଭମାନଙ୍କ ହାତରେ ଖବର ଦେଇଛନ୍ତି–ହରିଶଙ୍କର ବାବୁଙ୍କୁ କହିବ,–ଏ ଅଭାଗିନୀ ଆଖି ମୁଦିବା ପୂର୍ବରୁ ଥରେ ଯେପରି ତାଙ୍କ ସାଙ୍ଗରେ ଦେଖାହୁଏ ।

 

ହରିଶଙ୍କର ପଚାରିଲେ–ଅବସ୍ଥା କ’ଣ ଖୁବ୍‍ ଗୁରୁତର ?

 

କର୍ମୀଦ୍ୱୟ ଜବାବ ଦେଲେ–ହଁ ଖୁବ୍‍ ଗୁରୁତର, ଦେଖିଲେ ଆଖିରେ ଲୁହ ଆସେ । କେତେବେଳେ ଯେ କ’ଣ ହେବ, ତା’ କହି ହେଉନାହିଁ ।

 

ହରିଶଙ୍କର ତୁରନ୍ତ ଉଠି କହିଲେ–ତେବେ ଚାଲ ।

 

କର୍ମୀମାନେ ବିସ୍ମିତ ହୋଇ ପଚାରିଲେ–ଏହିକ୍ଷଣି ? ଏ ଯେ ସନ୍ଧ୍ୟା ହୋଇ ଆସିଲାଣି ! କାଲି ସକାଳେ ଗଳେ ଚଳିବ ନାହିଁ ?

 

ହରିଶଙ୍କର କହିଲେ–ନା, ନା, ଏହି ମୁହୂର୍ତ୍ତରେ ଯିବାକୁ ହେବ । ବିଳମ୍ୱ କଲେ, ହୁଏତ ଦୁଃଖିନୀର ଯାହା କହିବାର ଅଛି ତା’ ଅକୁହା ରହିଯାଇପାରେ ।

 

ଏହା କହି ସେ ଅତ୍ୟନ୍ତ ବ୍ୟଗ୍ର ହୋଇ ଉଠିଲେ । ସତେ ଯେପରି ଲକ୍ଷଜନ୍ମର ମମତା ବନ୍ଧନ ତାଙ୍କୁ ପ୍ରଚଣ୍ଡ ବେଗରେ ଆକର୍ଷଣ କରିବାକୁ ଲାଗିଲା । ହରିଶଙ୍କର ଚାଲିଲେ ।

Image

 

ଚତୁର୍ଥ ପରିଚ୍ଛେଦ

 

ସନ୍ଧ୍ୟାର ଅନ୍ଧକାର ପଲ୍ଲୀଟିକୁ ଘେରି ଯାଇଛି । ବାହାର ବୃକ୍ଷଲତା, ଗୃହପ୍ରାନ୍ତର ସମସ୍ତ ସେହି ଅନ୍ଧକାର-ପାରାବାରରେ ନିମଗ୍ନ । ହରିଶଙ୍କର କର୍ମୀଦ୍ୱୟଙ୍କୁ ସଙ୍ଗରେ ନେଇ ସେହି ଅନ୍ଧକାର ଭିତରେ ଅଗ୍ରସର ହେଲେ । ଏହିପରି କିଛି ସମୟ ଚାଲି ଚାଲି ଅବଶେଷରେ ସେମାନେ ଲକ୍ଷ୍ୟସ୍ଥାନରେ ପହଞ୍ଚିଲେ । ସମ୍ମୁଖରେ ଗୋଟିଏ କ୍ଷୁଦ୍ରାୟତନ ପୁଷ୍କରିଣୀ, ତାହା ଜଳରାଶିରେ ପୂର୍ଣ୍ଣ-। ଚତୁର୍ଦ୍ଦିଗରେ ତାଳତରୁଶ୍ରେଣୀ ନୀରବ ପ୍ରହରୀ ପରି ଦଣ୍ଡାୟମାନ । ବନ୍ୟାଜଳ ଏ ପର୍ଯ୍ୟନ୍ତ କିଛି କିଛି ଠିଆ ହୋଇ ରହିଛି । ପୁଷ୍କରିଣୀର ଏକ ପାର୍ଶ୍ୱରେ ବୃତ୍ତବେଷ୍ଟିତ ଗୋଟିଏ ପଲ୍ଲୀଭବନ-। ମାଟିର ଘର । ଘରକୁ ଯିବାପାଇଁ ବୃତ୍ତବେଷ୍ଟିତ ଗୋଟିଏ ପଲ୍ଲୀଭବନ । ମାଟିର ଘର । ଘରକୁ ଯିବାପାଇଁ ଯେଉଁ ରାସ୍ତା ଥିଲା ତାହା ବର୍ତ୍ତମାନ ଜଳମଗ୍ନ । ସେଥିରେ ଅଦ୍ୟାବଧୀ ଜଙ୍ଘେ ପାଣି-। ବନ୍ୟା ଫଳରେ ଘରଟିର ଦକ୍ଷିଣ ପାଖ ପାଚେରୀ ଭାଙ୍ଗି ପଡ଼ିଛି । କର୍ମୀଦ୍ୱୟ ହରିଶଙ୍କରଙ୍କୁ ଆଣି ଯେତେବେଳେ ଏହି ସ୍ଥାନରେ ପହଞ୍ଚାଇ ଦେଲେ, ହରିଶଙ୍କର ପଚାରିଲେ–‘‘ଏହି ଘର-? ତୁମ୍ଭେମାନେ ଭିତରକୁ ଯାଇ ଖବର ଦିଅ ।’’

 

ଖବର ଦେବାର ଅବ୍ୟବହିତ ପରେ ହରିଶଙ୍କର ଗୃହ ଭିତରକୁ ପ୍ରବେଶ କଲେ । ଗୃହର ଏକ କୋଣରେ ଖଣ୍ଡିଏ କ୍ଷୁଦ୍ର ଖଟ ପଡ଼ିଛି । ଖଟ ପାଖରେ ଗୋଟିଏ ଦୀପଗଛ ଉପରେ ପିତ୍ତଳର ଦୀପଟିଏ ଜଳୁଛି । ଖଟ ଉପରେ ଋଗ୍‍ଣା ରମଣୀଟିଏ ଶାୟିତା । ପାଖରେ ବସି ଆନତାଙ୍ଗୀ ଗୋଟିଏ କୁମାରୀ ରୋଗିଣୀର ବିପର୍ଯ୍ୟସ୍ତ ଶଯ୍ୟାଟିକୁ ଟାଣି ସଳଖ କରି ଦେଉଛି । କୁମାରୀଟିର ବୟସ ସତର କି ଅଠର । ସୁନ୍ଦର ସଲଜ୍ଜ ମୂର୍ତ୍ତି । ଦକ୍ଷିଣ ହସ୍ତର ସୁନେଲି ରଙ୍ଗର କାଚ ଚୁଡ଼ି ଉପରେ ଦୀପାଲୋକ ପଡ଼ି ଚକ୍‍ ଚକ୍‍ ଦେଖାଯାଉଛି । ମୁଖଟି ପଦ୍ମ ଫୁଲପରି ଢଳ ଢଳ ।

 

ଅନେକ ଦିନ ହେଲା ବୋଧହୁଏ କେଶ ବିନ୍ୟାସ ହୋଇନାହିଁ । ତଥାପି ମୁଖର ଶୋଭା କ୍ଷୁର୍ଣ୍ଣ ନ ହୋଇ ସ୍ପଷ୍ଟ ଫୁଟି ବାହାରୁଛି । ଟିକିଏ ବିଷାଦର ଛାୟା ତା’ଉପରେ ପଡ଼ି ତାକୁ ଆହୁରି ମଧୁର କରିଦେଇଛି । ହରିଶଙ୍କର ଗୃହମଧ୍ୟରେ ପ୍ରବେଶ କରି ଦପ୍‍ କରି ଛିଡ଼ା ହୋଇଗଲେ । କିଶୋରୀଟି ସଲଜ୍ଜ ନୟନରେ ଗୋଟିଏ ସଂକ୍ଷିପ୍ତ ବକ୍ରଦୃଷ୍ଟି ନିକ୍ଷେପ କରି ସଙ୍କୋଚରେ ତାହା ଫେରାଇ ନେଲା । ଯୁବକ ଯୁବତୀର ଦୃଷ୍ଟିତତ୍ତ୍ୱ ଯେଉଁମାନେ ବିଶଦଭାବରେ ଆଲୋଚନା କରି ବୁଝିବାକୁ ଚେଷ୍ଟା କରିଛନ୍ତି ସେହିମାନେ ହିଁ ଏ କ୍ଷଣିକ ଦୃଷ୍ଟିର ମହତ୍ତ୍ୱ ବୁଝିବେ । ଏହି ଆକସ୍ମିକ ଚାହାଣୀଟିରେ କେତେ ଆକର୍ଷଣ ଥାଏ ତାହା ସେହିମାନେ ହିଁ ଜାଣନ୍ତି ।

 

ହରିଶଙ୍କର ସଂଯତ କର୍ମପ୍ରଣୟୀ ଯୁବକ । ନିଃସ୍ୱାର୍ଥ ଜନସେବା ହିଁ ତାଙ୍କର ଜୀବନର ବ୍ରତ । ସେହି କାର୍ଯ୍ୟରେ ହିଁ ସେ ଆତ୍ମନିବେଦିତ ପ୍ରାଣ । କେବେହେଲେ ସେ ସୁନ୍ଦରୀର ସୌନ୍ଦର୍ଯ୍ୟ ଉପାସନା କରିବାକୁ ଚେଷ୍ଟା କରିନାହାନ୍ତି । ପ୍ରଣୟର ତତ୍ତ୍ୱ ସେ କେବେ ହେଲେ ଘାଣ୍ଟି ନାହାନ୍ତି । ସେଥିରୁ କି ଅମୃତ ବାହାରେ ବା କି ବିଷ ନିଃସୃତ ହୁଏ ତାହା ସେ ଜନ୍ମାବଧି ଚାଖିବାକୁ ଆଗ୍ରହାନ୍ୱିତ ହୋଇ ନାହାନ୍ତି । ଜୀବନରେ ରମଣୀ ସମ୍ପର୍କ ତାଙ୍କର ଖୁବ୍‍ କମ୍‍ । ବିଳାସବାସନା ତାଙ୍କୁ କେବେହେଲେ ସ୍ପର୍ଶ କରିନାହିଁ । ସେ ବଡ଼ ଘରର ପିଲା ସତ, ମାତ୍ର ଅନ୍ୟାନ୍ୟ ବଡ଼ଘରର ପିଲାଙ୍କ ପରି ତାଙ୍କ ଆଚରଣ ନୁହେଁ । ସେ ଯେଉଁ ଘରେ ଜନ୍ମଗ୍ରହଣ କରି ବଢ଼ି ଆସିଅଛନ୍ତି, ସେ ଘରେ ବିଳାସବ୍ୟସନର ଅବାରିତ ଲୀଳା ଖେଳିଯାଇଥିଲେ ହେଁ ତାହା ତାଙ୍କର ଶୁଦ୍ଧ ଚରିତ୍ରକୁ କଳୁଷିତ କରିପାରି ନାହିଁ । ଯୁବତୀର ସ୍ନିଗ୍‍ଧଦୃଷ୍ଟିରେ ସହଜରେ ବିଚଳିତ ହେବାର ଜୀବ ସେ ନୁହନ୍ତି ।

 

ତଥାପି ଆଜି କି ବିଚିତ୍ର ଅନୁଭୂତି ତାଙ୍କ ତରୁଣ ପ୍ରାଣକୁ ଅକସ୍ମାତ୍‍ ଅଭିଭୂତ କରିଗଲା । ଜୀବନର ସଂଯମ ସାଧନା ଯେପରି ମୁହୂର୍ତ୍ତକ ମଧ୍ୟରେ ଧୂଳିସାତ୍‍ ହୋଇଗଲା । କୁମାରୀର ସଙ୍କୋଚମୟ ସୂକ୍ଷ୍ମ ଦୃଷ୍ଟିଟି କି ଅମୃତର ଆବେଶ ଦେଇ ଆସିଥିଲା ସେ ଜାଣନ୍ତି ନାହିଁ,–କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ତାଙ୍କର ପ୍ରାଣ ଅମୃତମୟ ହୋଇ ଉଠିଲା । ଅଗାଧ ମମତାର ଅନିର୍ବଚନୀୟ ମୋହ ଆଜି ତାଙ୍କୁ ଅକସ୍ମାତ୍‍ ଗ୍ରାସ କରି ବସିଲା ।

 

ରୋଗଶଯ୍ୟାଗତା ରମଣୀ କ୍ଷୀଣ କଣ୍ଠରେ ହରିଶଙ୍କରଙ୍କୁ ସମ୍ୱୋଧନ କରି କହିଲେ–‘‘ମୋ ଆଖି ଆଗକୁ ଟିକିଏ ଆସ ବାବା । ଦୂରରେ ଠିଆ ହୋଇ ରହିଲେ ଚଳିବ ନାହିଁ । ଅଧିକ ଦୂରକୁ ଯିବାକୁ ଏ ଆଖିରେ ଆଉ ଶକ୍ତି ନାହିଁ । ତା’ ଚିରଦିନ ପାଇଁ ଯାଇଛି । ତେବେ ଏ ଆଖି ମୁଦିବା ପୂର୍ବରୁ ତୁମକୁ ଯେ ଥରେ ଦେଖିବାକୁ ପାଇଲି ସେତିକି ମୋର ଭାଗ୍ୟ ।’’

 

ଏହା କହି ସେ କୁମାରୀଟିକୁ ଲକ୍ଷ୍ୟ କରି କହିଲେ–ମା’ ସୁଷି ତୁ ଟିକିଏ ଘଞ୍ଚି ଯା ମା, ସେ ଏଇ ଖଟ ଉପରେ ଆସି ମୋ ମୁଣ୍ଡ ପାଖରେ ବସନ୍ତୁ । ସେଥିରେ କି ତୁମର କିଛି ଆପତ୍ତି ଅଛି, ବାବା ?

 

ହରିଶଙ୍କର କହିଲେ–ନା, ଯାଉଛି । ଏହା କହି ସେ ରୋଗିଣୀର ଶଯ୍ୟା ପାଖରେ ଯାଇ ବସିଲେ । କୁମାରୀଟି ଉଠିଯାଇ ମା’ ର ପାଦ ପାର୍ଶ୍ୱରେ ଆନତ ନୟନରେ ଉପବେଶନ କଲା ।

 

ମା’ କହିଲେ–କାହିଁକି ଡାକି ତମକୁ ଆଜି ଏତେ କଷ୍ଟ ଦେଲି, ତା’ ଜାଣ କି ବାବା ? ନା, ନା କଷ୍ଟର କଥା ବା କାହିଁକି କହୁଛି ! ସେ କଷ୍ଟକୁ ତ ତମେ କଷ୍ଟ ବୋଲି ମନେ କର ନାହିଁ, ଚିରକାଳ ତାହା ହିଁ କରିଆସୁଛ । ତେବେ ମୁଁ ନିତାନ୍ତ ନିରୁପାୟ ହୋଇ ତମକୁ ଡାକିଛି ବାବା । ଏତେ ଦିନ ହେଲା ତମର ସାହାଯ୍ୟ ବଳରେ ବଞ୍ଚି ରହିଛି । ଆଉ ବେଶିଦିନ ନୁହେଁ । ମୋର ଦିନ ଶେଷ ହୋଇ ଆସିଲାଣି । ଆଉ ଯଦି ବଞ୍ଚି ରହେ ତେବେ ବଡ଼ ଜୋର ଦିନ ଚାରିପାଞ୍ଚଟା ବଞ୍ଚିବି !

 

ଏହା କହି ସେ ଟିକିଏ ନୀରବ ରହିଲେ । କିଛିକ୍ଷଣ ପରେ ପୁନର୍ବାର କହିଲେ–ଦେଖ, ବାବା, ମରିବାକୁ ଯେ ମୋର ଭୟ ତା’ ନୁହେଁ । ବରଂ ଯେତେ ଶୀଘ୍ର ମରିପାରେ ତେତେ ଭଲ । କିନ୍ତୁ ମରିବା ପୂର୍ବରୁ ଗୋଟାଏ ବିଷୟରେ ନିଶ୍ଚିତ ହୋଇ ପାରିଲେ ଏ ଆତ୍ମା ଟିକିଏ ଶାନ୍ତି ପାଆନ୍ତା-! ଏ ସଂସାରରେ ମୋର ବୋଲି କହିବାକୁ ଆଉ କେହି ନାହିଁ–ଅଛି କେବଳ ଏହି ପ୍ରାଣର ପ୍ରତିମାଟି-

 

ଏହା କହି ପାଦମୂଳରେ ଉପବିଷ୍ଟା କୁମାରୀଟି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ । ତା’ ସଙ୍ଗେ ସଙ୍ଗେ ଗୋଟିଏ ପ୍ରାଣସ୍ପଶୀ ଖରନିଃଶ୍ୱାସ ମଧ୍ୟ ପକାଇଲେ । ହରିଶଙ୍କର ଏହି ନିର୍ବାକ ନିଃଶ୍ୱାସଟିର ଅର୍ଥ ବୁଝିଲେ । ମୁମୂର୍ଷୁ ମାତୃପ୍ରାଣ ସେହି ଅରକ୍ଷିତା କନ୍ୟାଟି ପାଇଁ ଯେ ଅବିରତ ଝୁରି ହେଉଛି, ଏହା ସେଥିରୁ ସୁସ୍ପଷ୍ଟ ସୂଚିତ ହେଉଥିଲା ।

 

ରୋଗାତୁରା କହିବାକୁ ଲାଗିଲେ–ପାଞ୍ଚବର୍ଷ ବେଳରୁ ଏଇଟି ପିତୃହୀନା ବାବା । ଆଜିକି ପୁରା ବାରବର୍ଷ ହୋଇଗଲା–ଏଇ ବାରବର୍ଷ ଧରି କେତେ କଷ୍ଟରେ ଯେ ମୁଁ ତାକୁ ପାଳନ କରିଆସିଛି ତା’ ମୁଁ ଜାଣେ, କିମ୍ୱା ଯେ ଦିନରାତି କରୁଛି ସେ ଜାଣେ । ଆଜି ତାହାରି ଭାର ତୁମ ଉପରେ ରଖିଯିବାକୁ ମୋର ଆତ୍ମା ଡାକୁଛି । ଗଲା କେତେଦିନ ହେଲା, ମୋର ପ୍ରାଣେ ପ୍ରାଣେ କିଏ ଯେପରି କହୁଛି–ଏକମାତ୍ର ତାହାରି ଉପରେ ନିର୍ଭର କରି ତୁ ଏ ସଂସାରରୁ ବିଦାୟ ନେଇପାରୁ, ଅନ୍ୟ କାହାରି ଉପରେ ନୁହେଁ । ତାହାରି ହାତରେ ସମର୍ପଣ କରି ଯା । ଦୈବବାଣୀ ପରି ଅନବରତ ଏହା ମୋର ଅନ୍ତରରେ ଆସି ବାଜୁଛି । ମୁଁ ତା’ ସ୍ପଷ୍ଟ ଶୁଣି ପାରୁଛି । ମିଥ୍ୟା କହୁନାହିଁ. ବାବା ! ଏ ସମୟରେ କାହାରି ତୁଣ୍ଡରୁ ମିଥ୍ୟା ବାହାରେ ନାହିଁ । ସୁଷି ତୁମକୁ ଲାଗିଲା ।

 

ଏହା କହି ସେ ହରିଶଙ୍କରଙ୍କ ମୁହଁକୁ ବ୍ୟାକୁଳ ନେତ୍ରରେ ଅନାଇଁ ରହିଲେ । ହରିଶଙ୍କରଙ୍କ ଚକ୍ଷୁଦ୍ୱୟ ଛଳ ଛଳ ହୋଇ ଉଠିଲା । ମାତ୍ର ସେ ଆତ୍ମସମ୍ୱରଣ କରି କହିଲେ–ଏତେ ବ୍ୟସ୍ତ ହେବା ଉଚିତ୍‍ ନୁହେଁ ମା, ରୋଗ ଛାଡ଼ି ଯାଇପାରେ । ମୁଁ ଆଜି କଟକରୁ ଡାକ୍ତର ଅଣାଇ ଭଲ ଚିକିତ୍ସାର ବନ୍ଦୋବସ୍ତ କରୁଛି ।

 

ରୋଗିଣୀ କହିଲେ–ତା’ହେଲେ, ମୋର କଥାଟା ବୁଝିଲ ନାହିଁ ବାବା ! ମୋର ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଗଲା ।

 

ହରିଶଙ୍କର କହିଲେ–ନା, ମା, ସେପରି ମନେ କରୁଛନ୍ତି କାହିଁକି ? ଆପଣଙ୍କର ପ୍ରତ୍ୟେକ କଥାଟି ମୋର ହୃଦୟରେ ଗାର ହୋଇ ରହିଲା । ଯାହା ପାଇଁ ଆପଣ ଏତେ ବ୍ୟାକୁଳ, ତାଙ୍କର ସମସ୍ତ ଭାର ମୁଁ ଆଜିଠାରୁ ନିଜ ଉପରେ ନେଲି ।

 

ସୁଷିର ମା’ ଏହା ଶୁଣି ଆଶ୍ୱସ୍ତ ହେଲେ । ତାଙ୍କର ଦୀପ୍ତିହୀନ ଚକ୍ଷୁ ଦୁଇଟି କ୍ଷଣକ ପାଇଁ ଦୀପ୍ତ ହୋଇ ଉଠିଲା । ସେ ପୁନର୍ବାର କହିଲେ–ତେବେ ସେ ଚେଷ୍ଟା କାହିଁକି ବାବା ? ତା’ କରି କିଛି ଫଳ ନାହିଁ । ମିଛଟାରେ ତା’ କାହିଁକି କରିବାକୁ ଯିବ ? ମୁଁ ଆଉ ବଞ୍ଚିବି ନାହିଁ–ଏଟା ନିଶ୍ଚୟ ।

 

କେବଳ ଏତିକି କହି ସେ ନିରସ୍ତ ହେଲେ ନାହିଁ । ହରିଶଙ୍କରଙ୍କ ହାତଟି ଧରି ସେ କାତରମିନତିପୂର୍ଣ୍ଣ କଣ୍ଠରେ କହିଲେ–ବାବା, ବଡ଼ ଠାକୁରଙ୍କର ଦ୍ୱାହି, ସେ ଚେଷ୍ଟା କର ନାହିଁ । ମୁଁ ବଞ୍ଚିବାକୁ ଚାହେଁ ନାହିଁ । ମୋର ସୁଷିଟିର ଭାର ଯେ ତୁମେ ନେବାକୁ ରାଜି ହେଲ,–ଏତିକି ମୋର ଯଥେଷ୍ଟ ।

Image

 

ପଞ୍ଚମ ପରିଚ୍ଛେଦ

 

ହରିଶଙ୍କର ତାଙ୍କର ସାହାଯ୍ୟକେନ୍ଦ୍ର ଏହି ଗ୍ରାମକୁ ଉଠାଇ ଆଣଲେ । ଏହିଠାରେ କେମ୍ପ ପକାଇ ରହିଲେ ଏବଂ ପୀଡ଼ିତା ରମଣୀର ରୀତିମତ ସେବା ଶୁଶ୍ରୁଷାର ବନ୍ଦୋବସ୍ତ କରିଦେଲେ । ନିଜେ ତାହାର ତତ୍ତ୍ୱବଧାନ କରିବାକୁ ଲାଗିଲେ । ମାତ୍ର ରୋଗାତୁରା ରମଣୀର ପରମାୟୁ ଭଗବାନ ଆଉ ବେଶି ବାକି ରଖି ନ ଥିଲେ । ଖୁବ୍‍ ଶୀଘ୍ର ସେ ସଂସାରଯାତ୍ରା ଶେଷ କରି ଆସୁଥିଲେ । ସଂସାର ସହିତ ତାଙ୍କର ମାୟାମମତାର ଚୁକ୍ତି ଅନେକ ଦିନରୁ ହୋଇ ସାରିଥିଲା–କେବଳ ଏକମାତ୍ର ବନ୍ଧନ ଥିଲା ସୁଷି । ତାଙ୍କର ମୃତ୍ୟୁ ପରେ ସୁଷିର ଅବସ୍ଥା କ’ଣ ହେବ ତାହାହିଁ ଭାବି ସେ ମ୍ରିୟମାଣ ହେଉଥିଲେ । ଦୁଃଖିନୀର ଧନ, ଏକମାତ୍ର ସନ୍ତାନ, ପ୍ରାଣର ପ୍ରତିମୂର୍ତ୍ତି ସୁଷି । ତା’ର ଉତ୍ତର ଜୀବନର ଚିନ୍ତା ଥିଲା ରୋଗିଣୀ ଜନନୀର ଏକମାତ୍ର ଚିନ୍ତା । ତାହାରି ପାଇଁ ସେ ସଂସାର-ମରୁଭୂମି ତ୍ୟାଗ କରି ପାରୁ ନ ଥିଲେ । ତାକୁ ଆକୁଳ ସମୁଦ୍ରରେ ଭସାଇ ଦେଇ ସେ ଆଖି ମୁଦନ୍ତେ କିପରି ? ଆଖି କି ମୁଦିବାକୁ ଚାହେଁ ? ଅରକ୍ଷିତାର ଜୀବନ-ତରଣୀ କୂଳରେ ନ ଲାଗିବା ପର୍ଯ୍ୟନ୍ତ ତା’ର ନିଦ୍ରା ଅସମ୍ଭବ ।

 

ଆଜି ସେହି ଭାସମାନ ତରଣୀଟି କୂଳରେ ଲାଗିଛି । କର୍ଣ୍ଣଧାରର ଅଭାବ ନାହିଁ । ଯାହାର ହସ୍ତରେ ସେ ସମର୍ପିତା ସେ ତା’ର ଗତି ନିୟନ୍ତ୍ରଣ କରିବା ପାଇଁ ସର୍ବତୋଭାବେ ସମର୍ଥ । ସେ ବିଷୟରେ ସନ୍ଦେହର ଅବକାଶ ନାହିଁ । ସେ ଯେମିତି ଚଳେଇବେ, ସୁଷିର ଜୀବନ-ତରଣୀଟି ସେହିପରି ଚାଲିବ । ହରିଶଙ୍କର ନିଜର ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ, ଏପରି କି ସ୍ୱଜାତି-ସଗୋତ୍ର ନ ହେଲେ ମଧ୍ୟ ସୌଦାମିନୀଙ୍କର ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ଥିଲା । ମନୁଷ୍ୟର ଆତ୍ମା ଅନେକ ସମୟରେ ନିଜର ଲୋକ ଚିହ୍ନିନିଏ । ସାଂସାରିକ ସମ୍ୱନ୍ଧ ବା ବହୁଦିନର ପରିଚୟର ଅପେକ୍ଷା ରଖେ ନାହିଁ । ଦିନକର ସମ୍ପର୍କ, ଏକ ମୁହୂର୍ତ୍ତର ଆଳାପ ସେଥିପାଇଁ ଯଥେଷ୍ଟ । ଏପରି କି ଆଖିରେ ନ ଦେଖି, କେବଳ କାର୍ଯ୍ୟକଳାପର କଥା ଶୁଣି ମନୁଷ୍ୟର ଅନ୍ତରାତ୍ମା ଅନେକ ସମୟରେ ସହସ୍ର ଅଜ୍ଞାତ ଅପରିଚିତ ଲୋକଙ୍କ ମଧ୍ୟରୁ ଆପଣାର ଲୋକଟି ବାଛି ନେବାକୁ ସମର୍ଥ ହୋଇଥାଏ । ସୌଦାମିନିଙ୍କର ଠିକ୍‍ ତାହା ହିଁ ହୋଇଛି । ଆତ୍ମା ଆତ୍ମାକୁ ଚିହ୍ନି ନେଇଛି । ବାହାରର କୌଣସି ବସ୍ତୁକୁ ଏଥିରେ ଦଲାଲଗିରି ପରିବାକୁ ପଡ଼ିନାହିଁ ।

 

ସୌଦାମିନି ଆଜି ନିଶ୍ଚିନ୍ତ । ଏହି ନିଶ୍ଚିନ୍ତତା ଦିନକୁ ଦିନ ତାଙ୍କର ସ୍ୱର୍ଗଯାତ୍ରାର ପଥ ସୁଗମରୁ ସୁଗମତର କରିଦେଲା । ସେଥିରେ ବାଧା ନାହିଁ, ବିଘ୍ନ ନାହିଁ । ଅବାଧଗତିରେ ଅଭାବନୀୟ କ୍ଷୀପ୍ରତାସହକାରେ ସୌଦାମିନୀ ସେହି ରାସ୍ତା ଧରି ଚାଲିଲେ । ଦିନେ ଅକସ୍ମାତ୍‍ ସେହି ପଥର ସମାପ୍ତି ଆସିଗଲା । ଆଶ୍ୱସ୍ତ ଆତ୍ମା ଶରୀରର ସମସ୍ତ ସମ୍ପର୍କ ଚ୍ଛିନ୍ନ କରି ଚାଲିଗଲା । ତା’ର ପୂର୍ବ ଦିନ ସୌଦାମିନୀ ହରିଶଙ୍କରଙ୍କୁ ଡାକି ଶେଷ ଆଶୀର୍ବାଦ କରିଗଲେ ଓ ଆଉ ଥରେ ପ୍ରାଣର ନିବେଦନ ଅତି ସଂକ୍ଷେପରେ ସାମାନ୍ୟ ଦୁଇପଦ କଥାରେ ପ୍ରକାଶ କରି କହିଗଲେ-‘‘ସୁଷି ତମକୁ ଲାଗିଲା ବାବା ।’’ ଅନ୍ୟ ସମୟରେ ସେ କନ୍ୟାକୁ ମଧ୍ୟ ଶେଷ ଆଶୀର୍ବାଦ କରି କହିଗଲେ–‘‘ମା’ ସୁଷି, ହରିଶଙ୍କରଙ୍କ ଉପଦେଶ ମାନି ସବୁବେଳେ ଚଳିବୁ । ସେହି ତୋର ଭାଗ୍ୟଧର, ଭଗବାନ୍‍ ତୋର ମଙ୍ଗଳ କରନ୍ତୁ ।’’

 

ହରିଶଙ୍କର ସୁଷି ନିକଟରେ ରହିବା ପାଇଁ କିଛି ଦିନ ସକାଶେ ଗୋଟିଏ ପରିଚାରିକା ନିଯୁକ୍ତ କରି ଦେଲେ । ସୌଦାମିନୀଙ୍କର ଦଶାହକ୍ରିୟା ଯଥାବିଧି ସମ୍ପନ୍ନ ହେଲା । ହରିଶଙ୍କର ମାତୁଳ କୃଷ୍ଣମାଧବଙ୍କ ନିକଟକୁ ପତ୍ର ଲେଖି ତିନିଶତ ଟଙ୍କା ଆଣି ଏ କାର୍ଯ୍ୟରେ ବ୍ୟୟ କଲେ । ଅନାଥିନୀର ଅନ୍ତିମକ୍ରିୟା ଯେ ଏପରି ସୁନ୍ଦର ସୁଶୃଙ୍ଖଳ ଭାବରେ ସମାହିତ ହେବ, ଏହା କେହି ଆଶା କରି ନ ଥିଲେ । ଏତେ ଅର୍ଥବ୍ୟୟ କରି ଅନାତ୍ମୀୟ ଅସମ୍ପକୀୟ କୌଣସି ବ୍ୟକ୍ତିର ଆତ୍ମାର ସଦ୍‍ଗତି ପାଇଁ କିଏ ଏତେ ଚେଷ୍ଟା କରେ ? ଅନେକଙ୍କ ନିକଟରେ ହରିଶଙ୍କରଙ୍କର ଏ ଚେଷ୍ଟା ଗୋଟାଏ ଦୁର୍ବୋଧ୍ୟ ପ୍ରହେଳିକା ପରି ପ୍ରତିଭାତ ହେଲା ।

 

ସୌଦାମିନୀଙ୍କର ସ୍ୱାମୀ ଦୀନନାଥ ବାରବର୍ଷ ହେଲା ଇହଧାମ ତ୍ୟାଗ କରି ଚାଲିଯାଇଥିଲେ । ସଂସାରରେ ଛାଡ଼ି ଯାଇଥିଲେ ଦୁଇଟି ପ୍ରାଣୀ । ଗୋଟିଏ ସଦ୍ୟ ବିଧବା ସ୍ତ୍ରୀ ଓ ଅନ୍ୟଟି ପାଞ୍ଚବର୍ଷ ବୟସର ବାଳିକା କନ୍ୟା । ଦୀନନାଥଙ୍କର ଅଳ୍ପ କିଛି ପୈତୃକ ସମ୍ପତ୍ତି ଥିଲା । ନିଜ ଆୟରେ ସେ ଆଉ କିଛି ଉପାର୍ଜନ କରି ସେଥିରେ ଯୋଗ କରିଥିଲେ । ଘରବାଡ଼ି ବାଦ ଦେଇ ଆଠ ଦଶମାଣ ସରିକି ଚାଷଜମି ସେ ରଖିଯାଇଥିଲେ । ତା’ ଛଡ଼ା ସାମାନ୍ୟ କିଛି ନଗଦ ଟଙ୍କା ସେ ଘରେ ଗଚ୍ଛିତ ରଖିଥିଲେ । ଦୀନନାଥଙ୍କର ଅକାଳ ପରଲୋକ ପରେ ଏତକ ହିଁ ଥିଲା–ସୌଦାମିନୀଙ୍କର ସମ୍ୱଳ । ଆଉ ସମ୍ୱଳ ହେଲା ନିଜର ବୁଦ୍ଧି ଓ ସାହସ । ତାହାରି ବଳରେ ସେ ସଂସାରରେ ସୁନ୍ଦର ରୂପେ ଚଳିଯାଉଥିଲେ । ଚାଷ ଜମିତକ ସେ ଭାଗ ଲଗାଇ ଦେଇ ଯାହା କିଛି ଉତ୍ପନ୍ନ ଫସଲ ସେ ପାଉଥିଲେ ସେତକରେ ତାଙ୍କର ଯେ କୌଣସି ପ୍ରକାରରେ ଦିନ କଟି ଯାଉଥିଲା । ଅଳ୍ପ ସୁଧରେ ଟଙ୍କା କରଜ ଲଗାଇ ସେଥିରୁ ଦୁଇପଇସା ମଧ୍ୟ କରୁଥିଲେ । ଗ୍ରାମର ସ୍ତ୍ରୀଲୋକମାନଙ୍କ ସହିତ ତାଙ୍କର ଏ କାରବାର ଚାଲିଥିଲା । ଅସତ୍‍ ପ୍ରକୃତି ଟାଉଟରଙ୍କ ସଙ୍ଗରେ ତାଙ୍କର କୌଣସି ସମ୍ପର୍କ ନ ଥିଲା । ସ୍ତ୍ରୀଲୋକମାନେ ସାମାନ୍ୟ କିଛି ବନ୍ଧକ ରଖି ତାଙ୍କଠାରୁ ସମୟ ଅସମୟରେ ଟଙ୍କା କରଜ ନେଉଥିଲେ ଏବଂ ତାହା ପରିଶୋଧ କରି ଦେଉଥିଲେ । ସୌଦାମିନୀଙ୍କର ଟଙ୍କା କେତେବେଳେ ବୁଡ଼ି ଯାଉ ନ ଥିଲା ।

 

ସ୍ୱାମୀର ମୃତ୍ୟୁ ପରେ ଅତ୍ୟନ୍ତ ଦୂର ସମ୍ପର୍କୀୟ ଗୋଟିଏ ଅନାଥ ଭାତୃପୁତ୍ରକୁ ଆଣି ସେ ପାଖରେ ରଖିଥିଲେ । ଇଚ୍ଛା ଥିଲା ତାକୁ କୌଣସି ପ୍ରକାରେ ବାହାଚୋରା କରି ଦେଇ ସଂସାରରେ ସ୍ଥାୟୀ କରିଯିବେ । ସେଥିପାଇଁ ଗୋଟିଏ ଦରିଦ୍ର ଗୃହସ୍ଥର ଦଶମ ବର୍ଷୀୟା କନ୍ୟାଟି ଉପରେ ସେ ନଜର ରଖିଥିଲେ । ମାତ୍ର ଟୋକାଟା କ୍ରମେ କ୍ରମେ ବଡ଼ ଉଦ୍ଧତ ଓ ଉଦ୍‍ବାଇଜା ହୋଇ ଉଠିଲା । ଅସତ୍‍ ସଂସର୍ଗରେ ପଡ଼ି ନାନା କୁକର୍ମରେ ଲିପ୍ତ ହେଲା, ଗୁଲି ଖଟିରେ ମିଶିଲା,–କଥା ଶୁଣିଲା ନାହିଁ,–ଶେଷରେ ଗୋଟାଏ ଦୁଶ୍ଚରିତ୍ରାର ପାପପ୍ରଣୟରେ ପଡ଼ି ତାକୁ ନେଇ କୁଆଡ଼େ ଯେ ଅନ୍ତର୍ହିତ ହୋଇଗଲା, ତା’ର କୌଣସି ପତ୍ତା ମିଳିଲା ନାହିଁ । କିଏ କହିଲା, କଲିକତା ପଳେଇଲା–କିଏବା କହିଲା ରେଙ୍ଗୁନ ଚାଲିଗଲା । ଯେଉଁଠିକି ଯାଉ, ସୌଦାମିନି ରକ୍ଷା ପାଇଲେ–କଳଙ୍କରୁ ତ୍ରାହି ମିଳିଲା ।

 

ତା’ପରେ ମା’ ଝିଅ ଦୁଇଜଣ ଦୁଃଖେ ସୁଖେ ଚଳିବାକୁ ଲାଗିଲେ । ସୌଦାମିନୀ ପିଲାଦିନେ ସାମାନ୍ୟ କିଛି ପାଠ ପଢ଼ିଥିଲେ । ସ୍ୱାମୀ ମଧ୍ୟ ବିବାହ ପରେ ନିଜେ କିଛି ଶିକ୍ଷା ଦେଇଥିଲେ । ବୁଦ୍ଧିମତୀ ନାରୀ ସେତକ ବିଦ୍ୟା ହାସଲ କରି ଓଡ଼ିଆରେ ସମସ୍ତ ଶାସ୍ତ୍ରପୁରାଣ ଆୟତ୍ତ କରିଥିଲେ ଏବଂ ସୁଷିକୁ ମଧ୍ୟ ତାହା ପଢ଼ାଇଥିଲେ ।

 

ସେ ଥର ବିଧାତାର ଦାରୁଣ ଅଭିଶାପ ସ୍ୱରୁପ ବନ୍ୟା ମାଡ଼ି ଆସିଲା । ଚାରିଆଡ଼େ ପ୍ରଳୟ ସୃଷ୍ଟିକଲା । ଲୋକଙ୍କର ସର୍ବନାଶ ଘଟିଲା । ଅନେକ ସଚଳ ପରିବାର ଅଚଳ ହୋଇଗଲେ-। ଗାଁ ଗଣ୍ଡା ଭାସିଗଲା–ଘରଦ୍ୱାର ଭାଙ୍ଗିଗଲା–ଜମିବାଡ଼ି ନାରଖାର ହୋଇଗଲା । ସୌଦାମିନୀଙ୍କର ଘର ଖଣ୍ଡିକ ମଧ୍ୟ ଦୈବଦୁର୍ବିପାକରୁ ରକ୍ଷା ପାଇଲା ନାହିଁ । ଗୋଟାଏ ଅଂଶ ଭାଙ୍ଗି ଭୂମିସାତ୍‍ ହୋଇଗଲା । ସାମାନ୍ୟ କିଛି ଧାନ ଥିଲା, ତାହା ଭାସିଗଲା । ଜମିର ଫସଲ ସମସ୍ତ ଧୋଇ ସଫା ହୋଇଗଲା । ଆଖିରେ ଦେଖିବାକୁ ଗୋଟାଏ ସୁଦ୍ଧା ଧାନଗଛ ବାକି ରହିଲା ନାହିଁ । ସୌଦାମିନୀଙ୍କ ଅବସ୍ଥା ଶୋଗନୀୟ ହୋଇପଡ଼ିଲା । ଯେଉଁମାନେ ତାଙ୍କଠାରୁ କିଛି କରଜ ନେଇଥିଲେ ସେମାନେ ତାହା ଦେଇପାରିଲେ ନାହିଁ । ସମସ୍ତଙ୍କ ଘରେ ତ ହାହାକାର । ଋଣ ପରିଶୋଧ କରିବାକୁ କାହାର ଶକ୍ତି ଅଛି ? ବାହାରର ସାହାଯ୍ୟ ଉପରେ ଅଧିକାଂଶ ଲୋକଙ୍କୁ ନିର୍ଭର କରିବାକୁ ପଡ଼ିଲା-। ସୌଦାମିନୀ ମଧ୍ୟ ଏଥିରୁ ବାଦ୍‍ ଗଲେ ନାହିଁ । ବନ୍ୟା ପୂର୍ବରୁ ତାଙ୍କର ଶରୀର ଅସୁସ୍ଥ ଥିଲା-। ଅସୁସ୍ଥତା କ୍ରମେ ବଢ଼ିବାକୁ ଲାଗିଲା । ଦିନକୁ ଦିନ ତାଙ୍କ ଅବସ୍ଥା ସାଙ୍ଘାତିକ ହୋଇ ଉଠିଲା । ସୁଷି ପ୍ରାଣପଣେ ମା’ ର ସେବା ଶୁଶ୍ରୂଷା କଲା । ହରିଶଙ୍କରଙ୍କ ସେବାଦଳ ଗ୍ରାମେ ଗ୍ରାମେ ବୁଲି ସାହାଯ୍ୟ ବାଣ୍ଟିଯାନ୍ତି, ଚୂଡ଼ାଚାଉଳ ଦେଇଯାନ୍ତି, କେହି ରୋଗ ବାଧକିରେ ପଡ଼ିଥିଲେ ପାଖରେ ଯଦି କିଛି ଔଷଧପତ୍ର ଥାଏ ତାହା ଦେଇଯାନ୍ତି । ସୁଷି ସେମାନଙ୍କ ହାତରୁ ସାହାଯ୍ୟ ନିଏ, ସେଥିରେ ଦିନ ଯାପନ କରେ । କେତେବେଳେ ଖାଇ କେତେବେଳେ ନ ଖାଇ ମା’ ର ଶୁଶ୍ରୂଷା କରେ-। ଭଗବାନଙ୍କୁ ଡାକେ,–ବିକଳରେ ପ୍ରାର୍ଥନା କରି କହେ–‘‘ହେ ଭଗବାନ୍‍ ଯାହା କଲ କଲ, ମାଆଟିକି ମୋର ବଞ୍ଚେଇଦିଅ ।’’ କିନ୍ତୁ ସୁଷିର ଭଗବାନ ବଡ଼ ବଧିର–ଦୁଃଖିନୀର ଗୁହାରି ଶୁଣିବା ପାଇଁ ତାଙ୍କର କାନ ଖୋଲା ନ ଥାଏ । ସେ ବଧିର ବିଧିର କଠୋର ନିର୍ଦ୍ଦେଶରେ ମା’ ସୌଦାମିନୀଙ୍କର ଜୀବନ-ରବି ଅସ୍ତମିତ ହୋଇଗଲେ । ନିର୍ଜନ ନୀଡ଼ରେ ପ୍ରାଣର ଶାବକଟିକୁ ଛାଡ଼ିଦେଇ ବିହଙ୍ଗମା ଚିରଦିନ ପାଇଁ ଉଡ଼ିଗଲା ।

Image

 

ଷଷ୍ଠ ପରିଚ୍ଛେଦ

 

କୃଷ୍ଣମାଧବ କଟକ ଠିକଣାରେ ହରିଶଙ୍କରଙ୍କ ପାଖକୁ ଯେଉଁ ପତ୍ର ଲେଖିଥିଲେ ତାହା ଅବଶେଷରେ ତାଙ୍କର ହସ୍ତଗତ ହେଲା । ଏକାଧିକ ସ୍ଥାନରେ ବୁଲି ବୁଲି ହରିଶଙ୍କରଙ୍କର ବର୍ତ୍ତମାନ ଠିକଣାରେ ଆସି ପହଞ୍ଚିଲା । ପତ୍ର ପାଠକରି ସେ ସମସ୍ତ ବିଷୟ ଅବଗତ ହେଲେ । କୃଷ୍ଣମାଧବ ତାଙ୍କ ପତ୍ରରେ ଯୌତୁକ ବିଷୟ ବିଶଦଭାବରେ ବର୍ଣ୍ଣନା କରି ଲେଖିଥିଲେ । କେଇଁ କନ୍ୟାପକ୍ଷ କି କି ଯୌତୁକ ଦେବାକୁ ପ୍ରସ୍ତୁତ ତାହା ସେ ଟିକିନିଖି କରି ଉଲ୍ଲେଖ କରିଥିଲେ । ପରିଶେଷରେ କେଉଁ ପକ୍ଷର ପ୍ରସ୍ତାବରେ ହିଁ ଭରିବାକୁ ହେବ ଏବଂ କାହାକୁ ନାହିଁ କରିବାକୁ ହେବ ସେ ବିଷୟରେ ହରିଶଙ୍କରଙ୍କର ମତାମତ ଲୋଡ଼ିଥିଲେ । ହରିଶଙ୍କର ଚିଠି ପଢ଼ି ଖୁବ୍‍ ଆମୋଦ ଅନୁଭବ କଲେ । ବିଶେଷତଃ ଯୌତୁକ ପ୍ରସଙ୍ଗଟା ତାଙ୍କୁ ବଡ଼ କୌତୁକପ୍ରଦ ବୋଧହେଲା । ଆଜିକାଲିକାର ଯୁବକମାନେ ଯୌତୁକ ଲାଭ ପାଇଁ ଯେତିକି ବ୍ୟାକୁଳ, କନ୍ୟାପିତାମାନେ ମଧ୍ୟ ତା’ ଦେବାପାଇଁ ସେତିକି ବ୍ୟାକୁଳ ! ହରିଶଙ୍କର ଭାବିଲେ–କି କିଣାବିକାର ଯୁଗଟା ଆସି ହାବୁଡ଼ିଗଲା ! ଏ ଯୁଗରେ ବିବାହଟା ବଜାର କାରବାର ହୋଇପଡ଼ିଲା । ଆଗ ଯୁଗରେ ତାହା ଧର୍ମର ଅଙ୍ଗ ଥିଲା । ବର୍ତ୍ତମାନ ଧର୍ମ୍ମନାମରେ ବଜାର ସଉଦା ଚାଲିଲା । ଯେ ଯେତେ ଚଢ଼ାଦର ଦେଇପାରିଲା ତାର ତେତେ ଜିତାପଟ । ଗୋଟାଏ ନିଲାମ ବିକ୍ରି, ଆଉ କ’ଣ ? ବରପାତ୍ର ଗୋଟାଏ ନିଲାମର ବସ୍ତୁ । ସେ ନିଜକୁ ନିଜେ ନିଲାମ କରିବା ପାଇଁ ଡାକ ଦେଉଛି, କିମ୍ୱା ତା’ର ଅଭିଭାବକ ଡାକ ଦେଉଛି । ଯାହାର ବଳ ଅଛି ସେ ଚଢ଼ାଦରରେ ନିଲାମ ଧରି ପାରୁଛି, ଆଉ ଯାହାର ବଳ ନାହିଁ ସେ ହଟି ଯାଉଛି । ଏପରି ସ୍ଥଳରେ ଧର୍ମ କାହିଁ–ପ୍ରଣୟ କାହିଁ ? ଆମେ ସାହେବ ଜାତିଟାକୁ ନିନ୍ଦା କରୁଁ । ଅବଶ୍ୟ କେତେକ ବିଷୟରେ ସେ ଜାତିଟା ନିନ୍ଦାର ପାତ୍ର । ମାତ୍ର ସେମାନଙ୍କର ବିବାହ କ୍ରିୟାଟା ଧର୍ମଗତ ନ ହେଲେ ସୁଦ୍ଧା ଅନ୍ତତଃ ସେଥିରେ କିଛି ପ୍ରଣୟର ସ୍ଥାନ ଅଛି । କିନ୍ତୁ ଆମର ଏ ପରିଣୟ ବ୍ୟାପାରରେ ନା ଅଛି ଧର୍ମ, ନା ଅଛି ପ୍ରଣୟ । ହାୟ ! ଆମେ ଆଜି କି ନିଃସ୍ୱ, କି କାଙ୍ଗାଳର ଜାତି ହୋଇପଡ଼ିଛୁଁ !

 

ହରିଶଙ୍କର ଭାବିଲେ–ଦେଶର ଏ ଦୂରବସ୍ଥା ପାଇଁ ଯଦି କେହି ଦାୟୀ, ତା’ହେଲେ ସେ ହେଉଛି ଆଜିକାଲିକାର ଯୁବକ ସମାଜ । ଏହାର ପ୍ରତିକାର କେବଳ ସେହିମାନେ ହିଁ କରିପାରନ୍ତି । ସେହିମାନଙ୍କ ହାତରେ ହିଁ ଏ ରୋଗର ପ୍ରତିଷେଧକ ଓଷଧ ଅଛି । ସେମାନେ ଯଦି ଏହାର ପ୍ରଶୟ ଦିଅନ୍ତି ବା ଏହାକୁ ଉତ୍ସାହିତ କରିବାକୁ ଯାଆନ୍ତି, ତେବେ ଦୋଷ ସେହିମାନଙ୍କର ନୁହେଁ କି ? କଳଙ୍କ-ଭାଜନ ସେହିମାନେ ନୁହନ୍ତି କି ? ଦେଶର ଅଧଃପତନ ସେହିମାନେ ଘଟାଉ ନାହାନ୍ତି କି ? ହରିଶଙ୍କର ଉତ୍ତେଜିତ ହୋଇ ଭାବିଲେ–ନରହତ୍ୟା ପାଇଁ ଆଇନରେ ଫାସିଦଣ୍ଡର ବ୍ୟବସ୍ଥା ଅଛି । କିନ୍ତୁ ଏଣେ ଯେ ପ୍ରତିମୁହୂର୍ତ୍ତ ସମାଜ-ହତ୍ୟା ହେଉଛି । ଏଥିପାଇଁ ଦଣ୍ଡ କାହିଁ ? ଆଇନ ପ୍ରଣେତାର ଚକ୍ଷୁ ଦି’ଟା କି ଫୁଟିଯାଇଛି ? ହରିଶଙ୍କର ମନେ ମନେ କହିଲେ–ଦଣ୍ଡର ବ୍ୟବସ୍ଥାଟା ଯଦି ତାଙ୍କ ହାତରେ ଥଆନ୍ତା, ତା’ହେଲେ ସେ ଏ ଅପରାଧ ପାଇଁ ଡବଲ ଫାସିର ଆଦେଶ ନ ଦେଇ ଛାଡ଼ନ୍ତେ ନାହିଁ । ଏହା ଭାବି ସେ ଉତ୍ତେଜନାବଶତଃ କୃଷ୍ଣମାଧବଙ୍କ ଚିଠିଟା ଟିକି ଟିକି କରି ଚିରି ପକାଇ ତାକୁ ଦଳି ମଳି ଦୂରକୁ ଫୋପାଡ଼ିଦେଲେ । ପରେ ପ୍ରକୃତିସ୍ଥ ହୋଇ ମନେ ମନେ ହସି ଉଠିଲେ । ସାମାନ୍ୟ ଚିଠିଟା ଉପରେ ଏତେ ଗରମ ହୋଇ ଯାଇ ଏ ଅଦ୍ଭୁତ ବୀରତ୍ୱଟା ପ୍ରକାଶ କରିବାର କୌଣସି ଆବଶ୍ୟକତା ନ ଥିଲା । ଚିଠିଟାର ଯେ ଜବାବ୍‍ ଦିଆ ହୋଇ ନାହିଁ ।

 

ସଙ୍ଗେ ସଙ୍ଗେ ସେ ଏହି ମର୍ମରେ ଚିଠିଟାର ଜବାବ୍‍ ଦେଇ ଦେଲେ ଯେ ହରିଶଙ୍କର ନିଲାମର ବସ୍ତୁ ହେବାକୁ ଚାହେଁ ନାହିଁ । ଯେଉଁମାନେ ଚଢ଼ାଡ଼ାକ ଦେଇ ନିଲାମ ଧରିବାକୁ ବ୍ୟାକୁଳ, ସେମାନଙ୍କୁ କହିଦେବା ଉଚିତ୍‍ ଯେ ହରିଶଙ୍କର ସେମାନଙ୍କୁ କୃପାଚକ୍ଷୁରେ ଦେଖେ । ଚିଠିଟା ଲେଖି ସେ ଡାକଘରକୁ ପଠାଇଦେଲେ । ସେତେବେଳକୁ ସୂର୍ଯ୍ୟ ମୁଣ୍ଡଉପରେ ହେବାକୁ ବସିଲେଣି । ବାରଟାର ଆଖପାଖ । ହରିଶଙ୍କର ଉଠିଲେ ଏବଂ ଆସ୍ତେ ସୌଦାମିନୀଙ୍କ ଘରଆଡ଼କୁ ଚାଲିଲେ । ବନ୍ୟାରେ ଘରଟାର ଯେଉଁ କ୍ଷତି ହୋଇଥିଲା ତାହା ମରାମତି କରିବାପାଇଁ ସେ ବ୍ୟବସ୍ଥା କରିଥିଲେ-। ତା’ କେତେଦୂର ହେଲା, ତାହାହିଁ ଦେଖିବା ତାଙ୍କର ଥିଲା ମୁଖ୍ୟ ଉଦ୍ଦେଶ୍ୟ ।

 

ଧିରେ ଧୀରେ ଘର ମଧ୍ୟରେ ପ୍ରବେଶ କରି ହରିଶଙ୍କର ଦେଖିଲେ–କେହି କୁଆଡ଼େ ନାହିଁ । ବାଉଲା ମା’ ବୋଲି ଯେଉଁ ଲୋକଟିକୁ ସେ ପରିଚାରିକା ପଦରେ ନିଯୁକ୍ତ କରିଥିଲେ ସେ ସ୍ନାନ କରିବାକୁ ଯାଇଥିଲା । ମୂଲିଆମାନେ ବି ସେତେବେଳକୁ ଚାଲିଗଲେଣି । ହରିଶଙ୍କର ମରାମତ କାମଟା ଉପରେ ଟିକିଏ ଆଖି ପକାଇଦେଇ ରୋଷେଇ ଘରଆଡ଼କୁ ଚାଲିଲେ । ସୁଷି ସେତେବେଳେ ଅନ୍ୟଆଡ଼କୁ ମୁହଁକରି କରଚୁଲିରେ ତେଲ ଫୁଟାଇ ଲଙ୍କା ପକାଇ ଦହି ତରକାରୀ ହାଣ୍ଡିରେ ଗରମ କରଚୁଲିଟା ଛାଡ଼ିଦେଇଛି, ଆଉ ଦହିତରକାରୀଟା ଚିତ୍କାର ଛାଡ଼ୁଛି–ସେଁ ଭରର୍‍ । ହରିଶଙ୍କର କହିଲେ–ବାଃ ବାଃ ସୁଷି, ଛୁଙ୍କଟା ଚମତ୍କାର ହେଇଛି ।

 

ସୁଷି ଚମକି ଉଠିଲା । ଅଙ୍ଗବସ୍ତ୍ରଟା ତା’ର ଶିଥିଳ ହୋଇପଡ଼ିଥିଲା । ହରିଶଙ୍କର ବାବୁ ଯେ ଏମିତି ଅସମୟଟାରେ ଆସି ପହଞ୍ଚିଯିବେ ସେ ଭାବି ନଥିଲା । କେଶଗୁଚ୍ଛ ଟିକିଏ ସଂସ୍କାର କରିନେବାକୁ ସମୟ ପାଇନାହିଁ । ଖଣ୍ଡିଏ ଭଲଲୁଗା ମଧ୍ୟ ପିନ୍ଧିବାକୁ ତାକୁ ଅବସର ମିଳି ନାହିଁ । ହାତରେ ତା’ର ଠାଏ ଠାଏ କଳା ଲାଗି ଅଲକ୍ଷଣ ଦେଖାଯାଉଛି । ଆଉ କେଉଁଠି ଯେ କ’ଣ ହୋଇଛି ତା’ ସେ ଜାଣେ ନାହିଁ । ପୁଣି ଅସ୍ତବ୍ୟସ୍ତ ହୋଇ ଅଙ୍ଗ ବସ୍ତ୍ର ଖଣ୍ଡିକ ଟାଣି ଝିଙ୍କି ଅଙ୍ଗ ଆବୃତ କରିବାକୁ ଲାଗିଲା । ଫଳତଃ ଲୁଗାରେ ମେଞ୍ଚା ମେଞ୍ଚା ହୋଇ କଳା ଲାଗିଗଲା । ହରିଶଙ୍କର ତା’ ଲକ୍ଷ୍ୟ କରି କହିଲେ–ଆଉ, ସୁଷି, ଏତେ ବ୍ୟସ୍ତ ହେବାର ଦରକାର ନାହିଁ । ମୁଁ ପଛେ ଆଖିବୁଜି ଦେଉଛି । ଲୁଗାଟା ଯେ କଳା ବଲବଲ ହୋଇଗଲା ।

 

ଲଜ୍ଜାରେ ସୁଷିର ମୁହଁ ଖଣ୍ଡିକ ପାଟଳ ହୋଇଗଲା–ଦେହରେ ସରମଝାଳ ବିନ୍ଦୁ ବିନ୍ଦୁ ହୋଇ ଫୁଟି ଉଠିଲା । ହରିଶଙ୍କର ଆହୁରି ଟିକିଏ ପାଖକୁ ଘୁଞ୍ଚିଯାଇ କହିଲେ–ଆଜି ଖାଇବାକୁ ଦେବ ସୁଷି ?

 

ସୁଷି ବିପରୀତ ମୁଖରେ କେବଳ ମୃଦୁ ହାସ୍ୟ କରିବାକୁ ଲାଗିଲା । ହରିଶଙ୍କର କହିଲେ–ଏମିତି କରି ମୁହଁ ବୁଲେଇ ଛିଡ଼ା ହୋଇ କହିଲେ ଯେ ଭଦ୍ରଲୋକ ପ୍ରତି ଅପମାନ ହୁଏ. ସୁଷି ! ଖାଇବାକୁ ନ ଦେଲ ନାହିଁ, ଟିକିଏ କଥା ବି କହିବ ନାହିଁ ?

 

ସୁଷି ସଲଜ୍ଜ ହାସ୍ୟକରି ଧୀରେ ଧୀରେ କହିଲା–ଖାଇଲେ ଯେ ଜାତି ଯିବ ।

 

ହରିଶଙ୍କର ଠୋ ଠୋ କରି ହସି ଉଠିଲେ । କହିଲେ–କେଉଁ ବାଟେ କୁଆଡ଼େ ଯିବ ତା’ ଆଜି ଦେଖିବାକୁ ହେବ । ନ ଦେଖି ଛାଡ଼ିବି ନାହିଁ, ସୁଷି ।

 

ଏହା କହି ସେ ଚେକାମାଡ଼ି ବସିପଡ଼ିଲେ । ବଡ଼ ମୁସ୍କିଲ କଥା ! ସୁଷି କ’ଣ କରିବ କିଛି ଠିକ୍‍ କରି ପାରିଲା ନାହିଁ । ଏକାବେଳେକେ ଯେ ରାସ୍ତା ବନ୍ଦ ! ପଳାଇଯିବାର ବି ଉପାୟ ନାହିଁ । ହରିଶଙ୍କର କହିଲେ–ସତ କହୁଛି ସୁଷି, ବଡ଼ ଭୋକ ଲାଗୁଛି । ସାରା ସକାଳୁ ପେଟରେ ଦାନା ପଶି ନାହିଁ, ପେଟଟା ହାହାକର କଲାଣି । ଏଭଳି ଲୋକକୁ ଘରୁ ତଡ଼ି ଦେବାଟା ଘୋର ଅଧର୍ମ ହେବ, ସୁଷି ।

 

ସୁଷି ହସି ହସି ଜବାବ ଦେଲା–ତା’ ତ ସତ, ତେବେ ଏତେ ଅଧୈର୍ଯ୍ୟ ହୋଇ ପଡ଼ିବା ଯେଉଁ ଅତିଥିର ଧର୍ମ, ତାଙ୍କୁ ଘରୁ ତଡ଼ି ଦେବାର ଉଚିତ ।

 

ହରିଶଙ୍କର ହସିଲେ । କହିଲେ–ତେବେ ଆଉ ଟିକିଏ ଡେରି ଅଛି ନା କ’ଣ ? ତା’ହେଲେ ଅତିଥି ଧୈର୍ଯ୍ୟ ଧରି ଅପେକ୍ଷା କରିପାରେ ।

 

ଏହା କହି ହରିଶଙ୍କର ଉଠିଲେ । କହିଲେ–ଶୀଘ୍ର ଶୀଘ୍ର ସାର ସୁଷି । ମୁଁ ଯାଇ ସେହି ଘରଟାରେ ଅପେକ୍ଷା କରୁଛି । କିନ୍ତୁ ବେଶି ଡେରି କଲେ ଚଳିବ ନାହିଁ । ଅତିଥିର ଅବସ୍ଥା ଯାହା ହେଲାଣି ସେଥିରେ ମୁର୍ଚ୍ଛା ସଙ୍ଗେ ସଙ୍ଗେ ମରଣ ଘଟିବା ବି ବିଚିତ୍ର ନୁହେଁ ।

 

ଏହା କହି ହରିଶଙ୍କର ଚାଲିଲା ଓ ପୂର୍ବୋକ୍ତ ଘରଟିରେ ଯାଇ ଅପେକ୍ଷା କଲେ । ସୁଷି ତା’ ଲକ୍ଷ୍ୟ କଲା । ହରିଶଙ୍କର ଯେ ସତକୁ ସତ ଘରେ ଯାଇ ବସିରହିଲେ । ଏ କ’ଣ ମ ! ବାସ୍ତବିକ୍‍ କ’ଣ ସେ ଖାଇବାକୁ ଆସିଛନ୍ତି ? ସୁଷି ତାଙ୍କୁ କ’ଣ ଖାଇବାକୁ ଦେବ ? ସାମାନ୍ୟ ବାଇଗଣ କଦଳୀ ଦେଇ ସେ ଗୋଟାଏ ତରକାରୀ କରିଛି । ଆଉ ସେହି କଡ଼ମାଟା ରାନ୍ଧିଛି । ଡାଲି ନାହିଁ, ମାଛ ନାହିଁ, ଭଜା ନାହିଁ, ଆଉ କିଛି ନାହିଁ । ସେ କ’ଣ ଦେଇ ଭାତ ଦେବ ? ସୁଷି ବଡ଼ ବ୍ୟସ୍ତ ହୋଇପଡ଼ିଲା । ଏହି ସମୟରେ ବାଉଲି ମା’ ସ୍ନାନ ସାରି ଆସିଲା । ସୁଷି ତାକୁ ସମସ୍ତ କଥା କହିଲା-। ବାଉଲି ମା’ ତା’ କଥା ଶୁଣି ଆକାଶରୁ ଖସି ପଡ଼ିଲା ପରି ହେଲା । କହିଲା–ଏଁ ! ବାବୁ ଏଠି ଖାଇବେ ? ନାହିଁ ମ । ମିଛଟାରେ ଟାପରା କରୁଥିବେ–ମନ ବିଡ଼ୁଥିବେ । ଆଚ୍ଛା, ମୁଁ ଯାଉଛି ପଚାରିବି ।

 

ଏହା କହି ସେ ଧସ୍‍ ଧସ୍‍ ହୋଇ ଚାଲିବାକୁ ଆରମ୍ଭ କଲା । ସୁଷି କହିଲା–ରହ ଲୋ ପୋଡ଼ାମୁହାଁ, କ’ଣ ଯାଇ ପଚାରିବୁ ତୁ ?

 

ବାଉଲି ମା’ ଜବାବ ଦେଲା–କି ? ମତେ କ’ଣ ପଚାରି ଆସେ ନାହିଁ । କହିବି–ସତେ କ’ଣ ସାଆନ୍ତେ ଏଠି ଭୋଜନ କରିବେ ? ଆମର ତ ଦୁଃଖୀ ଘର, ପେଜ ପାଣିକୁ ଆଶ୍ରା । ସାଆନ୍ତ ମଣିମାଙ୍କ ତୁଣ୍ଡକୁ ସେ ରୁଚିବ ନା ? ଏହିପରି ବନେଇ ଚୁନେଇ ଦି’ କଥା କହିବି । କହିଲା–କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର । ମୋତେ ଆଉ ତା’ ବଳି ଯିବ ନା ?

 

ଏହା କହି ସେ କୌଣସି ପ୍ରକାର ବାଧା ନ ମାନି ଧାଇଁଲା । ଠିକ୍‍ ସେହିପରି ଯାଇ ହରିଶଙ୍କରଙ୍କୁ ପଚାରିଲା । ହରିଶଙ୍କର କହିଲେ–ହଁ ସେହି ପେଜପାଣି ବି ଆମର ଆଶ୍ରା । ଶୀଘ୍ର ନେଇ ଆସିବାକୁ କହ । ଇତ୍ୟବସରେ ସୁଷି ଦୁଇ ଚାରିଟା ବଡ଼ି ନେଇ ପୋଡ଼ିପକାଇ ରାଇତା କରିଥିଲା, ଆଉ ମୁଗଡ଼ାଲି ଦି’ଟା ବି କରିସାରିଥିଲା ।

 

ବାଉଲି ମା’ ଆସି କହିଲା–ସତ ଲୋ ମା, ମୁଁ ଯାଏଁ କୁଆଡ଼େ ! ବାବୁ ତ ପତର ପକେଇ ଛାଡ଼ିବେ ନାହିଁ ଦେଖୁଛି । ରଜାଘର ପୁଅର ଯଦି ଖୁଦପିତା ଖାଇବାକୁ ମନ ହେଲା, ଖାଉନ୍ତୁ । ଆମର ସେଥିରେ କ’ଣ ଅଛି ? ମୁଁ ଯାଏଁ ମା’, ଠା କରିଦେଇ ଆସେ, ତମେ ବଢ଼ାବଢ଼ି କର ।

 

ସୁଷି ବଢ଼ାବଢ଼ି କରି ଶୋଇବା ଘରକୁ ଯାଇ ଖଣ୍ଡେ ଫୁଲପକା ଧୋବଶାଢ଼ୀ ପିନ୍ଧିଲା । ମୁଣ୍ଡଟାର ବିପର୍ଯ୍ୟସ୍ତ କେଶରାଶି ଟିକିଏ ସଜାଡ଼ି ନେଲା । ଦେହରେ ଯେଉଁଠି କଳା ଲାଗିଥିଲା ପୋଛାପୋଛି ହେଲା । ଅବଶେଷରେ ପରିଷ୍କାର ପରିଚ୍ଛନ୍ନ ବେଶରେ ଲକ୍ଷ୍ମୀପ୍ରତିମାଟି ପରି ସେ ଅନ୍ନବ୍ୟଞ୍ଜନ ଧରି ସସ୍ମିତମୁଖରେ ହରିଶଙ୍କରଙ୍କ ଆଗରେ ଉପସ୍ଥିତ ହେଲା । ଯଥାସ୍ଥାନରେ ଅନ୍ନବ୍ୟଞ୍ଜନ ରଖିଦେଇ ସେ ଘରୁ ବାହାରି ଯିବାର ଉପକ୍ରମ କରୁଛି, ହରିଶଙ୍କର ବାଟ ଓଗାଳି କହିଲେ–ତମେ ଯେ ଚାଲିଲ, ସୁଷି । ମୁଁ କିନ୍ତୁ କହି ରଖୁଛି–ତମେ ଏଠି ନ ବସିଲେ ମୁଁ ଏ ସବୁ କଦାପି ଛୁଇଁବି ନାହିଁ ।

 

ସୁଷି କହିଲା–ମୁଁ କ’ଣ ପାନ ଭାଙ୍ଗିବି ନାହିଁ ?

 

ହରିଶଙ୍କର ଉତ୍ତର ଦେଲେ–ତା’ ପରେ ହେବ, ପାନ ବର୍ତ୍ତମାନ କାହାରି ଦରକାର ନାହିଁ-

 

ସୁଷି ଅଗତ୍ୟା ବସି ରହିଲା । ହରିଶଙ୍କର ଖାଇବାକୁ ଆରମ୍ଭ କଲେ ।

Image

 

ସପ୍ତମ ପରିଚ୍ଛେଦ

 

ଖାଉଁ ଖାଉଁ ହରିଶଙ୍କର କହିଲେ–ତମେ ତ ଚମତ୍କାର ରାନ୍ଧି ପାର ସୁଷି ! ଏସବୁ ତମେ ରାନ୍ଧିଛ ?

 

ସୁଷି କହିଲା–ଆଉ ବେଶି ଥଟ୍ଟା କରନ୍ତୁ ନାହିଁ । ଯେଉଁ ରାନ୍ଧଣାଟା ତ ! ମୁହଁରୁ ଛାଡ଼ୁ ନ ଥିବ ।

 

ହରିଶଙ୍କର କହିଲେ–ଥଟ୍ଟା କରୁ ନାହିଁ ସୁଷି, ସତ କହୁଛି–ଖୁବ୍‍ ଭଲ ହୋଇଛି ।

 

ସୁଷି ଜବାବ୍‍ ଦେଲା–ହଁ, ଖାଇବାରୁ ଜଣାଯାଉଛି ଯେ ! ସବୁ ତ ସେହିପରି ରହିଛି, ଭଲ ଲାଗିଲା କେମିତି ? ମିଛ କହିଲେ ଲୋକେ ନରକରେ ପଡ଼ନ୍ତି ପରା !

 

ହରିଶଙ୍କର ଉତ୍ତର ଦେଲେ–ପଡ଼ିଲେ, ପଡ଼ନ୍ତୁ । କିନ୍ତୁ ମୁଁ ଠିକ୍‍ ସ୍ୱର୍ଗକୁ ଯିବି–ଏଟା ନିଶ୍ଚୟ-। ଆଉ ଯେତେବେଳେ ଯିବି–ତମକୁ ସଙ୍ଗରେ ନ ନେଇ ଛାଡ଼ିବି ନାହିଁ । କାରଣ ସୁଷମାରାଣୀର ହାତର ରାନ୍ଧଣାଟାରୁ ବଞ୍ଚିତ ହେଲେ ସ୍ୱର୍ଗବାସଟା ବିଫଳ ହୋଇଯିବ । ତେବେ ସହଗମନ ପାଇଁ ପ୍ରସ୍ତୁତ ଅଛ ତ, ସୁଷି ?

 

ସୁଷିର ମୁହଁ ଲଜ୍ଜାରେ ରଙ୍ଗ ପଡ଼ିଗଲା । ହରିଶଙ୍କର କହିଲେ–କିନ୍ତୁ ସେଟା ହିନ୍ଦୁର ଧର୍ମ-। ତା’ ନ ହେଲେ ଯେ ସତୀତ୍ୱରେ ବାଧା ପଡ଼େ, ସୁଷି !

 

ଏହା କହି ହସିବାକୁ ଲାଗିଲେ । ସୁଷି କହିଲା–ଯାଃ, ମୁଁ ଆଉ ଏଠି ରହିବି ନାହିଁ ।

 

ଏହା କହି ସେ ପଳାଇବାକୁ ଚେଷ୍ଟା କଲା । ମାତ୍ର ସୁଷିର ବାସନାଞ୍ଚଳଟା ହରିଶଙ୍କରଙ୍କ ହାତରେ ପଡ଼ିଗଲା । ହରିଶଙ୍କର ତାହା ଟାଣିଧରି କହିଲେ–ଭୟ ନାହିଁ, ସୁଷି । ଏତେ ଶୀଘ୍ର ତା’ ଘଟୁ ନାହିଁ–ବହୁତ ଡେରି ଅଛି । ପଳାଅ ନା, ମୋତେ କ’ଣ ସୁରୁଖୁରୁରେ ଦି’ଟା ଖାଇବାକୁ ଦେବ ନାହିଁ ? ଆଚ୍ଛା, ଆଉପଛେ ସେପରି କଥା ନ କହିବି । ମୁଁ ଝକ୍‍ ମାଇଲି, ତମେ ଟିକିଏ ବସ ।

 

ସୁଷି ଟିକିଏ ଦୂରରେ ବସି ମାଟିରେ ନଖାଗ୍ର ସାହାଯ୍ୟରେ ଗାର କାଟିବାକୁ ଲାଗିଲା । ହରିଶଙ୍କର ଖାଇବାକୁ ଲାଗିଲେ । ସମସ୍ତ ଅନ୍ନବ୍ୟଞ୍ଜନ ନିଃଶେଷ ହୋଇଆସିଲା । ସୁଷି କହିଲା–ଆଉ ଦିଓଟି ଭାତ ଆଣେ ?

 

ହରିଶଙ୍କର ଜବାବ୍‍ ଦେଲେ–ଏକାବେଳକେ ମାରିଦେବାର ମତଲବ ନା କ’ଣ ?

 

ସୁଷି କହିଲା–ଆହା ! ଯେଉଁ ଖିଆଟା ତ ଖାଇଲେ । ସେଥିରେ ପୁଣି ମାରି ଦେବାର ମତଲବ !

 

ହରିଶଙ୍କର ଉତ୍ତର ଦେଲେ–ନା, ସୁଷି ! ସେପରି ମନେ କରିବାଟା ତମର ଭୁଲ । ଆଜି ଯାହା ଖାଇଛି, ଜନ୍ମାବଧି ବୋଧହୁଏ ସେପରି ଖାଇ ନ ଥିଲି ।

 

ସୁଷି କହିଲା–ଥାଉ ଥାଉ, କଥାଗୁଡ଼ାକ ବଢ଼େଇ କରି କହିବାଟା ଆପଣଙ୍କର ସ୍ୱଭାବ ।

 

ହରିଶଙ୍କର ଏହା ଶୁଣି ଯେପରି ଚମକି ଉଠିଲେ । କ୍ଷଣକାଳ ଗୁମ୍‍ ହୋଇ ବସି କ’ଣ ଭାବିବାକୁ ଲାଗିଲେ । ତା’ପରେ ବଡ଼ କାତର କଣ୍ଠରେ ଡାକିଲେ–ସୁଷି !

 

ଅସ୍ୱାଭାବିକ କଣ୍ଠସ୍ୱରଟା ଶୁଣି ସୁଷିର ପ୍ରାଣରେ ହଠାତ୍‍ ଗୋଟାଏ ଆଶଙ୍କାର ଭାବ ଜାଗି ଉଠିଲା । ତା’ର ମନେ ହେଲା କଥା କହୁଁ କହୁଁ ସେ ଯେପରି ଅମାର୍ଜନୀୟ ପ୍ରଗଲ୍‍ଭତା ପ୍ରକାଶ କରି ପକେଇଛି । ବୋଧହୁଏ ତାହା ହରିଶଙ୍କରଙ୍କ ପ୍ରାଣରେ ଆଘାତ ଦେଇଛି । ଏହା ଭାବି ସେ ନୀରବ କ୍ଷମାଭିକ୍ଷାର ଦୃଷ୍ଟି ନେତ୍ରପ୍ରାନ୍ତରେ ଢଳ ଢଳ କରି ହରିଶଙ୍କରଙ୍କ ମୁହଁ ଆଡ଼କୁ ଚାହିଁ ରହିଲା ।

 

ହରିଶଙ୍କର କହିଲେ–ଏତେ ଦିନଯାଏ ଯେ ମୋତେ ଚିହ୍ନି ପାରିଲ ନାହିଁ ସୁଷି, ଏଇଟାତ ବଡ଼ ଦୁଃଖର କଥା ।

 

ସୁଷି ଏ ଉକ୍ତିର ତାତ୍ପର୍ଯ୍ୟ ଅଣୁମାତ୍ର ବୁଝି ନ ପାରି ବଲବଲ ହୋଇ ଚାହିଁ ରହିଲା । ହରିଶଙ୍କର କହିବାକୁ ଲାଗିଲେ–ଯେ ଅନ୍ତରର ଅନ୍ତରତମ ଲୋକ, ସାରା ଜୀବନର ସାଥି, ତା’ ସାଙ୍ଗରେ କଥା କହିବାକୁ ହେଲେ କ’ଣ ଏହିପରି ‘‘ଆପଣ’’ ‘‘ଭବାନ୍‍’’ ଲଗାଇ କହିବାକୁ ହୁଏ ? ମାଆଙ୍କର ଶେଷ କଥାଟା କି ଭୁଲିଗଲ ସୁଷି ?

 

ଏହା କହି ସେ ଆଚମନ କରିବା ପାଇଁ ଉଠିଗଲେ । ଆଚମନ ପରେ ଗୃହ ଭିତରେ ପ୍ରବେଶ କରି ଦେଖିଲେ–ଅବନତମୁଖୀ ସୁଷମାର ନେତ୍ରପ୍ରାନ୍ତ ଦେଇ ଠପ୍‍ ଠପ୍‍ ହୋଇ ଅଶ୍ରୁବିନ୍ଦୁ ଝରିପଡ଼ୁଛି । ତା’ ଦେଖି ସେ ଆଉ ସ୍ତିର ହୋଇ ରହିପାରିଲେ ନାହିଁ । ତତ୍‍କ୍ଷଣାତ୍‍ ପକେଟରୁ ରୁମାଲଟା କାଢ଼ି ସୁଷିର ଚକ୍ଷୁଦ୍ୱୟ ପୋଛି ଦେବାକୁ ଯାଇ କହିଲେ–ଛି ସୁଷି, ଏ କ’ଣ ? ତମ ମନରେ ଯେ ଏତେ କଷ୍ଟ ହେବ ତାହା ଜାଣି ନ ଥିଲି । ମୋତେ କ୍ଷମାକର, ମୋର ଅପରାଧ ହୋଇଛି ।

 

ସୁଷି କ୍ଷିପ୍ରଗତିରେ ଦୂରକୁ ଘୁଞ୍ଚିଯାଇ, ନୀରବରେ ଛିଡ଼ା ହୋଇ ରହିଲା । ହରିଶଙ୍କର କହିଲେ–ସୁଷି, ମୋର କଥାଟା ବୋଧହୁଏ ବୁଝିପାରିଲା ନାହିଁ । ମୋର କହିବାର ଉଦ୍ଦେଶ୍ୟ ହେଉଛି–ତମକୁ ମୁଁ କି ଚକ୍ଷୁରେ ଦେଖେଁ, ତମେ ମୋର କିଏ, ତା’ ତମର ଜାଣିବା ନିତାନ୍ତ ଦରକାର-। ତମେ ତା’ ନ ବୁଝିଲେ ଚଳିବ କିପରି ? ଏ ତ ଦିନ ଅଧକର କଥା ନୁହେଁ,–ଚିର ଜୀବନର ସମ୍ପର୍କ-! ଏଥିରେ ସାମାନ୍ୟ ଟିକିଏ ଆଞ୍ଚ ଲାଗିଲେ ବି ପ୍ରାଣରେ କଷ୍ଟ ହୁଏ । ଏ ସମ୍ପର୍କ ନିତାନ୍ତ ଘନିଷ୍ଠ,–ନିତାନ୍ତ ଆନ୍ତରିକ ।

 

ବାହାରର କୌଣସି ପ୍ରକାର ଆବରଣର ଏଥିରେ ସ୍ଥାନ ନାହିଁ । ସମସ୍ତ ଆବରଣ ଛିନ୍ନ କରି ଏହା ଆତ୍ମପ୍ରକାଶ କରିବାକୁ ଚାହେଁ,–ସେଇଥିରେ ହିଁ ଏହାର ସାର୍ଥକତା-। ଏଥିରେ ଶିଷ୍ଟାଚାରର ମାତ୍ରା ଯେତେ କମ୍‍ ହୋଇପାରେ ତେତେ ଭଲ । ସେହି କାରଣରୁ ମୁଁ କହୁଛି–ଏସବୁ ବର୍ଜନ କରିବାକୁ ହେବ, ସୁଷି । ମୁଁ ତ କେବେ ‘‘ଆପଣ, ଭବାନ୍‍’’ କରି ତମ ସାଙ୍ଗରେ କଥାବାର୍ତ୍ତା କରିପାରିବି ନାହିଁ । ତେବେ ତମର ଏସବୁ ଅନାବଶ୍ୟକ ଶିଷ୍ଟାଚାରର ଆବରଣ କାହିଁକି ? ଦେଖ, ଆଉ ଯେପରି ତା’ ନ ହୁଏ, ସୁଷି !

 

ଏହା କହି ହରିଶଙ୍କର ପଚାରିଲେ–ଏପର୍ଯ୍ୟନ୍ତ ଯେ ପାନ ଦେଇ ନାହିଁ ତା’ ମନେ ଅଛି ତ ? ଯାଅ, ଶୀଘ୍ର ଆଣ, ମୁଁ ଯାଏଁ ।

 

ସୁଷି ପାନ ଆଣିବାକୁ ଯିବା ସମୟରେ ହରିଶଙ୍କର ପୁନଶ୍ଚ ଡାକି ପଚାରିଲେ–ତମେ ତ କିଛି ଖାଇ ନ ଥିବ ସୁଷି ? ମୋର ସେ ବିଷୟଟା ପ୍ରତି ଆଦୌ ନଜର ନାହିଁ । ମୁଁ ଖାଉଁ ଖାଉଁ କେତେ ଡେରି କରିଦେଲି । ମୋତେ ଟିକିଏ କହିଲ ନାହିଁ ?

 

‘‘ନା, ବେଶି କିଛି ଡେରି ହୋଇ ନାହିଁ’’ ବୋଲି କହି ସୁଷି ଶୀଘ୍ର ଯାଇ ପାନ ଆଣିଦେଲା-। ହରିଶଙ୍କର ତା’ ହାତରୁ ପାନ ନେବାକୁ ଯାଇ ଦେଖିଲେ–ହାତଟା ଏକାବେଳକେ ଶୂନ୍ୟ–କୌଣସି ଅଳଙ୍କାର ନାହିଁ,–କାଚ ପଟେ ବି ନାହିଁ । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ଏ କ’ଣ ସୁଷି-? ଏକାବେଳେକେ ଯେ ବିଧବାର ହାତ କରି ବସିଛି । ଅନ୍ୟ ଲୋକପ୍ରତି ଟିକିଏ ଦୟାମାୟା ବି ନାହିଁ-

 

ସୁଷି ଲଜ୍ଜାରେ ଲାଲ ପଡ଼ିଯାଇ, ପଳେଇଯାଇ ବଞ୍ଚିଲା । ହରିଶଙ୍କର ବିଦାୟ ନେଲେ ।

Image

 

ଅଷ୍ଟମ ପରିଚ୍ଛେଦ

 

ହରିଶଙ୍କର ସେହିଦିନ କଟକର ଏକ ଜଣାଶୁଣା ଅଳଙ୍କାର ବିକ୍ରେତା ନିକଟକୁ ଅର୍ଡ଼ର ପଠାଇଦେଲେ । ସୁନାର ଚୂଡ଼ି, ଗୋଟାଏ ସୁନାର ହାର, ଦୁଇଟି ସୁନା ମୁଦି ଓ ଦୁଇଟି କର୍ଣ୍ଣାଳଙ୍କାର ପାଇଁ ବରାଦ ଦେଇଦେଲେ । ଯଥା ସମୟରେ ମଧ୍ୟ ତାହା ନେଇ ସୁଷିର ଘରକୁ ଚାଲିଲେ । ଘର ମଧ୍ୟରେ ପ୍ରବେଶ କରି ଡାକିଲେ–‘‘ସୁଷି !’’

 

ସୁଷି ସେତେବେଳେ ଗୋଟିଏ କ୍ଷୁଦ୍ର କୋଠରିରେ ବସି ପାନ ଭାଙ୍ଗୁଥିଲା । ଡାକ ଶୁଣି ତରତର ହୋଇ ଜବାବ ଦେଲା–‘‘ଯାଉଛି ।’’ ହରିଶଙ୍କର ଶୟନାଗାରରେ ପଡ଼ିଥିବା ଖଟ ଉପରେ ବସି ଅପେକ୍ଷା କଲେ । ଅଳ୍ପକ୍ଷଣ ପରେ ସୁଷି ଆସି ଉପସ୍ଥିତ ହେଲା । ହରିଶଙ୍କର ପାର୍ଶେଲ ବାକ୍‍ସଟା ପଛଆଡ଼େ ଲୁଚାଇ ରଖିଥିଲେ । କେବଳ ଗୋଟାଏ ସୁନାମୁଦି ଗୋପନରେ ହାତରେ ଧରିଥିଲେ । ସୁଷିର ମୁହଁକୁ ଚାହିଁ ହସି ହସି କହିଲେ–ଏଡ଼େ ସ୍ୱାର୍ଥପର ଲୋକ ତ ମୁଁ ଜଗତରେ ଦେଖି ନାହିଁ । ନିଜ; ପାନଭାଙ୍ଗି ଖାଇଲ, ଅଥଚ ଯେ ପାନର ମହତ୍ୱ ବୁଝେ, ତା’ ପାଇଁ ଖିଲେ ବି ଆଣିଲ ନାହିଁ । ସୁଷି ମୃଦୁ ହାସ୍ୟ କରି ଜବାବଦେଲା–‘‘ ଯାହାଙ୍କର ଧୈର୍ଯ୍ୟର ଏତେ ଅଭାବ, ତାଙ୍କୁ ପାନର ଡେମ୍ପ ଟିକିଏ ଦେବା ଅନୁଚିତ ।’’ ଏହା କହି ସେ ହରିଶଙ୍କରଙ୍କ ଆଡ଼କୁ ଦୁଇଖିଲ ପାନ ବଢ଼ାଇଦେଲେ । ହରିଶଙ୍କର ଚିତ୍କାର କରି ଉଠିଲେ–ଏ କ’ଣ କରିଛି ସୁଷି ? ଡାହାଣ ହାତର ଆଙ୍ଗୁଳିଟା କାଟି ରକ୍ତଝୋଳ କରି ପକେଇଛ ! ଦେଖେଁ ଦେଖେଁ–ସୁଷି କହିଲା କାହିଁ ? ହରିଶଙ୍କର ହଠାତ୍‍ ତା’ର ହାତଟି ଧରି ପକାଇ ଅତି କ୍ଷିପ୍ରହସ୍ତରେ ଅନାମିକା ଅଙ୍ଗୁଳିରେ ନାମାଙ୍କିତ ସ୍ୱର୍ଣ୍ଣାଙ୍ଗୁରୀୟଟି ପିନ୍ଧାଇବାକୁ ଚେଷ୍ଟା କରୁଁ କରୁଁ ଦୈବାତ୍‍ ସୁଷିର ଦୃଷ୍ଟି ତା’ଉପରେ ପଡ଼ିଯିବାରୁ ସୁଷି ତୁରନ୍ତ ହାତଟା ଛଡ଼ାଇ ଦେଲା । ମୁଦିଟି ଖସିପଡ଼ିଲା । ସୁଷି ପଳାଇଯିବାକୁ ଉଦ୍ୟତ ହେଲା ।

 

ହରିଶଙ୍କର କଠୋର ସ୍ୱରରେ ଡାକିଲେ–ସୁଷି !

 

ସେ ତୀବ୍ର କଣ୍ଠସ୍ୱର ଶୁଣି ସୁଷି ଆଉ ପଳାଇଯାଇ ପାରିଲା ନାହିଁ । ଧମ୍‍କରି ଛିଡ଼ାହୋଇ ରହିଲା । ହରିଶଙ୍କରଙ୍କ ସ୍ୱଭାବ କୋମଳ କଣ୍ଠସ୍ୱର ପୁଣି ଏତେ କଠୋର ହୋଇପାରେ ତାହା ସେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲା । ଅକସ୍ମାତ୍‍ ବଜ୍ର ଶବ୍ଦ ଶୁଣି ଲୋକ ଯେପରି ଚକିତ ସ୍ତମ୍ଭିତ ହୋଇଯାଏ, ସୁଷିର ଠିକ୍‍ ସେହି ଅବସ୍ଥା ହେଲା ।

 

ହରିଶଙ୍କର ଡାକିଲେ–ସୁଷମା !

 

ସୁଷି ଶଙ୍କିତ ନେତ୍ରରେ ଭୂମିଲଗ୍ନ ଦୃଷ୍ଟି ଧୀରେ ଧୀରେ ଉତ୍ତୋଳନ କରି ହରିଶଙ୍କରଙ୍କ ଆଡ଼କୁ ଅନାଇବାକୁ ଚେଷ୍ଟା କଲା । କିନ୍ତୁ ଅନେଇ ପାରିଲା ନାହିଁ । ହରିଶଙ୍କର କହିଲେ–ଆଚ୍ଛା ସୁଷମା, ମୋର କି ଅପରାଧ ଯେ, ତମେ ଆଜି ଏତେ ବଡ଼ ଅପମାନ ଦେବାକୁ ଗଲ ?

 

ସୁଷି ନମ୍ର ସ୍ୱରରେ ଜବାବ୍‍ ଦେଲା ଯେ, ସେ କଦାପି ଅପମାନ ଦେବାକୁ ଯାଇନାହିଁ ।

 

ହରିଶଙ୍କର ପୂର୍ବପରି ଉତ୍ତେଜିତ କଣ୍ଠରେ କହିଲେ–ଆଉ ଅପମାନ କାହାକୁ କହନ୍ତି ଶୁଣେଁ ? ଗୋଟାଏ ସାମାନ୍ୟ ସ୍ନେହୋପହାର ଦେବାର କି ମୋର ଅଧିକାର ନାହିଁ ? ମୁଁ କି ତମ ପାଖରେ ଏତେ ଘୂଣ୍ୟ ?

 

ସୁଷମା ଉତ୍ତର ଦେଲା–ମୁଁ କ’ଣ ତା’ କହୁଛି ?

 

ହରିଶଙ୍କର କହିଲେ–ମୁହଁରେ କହି ନାହିଁ ସତ, କିନ୍ତୁ–ଏତିକି କହି ସେ ଗୋଟାଏ ମର୍ମସ୍ପର୍ଶୀ ଖର ନିଶ୍ୱାସ ତ୍ୟାଗ କଲେ । ସୁଷି ନୀରବ ହୋଇ ଛିଡ଼ା ହୋଇ ରହିଲା ।

 

ହରିଶଙ୍କର ପୁନଶ୍ଚ କହିଲେ–ଲୋକର ଏତେଦୂର ଗର୍ବିତା ହେବା ଶୋଭା ପାଏ ନାହିଁ, ସୁଷମା !

 

କଥାଟା ସୁଷିର ମର୍ମରେ ତୀକ୍ଷ୍‍ଣଧାର ଖଡ଼୍‍ଗଫଳକ ପରି ବିଦ୍ଧ ହୋଇଗଲା । ଅବନତ ନେତ୍ରପ୍ରାନ୍ତରୁ ଅବାରିତ ଅଶ୍ରୁଧାରା ଝର ଝର ହୋଇ ଝରିବାକୁ ଲାଗିଲା । ହରିଶଙ୍କର ତାହା ଲକ୍ଷ୍ୟ କଲେ । ଅଜ୍ଞାତସାରରେ କି ରୂଢ଼କଥାଟା ତାଙ୍କ ତୁଣ୍ଡରୁ ବାହାରି ପଡ଼ିଛି–ତାହା ଭାବି ତାଙ୍କର ଅନ୍ତସ୍ତଳ ଅନୁତାପରେ ପୂର୍ଣ୍ଣ ହୋଇଉଠିଲା । ଆତ୍ମଧିକ୍‍କାର ପ୍ରବଳ ବନାଗ୍ନି ପରି ହୃଦୟର ପ୍ରତ୍ୟେକ ଅନ୍ଧିସନ୍ଧିରେ ବ୍ୟାପିଗଲା । ସେ ଆଉ ଧୀର ସ୍ଥିର ହୋଇ ରହି ପାରିଲେ ନାହିଁ । କ୍ରନ୍ଦନକୁଳା କୁମାରୀର କରୁଣମୂର୍ତ୍ତିଟି ପାଖକୁ ଯାଇ ସେ କୋମଳ କଣ୍ଠରେ କହିଲେ–ସୁଷି, ରାଗିଲ-? କଥା କହୁଁ କହୁଁ ଟିକିଏ କର୍କଶ ହୋଇପଡ଼ିଛି । ସେଟା ମୋର ବଡ଼ ଅନ୍ୟାୟ ହୋଇଛି । ତେବେ ତମ ଛଡ଼ା ମୋର ଅତ୍ୟାଚାର ଆଉ କିଏ ସହ୍ୟ କରିବ, କହିଲ ସୁଷି ? ଛି, କାନ୍ଦ ନାହିଁ, ମୋ ରାଣ-

 

ଏହା କହି ସେ ଲାବଣ୍ୟମୟୀର ଚିବୁକଟି ଧରି ଗୋଟାଏ ଅଭାବନୀୟ କାଣ୍ଡ କରି ପକାଇବାକୁ ଯାଉଥିଲେ, ସୁଷି ପଛକୁ ଘୁଞ୍ଚିଗଲା । ହରିଶଙ୍କର ମଧ୍ୟ ନିଜକୁ ଶିଷ୍ଟସଂଯତ କରିନେଲେ । ସୁବର୍ଣ୍ଣ ଅଙ୍ଗୁରୀୟଟା ସେପର୍ଯ୍ୟନ୍ତ ଅବହେଳିତ ହୋଇ ଭୂଇଁରେ ପଡ଼ି ରହିଥିଲା । ହରିଶଙ୍କର ତାହା ତଳୁ ଉଠାଇନେଇ ଅନ୍ୟାନ୍ୟ ଅଳଙ୍କାର ସହିତ ସେହି ପାର୍ଶେଲ ବାକ୍‍ସଟାରେ ରଖିଲେ । ତା’ପରେ ଟିକିଏ କ୍ଷୁବ୍‍ଧ କଣ୍ଠରେ କହିଲେ–ଏଗୁଡ଼ାକ ଏଠି ରହିଲା ସୁଷି, ମୁଁ ଆସୁଛି । ଏହା କହି ସେ ଉଠି ବାହାରିଯିବାକୁ ଉଦ୍ୟତ ହେଲେ । ସୁଷି ବିଦ୍ୟୁତ୍‍ ବେଗରେ ଛୁଟିଆସି ପାଦଦ୍ୱୟ ଜଡ଼ି ଧରିଲା । ହରିଶଙ୍କର ସ୍ତମ୍ଭିତ ହୋଇ କହିଲେ–ଏ କ’ଣ, ସୁଷି, ଏ କ’ଣ ?

 

ସୁଷି କହିଲା–ଯିବାଟା କିନ୍ତୁ ଅନ୍ୟାୟ ହେବ କହିଦେଉଛି । ହରିଶଙ୍କର ଆପଣାର ପାଦଦୁଇଟି ମୁକ୍ତ କରିନେଇ ସ୍ୱସ୍ଥାନରେ ବସି ପଡ଼ିଲେ ।

 

ସୁଷି କହିଲା–ମୋ ଉପରେ ବିରକ୍ତ ହେଲେ ?

 

ହରିଶଙ୍କର ତା’ର ଭାଷାଗତ ଉକ୍ତି ସଂଶୋଧନ କରି ଉତ୍ତର ଦେଲେ–‘‘ହେଲେ’’ ନୁହେଁ ‘‘ହେଲ’’ କହିବାକୁ ହେବ ।

 

ସୁଷି କହିଲା–ହେଉ ତାହାହିଁ ହେଲା । କିନ୍ତୁ ମୋର ଦୋଷ କ’ଣ ?

 

ହରିଶଙ୍କର ଜବାବ ଦେଲେ–ଦୋଷ ଏଇ ଯେ ଅନ୍ତରର ଉଚ୍ଛ୍ୱସିତ ସ୍ନେହର ମୂଲ୍ୟ ବୁଝିଲା ନାହିଁ, ସୁଷି ।

 

ସୁଷି ନମ୍ରକଣ୍ଠରେ ପଚାରିଲା–ମୋ ପ୍ରତି ଯେ ତମର ସ୍ନେହ ନାହିଁ ମୁଁ କ’ଣ ତା’ କହିଲି ।

 

ହରିଶଙ୍କର–ତେବେ ବାଧା ଦେଲ ଯେ ।

 

ସୁଷି–ବାଧା ଦେବାଟା କଦାପି ମୋର ଅନ୍ୟାୟ ହୋଇନାହିଁ । ଏହା କହି ସେ ପଚାରିଲା–ସେଟା କି ବାକ୍‍ସ ? ଦେଖେଁ ।

 

ହରିଶଙ୍କର ବାକ୍‍ସଟା ତା’ର ହାତକୁ ବଢ଼ାଇ ଦେଇ ଅନ୍ୟ ଆଡ଼କୁ ମୁହଁ କରି ରହିଲେ । ସୁଷି ତାହା ଖୋଲି ଦେଖିବାକୁ ଆରମ୍ଭ କଲା । ଓଃ ଏତେ ଗୁଡ଼ାଏ ସୁନାର ଜିନିଷ ! ଏସବୁ କ’ଣ ତାହାରି ପାଇଁ କିଣା ହୋଇ ଆସିଛି । ଏହାର ଦାମ କେତେ ଟଙ୍କା ହୋଇ ନ ଥିବ ! ହରିଶଙ୍କର ଏ ମଧ୍ୟରେ ଏ କି କାଣ୍ଡ କରିବସିଛନ୍ତି ! ଏହା ଭାବି ସେ ବିସ୍ମୟରେ ଅଭିଭୂତ ହୋଇ ପଡ଼ିଲା । ତା’ର ଚକ୍ଷୁଦ୍ୱୟ ବିସ୍ଫାରିତ ହୋଇଉଠିଲା । ସେଦିନ ହରିଶଙ୍କର ତା’ର ଶୂନ୍ୟହସ୍ତ ଦେଖ ଯାହା କହିଥିଲେ ତାହା ତା’ର ମନେ ପଡ଼ିଲା । ସେ ମଧୁର ଭର୍ତ୍ସନାପୂର୍ଣ୍ଣ କଣ୍ଠରେ କହିଲା–ଏତେ କଥା କାହିଁକି କରିବାକୁ ଗଲ ଶୁଣେ ? ତା’ ଆଗରୁ ମୋତେ ଟିକେ ପଚାରିବା କି ଉଚିତ୍‍ ନ ଥିଲା ?

 

ହରିଶଙ୍କର ଉତ୍ତର ଦେଲେ–ତା’ ପଚାରିବାର ଅଣୁମାତ୍ର ଆବଶ୍ୟକତା ସେ ବୋଧ କରି ନ ଥିଲେ । ଯେଉଁ ବିଷୟଟା ପୂରାପୂରି ତାଙ୍କର ଅଧିକାରଭୁକ୍ତ ସେଥିରେ ଅନ୍ୟର ଅନଧିକାର ହସ୍ତକ୍ଷେପକୁ ସେ ପସନ୍ଦ କରନ୍ତି ନାହିଁ । ଏହା କହି ସେ ପଚାରିଲେ–ସୁଷି, ତା’ହେଲେ ମୁଁ ଯାହା ଦେବି ତାହା କି ତମେ ଗ୍ରହଣ କରିବ ନାହିଁ ?

 

ସୁଷି କହିଲା–ନିଶ୍ଚୟ କରିବି ।

 

ହରିଶଙ୍କର–କାହିଁ ଆଜି ତ କଲ ନାହିଁ । ମୁଁ ଯେ କେତେ ଶ୍ରଦ୍ଧାକରି ଏ ସବୁ ଆଣିଥିଲି ତାହା ତମେ ଜାଣ କି ?

 

ସୁଷି କହିଲା–ହଁ ଜାଣେ, ତେବେ ଏତେ ବ୍ୟସ୍ତ କାହିଁକି ? ପରେ ପିନ୍ଧିଲେ ହେବ ନାହିଁ ।

 

ହରିଶଙ୍କର ଏହା ଶୁଣି ହସିଲେ–ଓହୋ, ତା’ ପାଇଁ ଗୋଟାଏ ଜ୍ୟୋତିଷ ଡାକିବାକୁ ପଡ଼ିବ ପରା ! ଏହା କହି ସେ ଆହୁରି ହସିବାକୁ ଲାଗିଲେ । ଅବଶେଷରେ ଗାତ୍ରୋତ୍‍ଥାନ କରି କହିଲେ–ତାହାହେଲେ ଆପାତତଃ ଏ ଗୁଡ଼ାକ ଥାଉ, ମୁଁ ଆସେଁ ।

 

ସୁଷି କହିଲା–ଆଚ୍ଛା ଥାଉ ।

Image

 

ନବମ ପରିଚ୍ଛେଦ

 

ଦୁଇଦିନ ପରେ ହରିଶଙ୍କର ଆସି କହିଲେ–ସୁଷି, ଆଜି ଯିବାକୁ ହେବ, ଶୀଘ୍ର ଶୀଘ୍ର ଆୟୋଜନ କର ।

 

ସୁଷି ଆଶ୍ଚର୍ଯ୍ୟ ହୋଇ ପଚାରିଲା–କୁଆଡ଼େ ?

 

ହରିଶଙ୍କର ଉତ୍ତର ଦେଲେ–ଘରକୁ ।

 

ସୁଷି–ତମ ଘରକୁ ?

 

ହରିଶଙ୍କର ଚତୁରତା ସହକାରେ ସେହି କଥାର ପୁନରାବୃତ୍ତି କରି ଜବାବ ଦେଲେ–ହଁ, ତମ ଘରକୁ ।

 

ସୁଷି–ଆଉ ଏଠି ?

 

ହରିଶଙ୍କର–ଏଠି ଯାହାହେଉ ଗୋଟାଏ ବ୍ୟବସ୍ଥା କରାଯିବ । ସେଥିପାଇଁ ତମର ଚିନ୍ତିତ ହେବାର କାରଣ ନାହିଁ ।

 

କିନ୍ତୁ ସୁଷି ଏହା ଶୁଣି ବାସ୍ତବିକ ଚିନ୍ତିତ ହୋଇ ପଡ଼ିଲା । ହରିଶଙ୍କର ତା’ ଲକ୍ଷ୍ୟ କରି ରହିଲେ–ଏତେ କ’ଣ ଭାବୁଛ ?

 

ସୁଷି ଜବାବ ଦେଲା–ମୋର ଯିବାଟା କି ଉଚିତ୍‍ ହେବ ?

 

ହରିଶଙ୍କର ଟିକିଏ ବିରକ୍ତ ହୋଇ କହିଲେ–ଅଲବତ୍‍ ହେବ । ଏ ସବୁ ବିଷୟ ନେଇ ତମର ମୁଣ୍ଡ ଘୁରାଇବାର ଦରକାର କ’ଣ ?

 

ଏହାପରେ ସୁଷିର ଆଉ କୌଣସି ଆପତ୍ତି କରିବାକୁ ସାହସ ହେଲା ନାହିଁ । ସେ ମୌନ ହୋଇ ରହିଲା ।

 

ହରିଶଙ୍କର ସେହିଦିନ ସୁଷିକୁ ସଙ୍ଗରେ ନେଇ ଗୃହାଭିମୁଖରେ ଯାତ୍ରା କଲେ । ତା’ ପୂର୍ବରୁ ସେ ଘରକୁ କୌଣସି ସମ୍ୱାଦ ଦେଇ ନ ଥିଲେ । ହରିଶଙ୍କରଙ୍କ ଅନ୍ୟାନ୍ୟ କାର୍ଯ୍ୟ ପରି ଏହି ଗୃହାଗମନ ବ୍ୟାପାରଟା ମଧ୍ୟ ଆକସ୍ମିକ । ଦିନକ ମଧ୍ୟରେ ପ୍ରସ୍ତାବ, ପୁଣି ସେହି ଦିନକ ମଧ୍ୟରେ ତାହାର କାର୍ଯ୍ୟରେ ପରିଣତ । ଘରକୁ ସମ୍ୱାଦ ଦେବାକୁ ଆଉ ସମୟ କାହିଁ ? କୃଷ୍ଣମାଧବଙ୍କ ନିକଟକୁ ତାଙ୍କର ଶେଷ ପତ୍ର ଥିଲା ସେହି ବିବାହ ସମ୍ପର୍କୀୟ ପ୍ରସ୍ତାବ ନେଇ । ପତ୍ରରେ ସେ ଯାହା ଲେଖିଥିଲେ ସେଥିରେ ସମସ୍ତଙ୍କର ମନ ଫିକା ପଡ଼ିଯାଇଥିଲା । ହରିଶଙ୍କର ସେଥିରେ ଅତି ସ୍ପଷ୍ଟାକ୍ଷରରେ ନାସ୍ତିବାଣୀ ଶୁଣାଇ ଦେଇ ଥିଲେ । ମା’ ରାଧାପ୍ରିୟାଙ୍କ ମନରେ ଦାରୁଣ କଷ୍ଟ ହୋଇଥିଲା । ଯୌତୁକ ଗ୍ରହଣରେ ଯଦିବା ଆପତ୍ତି ହେଲା, ସେଥିପାଇଁ ଏକାବେଳକେ ବିବାହ କରିବାକୁ ମନା କରିଦେବାଟା କି ସଙ୍ଗତ ? ଏହି ପ୍ରସଙ୍ଗ ନେଇ ରାଧାପ୍ରିୟା ଓ କୃଷ୍ଣମାଧବ ମଧ୍ୟରେ ଅନେକ ଆଲୋଚନା ହୋଇଥିଲା । କୃଷ୍ଣମାଧବ କହିଥିଲେ–ଯେତେକ ସୃଷ୍ଟି ଛଡ଼ା କଥା ସବୁ ହରିର ! ପିଲାଟାର ଯେ କି ଢଙ୍ଗ ତା’ ମୁଁ ବୁଝିପାରେ ନାହିଁ, ନାନୀ । ଏତେ ପାଠ ପଢ଼ି ଶେଷରେ ଏହି ଫଳ ! ୟାକୁହିଁ କହନ୍ତି ଜ୍ଞାନପାଗଳ ହେବା । ରାଧାପ୍ରିୟା ମଧ୍ୟ କଳ୍ପନା କରି ନ ଥିଲେ ଯେ ପୁଅ ତାଙ୍କ ନିକଟରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶେଷରେ ଏପରି ହତାଶ କରିବ । ହରିଶଙ୍କର କାହିଁକି ଯେ ପୁଣି ମତ ପରିବର୍ତ୍ତନ କଲେ ତା’ର କୌଣସି କାରଣ ସେ ଖୋଜି ପାଉ ନ ଥିଲେ । ରାଧାପ୍ରିୟାଙ୍କ ପ୍ରାଣରେ ଗଭୀର ଅବସାଦ ଦେଖାଦେଇଥିଲା ।

 

ସେଦିନ ସନ୍ଧ୍ୟାହେବାକୁ ବେଶି ବିଳମ୍ୱ ନାହିଁ । ରାଧାପ୍ରିୟା ପ୍ରଦୋଷ ସ୍ନାନ ଅନ୍ୟ ଦିନ ଅପେକ୍ଷା ଟିକିଏ ଆଗରୁ ସାରିଦେଇ ବସିଛନ୍ତି । ଦିନସାରା କାହିଁକି କେଜାଣି ମନଟା ଅସ୍ଥିର ହେଉଛି । ଛାତ ଉପରେ କୁଆଟାଏ ବସି ବରାବର କା–କା ହେଉଛି–ସତେ ଯେପରି କିଏ ଘରକୁ ଆସିବ ! କୃଷ୍ଣମାଧବ ଘରେ ନାହାନ୍ତି–କି ଗୋଟାଏ ଜମିଦାରୀ କାମରେ ସେ ଦୁଇଦିନ ହେଲା ଗ୍ରାମାନ୍ତରକୁ ଯାଇଛନ୍ତି । ରାଧାପ୍ରିୟା ଅବିଶ୍ରାନ୍ତ ରାବୀ କୁଆଟା ଉପରେ ବିରକ୍ତ ହୋଇ କହୁଛନ୍ତି–ବରାବର ରାଉ ରାଉ ହୋଇ ରଖିଦେଲା ନାହିଁ ଏଟା–କିଏ ଏମିତି ଆସିବାକୁ ଯାଉଛି ଯେ ତୁ ଏତେ କା-କା ହୋଇ ମରୁଛୁ ? ଠିକ୍‍ ଏହି ସମୟରେ ଦାଣ୍ଡରେ ଗୋଟାଏ ମୋଟର ଆସି ଉପସ୍ଥିତ ହେଲା–ହର୍ଣ୍ଣ ବାଜିଲା । ରାଧାପ୍ରିୟା ମନେ ମନେ କହିଲେ–କିଏ ଆସିଲା ନା କ’ଣ ? କ୍ଷଣକ ମଧ୍ୟରେ ଚାକରବାକର ମାନଙ୍କର ବ୍ୟସ୍ତ କଳରବ ଶୁଣାଗଲା । ଗୁରୁବାରୀ ମା’ ଧାଇଁ ଆସି କହିଲା–ମା’, ମା’, ବାବୁ ଆସିଲେଣି ।

 

ରାଧାପ୍ରିୟା ଅସ୍ତବ୍ୟସ୍ତ ହୋଇ ଧାଇଁ ଆସିଲେ । ହରିଶଙ୍କର ମୋଟରରୁ ଓହ୍ଲାଇ ଗାଡ଼ିର ଦ୍ୱାର କପାଟ ଧରି ଛିଡ଼ା ହୋଇଛନ୍ତି । ଗୋଟିଏ ଲାବଣ୍ୟମୟୀ କିଶୋରୀମୂର୍ତ୍ତି ମୋଟର କୁକ୍ଷିଭିତରୁ ଆସ୍ତେ ଆସ୍ତେ ବାହାରି ଆସୁଛି । ସଙ୍ଗରେ ଜଣେ ପ୍ରୋଢ଼ା ସ୍ତ୍ରୀଲୋକ–ସମ୍ଭବତଃ ପରିଚାରିକା । କିଶୋରୀ ନିରାଭରଣା–ମାତ୍ର ଯୌବନର ଦୀପ୍ତିରେ ଶରୀର ପ୍ରଭାମୟ । ମନେ ହେଉଛି–ଯେପରି ଅଙ୍ଗପ୍ରତ୍ୟଙ୍ଗ ଆଭରଣ ଆବଶ୍ୟକ କରେ ନାହିଁ । ସ୍ୱଭାବ ସୌନ୍ଦର୍ଯ୍ୟ ହିଁ ତା’ର ଯଥେଷ୍ଟ ଆଭରଣ ।

 

ରାଧାପ୍ରିୟା କିଛିକ୍ଷଣ ପାଇଁ ଅବାକ୍‍ ହୋଇ ଛିଡ଼ା ହୋଇ ରହିଲେ । ନିତାନ୍ତ ଅପ୍ରତ୍ୟାଶିତ ଘଟଣାର ସମ୍ମୁଖୀନ ହେଲେ ମନୁଷ୍ୟ ପ୍ରାୟ ହତବୁଦ୍ଧି ହୋଇଯାଏ । ତାଙ୍କର ତାହାହିଁ ହେଲା । ହରିଶଙ୍କର ଆସି ପାଦମୂଳରେ ପ୍ରଣାମ କଲେ । ମା’ ତାଙ୍କୁ ତଳୁ ଉଠାଇ ଶିରଲଗ୍ନଧୂଳି ଝାଡ଼ିଦେବାକୁ ବି ଭୁଲିଗଲେ । ହରିଶଙ୍କର ଏହାର କାରଣ ବୁଝିପାରିଲେ । ହସ ହସ ମୁଖରେ କହିଲେ–ମା’, ଆଜି ଅବାକ୍‍ ହୋଇ ଯାଇଛୁ ପରା ? ରାଧାପ୍ରିୟାଙ୍କର ଏତେବେଳେ ଚେତନା ହେଲା । ସେ କହିଲେ–‘‘ହବାର ତ କଥା ବାବା; ଚିଠି ନାହିଁ, ପତ୍ର ନାହିଁ, କୌଣସି ଖବର ନାହିଁ । ଏମିତି ଭୋଳା ମହେଶ କିଏ ଅଛି କହିଲୁ ଶୁଣେ ।’’ ଏହା କହି ସେ ଏତେବେଳେ ମୁଣ୍ଡର ଧୂଳି ଝାଡ଼ି ଦେବାକୁ ଗଲେ । ଏହି ସମୟରେ ସୁଷି ଆସି ତାଙ୍କ ପାଦତଳେ ପ୍ରଣାମ କଲା । ହରିଶଙ୍କର ଟିକିଏ ଘୁଞ୍ଚିଯାଇ ଠିଆ ହେଲେ । ମା’ ସୁଷିର ହାତଧରି ତଳୁ ଉଠାଇଲେ । ଅପରିଚିତାର ପରିଚୟ ପାଇବା ପାଇଁ ମନରେ ଗଭୀର ଉତ୍କଣ୍ଠା ଜାତ ହେଉଥିଲେ ସୁଦ୍ଧା, ସେ କୌତୂହଳ ନିବୃତ୍ତପାଇଁ ସେଟା ଉପଯୁକ୍ତ ସମୟ ନୁହେଁ ବୋଲି ଭାବି କେବଳ ପଚାରିଲେ–ତୋ ନାଁ କ’ଣ ମା’ ?

 

ସୁଷି ଉତ୍ତର ଦେଲା–ମୋ ନାଁ ସୁଷମା ।

 

ରାଧାପ୍ରିୟା କହିଲେ–ସୁଷମା ! ବେଶ୍‍ ନାଁଟି ତ । ହଉ ମା’, ଘର ଭିତରକୁ ଚାଲ । ଏହା କହି ସେ ସୁଷମାର ହାତ ଧରି ଘର ଭିତରକୁ ନେଇଗଲେ ।

 

ପ୍ରକାଣ୍ଡ ଘରଟା ଦେଖି ସୁଷମାର ମନରେ ଟିକିଏ ଯେମିତି ଭୀତି ସଞ୍ଚାର ହେଲା । ଏତେ ବଡ଼ ଘର ସେ ଜନ୍ମରୁ କେବେ ଦେଖି ନ ଥିଲା । ଗଳ୍ପ-କାହାଣୀରେ ଅବଶ୍ୟ ସେ ରାଜାଘରର କଥା ଶୁଣିଥିଲା–ଅପରିମିତ ଧନଦୌଲତର ବିଷୟ ଜାଣିଥିଲା । ମାତ୍ର ଦୁଇ ଆଖିରେ କେବେ ସେ ତାହା ଦେଖି ନଥିଲା । ପଲ୍ଲୀଗ୍ରାମର ନିରଡ଼ାମ୍ୱର ପର୍ଣ୍ଣକୁଟୀରରେ ସେ ଆଜନ୍ମଲାଳିତା । ସୌଭାଗ୍ୟର ଗର୍ବ ତାକୁ ସ୍ପର୍ଶ କରିବା ଦୂରେ ଆଉ, ତା’ର ଛାୟା ପର୍ଯ୍ୟନ୍ତ ମାଡ଼ି ନ ଥିଲା । ସେହି ଦରିଦ୍ର ଭବନରେ ଅବଶ୍ୟ ସ୍ନେହମାୟାର ଅଭାବ ନ ଥିଲା, ବରଂ ତାହା ପୂର୍ଣ୍ଣମାତ୍ରାରେ ବିଦ୍ୟମାନ ଥିଲା । ମାତ୍ର ସେଥିରେ ନ ଥିଲା ବିଭବର ବାହ୍ୟିକ ଦୀପ୍ତି–ଧନର ଏ ଭୀତିପ୍ରଦ ଆତ୍ମପ୍ରକାଶ । ସୁଷମା ଏ ସବୁ ଦେଖି ଟିକିଏ ସେପରି କାତର ହୋଇପଡ଼ିଲା ।

 

ସନ୍ଧ୍ୟାକାଳୀନ ଘଣ୍ଟାଧ୍ୱନୀ ଗୃହସଂଲଗ୍ନ ଦେବାଳୟରେ ବାଜି ଉଠିଲା । ରାଧାପ୍ରିୟା ସୁଷିକୁ ଗୋଟାଏ ପ୍ରଶସ୍ତ କକ୍ଷରେ ବସାଇଦେଇ ଆରତି ଦର୍ଶନ କରିବା ପାଇଁ ଚାଲିଗଲେ । ବାଉଲିମାକୁ ହରିଶଙ୍କର ସଙ୍ଗରେ ନେଇ ଆସିଥିଲେ । ସେ ଏଣେ ତେଣେ ବୁଲି ଏହି ଧନୀଗୃହର ବିପୁଳ ବିଭବ ଦର୍ଶନ କରିବାରେ ଲାଗିଲା । ସୁଷି ନୀରବରେ ବସି କେତେ କ’ଣ ଭାବିବାକୁ ଲାଗିଲା । ପିଲାଦିନରୁ ଆରମ୍ଭ କରି ଏପର୍ଯ୍ୟନ୍ତ ତା’ ଜୀବନରେ ଯେତେ ଘଟଣା ଘଟିଯାଇଛି, ସବୁ ଗୋଟି ଗୋଟି ହୋଇ ତା’ର ମନେ ପଡ଼ିବାକୁ ଲାଗିଲା । ପିତାଙ୍କର ବିଷୟ ତା’ର ଅବଶ୍ୟ ବେଶି ମନେ ନାହିଁ । ତାଙ୍କର ପରଲୋକ ହେବାବେଳକୁ ସେ ନିତାନ୍ତ ଅଳ୍ପବୟସ୍କା । କିନ୍ତୁ ମାଆର କଥା ତା’ର ସୁସ୍ପଷ୍ଟଭାବରେ ମନେ ପଡ଼ିବାକୁ ଲାଗିଲା । ସୌଦାମିନୀର ସ୍ନେହମୟ ମୂର୍ତ୍ତି ତା’ ଆଖି ଆଗରେ ନାଚି ବୁଲିଲା । ମାଆର ମଧୁରଗଳା, ମଧୁରତର ‘ସୁଷି’ ସମ୍ୱୋଧନ ତା’ କାନରେ ଯେପରି ଅନବରତ ବାଜିବାକୁ ଲାଗିଲା । ସୌଦାମିନୀ ଯେତେବେଳେ ଯେଉଁ କାର୍ଯ୍ୟ କରନ୍ତି ତାହା ଯେପରି ଗୋଟି ଗୋଟି ହୋଇ ଦିଶିଗଲା । ଏହି ସନ୍ଧ୍ୟା ସମୟରେ ସେ କିପରି ବୃନ୍ଦାବତୀ ମୂଳରେ ବସି ଘଣ୍ଟା ଘଣ୍ଟା ଧରି ତୁଳସୀ ଆରାଧନା କରନ୍ତି ସେ ଚିତ୍ର ତା’ ଚକ୍ଷୁ ସମକ୍ଷରେ ଉଦ୍ଭାସିତ ହୋଇ ଉଠିଲା । ତା’ପରେ ସେହି ଭୀଷଣ ବନ୍ୟା, ସେହି ରୋଗଶଯ୍ୟାର କରୁଣ ଦୃଶ୍ୟ, ହରିଶଙ୍କରଙ୍କ ଆବିର୍ଭାବ, ତାଙ୍କ ସହିତ ପରିଚୟ, ବନ୍ଧୁତା, ଗୃହତ୍ୟାଗ ଏବଂ ଅବଶେଷରେ ଏହି ଧନୀ ସଂସାରରେ ଆଶ୍ରୟ–ଏ ସମସ୍ତ ଘଟଣା ସୁଷିର ମନୋମୁକୁରରେ ମୁହୂର୍ତ୍ତକ ମଧ୍ୟରେ ପ୍ରତିଫଳିତ ହୋଇଗଲା । ଓହୋ, ତା’ର ଜୀବନର ସ୍ରୋତ ତାକୁ ଦୁରନ୍ତ ବେଗରେ ଭସାଇ ନେଇ କୁଆଡ଼େ ଚାଲିଛି ! ସାମାନ୍ୟ ତୃଣ ଖଣ୍ଡପରି ସେ ଭାସି ଭାସି କୁଆଡ଼େ ଯାଉଛି । ତା’ ଭାବି ଭାବି ସୁଷି ଶାନ୍ତ, ଅବସନ୍ନ ହୋଇପଡ଼ିଲା । ତା’ର ଅଜ୍ଞାତସାରରେ ଦୁଇବିନ୍ଦୁ ଲୋତକ ଚକ୍ଷୁପ୍ରାନ୍ତରୁ ଝରିପଡ଼ିଲା । ମନ୍ଦିରର ଘଣ୍ଟାଧ୍ୱନି ବନ୍ଦ ହୋଇଗଲା । ସୁଷିର ଧ୍ୟାନ ମଧ୍ୟ ଭାଙ୍ଗିଗଲା । ଉଦାସ ନେତ୍ରରେ ସେ ବାହାରର ନିବିଡ଼ ଅନ୍ଧକାର ଆଡ଼କୁ ଚାହିଁ ରହିଲା ।

Image

 

ଦଶମ ପରିଚ୍ଛେଦ

 

ସୁଷିର ଇତିହାସ ଜାଣିବା ପାଇଁ ମା’ ରାଧାପ୍ରିୟାଙ୍କ ମନରେ କୌତୂହଳ ପ୍ରବଳରୁ ପ୍ରବଳତର ହେବାକୁ ଲାଗିଲା । ବାଳିକାଟି କିଏ କାହାର ସନ୍ତାନ, କି ଜାତି, ହରିଶଙ୍କରଙ୍କର ତା’ ସହିତ କିପରି ପରିଚୟ ହେଲା–ଏହି ସବୁ ବିଷୟ ଜାଣିବାପାଇଁ ତାଙ୍କର ଅସୀମ ଆଗ୍ରହ ଜାତ ହେଲା । ମାତ୍ର କାହାକୁ ପଚାରି ସେ ଏ ସବୁ ହାଲ ବୁଝିବେ ? ରାଧାପ୍ରିୟା ଅନେକ ଭାବିଚିନ୍ତି ସ୍ଥିର କଲେ ହରିଶଙ୍କର ବା ସୁଷମାଠାରୁ ଏ ସବୁ ତଥ୍ୟ ପ୍ରତ୍ୟକ୍ଷରେ ସଂଗ୍ରହ କରିବା ଅପେକ୍ଷା ବାଉଲି ମା’ଠାରୁ ସମସ୍ତ କଥା ଜାଣିବା ସମୀଚୀନ ହେବ । ତେଣୁ ସେ ସମୟ ଉଣ୍ଡି ନିରୋଳାରେ ତାହାରିଠାରୁ ସୁଷିର ଇତିହାସ ସଂଗ୍ରହ କରିବାରେ ପ୍ରବୃତ୍ତ ହେଲେ । ହଠାତ୍‍ ସେ ସୁଷମାର କଥା ନ ପଚାରି ବାଉଲି ମା’ର ନିଜର କଥା ଆରମ୍ଭ କରିଦେଲେ । ବାଉଲି ମାଆର ସଂସାରରେ ଆଉ କିଏ ଅଛି, ସେ କିପରି ଚଳେ, କେତେଦିନରୁ ସେ ଆସି ସୁଷମା ପାଖରେ ରହିଛି ଇତ୍ୟାଦି ବିଷୟରୁ ସେ କ୍ରମେ କ୍ରମେ ସୁଷମା ସମ୍ୱନ୍ଧୀୟ ସମସ୍ତ ବିବରଣ ଜାଣିବାକୁ ଚେଷ୍ଟା କଲେ । ରାଧାପ୍ରିୟା ସୁଷମାର ସ୍ୱଭାବ ଚରିତ୍ର ଗୁଣଗ୍ରାମ କଥା ବିଶେଷଭାବରେ ପଚାରି ବୁଝିନେଲେ । କାହାରି ସହିତ ତା’ର ବିବାହ ପ୍ରସଙ୍ଗ କେବେ ଉଠିଛି କି ନା ତା’ ମଧ୍ୟ ପଚାରିବାକୁ ଛାଡ଼ିଲେ ନାହିଁ । ବାଉଲି ମା’ କହିଲା–ତା’ ତ ମୁଁ କିଛି ଶୁଣି ନାହିଁ ମା । ସେମିତି କିଛି କଥା ଉଠିଥିଲା ତା’ କ’ଣ ଆଉ ମୋତେ ଅଛପା ଥାନ୍ତା ? କିଏ ବା ସେ ସବୁ ଯୋଗାଡ଼ କରିବ ? ବାପ ତ ନାହିଁ–ବାପ ବଦଳରେ ଆଉ ଯେ ସେପରି କେହି ମୁରବି ଅଛି ତା’ ବି ନୁହେଁ–ଘରକୁ ମା’ ଝିଅ ବୋଲି ଦୁଇପ୍ରାଣୀ–ମାଆଟି ଯାହା କରିବ ସେୟା । ହେଲେ, ମାଇକିନା ଲୋକ ! ତା’ର ଶକ୍ୟ କେତେ ? ମାଇପିଲୋକଙ୍କ ଯୋଗେ କ’ଣ ଏ ସବୁ ଗହନ କଥା ହୋଇପାରେ ମା’ ? ମର୍ଦଲୋକେ ପାଞ୍ଚଆଡ଼େ ବୁଲି, ପାଞ୍ଚଜାଗା ଆଖି ଫେରେଇ, ଦେଖି ଚାହିଁ ସିନା ଏସବୁ କଥା ନେଇ ଆଣି ଥୁଅନ୍ତି ! ଆଉ ସେମିତି ଯୋଗାଡ଼ଯନ୍ତ୍ର କରିବାକୁ କିଏ ଅଛି ? ଯାହାବି ମାଆାଟି ଥିଲା–ସେ କ’ଣ ବଞ୍ଚିଲା ? ଦଇବ ତ ତାକୁ ଆଚମ୍ୱିତରେ ଛଞ୍ଚାଣପରି ଆସି ସଂସାରରୁ ଛୋ ମାରିନେଲା । ଆଉ ରହିଲା କିଏ ? ତେବେ ଏହି କ’ଣ କି, ଝିଅଟିର କପାଳ ଗୁଣକୁ ବାବୁ ଯାଇ ଜୁଟିଲେ–ଅରକ୍ଷିତକୁ ସାହା ହେଲେ । ଖୁବ୍‍ କରିଛନ୍ତି । ଏମିତି କେତେଟା ଲୋକ କରନ୍ତି ? ଏ କାଳରେ ତମେ ମଝି ଦରିଆରେ ଭାସି ଯାଉଥିଲେ ଲୋକେ ଆଡ଼ନୟନରେ ବି ଚାହିଁବେ ନାହିଁ ! ମରି ମାଟି ହୋଇ ଯାଉଥିଲେ ବି ‘‘ଆହା’’ ବୋଲି କହିବେ ନାହିଁ-! ଏକାଳକୁ ସେ ଯା କରିଛନ୍ତି ତା’ କମ୍‍ କଥା ନୁହେଁ ମା । ଖାଲି ସଉଦିଅପାର କ୍ରିୟାରେ ତ ଶହଶହ ଟଙ୍କା ପେଲି ଦେଇଛନ୍ତି, ଆଉ କଥା ତେଣିକି ଆଉ । କୋଉଁ ଆପଣାର ଲୋକଟା ଏତେ କରନ୍ତା କୁହନି ? ମୁଁ କହେଁ–ବାବୁ ତ ମଣିଷ ନୁହନ୍ତି–ଦେବତା । ସେଦିନ ମୋ ଛିଣ୍ଡା ଲୁଗା ଖଣ୍ଡକ ଉପରେ ଆଖି ପଡ଼ିଗଲା । ବାବୁ ଦେଖିପକେଇ କହିଲେ ‘‘ତୋର କ’ଣ ଲୁଗାପଟା ନାହିଁ କିଲୋ ବାଉଲି ମା’-? ମୋତେ କହୁ ନାହୁଁ ?’’ ମୋତେ ତ ସାତ ପରବତ ଲାଜ ମାଡ଼ିଲା ମା’ । ମୁଁ ଯାଏଁ କୁଆଡ଼େ-? ତା’ ଆରଦିନ ଦେଖିଲା ବେଳକୁ ବାବୁ ଗୋଟାଏ ଦଶହାତୀ କସ୍ତାଲୁଗା ମୋ ଲାଗି ପଠାଇ ଦେଇଛନ୍ତି । ଏଇ ପରା ମା’, ଏଇ ପିନ୍ଧିଛି ! ଏମିତି ଦୟା ତାଙ୍କର । ସେ ପରା ଲୋକ ନ ଥିଲେ ଏତେ ଗାଁ ଗଣ୍ଡା ଯେ ନଈବଢ଼ିରେ ଭାସିଗଲା, ଲୋକେ ଯେ ଏତେ ହୀନସ୍ଥା କଦର୍ଚ୍ଛନ ହେଲେ, ସେ ଦାଉ ସମ୍ଭାଳି ଥାନ୍ତା କିଏ ? ଦିନ ନାହିଁ, ରାତି ନାହିଁ, ବଣ ନାହିଁ, ଜଙ୍ଗଲ ନାହିଁ, ଚାରିଆଡ଼େ ବୁଲି, ଦେଖି ଲୋକଙ୍କ ତୁଣ୍ଡରେ ଆହାର ଦେଇ ପିଣ୍ଡରେ ପ୍ରାଣ ରଖିଦେଲେ ପରା ! ସେ କଥାଗୁଡ଼ାକ କେତେ କହିବି ମା, ତା’ କିଏ ନ ଜାଣେ ?

 

ବାଉଲି ମା’ ଅନର୍ଗଳ ଏହିପରି ବକିଯିବାକୁ ଲାଗିଲା । ରାଧାପ୍ରିୟାଙ୍କ ହୃଦୟ ଗର୍ବରେ ଫୁଲି ଉଠିଲା । କିନ୍ତୁ ସେ ଭାବ ସେ ବାହାରକୁ ପ୍ରକାଶ ନ କରି ପଚାରିଲେ–‘‘ଆଚ୍ଛା ବାଉଲି ମା’, ହରି ଯେ ଅରକ୍ଷିତ ପିଲାଟିର ଏମିତି ସାହା ଭରସା ହେଲା–ଆପଣାର ହୋଇ ଏତେ କଥା କଲା, ଏଥିରେ କେହି କିଛି ଦୁର୍ନାମ କରିନାହିଁ ତ ?’’ ବାଉଲି ମା’ କହିଲା–କି, ଦୁର୍ନାମ କାହିଁକି କରିବେ ? ବାବୁ କି ଖରାପ କଥାଟା କଲେ କି ଏମିତି ? ଦୁଃଖୀରଙ୍କିଙ୍କ ସାହାଭରସା ହେବା କ’ଣ ଏଡ଼େ ହୀନ କାମ ? ତେବେ, ବୁଝିଲ ନାହିଁ ମା, ଏ କଳିକାଳରେ କିଏ କାହା ତୁଣ୍ଡରେ ହାତ ଦେବ କୁହନି ? ଏ ଯୁଗରେ କୁଆଟେ ଉଡ଼ିଗଲେ, କ’ଣ ନା ଛୁଆ ଉଡ଼ିଗଲା । ହେଲେ ସେ ସବୁ କଥାରେ କ’ଣ ଅଛି ? ସେମିତି ଯେ କହୁଥିବ, କହୁଥାଉ । ତା’ ତୁଣ୍ଡରେ ପାଉଁଶ ପଡ଼ୁ । ମୁଁ ତ କହୁଛି ମା, ସେମିତି ଢଙ୍ଗ ମୁଁ ବାବୁଙ୍କର କେବେ ଦେଖି ନାହିଁ । ମିଛ କଥାଟା କାହିଁକି କହିବି, ସେଥିରୁ କି ପୂଣ୍ୟ ଫଳିବ କି ? ଆଉ ସୁଷି, ସେ ବି ସେ ଭଳି ଝିଅ ନୁହେଁ ମା’ । ବିଚାରୀର କପାଳରେ ସିନା ଥିଲା, ବାପ ମା’ ଛେଉଣ୍ଡ ହେଲା । ହେଲେ ତାକୁ ଉଦଣ୍ଡୀ ବୋଲି କେହି କହିବ ନା ? ଜିଭ ଛିଣ୍ଡି ପଡ଼ିବ, ମା’ ଜିଭ ଛିଣ୍ଡି ପଡ଼ିବ ।

 

ଏହା କହି ବାଉଲି ମା’ ରାଧାପ୍ରିୟାଙ୍କ ଗୋଡ଼ ଦିଇଟା ଟାଣିନେଇ ଘସିବାକୁ ଆରମ୍ଭ କରିଦେଲା । ରାଧାପ୍ରିୟା ଏଥର ସମସ୍ତ ଘଟଣା ବୁଝିପାରିଲେ । ଅସହାୟା ବାଳିକାକୁ ସାହାଯ୍ୟ କରି ହରିଶଙ୍କର ଯେ ପୂଣ୍ୟକାର୍ଯ୍ୟ କରିଛନ୍ତି, ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ । ହଜାରେ ପାଗଳାମି ଥାଉ ପଛକେ, ଦୁଃଖୀ ରଙ୍କିଙ୍କ ପ୍ରତି ହରିର ଯେ ଦୟା ଥାଏ, ଏହା କେହି ଅସ୍ୱୀକାର କରି ପାରିବେ ନାହିଁ–ଏହାହିଁ ମନେ ମନେ କହିବାକୁ ଲାଗିଲେ । ତେବେ ଏ ଦୋଷଦର୍ଶୀ ଦୁନିଆଟାରେ ଲୋକ ମିଛରେ ହେଲେ ଦୋଷ ଦେଖିଥାଏ–ଅପବାଦ ଦେଇଥାଏ । ଯେତେ ବଡ଼ ଦେବସ୍ୱଭାବର ଲୋକ ହେଉ ପଛକେ ତା’ ନାଁରେ ଟିକିଏ କଳଙ୍କ ଲେପି ପାରିଲେ ମନୁଷ୍ୟ ପ୍ରକୃତି ଆତ୍ମପ୍ରସାଦ ଲାଭ କରିଥାଏ । ଏହା ଭାବି ସେ ଟିକିଏ ଆଶଙ୍କାପ୍ରବଣ ହୋଇ ପଡ଼ିଥିଲେ । ମାତ୍ର ସେ ଭାରି ଖୁସି ହୋଇଥିଲେ ଯେ, ହରିଶଙ୍କର ସୁଷମାକୁ ଘରକୁ ନେଇଆସି ବୁଦ୍ଧିମାନର କାର୍ଯ୍ୟ କରିଛି–ଜନାପବାଦର ରାସ୍ତା ଅନେକ ପରିମାଣରେ ବନ୍ଦ କରି ଦେଇଛି । ସୁଷମାକୁ ଦେଖିଲା ବେଳୁ ନିଜ ହୃଦୟରେ ବି କାହିଁକି କେଜାଣି ସେ ଟିକିଏ ଆକର୍ଷଣ ଅନୁଭବ କରୁଥିଲେ । ରାଧାପ୍ରିୟାଙ୍କର ଦୁଇଟି କନ୍ୟା ହୋଇ ଶୈଶବାବସ୍ଥାରେ ନଷ୍ଟ ହୋଇଯାଇଥିଲେ । କନ୍ୟାବାତ୍ସଲ୍ୟ ତାଙ୍କ ପ୍ରାଣରେ କଳିକାର ସୌରଭ ପରି ରୁଦ୍ଧ ହୋଇ କହିଥିଲା–ଆତ୍ମପ୍ରକାଶ କରିବାକୁ ସୁଯୋଗ ପାଉ ନ ଥିଲା । ବର୍ତ୍ତମାନ ସୁଷମାର ଆବିର୍ଭାବରେ ତାହା ଯେପରି ବାହାରକୁ ବାହାରି ପଡ଼ିବାକୁ ଇଚ୍ଛା କରୁଥିଲା । ରାଧାପ୍ରିୟା ଭାବୁଥିଲେ–ସୁଷମା ଯଦି ତାଙ୍କର ସ୍ୱଜାତି ହୋଇଥାନ୍ତା, ସେ ବଂଶମର୍ଯ୍ୟାଦାକୁ ଦୂରକୁ ଫିଙ୍ଗି ଦେଇ, ସେହି ଦରିଦ୍ରା ନିଃସହାୟା ବାଳିକାକୁ ଯୁଗପତ୍‍ କନ୍ୟା ଓ ପୁତ୍ରବଧୁର ଆସନରେ ବସାଇଦେଇ ତୃପ୍ତିଲାଭ କରନ୍ତେ । ମାତ୍ର ତାହା ଯେ ଅସମ୍ଭବ । ସୁଷମା ଯେ ସ୍ୱଜାତିସଂଭୂତା ନୁହେ । ପ୍ରହରାଜ ବଂଶ ଯେ ଉତ୍କଳଖଣ୍ଡର ଏକ ପୁରାତନ ପ୍ରସିଦ୍ଧ ବ୍ରାହ୍ମଣବଂଶ ବୋଲି ଗର୍ବ ଅନୁଭବ କରେ, ଆଉ ସୁଷମା ଯେ ଖଣ୍ଡାଏତ କୂଳର କନ୍ୟା !

 

ରାଧାପ୍ରିୟା ମନେ ମନେ କହିଲେ–ଯାଉ, ସେ ସବୁ କଥା ଭାବି ଲାଭ କ’ଣ । ବର୍ତ୍ତମାନ ସମସ୍ୟା ହେଉଛି–ସୁଷମାକୁ ଯେତେବେଳେ ତାଙ୍କ ଗୃହରେ ଆଶ୍ରୟ ଦିଆଯାଇଛି, ତା’ର କି ବ୍ୟବସ୍ଥା କରିବାକୁ ହେବ ? ଗୃହଯୋଗ୍ୟା କୁମାରୀକୁ ଘରେ ରଖି ତ ଆଉ ଚିରକାଳ ନିଶ୍ଚିନ୍ତ ହୋଇ ରହି ହେବ ନାହିଁ । ତା’ର ଭବିଷ୍ୟତ କଥା ନିଶ୍ଚୟ ଭାବିବାକୁ ହେବ । ସତ୍‍ପାତ୍ର ଦେଖି ତା’ର ଗୋଟାଏ କିନାରା କରିଦେବାକୁ ହେବ–ଆଶ୍ରିତାର ସଂସାରଟି ଗଢ଼ିଦେବାକୁ ହେବ ।

 

ରାଧାପ୍ରିୟା ଏହିପରି ସୁଷମାର କଥା ଭାବୁଁ ଭାବୁଁ, ପୁତ୍ର ହରିଶଙ୍କରଙ୍କ ବିବାହ ଚିନ୍ତା କୌଣସି କ୍ରମେ ମନରୁ ଏଡ଼ି ପାରିଲେ ନାହିଁ । ସେ ଭାବିଲେ–ସୁଷମାର ବିବାହ ତ ଦୂରର କଥା । ତା’ ଆଗରୁ ହରିଶଙ୍କରର ବିବାହ ସମ୍ପନ୍ନ ହେବା ତ ଦରକାର । ଏତେ ବଡ଼ ସୁଯୋଗ୍ୟ କୁଳନନ୍ଦନ ଅବିବାହିତ ଥାଉଁ ଥାଉଁ କିଏ ଅନ୍ୟ ଲୋକର ବିବାହ କଥା ଭାବେ ? କିନ୍ତୁ ହରିଶଙ୍କର ଯେ ଏକ ଦୁରୂହ ସମସ୍ୟା ହୋଇ ଛିଡ଼ା ହେଲାଣି । କେତେବେଳେ କହୁଛି ବିଭା ହେବି, କେତେବେଳେ କହୁଛି ହେବି ନାହିଁ । ଘଡ଼ିକେ ଘୋଡ଼ା ଛୁଟୁଛି । କେତେ କଷ୍ଟରେ ବୁଝାଇ ସମଝାଇ ଜବାବ ପାଇଥିଲି–ହଁ ବିଭା ହେବି । ପାତ୍ରୀ ଯୋଗାଡ଼ ହେଲା–ଗୋଟାଏ ନୁହେଁ, ଦୁଇ ଦୁଇଟା । ପୁଣି ଲାଏଖ ପାତ୍ରୀ । ଯେମିତି ଘରକୁ ସେମିତି ନାମ୍‍ । ଦେବାନେବାରେ ବି ଊଣା କରି ନ ଥାନ୍ତେ । ହେଲେ କ’ଣ ହେବ-? ସବୁ ଫସର ଫାଟିଗଲା । ପୁଅ ଜିଦ୍‍ ଧରି ବସିଲା–ମୁଁ ବିଭା ହେବି ନାହିଁ, ଏଥକୁ ବଳ କାହାର-?

 

ରାଧାପ୍ରିୟା ଏହି ସବୁ କଥା ଭାବି ଭାବି କି ଉପାୟ କରିବେ କିଛି ସ୍ଥିର କରି ପାରିଲେ ନାହିଁ । ହାୟ ହାୟ ! ହରିଶଙ୍କର ବିଭା ହୋଇଥିଲେ, ଏତେବେଳକୁ ସେ ପୁଞ୍ଜେ କି ଛଅଟା ନାତି ନାତୁଣୀର ମୁହଁ ଦେଖନ୍ତେଣି । କିନ୍ତୁ ବିଧାତା କି ପାଗଳାମି ତା’ ମୁଣ୍ଡରେ ଦେଲା !

 

ବାଉଲି ମା’ ଏହା ମଧ୍ୟରେ ଗୋଡ଼ ଦି’ଟା ଘସି ଘସି ଲାଲ କରିଦେଲାଣି । ରାଧାପ୍ରିୟା କହିଲେ–ଆଉ ପରେ ବାଉଲି ମା’, ଢେର ହେଲାଣି, ଆଉ ଘସ ନା । ଏହା କହି ସେ ଉଠିଲେ ଏବଂ ଧୀରେ ଧୀରେ ଗୃହର ପଶ୍ଚାତଭାଗରେ ଥିବା ଫଳ ବଗିଚା ଆଡ଼କୁ ଚାଲିଲେ ।

Image

 

ଏକାଦଶ ପରିଚ୍ଛେଦ

 

ପରଦିନ ରାଧାପ୍ରିୟା ହରିଶଙ୍କରଙ୍କୁ ଡାକି ନିରୋଳାରେ ପଚାରିଲେ–ବାବା, ତୋର ଇଚ୍ଛାଟା କ’ଣ କହିଲୁ ?

 

ହରିଶଙ୍କର କହିଲେ-କ’ଣ ମା’ ? କେଉଁ କଥା ?

 

ରାଧାପ୍ରିୟା କହିଲେ–ଏଇ ସେ ଦିନ ବିବାହ କରିବା ପାଇଁ ମୋ ପାଖରେ କହିଗଲୁ । ଦୁଇ ଦୁଇଟା ଜାଗାରୁ ସମ୍ୱନ୍ଧ ଆସିଲା । କୌଣସିଟା ତୋର ମନକୁ ପାଇଲା ନାହିଁ, ତେବେ ତୁ କ’ଣ ଚାହୁଁ ?

 

ହରିଶଙ୍କର ଉତ୍ତର ଦେଲେ–ମୁଁ ତ କିଛି ଚାହେଁ ନାହିଁ ମା’, ସେହି କଥା ମୁଁ ସ୍ପଷ୍ଟ କରି ମାମୁଁଙ୍କ ପାଖକୁ ଚିଠିରେ ଲେଖିଥିଲି । ସେମାନଙ୍କୁ ମଧ୍ୟ ପରିଷ୍କାର ମନା କରିଦେବାକୁ କହିଥିଲି ।

 

ରାଧାପ୍ରିୟା–ହଁ ତା ତ କହିଥିଲୁ ହରି । ତେବେ ଏମିତି କଥା କହିବାର ଉଦ୍ଦେଶ୍ୟ କ’ଣ, ମୁଁ ଶୁଣେ । ବିଭା କରିବାକୁ କ’ଣ ତୋର ଇଚ୍ଛା ନୁହେଁ ? ଆଉ କାହିଁକି ବା ନୁହେଁ ?

 

ହରିଶଙ୍କର କହିଲେ–ବିବାହ ତ କରିଛି ମା’ । ତୋ ପାଖରେ ଯେଉଁ ପ୍ରତିଜ୍ଞା କରିଥିଲି, ତା’ ତ ରଖିଛି ।

 

ମା ଏ କଥାର ବିନ୍ଦୁ ବିସର୍ଗ କିଛି ବୁଝିପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ କିଛି କ୍ଷଣ ପୁଅର ମୁହଁକୁ ଚାହିଁ ରହିଲେ । ପରେ କହିଲେ କ’ଣ, ବିବାହ କରିଛୁ ? କାହିଁ, କେହି ତ ଜାଣିଲେ ନାହିଁ ! ଏ ପୁଣି କି ନୂଆ ପାଗଳାମି ତୋର ?

 

ହରିଶଙ୍କର ହସି ହସି ଜବାବ୍‍ ଦେଲେ–ନା ମା’, ନୂଆ ପାଗଳାମି କିଛି ନୁହେଁ–ଠିକ୍‍ ସେଇ ପୁରୁଣା ପାଗଳାମି । ଯେଉଁ ପାଗଳାମିଟା ଚିରକାଳ ବରଦାସ୍ତ କରି ଆସୁଛୁ ଏଟା ସେହି ଧରଣର । ତେବେ ବିବାହର କଥାଟା କେହି ଜାଣେ ନାହିଁ, କାରଣ ସେଥିରେ ବାଇଦ ରୋଷଣି କାରବାର ହୋଇ ନାହିଁ ।

 

ମା’ ବିରକ୍ତ ହୋଇ କହିଲେ–କ’ଣ ଯେ କହୁ, ତା’ର ଅର୍ଥ ମୁ ବୁଝିପାରେ ନାହିଁ. ହରି ! କଥାଟା ଟିକିଏ ସାଫ୍‍ କରି କହ ଭଲା ।

 

ହରିଶଙ୍କର ଉତ୍ତର ଦେଲେ–ସଫାକରି କହିବାକୁ ଗଲେ–ମୁଁ ବିବାହ କରିଛି, ବୋହୁ ଆଣିଛି, ତୋ ହାତରେ ଦେଇଛି । ଆଉ କ’ଣ ?

 

ରାଧାପ୍ରିୟାଙ୍କ ମନକୁ ଏଥର ଟିକିଏ ସନ୍ଦେହ ଛୁଇଁଲା । ମୁଖ ଚକ୍ଷୁର ଭାବରୁ ତାହା ପ୍ରକାଶ ପାଇଲା । ସେ ହରିଶଙ୍କରଙ୍କ ମୁହଁକୁ ବଲବଲ ହୋଇ ଅନାଇ ପଚାରିଲେ–ବୋହୁ କିଏ ରେ ?

 

ହରିଶଙ୍କର ତୁରନ୍ତ ଉତ୍ତର ଦେଲେ–ତା’ ନାଁ ସୁଷମା, ଏଥର ବୁଝିଲୁ ?

 

ରାଧାପ୍ରିୟା ଅକସ୍ମାତ୍‍ ଯେପରି ପର୍ବତଶିଖରରୁ ବସି ପଡ଼ିଲେ । କ’ଣ ? ହରିଶଙ୍କର ସୁଷମାକୁ ବିବାହ କରିଛି ? ଏଟା ସ୍ୱପ୍ନ ନା ସତ୍ୟ ! ହରିଶଙ୍କର ବ୍ରାହ୍ମଣ ସନ୍ତାନ, ପୁଣି ସୁଷମା ଯେ ଖଣ୍ଡାଏତ ଘର ଝିଅ ! ବଡ଼ଲୋକର ପିଲା କେଉଁଠି ଖାମଖିଆଲିରେ ସ୍ୱଜାତିର ଗରୀବ ଘରେ ବିଭା ହୋଇପଡ଼ୁଛନ୍ତି । କିନ୍ତୁ ତା’ ବୋଲି କ’ଣ ଜାତି ଉଠିଗଲା ?

 

ରାଧାପ୍ରିୟା ଭାବିଲେ–କି ଅକାଳ କଥା । ହରିଶଙ୍କର କ’ଣ ସତେ ସୁଷମାକୁ ବିବାହ କରିଛି ? ନା, ମିଛରେ ଏପରି କୌତୁକ କରୁଛି ?

 

ସନ୍ଦେହରେ ପଡ଼ି ସେ ପଚାରିଲେ–ସତ କଥାଟା କ’ଣ କହ ବାବା । ଏମିତି ଗୁଡ଼ାଏ କ’ଣ କହୁଛୁ !

 

ହରିଶଙ୍କର କହିଲେ–ତୋ ସାଙ୍ଗରେ କ’ଣ ଥଟ୍ଟା କରୁଛି ମା ? ସତ କଥାହିଁ ତ କହୁଛି । ସୁଷିର ସମସ୍ତ ଭାର ମୁଁ ନେଇଛି । ତାହାରି ନାମ ବିବାହ । ସେଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ଅନ୍ୟ ଲୋକେ ଡାକ ଢୋଲ ବଜାଇ ଘରକୁ ଯେପରି ବୋହୁ ଆଣନ୍ତି, ମୁଁ ଅବଶ୍ୟ କରି ନାହିଁ ମା’ ।

 

ସେଟା ଖାଲି ଲୋକଦେଖା କଥା–ଗୋଟାଏ ବାଜେ ଢମ । ବିବାହଟା ଖାଣ୍ଟି ଅନ୍ତରର ମେଳ । ସେଥିପାଇଁ ଏତେ ଗୋଳମାଳ କରିବାର ଅର୍ଥ ମୁଁ କିଛି ବୁଝିପାରେ ନାହିଁ । ସେଥିରେ ମନ୍ତ୍ରପାଠର ଦରକାର ନାହିଁ, ପୁରୋହିତର ବି ପ୍ରୟୋଜନ ନାହିଁ । ଆତ୍ମା ହିଁ ସେଠି ପୁରୋହିତ–ଆତ୍ମାର ଅଭିଳାଷ ହିଁ ତାହାର ମନ୍ତ୍ର ।

 

ହରିଶଙ୍କର ଏହିପରି କେତେ କ’ଣ ବକ୍ତୃତା କରିଗଲେ । କିନ୍ତୁ ରାଧାପ୍ରିୟା ତା’ର ଗୋଟାଏ ବର୍ଣ୍ଣ ସୁଦ୍ଧା କାନକୁ ନେଲେ ନାହିଁ । ପାଗଳର ପ୍ରଳାପ ପରି ସବୁ ତାଙ୍କୁ ଅସାର ବୋଧହେଲା । ସେ କେବଳ ଅବାକ୍‍ ହୋଇ କାଷ୍ଠ ପୁତ୍ତଳି ପରି ଠିଆ ହୋଇ ରହିଲେ ।

 

ହରିଶଙ୍କର କହିବାକୁ ଲାଗିଲେ–ତୋତେ ଏଟା ଖୁବ୍‍ ବିଚିତ୍ର ବୋଧ ହେଉଛି, ନା ମା ? କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଭାବି ଦେଖିଲ, ସୁଷିର ସ୍ୱଭାବ ଚରିତ୍ର ବିଷୟରେ ଯଦି କୌଣସି ଆପତ୍ତି ନ ଥାଏ, ତେବେ ବିବାହରେ ବାଧା କ’ଣ ? ସୁଷି କି ତୋର ମନକୁ ପାଉନାହିଁ ମା’ ?

 

ରାଧାପ୍ରିୟା ଉତ୍ତର ଦେଲେ–କ’ଣ ଯେ କହୁଛୁ ତା’ ମୁଁ କିଛି ବୁଝିପାରୁ ନାହିଁ ବାବା ! ମନକୁ ପାଇବା ନ ପାଇବା କଥା ତ ନୁହେଁ ତା’ ହୋଇଥିଲେ କାହାରି କିଛି କହିବାର ନ ଥାନ୍ତା ! କିନ୍ତୁ ଏ ଯେ ହେଲା ଜାତି ଗୋତ୍ରର କଥା, ହରି । ସୁଷମା ତ ବ୍ରାହ୍ମଣ ଘରର ଝିଅ ନୁହେଁ । ତା’ ସାଙ୍ଗରେ ତୋର ବିବାହ କେମିତି ହୋଇପାରେ, କହିଲୁ ? ଶୁଦ୍ର କନ୍ୟାକୁ କୌଣସି ବ୍ରାହ୍ମଣ କେବେ ବିଭା ହୋଇଛି ? କେଉଁ କାଳରେ ଏ କଥା ହେଲାଣି ? ତୁ ତ ଏତେ ପାଠ ପଢ଼ିଛୁ, କହିଲୁ ଏମିତି ଘଟଣାଟା କେଉଁଠି ଘଟିଛି ? ସାରା ଦୁନିଆରେ ଯା ହୋଇ ନାହିଁ, ତୁ ତା’ କରିବାକୁ ଯାଉଛୁ । ଏଥିରେ ଲୋକେ ତୋତେ ପାଗଳ ନ କହି ଆଉ କ’ଣ କହିବେ ?

 

ହରିଶଙ୍କର କହିଲେ–କୁହନ୍ତୁ ମା’, ସେଥିରେ କ’ଣ ଯାଏ ଆସେ ? ଯେଉଁଟା ଉଚିତ୍‍ କର୍ଯ୍ୟ ତା’ କରିବାକୁ ଯାଇ ଯଦି ଦେଶ ଦୁନିଆକୁ ପାଗଳ ଆଖ୍ୟା ମିଳେ, ତା’ହେଲେ ତ ପାଗଳ ହେବାହିଁ ଭଲ । ସେଥିରେ ତ ଅପମାନର କଥା କିଛି ନାହିଁ, ସେଟାକୁ ମୁଁ ବରଂ ଗୌରବ ବୋଲି ମନେ କରେ । ତେବେ, ତୋର ପୁଅକୁ ଲୋକ ପାଗଳ ବୋଲି କହିବେ, ଏଇ ତୋର ଭୟ ମା’ ? ଏହା କହି ହରିଶଙ୍କର ହସିବାକୁ ଆରମ୍ଭ କଲେ । ରାଧାପ୍ରିୟା ଗମ୍ଭୀର ହୋଇ କହିଲେ ! ହରିଶଙ୍କର ପଚାରିଲେ–ଆଉ କ’ଣ ଭାବୁଛୁ ମା’ ?

 

ମା’ କହିଲେ–ଏ ଟା କି ସମ୍ଭବ, ହରି ?

 

ହରିଶଙ୍କର ଉତ୍ତର ଦେଲେ–କାହିଁକି ସମ୍ଭବ ନୁହେଁ ଶୁଣେ ? ଆଉ କେହି ଏପରି କରି ନାହିଁ ବୋଲି ? ତେବେ ଯାହା କେହି କରି ନାହିଁ, ତା’ ଯେ କେହି କରିବ ନାହିଁ ଏ ବା କି କଥା ? ତା’ହେଲେ ଯେ ଏଥିରୁ ପ୍ରମାଣ ହୁଏ ମା, ଆଗରୁ ଯାହା ଲୋକେ କରି ଆସିଛନ୍ତି ସେଇଟାର କେବଳ ସତ୍ୟ, ଆଉ ସମସ୍ତ ମିଥ୍ୟା । ବ୍ରାହ୍ମଣ କାହିଁକି ଶୁଦ୍ର ବିବାହ କରିବ ନାହିଁ, ଏହାର କିଛି କାରଣ ଅଛି । ବ୍ରାହ୍ମଣକୁ ଛାଡ଼ି ଆଉ ସମସ୍ତେ କି ଶୁଦ୍ର ? ପୁଣି ବ୍ରାହ୍ମଣ ଶୁଦ୍ର ଏ ଭେଦ ବା କାହାର ସୃଷ୍ଟି ? ସେଇ ମଣିଷ ତ ଏହା କରିଛି । ତେବେ ସେହି ମଣିଷ କାହିଁକି ଏ ଭେଦ ନ ଉଠେଇବ ? ବିଶେଷତଃ ଯେତେବେଳେ ସମାଜ ପକ୍ଷରେ ଏଟା ଅମଙ୍ଗଳର କାରଣ ହୋଇ ରହିଛି । ହଁ କେବେ କେଉଁକାଳେ ଏଟା ସମାଜର ଦରକାରରେ ଆସିଥାଇପାରେ, ହୁଏତ ତା’ଦ୍ୱାରା କେବେ ସମାଜର ମଙ୍ଗଳ ହୋଇଥାଇପାରେ । କିନ୍ତୁ ସବୁ ଦିନେ କି ଏକ ଅବସ୍ଥା ଥାଏ ? ଆଜି ଯେତେବେଳେ ସ୍ପଷ୍ଟ ଦେଖାଯାଉଛି ଯେ ଏହାଦ୍ୱାରା ସମାଜର କ୍ଷତି ଛଡ଼ା ଲାଭ ନାହିଁ, ତେବେ ଏଟାକୁ ସମାଜରେ ରୋଗ ବୋଲି ଧରିବା ହିଁ ଯୁକ୍ତିଯୁକ୍ତ, ଆଉ ସେ ରୋଗର ପ୍ରତିକାର କରିବା ହିଁ ଉଚିତ ।

 

ରାଧାପ୍ରିୟା ଏ ଯୁକ୍ତିର ମର୍ମ୍ମ କେତେ ବୁଝିଲେ କେତେ ବା ନ ବୁଝିଲେ । କିନ୍ତୁ ସନ୍ଦିଗ୍‍ଧ ମନରେ ଶେଷ କଥାର ଜବାବ ଦେଇ କହିଲେ–କିଏ ସେ ପ୍ରତିକାର କରିବ, ବାବା ?

 

ହରିଶଙ୍କର ଟିକିଏ ଉତ୍ତେଜିତ କଣ୍ଠରେ ଉତ୍ତର ଦେଲେ–ତୁ କରିବୁ, ମୁଁ କରିବି, ସମସ୍ତେ କରିବେ ମା’ ! ଏଥିପାଇଁ ବାଟ ଦେଖାଇବାକୁ ହେବ, ସମାଜ ଆଗରେ ଆଦର୍ଶ ଥୋଇବାକୁ ହେବ । ତା’ ଆଖିରେ ଆଙ୍ଗୁଳି ଭର୍ତ୍ତି କରି ଚେତାଇ ଦେବାକୁ ହେବ । ତାକୁ ଜୋର ଗଳାରେ କହିବାକୁ ହେବ–ଦେଖ ସମାଜ ! ଅନ୍ଧ ସମାଜ ! ତୋତେ ଏ ଅନାବଶ୍ୟକ ପ୍ରଚୀନ ସାପର କାତି ଛାଡ଼ିବାକୁ ହେବ । ଏ ଜୀର୍ଣ୍ଣ ଆବରଣରେ ତୋର ମଙ୍ଗଳ ନାହିଁ–ଉନ୍ନତି ନାହିଁ ବରଂ ଏଟା ଅମଙ୍ଗଳରେ ଅବନତିର ଚିହ୍ନ । ଏଟା ତୋର କଳଙ୍କ । ଏହା ତୋତେ ଚ୍ଛିନ୍ନବିଚ୍ଛିନ୍ନ କରି ରଖିଛି, ତୋର ଶକ୍ତି କମେଇଛି, ତୋତେ ଦୁର୍ବଳ କରିଛି । ମନୁଷ୍ୟଠାରୁ ମନୁଷ୍ୟକୁ ତଫାତ୍‍ କରି ରଖିବା ପାଇଁ ଏହା ଗୋଟାଏ ବିଷାକ୍ତ କଣ୍ଟକମୟ ବାଡ଼ । ଏ ବାଡ଼କୁ କାଟି ସଫା କରିବାକୁ ହେବ । ନିର୍ମ୍ମମଭାବରେ ଏହାର ମୂଳୋତ୍ପାଟନ କରିବାକୁ ହେବ । ଯେପରି ଟିକିଏ ମାତ୍ର ଚେର ନ ରହେ ତା’ ଦେଖିବାକୁ ହେବ । ସେଇଥିରେ ହିଁ ତୋର ଆତ୍ମବିକାଶ–ସେଇଥିରେ ହିଁ ତୋର ଶକ୍ତି ପ୍ରତିଷ୍ଠା–ତୋର ଗୌରବ–ତୋର ବୁଦ୍ଧି ।

 

ହରିଶଙ୍କର ଗରମ ହୋଇ ଉଠିଲେ । ସେ ଭୁଲିଗଲେ–ଅଳ୍ପ ଶିକ୍ଷିତା ବା ଅର୍ଦ୍ଧଶିକ୍ଷିତା ଏକ ନାରୀ ଆଗରେ ଏତେଗୁଡ଼ାଏ ସଂସ୍କୃତର ଆସ୍ଫାଳନ ଅନାବଶ୍ୟକ । ରାଧାପ୍ରିୟା ଏଇ ସବୁ ବୁଦ୍ଧି ସୁଦ୍ଧିର ଅର୍ଥ କିଛି ବୁଝିପାରିଲେ ନାହିଁ । ଅକାଳଚଡ଼କ ପରି ତାଙ୍କ କର୍ଣ୍ଣମୂଳରେ ଭୀଷଣ ଧକ୍‍କା ଦେଇ ତାକୁ ଝାଁ ଝାଁ କରି ଦେଇଗଲା । ତାଙ୍କ କାନରୁ ଅତଡ଼ା ଖସି ପଡ଼ିଲା, କ୍ଷଣକାଳ ପାଇଁ ସେ ଯେପରି ବଧୀର ପାଲଟିଗଲେ ।

 

ହରିଶଙ୍କର ପୁନର୍ବାର ଆରମ୍ଭ କଲେ–‘‘ମା’ ତୋତେ ଆଜି ମୋର ଏ କାର୍ଯ୍ୟରେ ସାହାଯ୍ୟ କରିବାକୁ ପଡ଼ିବ, ଭୟ ଛାଡ଼ିବାକୁ ହେବ । ପୁଅର ମୁଣ୍ଡରେ ହାତଦେଇ ଆଶୀର୍ବାଦ କରିବାକୁ ହେବ । କହିବାକୁ ହେବ–ଖୁବ୍‍ କରିଛୁ ବାବା, ବେଶ୍‍ କରିଛୁ । ଭଗବାନ୍‍ ତୋତେ ଶକ୍ତି ଦିଅନ୍ତୁ, ତୁ ଜୟୀ ହ ।

 

ଏହା କହି ହରିଶଙ୍କର ଜ୍ୱଳନ୍ତ ନେତ୍ରରେ ମାଆର ମୁହଁକୁ ଚାହିଁ କହିଲେ । ମା ଏ ବାଗ୍ମିତାରେ ଅବାକ୍‍ ହୋଇ ଯାଇଥିଲେ, ସୁତରାଂ କୌଣସି ଉତ୍ତର ଦେଇ ପାରିଲେ ନାହିଁ । କିନ୍ତୁ ପୁତ୍ରର ସେ ଜ୍ୱଳନ୍ତ ନେତ୍ରରେ ଦୀପ୍ତି ଦେଖିଲେ–ସେ ତୀବ୍ରକଣ୍ଠର ଗର୍ଜନ ଶୁଣିଲେ । ପ୍ରାଣରେ ତାଙ୍କର ଶଙ୍କା ଜାତ ହେଲା, ସେ ତ୍ରସ୍ତ ହୋଇପଡ଼ିଲେ । କିଛି ନ କହି ସେ ନିତାନ୍ତ ନିଃସହାୟା ପରି ଗୋଟାଏ ଦୀର୍ଘ ନିଃଶ୍ୱାସ ତ୍ୟାଗ କଲେ । ଏହି ସମୟରେ ଚାକର ଆସି ଖବର ଦେଲା ଅନେକ ପ୍ରଜା ଆସି ବାହାରେ ରୁଣ୍ଡ ହୋଇଛନ୍ତି, ସେମାନେ ବାବୁଙ୍କ ସହିତ ସାକ୍ଷାତ ଚାହାନ୍ତି । ସେମାନଙ୍କର କି ଗୋଟାଏ କଥା କହିବାର ଅଛି ।

 

ହରିଶଙ୍କର କହିଲେ–ଆଚ୍ଛା, ସେମାନଙ୍କୁ ଅପେକ୍ଷା କରିବାକୁ କହ, ମୁଁ ଯାଉଛି ।

 

ଏହା କହି ସେ ମା’ ରାଧାପ୍ରିୟାଙ୍କୁ କହିଲ–ମା’, ପରେ କଥାବାର୍ତ୍ତା ହେବା. ସେମାନେ କାହିଁକି ଆସିଛନ୍ତି ବୁଝେଁ ।

 

ହରିଶଙ୍କର ବାହାରକୁ ଚାଲିଗଲେ । ମା’ ବସି ବସି ଭାବିବାକୁ ଲାଗିଲେ । ସୁଷମାକୁ ସେ ନିଜର ପୁତ୍ରବଧୂ ବୋଲି କିପରି ଭାବିବେ–ତାହା କୌଣସି କ୍ରମେ ସ୍ଥିର କରି ପାରିଲେ ନାହିଁ । ଅବଶ୍ୟ ତା’ର ରୂପ ଅଛି । ଏତେ ବଡ଼ ଗୋଟାଏ ଘରର ଗୃହଲକ୍ଷ୍ମୀ ହୋଇ ଲାବଣ୍ୟର ଲୀଳା ଖେଳାଇବାକୁ ଯେତେ ରୁପବିଭବର ପ୍ରୟୋଜନ ତା’ ସୁଷମାର ପୂର୍ଣ୍ଣମାତ୍ରାରେ ଅଛି । ରାଜାରାଣୀ ହୋଇ ବସିବାର ସେ ଉପଯୁକ୍ତ । ରୂପଲାବଣ୍ୟର ବିଷୟ ନେଇ କେହି ଯେ ତାକୁ ଖୁଣି ଦେଇପାରେ ତା’ ନୁହେଁ । ତା’ର କୌଣସି ଗୋଟାଏ ଅଙ୍ଗ ପ୍ରତ୍ୟଙ୍ଗର ଦୋଷ ବାହାର କରିଦେବା କଠିନ । ହରିଶଙ୍କର ପରି ପୁଅ ପାଖକୁ ସାଜିବାଭଳି ଗୋଟିଏ କୁଳବଧୂର ଯଦି ପ୍ରୟୋଜନ ତା’ହେଲେ ସେ ହେଉଛି ସୁଷମା । ତା’ଛଡ଼ା ତା’ର ଆଉ ଗୋଟାଏ ଜିନିଷ ଅଛି–ଯାହା ଅନେକ ରୂପବତୀର ନ ଥାଏ । ତା’ କ’ଣ, ଅବଶ୍ୟ କଥାରେ କହିହେବ ନାହିଁ–ବାକ୍ୟରେ ବର୍ଣ୍ଣନା କରିହେବ ନାହିଁ । କିନ୍ତୁ ତା’ର ମୂର୍ତ୍ତିଟିକୁ ଥରେ ଅନାଇଦେଲେ ଭିତରେ ଭିତରେ ତାହା ଉପଲବ୍‍ଧି ହୋଇଯାଏ-। ଦେଖିଲା ଲୋକର ପ୍ରାଣରେ ମମତା ଆସେ–ଚୁମ୍ବକ ପରି ତାହା ଆତ୍ମାକୁ ଆକର୍ଷଣ କରିନିଏ, ତାହା ତା’ର ବିଶେଷତ୍ୱ । ଆଉ ଗୁଣର କଥା ? ଅବଶ୍ୟ ସୁଷମା ଏଇ ଦିନ ଦୁଇତିନିଟା ହେଲା ଏ ଘରେ ଆସି ପାଦ ଦେଇଛି । ସେଥିରେ ଗୁଣର ପରିଚୟ ପୂର୍ଣ୍ଣମାତ୍ରାରେ ପାଇବା ସହଜ ନୁହେଁ-। କିନ୍ତୁ ସୁଷମାର ଚାଲିଚଳନ, ଗତିବିଧି ସ୍ୱଭାବ ପ୍ରକୃତି ଯେ ଲକ୍ଷ୍ୟ କରିଛି, ସେ ବୁଝିଛି–ସେଥିରେ ବିଶେଷ କିଛି ନା-ପସନ୍ଦ କରିବାର ନାହିଁ ।

 

କିନ୍ତୁ କେବଳ ରୂପ ଗୁଣ ଉପରେ କି ସମସ୍ତ କଥା ନିର୍ଭର କରେ ? ସେତିକିରେ କି ସବୁ ସମସ୍ୟାରେ ସମାଧାନ ହୁଏ ? ରାଧାପ୍ରିୟା ପରିଣାମ ବିଷୟ ଚିନ୍ତା କରିବାକୁ ଗଲେ । ଏହାର ପରିଣାମ କ’ଣ ନ ହେବ ? ଜାତି ପାଖରେ ହାତୀ ଯାଏ ନାହିଁ । ସମାଜ କ’ଣ ଏ ସବୁ ନତମସ୍ତକରେ ସ୍ୱୀକାର କରିବ ? ସମାଜପନ୍ଥୀମାନେ ଏହାକୁ ବିଷଚକ୍ଷୁରେ ଦେଖିବେ–ହରିଶଙ୍କରକୁ ବିଦ୍ରୋହୀ ବୋଲି ମନେ କରିବେ–ଏତେ ବଡ଼ ଗୋଟାଏ ନାମଡ଼ାକ ବଂଶ ପତିତ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବ । ଘରେ ବାହାରେ ଚାରିଆଡ଼େ ଅଶାନ୍ତି ଉପୁଜିବ । କିଏ କେତେ ପ୍ରକାର କଥା କହିବେ–କୁତ୍ସା ରଟନା କରିବେ–ଦୁର୍ଚ୍ଛନା ଦେବେ । ହରିଶଙ୍କର ଏଥିପାଇଁ ଦାୟୀ ହେବେ । ବଂଶ ମର୍ଯ୍ୟାଦା ଲୋପ କାରଣ ବୋଲି କହି ସମସ୍ତେ ତାଙ୍କୁ ଦୋଷ ଦେବେ । ଜାତିଚ୍ୟୁତ ହୋଇ ତାଙ୍କୁ ରହିବାକୁ ହେବ । ନିଜ ଜୀବନରେ ସୁଖଶାନ୍ତି ରହିବ ନାହିଁ । ଏହି ସବୁ ଚିତ୍ର ରାଧାପ୍ରିୟଙ୍କ ଆଖି ଆଗରେ ନାନାବର୍ଣ୍ଣ ବିଭୀଷିକା ନେଇ ଚିତ୍ରିତ ହେବାକୁ ଲାଗିଲା । ସେ ଭବଷ୍ୟତ ଅନ୍ଧାର ଦେଖିଲେ । କିନ୍ତୁ ସେ ନିରୁପାୟ–ନାଚାର । ହରିଶଙ୍କରକୁ ଏଥିରୁ ନିବୃତ୍ତ କରିବାର ଉପାୟ କାହିଁ ?

 

ରାଧାପ୍ରିୟା ନିଃଶ୍ୱାସ ପକାଇ ଉଠିଲେ । ଯନ୍ତ୍ରଚାଳିତ ପରି ସେ ଚାଲିଲେ । ଲକ୍ଷ୍ୟହୀନ ଭାବରେ ଆସି ସେ ଗୋଟାଏ ଅନଭିଳଷିତ ସ୍ଥାନରେ ଉପସ୍ଥିତ ହୋଇଗଲେ । ସେଟା ଏହି ପ୍ରକାଣ୍ଡ ଘରର ଗୋଟାଏ କ୍ଷୁଦ୍ର କକ୍ଷ । ତା’ର ଦ୍ୱାରଦେଶରେ ଦଣ୍ଡାୟମାନ ହୋଇ ଚିତ୍ର ପ୍ରତିମାଟି ପରି ସୁଷମା ଶୁନ୍ୟକୁ ଚାହିଁ ରହିଛି । ମୁଖରେ ଯେପରି ଟିକିଏ ବିଷାଦର ଛାୟା, କିନ୍ତୁ ତାହା ସୌନ୍ଦର୍ଯ୍ୟକୁ ମଳିନ କରିପାରି ନାହିଁ । ରୂପବିଭବ ରୂପବତୀର ଅଙ୍ଗ ପ୍ରତ୍ୟଙ୍ଗରୁ ଯେପରି ଠପ୍‍ ଠପ୍‍ ହୋଇ ଝରିପଡ଼ୁଛି ।

 

ରାଧାପ୍ରିୟାଙ୍କ ଦୃଷ୍ଟି ସେହି ସୁନ୍ଦର ମୂର୍ତ୍ତିଟି ଉପରେ ପଡ଼ିଲା । ହୃଦୟରେ ହଠାତ୍‍ ଗୋଟାଏ ପ୍ରତିକ୍ରିୟା ଆରମ୍ଭ ହୋଇଗଲା । କିଏ ଯେପରି ଅକସ୍ମାତ୍‍ ତହିଁରେ ବିରକ୍ତ ଭରି ଦେଇଗଲା । ସେ ତୀବ୍ର କଣ୍ଠରେ କହିପକାଇଲେ–କାହିଁକି ଏମିତି ଏଠି ଠିଆଟା ହୋଇ ରହିଛୁ ?

 

ରୂଢ଼କଥା କହି ସୁଷମା ମନରେ କଷ୍ଟ ଦେବା ତାଙ୍କର ଆଦୌ ଅଭିପ୍ରେତ ନ ଥିଲା । କିନ୍ତୁ ଅଜ୍ଞାତସାରରେ ଭାଷାଟା କଟୁ ହୋଇଗଲା । ମନର ତିକ୍ତତା ଆପେ ଆପେ କଥାଛଳରେ ବାହାରି ପଡ଼ିଲା । ସୁଷମା ଚମକି ଉଠିଲା । ଅପ୍ରତ୍ୟାଶିତ କର୍କଶସ୍ୱରର ବିଷବାଣ ତା’ର ମର୍ମ୍ମମୂଳରେ ବିଦ୍ଧ ହୋଇଗଲା । ସେ ଟିକିଏ ଘୁଞ୍ଚିଯାଇ, କ’ଣ କରିବ କିଛି ଠିକ୍‍ କରିପାରିଲା ନାହିଁ । ଦ୍ୱାରଦେଶରେ ଛିଡ଼ା ହେବାଟା ରାଧାପ୍ରିୟାଙ୍କ ଚକ୍ଷୁରେ କାହିଁକି ଏପରି ଦୋଷାବହ ହେଲା ତାହା ସେ ବୁଝିବାକୁ ତିଳେ ମାତ୍ର ସମର୍ଥ ହେଲା ନାହିଁ । ମନେ ମନେ ଭାବିଲା–ଆଚ୍ଛା ସେ କ’ଣ ଅସଂଯତ ଭାବରେ ସେଠି ଛିଡ଼ାହୋଇ ରହିଥିଲା କି ? ସୁଷମା ନିଜର ପରିଧେୟ ବସ୍ତ୍ର ଓ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ଦୃଷ୍ଟି ସଞ୍ଚାଳିତ କରି ଦେଖିଲା–ନା ତା’ ତ ନୁହେଁ, କୌଣସି ଅସଂଯମର ଲକ୍ଷଣ ତ ନାହିଁ । ଯେଉଁ ଅଙ୍ଗ ଯେପରି ଭାବରେ ଆବୃତ ରହିବାର କଥା, ତା’ ତ ଠିକ୍‍ ଅଛି । ତେବେ କ’ଣ ହେଲା ? ମା’ କାହିଁକି ଚିଡ଼ିଲେ ? ଏ ପ୍ରଶ୍ନର କୌଣସି ଉତ୍ତର ସେ ଖୋଜି ପାଇଲା ନାହିଁ । ପ୍ରାଣ ବ୍ୟାକୁଳ ହୋଇଉଠିଲା । ଚକ୍ଷୁ ଲୋତକପୂର୍ଣ୍ଣ ହୋଇ ଆସିଲା । କିନ୍ତୁ ସେ ନିଜକୁ ସମ୍ଭାଳି ନେବାକୁ ଚେଷ୍ଟା କଲା । ମନେ ମନେ ତାକୁ କିଏ ଯେପରି ପ୍ରବୋଧ ଦେଇ କହିଲା–କାହିଁକି ବିଚଳିତ ହେଉଛୁ ? ତୁ ଯେ ଆଶ୍ରିତା, ଏଟା ତୋର ପ୍ରାପ୍ୟ ।

 

ରାଧାପ୍ରିୟା ଚାଲିଗଲେ । ନିଜର ଶୟନକକ୍ଷରେ ପ୍ରବେଶ କରି ସେ କୌଣସି ଗୋଟାଏ କାର୍ଯ୍ୟରେ ବ୍ୟାପୃତ ହେବାକୁ ଚେଷ୍ଟା କଲେ । ମାତ୍ର କାହିଁରେ ମନ ଲାଗିଲା ନାହିଁ । ପ୍ରାଣଟା କଣ୍ଟକବିଦ୍ଧ ହେଲା ପରି ଜଣାଗଲା । ସେ ବାହାରି ଆସି ଡାକିଲେ–ସୁଷମା !

 

ସୁଷମା ପୁନର୍ବାର ଚମକି ଉଠିଲା । ମା’ ତା’ର ଆଉ କିଛି ଅପରାଧ–ଆଉ କୌଣସି ତ୍ରୁଟି ଲକ୍ଷ୍ୟ କଲେ ନା କ’ଣ ? ସେ ଶଙ୍କିତ ହେଲା, ମାତ୍ର ଅବିଳମ୍ୱେ ଜବାବ ଦେଲା–ଯାଉଛି ମା’ ।

 

କରୁଣମୂର୍ତ୍ତି ପରି ଶଙ୍କିତ ହୃଦୟରେ ସୁଷମା ଯେତେବେଳେ ଆସି ରାଧାପ୍ରିୟାଙ୍କ ନିକଟରେ ଉପସ୍ଥିତ ହେଲା, ରାଧାପ୍ରିୟା ତା’ର ହାତଟି ଧରି ତାକୁ ଘର ଭିତରକୁ ଟାଣିନେଇ ପଚାରିଲେ–ମା’, ସୁଷି, ମନରେ କଷ୍ଟ ହେଲା ତୋର ?

 

ସୁଷମାର ରୁଦ୍ଧବେଦନା ଆଉ ରାଧା ମାନିଲା ନାହିଁ । ଚକ୍ଷୁ ଦ୍ୱୟରୁ ଅଶ୍ରୁବିନ୍ଦୁ ଠକ୍‍ ଠକ୍‍ ହୋଇ ଝରି ପଡ଼ିଲା । ରାଧାପ୍ରିୟା ତାକୁ ବକ୍ଷ ଉପରକୁ ଟାଣି ନେଇ ତା’ର ଚିବୁକଟି ଧରି କହିଲେ–‘‘ମା ରେ କାନ୍ଦୁଛୁ ? ମୋର କଥାଟା କି ଏତେ ବାଧିଛି ମା’ ?’’ ଏହା କହି ସେ ସୁଷମାକୁ ଭିଡ଼ି ଧରିଲେ । ନିଜର ବସ୍ତ୍ରାଞ୍ଚଳରେ ତା’ର ଅଶ୍ରୁସିକ୍ତ ମୁଖଟି ପୋଛି ଦେଇ କହିଲେ–ମୁଁ କି ତୋର ମା’ ନୁହେଁ ସୁଷି ? ମାଆର କଥାରେ କି ଏତେ କଷ୍ଟ ହୁଏ ? ଯା ମା’ ଏଇ ଚାବିଟା ନେ, ଆଲମାରି ଭିତରେ ଗୋଟାଏ ତେଲ ଶିଶି ଅଛି ନେଇ ଆ । ଆଉ ସେହି ପାନିଆଟା ଆଣ ।

 

ସୁଷମା ଧୀରେ ଧୀରେ ଆଲମାରି ଖୋଲିଲା । ତା’ ଭିତରେ ଅନେକଗୁଡ଼ାଏ ଶିଶି-ବୋତଲ ଥିଲା । କେଉଁଟା ନେବ ସେ ଠିକ୍‍ କରି ନ ପାରି ଚାହିଁରହିଲା । ରାଧାପ୍ରିୟା ବୁଝିପାରି କହିଲେ–‘ସେଇ କୁନ୍ତଳରଞ୍ଜନ ଶିଶିଟା ମା’ ।’ ସୁଷମା ଶିଶିଟା ବାହାର କରି ଆଣିଦେଲା, ପାନିଆ ମଧ୍ୟ ଯଥା ସ୍ଥାନରୁ ଆଣି ରାଧାପ୍ରିୟାଙ୍କ ହାତକୁ ବଢ଼ାଇଦେଲା । ରାଧାପ୍ରିୟା ସେ ସବୁ ନେଇ କ’ଣ କରିବେ ତାହା ସେ ଜାଣି ନ ଥିଲା । ସେ ନୀରବରେ ଠିଆ ହୋଇ ରହିଲା । ରାଧାପ୍ରିୟା କହିଲେ–ଚାଲ୍‍ ମା, ସେହି ବାରନ୍ଦାକୁ ଚାଲ୍‍ । ତୋର ମୁଣ୍ଡଟା କ’ଣ ହେଇଚି ରେ ! ନିଜ ହାତରେ ସଜାଡ଼ି ନ ଦେଲେ, ହବ ନାହିଁ ଦେଖୁଛି ।

 

ଏହା କହି ସୁଷମାକୁ ଜୋରକରି ନେଇ ବରନ୍ଦାରେ ବସାଇ ତା’ର କେଷଦାମ ସୁବିନ୍ୟସ୍ତ କରିବାକୁ ଉଦ୍ୟତ ହେଲେ । କେଶ ବିନ୍ୟାସ ପରେ ସେ ସୁଷମାକୁ ନେଇ ପୁନଶ୍ଚ ଗୃହମଧ୍ୟରେ ପ୍ରବେଶ କଲେ । କହିଲେ–‘‘ମା’ ସୁଷମା, ଟିକିଏ ରହ, ଗୋଟାଏ କାମ ଅଛି ।’’ ସୁଷମା ଠିଆ ହୋଇ ରହିଲା । ତା’ର ଭୟଭୀତ ଅନେକ ପରିମାଣରେ କମି ଆସିଥିଲା । ତଥାପି ମୁହୂର୍ତ୍ତକ ପୂର୍ବେ ରାଧାପ୍ରିୟା କାହିଁକି ତା’ଉପରେ ବିରକ୍ତ ହୋଇ ଉଠିଥିଲେ ତାହା ସେ ବୁଝି ପାରୁ ନ ଥିଲା । ରାଧାପ୍ରିୟା ଗୋଟାଏ ଅଳଙ୍କାର ବାକ୍‍ସ ଖୋଲି ତହିଁରୁ ଗୋଟିଏ ସ୍ୱର୍ଣ୍ଣହାର ବାହାର କଲେ ଓ ତାହା ଆଣି ସୁଷମା ଗଳାରେ ପିନ୍ଧାଇ ଦେବାକୁ ଉଦ୍ୟତ ହେଲେ । ସୁଷିର ମନେ ପଡ଼ିଲା ସେହି ଦିନର କଥା–ଯେଉଁଦିନ ହରିଶଙ୍କର ମଧ୍ୟ ଅତି ଆଦରରେ ତା’ର ଆଙ୍ଗୁଳିରେ ସ୍ୱର୍ଣ୍ଣ ଅଙ୍ଗରାୟ ପିନ୍ଧାଇ ଦେବାକୁ ଚେଷ୍ଟା କରିଥିଲେ । ସୁଷି ସେଥିରେ ବାଧା ଦେଇଥିଲା । ଆଜି ମଧ୍ୟ ସେ ରାଧାପ୍ରିୟାଙ୍କୁ ବାଧାଦେଇ କହିଲା–‘‘ନା ମା’, ସେଥିରୁ ମୋତେ ରକ୍ଷା କରନ୍ତୁ, ମୁଁ ଆପଣଙ୍କ ଗୋଡ଼ ଧରୁଛି ।’’ ଏହା କହି ସେ ରାଧାପ୍ରିୟାଙ୍କ ପାଦସ୍ପର୍ଶ କରିବାକୁ ଚେଷ୍ଟା କଲା । ରାଧାପ୍ରିୟା ଆଶ୍ଚର୍ଯ୍ୟ ହେଲେ । ସୁଷମାର ହାତ ଧରିପକାଇ କହିଲେ–ଏ କ’ଣ ସୁଷମା ? ତୋର ଏ କି ଢଙ୍ଗ ?

 

ସୁଷମା କହିଲା–ସମସ୍ତଙ୍କ କହିଲେ କି ରତ୍ନହାର ଶୋଭାପାଏ ମା’ ? ଏ ଅଭାଗିନୀ ଯେ ଆପଣଙ୍କର ସ୍ନେହଭରା କରିପାରିଛି, ସେତିକି ଯଥେଷ୍ଟ ।

 

ଉତ୍ତରଟା ଶୁଣି ରାଧାପ୍ରିୟା ପ୍ରଥମେ ଅବାକ୍‍ ହୋଇଗଲେ । ପରେ ସେ ଅନେକ ଜିଦି କଲେ । ମାତ୍ର କେଉଁଥିରେ କିଛି ଫଳ ହେଲେ ନାହିଁ । ସୁଷମା କୌଣସି କ୍ରମେ ସେ ସ୍ୱର୍ଣ୍ଣାଳଙ୍କାର ପରିଧାନ କରିବାକୁ ରାଜି ହେଲା ନାହିଁ । ଅଗତ୍ୟା ରାଧାପ୍ରିୟା ସେଥିରୁ ନିରସ୍ତ ହେଲେ । କହିଲେ–ଏଡ଼େ ଜିଦିଖୋର ଝିଅ ତୁ, ତା ମୁଁ ଜାଣି ନ ଥିଲି ସୁଷମା ।

Image

 

ଦ୍ୱାଦଶ ପରିଚ୍ଛେଦ

 

ହରିଶଙ୍କରଙ୍କ ସାକ୍ଷାତ୍‍ପ୍ରାଥୀ ହୋଇ ସେ ଦିନ ଯେଉଁ ପ୍ରଜାମାନେ ତୁଣ୍ଡ ହୋଇଥିଲେ ସେମାନେ ହରିଶଙ୍କରଙ୍କୁ ଧରି ବସିଲେ ଯେ ସେମାନଙ୍କ ଗ୍ରାମର ଅନତିଦୂରରେ ଅନେକଗୁଡ଼ାଏ, ଅନାବାଦୀଜମି ଜମିଦାରଙ୍କର ପଡ଼ି ରହିଛି, ସେମାନେ ସେ ସବୁ ଜମି ଚାଷ କରିବାକୁ ଚାହାନ୍ତି, ସେଥିପାଇଁ ଅନେକ ଦିନ ହେଲା ସେମାନେ ଆବେଦନ କରି ଆସୁଛନ୍ତି, କିନ୍ତୁ ସେମାନଙ୍କର ଆବେଦନ ମଞ୍ଜୁର କରିବା ଦୂରେ ଥାଉ କେହି ତାହା କାନକୁ ବି ନେଉ ନାହାନ୍ତି । ସେମାନେ ଗରୀବ ଲୋକ; ଜମିଦାରଙ୍କୁ ଉପଯୁକ୍ତ ସଲାମି ଦେଇ ଜମି ପଟା ନେବାକୁ ସେମାନଙ୍କର ସାମର୍ଥ୍ୟ ନାହିଁ; ହରିଶଙ୍କର ସେମାନଙ୍କର ଗୁହାରି ନିଜେ ବୁଝି ସୁମୀମାଂସା କରିବେ ବୋଲି ସେମାନେ ଆଶା କରନ୍ତି; ସେଥିପାଇଁ ସେମାନେ ଜମିଦାରବାବୁଙ୍କ ସଙ୍ଗେ ଦେଖା କରି ସମସ୍ତ ହାଲ ଜଣାଇବାକୁ ଆସିଛନ୍ତି । ହରିଶଙ୍କର ସେମାନଙ୍କ ଆବେଦନ ଶୁଣିଲେ । ଗୁମାସ୍ତାବାବୁଙ୍କୁ ଡାକି ସବୁ କଥା ମଧ୍ୟ ବୁଝିଲେ । ଅନେକ ଦିନରୁ ଯେ ପ୍ରଜାମାନେ ଏପରି ଆବେଦନ କର ଆସୁଛନ୍ତି ଏହା ସତ୍ୟ । କିନ୍ତୁ ଜମିଦାରଙ୍କ ତରଫରୁ ବଡ଼ ବେଶି ସଲାମି ଦାବି କରାଯାଉଛି । ପ୍ରଜାମାନେ ତା’ ଦେବାକୁ ଅସମର୍ଥ-। ସେଥିପାଇଁ ଏତେ ଦିନ ହେଲା ଭିଡ଼ା ଓଟରା ଲାଗିଛି । ହରିଶଙ୍କର ଦେଖିଲେ–ଜମିଗୁଡ଼ାକ ଖାଲି ପଡ଼ିଆ ପଡ଼ିଛି–ଜମିଦାରର ଯେ ସେଥିରୁ କିଛି ହେଉଛି ତା’ ନୁହେଁ–ପ୍ରଜାମାନେ ଯଦି ତାହା ଚାଷ କରିବାକୁ ଚାହାନ୍ତି ତେବେ ତା’ ଭଲ କଥା–ଅନେକ ଦିନର ପଡ଼ିଆ ଜମିକୁ ଉଠିଆ କରିବାକୁ ହେଲେ ପ୍ରଥମେ ବଡ଼ ଖର୍ଚ୍ଚାନ୍ତ ହେବାକୁ ହୁଏ । ଏପରି ଅବସ୍ଥାରେ ଗରୀବ ପ୍ରଜାମାନଙ୍କଠାରୁ ସଲାମି ଦାବି କରିବାଟା ଅନ୍ୟାୟ । ହରିଶଙ୍କର ଗୁମାସ୍ତାଙ୍କୁ ଡାକି ନିରୋଳାରେ ପରାମର୍ଶ କଲେ-। ହରିଶଙ୍କର ପଚାରିଲେ–ଆଚ୍ଛା, ଗୁମାସ୍ତାବାବୁ, ଏମାନେ କ’ଣ ସମସ୍ତେ ଗରିବ-? ଗୁମାସ୍ତା କହିଲେ–‘‘ଆଜ୍ଞା, ଜଣେ ଦୁଇଜଣକୁ ଛାଡ଼ିଦେଲେ ଅନ୍ୟାନ୍ୟ ସମସ୍ତେ ଗରିବ-।’’

 

ହରିଶଙ୍କର କହିଲେ–ତେବେ ଯେଉଁମାନେ ଗରୀବ ନୁହନ୍ତି ସେମାନଙ୍କୁ ବାଦ୍‍ ଦେଇ, ଗରିବପ୍ରଜାଙ୍କୁ ଏ ଅନାବାଦି ଜମିଗୁଡ଼ାକ ଚାଷ କରିବାକୁ ଦିଅ । ସେମାନେ ନିଜ ଚେଷ୍ଟାରେ ସେଗୁଡ଼ାକ ଉଠିଆ କରନ୍ତୁ । ଜମିର ଯାହା ନ୍ୟାଯ୍ୟ ଖଜଣା ତାହା ଧାର୍ଯ୍ୟ କରିଦିଆଯାଉ । ସଲାମି ଟଙ୍କା ସେମାନଙ୍କଠାରୁ ଆଦାୟ କରିବାଟା ବଡ଼ ନିଷ୍ଠୁରତା ହେବ ବୋଲି ମୁଁ ମନେ କରେଁ ।

 

ଗୁମାସ୍ତା ବାବୁ ମଧ୍ୟମାଙ୍ଗୁଳିରେ ମୁଣ୍ଡ କୁଣ୍ଡେଇ ହେଉଁ ହେଉଁ କହିଲେ–ଆଜ୍ଞା, ସମସ୍ତ ସଲାମି ଟଙ୍କାଟା କି–

 

ହରିଶଙ୍କର ଉତ୍ତର ଦେଲେ–ହଁ, ସମସ୍ତ । ସେମାନେ ତ ଖଜଣା ଦେବେ, ତେବେ ଆମର କ୍ଷତି କ’ଣ ?

 

କଥାଟା ଗୁମାସ୍ତା ବାବୁଙ୍କ ମନକୁ ପାଇଲା କି ନା ସେ ଜାଣନ୍ତି । ମାତ୍ର ଜମିଦାରଙ୍କ ଆଦେଶ ପାଳନ ନ କରି ତ ଉପାୟ ନାହିଁ । ତେଣୁ ସେ ସେଥିରେ ସମ୍ମତି ଜ୍ଞାପନ କରି କହିଲେ–‘ହଜୁରଙ୍କର ଯାହା ଇଚ୍ଛା ।’’ ଏହା କହି ସେ ପ୍ରଜାମାନଙ୍କ ଆବେଦନ ପତ୍ର ଉପରେ ହରିଶଙ୍କରଙ୍କର ଗୋଟାଏ ଆଦେଶ ଲେଖିନେଲେ । ପରେ ପ୍ରଜାମାନଙ୍କୁ ସେ ଆଦେଶ ପଢ଼ି ଶୁଣାଇଦେଲେ । ପରେ ପ୍ରଜାମାନେ ତାହା ଶୁଣି କୃତଜ୍ଞ ହୃଦୟରେ ହରିଶଙ୍କରଙ୍କର ଅଜସ୍ର ପ୍ରଶଂସା କରିବାକୁ ଲାଗିଲେ । ଗୁମାସ୍ତାବାବୁ କହିଲେ–ଆହା ! ବାବୁ ଭାରି ଦୟାବାନ୍‍ । ଏମିତି ଜମିଦାର ପାଇବା ଭାଗ୍ୟରେ ଥିଲେ ଘଟେ । ଆଉ ମୁଁ ବି କ’ଣ ତୁମମାନଙ୍କ ପାଇଁ କମ୍‍ ଲଢ଼ିଛି ! ଯେତେ କହିବାର, ସବୁ କହିଛି । ବାବୁ ମୋତେ ଟିକିନିଖି କରି ସବୁ ପଚାରି ବୁଝିଲେ । ତୁମେମାନେ କିମିତିକା ଲୋକ, କାହାର ଅବସ୍ଥା କିମିତି;–କାହାର ଘର କିମିତି ଚଳେ, ଇତ୍ୟାଦି ଇତ୍ୟାଦି ଢେର ଢେର କଥା ପଚାରିଲେ । ମୁଁ ସବୁ ଠିକ୍‍ ଠିକ୍‍ କରି ବତେଇ ଦେଲି । କହିଲି–ଆଜ୍ଞା ଗରିବଗୁଡ଼ାକ, ହଜୁର ତାଙ୍କର ମା’ ବାପ । ସେମାନେ ବହୁତ ଦିନରୁ ଦରଖାସ୍ତ କରି ଚାହିଁ ରହିଛନ୍ତି । ମାମୁ ସାଆନ୍ତେ ଶୁଣୁ ନାହାନ୍ତି, ସେ ଖାଲି ସଲାମି କଥା ଧରି ବସିଛନ୍ତି । ହେଲେ, ଗରିବଗୁଡ଼ାକ କଉଁଠୁ ଏତେ ଟଙ୍କା ପାଇବେ ଯେ ସଲାମି ଦେବେ । ସେଗୁଡ଼ାଙ୍କୁ ମାପ୍‍ ଦିଆଯାଉ । ହଜୁର ଲକ୍ଷପତି, ହଜୁରଙ୍କର କ’ଣ ଅଭାବ ? –ଏହିପରି ଢେର ଢେର କଥା ମୋତେ କହିବାକୁ ପଡ଼ିଲା । ନ ହେଲେ ଏତେ ଦିନରୁ ଯାହା ହୋଇପାରୁ ନଥିଲା, ତା’ ଘଡ଼ିକ ଭିତରେ ହୋଇଯାନ୍ତା !

 

ପ୍ରଜାମାନେ କହିଲେ–ହଁ, ହଁ, ତା’ ଠିକ୍‍ । ରାଜାଙ୍କ ପାଖକୁ । ସେହିପରି ମନ୍ତ୍ରୀ ନ ହେଲେ କି ଚଳେ ? ତା’ ପରେ ଗୁମାସ୍ତା ବାବୁ ସେମାନଙ୍କ ପିଠିରେ ହାତମାରି ହସି ହସି କହିଲେ–ଆଉ ମୋ କଥାଟା କ’ଣ ତୁମେମାନେ ପାସୋରି ପକେଇବ ନା ? ପେଟ ପାଟଣା ତ ପୁଣି ସମସ୍ତଙ୍କର ଅଛି ଭାଇ ! ତୁମମାନଙ୍କଠାରୁ ଦି ପଇସା ନ ପାଇଲେ ମୁଁ କେମିତି ଚଳିବି କହିଲେ ? ତୁମମାନଙ୍କର କି ଏଟା ବୁଝିବା ଉଚିତ ନୁହେଁ ?

 

ପ୍ରଜାମାନେ ମୁଣ୍ଡ ଟୁଙ୍ଗାରି କହିଲେ–ହଁ, ହଁ, ସେଟା ଆଉ ରହିଯିବ ନା ଗୁମାସ୍ତାବାବୁ । ଏହା କହି ସେମାନେ କିଛି କିଛି ଗୁମାସ୍ତା ବାବୁଙ୍କୁ ଦେବାକୁ ପ୍ରତିଶ୍ରୁତ ହେଲେ ।

 

ପ୍ରଜାମାନେ ଜମିଗୁଡ଼ିକ ଆପଣା ଆପଣା ଭିତରେ ପରସ୍ପରର ରାଜିନାମାରେ ବାଣ୍ଟିନେଇ ଚାଷ କରିବାକୁ ଆରମ୍ଭ କରିଦେଲେ । ଏହାର କିଛି ଦିନ ପରେ ହରିଶଙ୍କରଙ୍କୁ କାର୍ଯ୍ୟୋପଲକ୍ଷରେ ସୁଦୂର ସମ୍ୱଲପୁରକୁ ଯିବାକୁ ପଡ଼ିଲା । ଯିବାପୂର୍ବରୁ ସେ ସୁଷିକୁ କହିଲେ–ସୁଷି ମୁଁ ଆଜି ଯାଉଛି, ବୋଧହୁଏ ଫେରିବାକୁ ଟିକିଏ ବିଳମ୍ୱ ହେବ । ମାସେ ଦୁଇମାସ ଲାଗିଯାଇ ପାରେ । ମାମୁ ତ ଏପର୍ଯ୍ୟନ୍ତ ଜମିଦାରୀଗସ୍ତରୁ ଫେରିନାହାନ୍ତି । କେବେ ଫେରିବେ ତା’ ମଧ୍ୟ ଠିକ୍‍ ନାହିଁ । ଘରେ ରହିଲ, ମା’ ଆଉ ତମେ । ଯଦି ତମର କିଛି ଅଭାବ ଅସୁବିଧା ହୁଏ, ତା’ହେଲେ ଲାଜ ବା ସଙ୍କୋଚ ନ କରି ମା’ଙ୍କୁ କହିବ । ରାଧୁ ଗୁମାସ୍ତାଙ୍କୁ ମୁଁ ମଧ୍ୟ କହି ଯାଉଛି,–ସେ ତୁମମାନଙ୍କର ତତ୍ତ୍ୱ ନେଉଥିବେ । ଆଉ କ’ଣ ସୁଷି ?

 

ସୁଷି କହିଲା–ନା, ନା, କାହାରିକୁ କିଛି କହିବା ଦରକାର ନାହିଁ । ତେବେ–

 

ହରିଶଙ୍କର କହିଲେ–ହଁ, କ’ଣ କହୁଛ କୁହ, ଏତେ ସଙ୍କୋଚ କାହିଁକି ?ଏଇଟା ହିଁ ତମର ଭାରି ଦୋଷ ।

 

ସୁଷି ଉତ୍ତର ଦେଲା–ଏଠି ବସି ବସି ବଡ଼ ଦିକ୍‍ ଲାଗୁଛି–କିଛି କାମ ଦାମ ନାହିଁ । ଏମିତି କରି ସମୟ–

 

ହରିଶଙ୍କର ହସି ହସି କହିଲେ–ଓହୋ ! ସମୟ କଟୁ ନାହିଁ, ନା ? ଆଚ୍ଛା, ତା’ହେଲେ କ’ଣ କରିବାକୁ କହୁଛ ?

 

ସୁଷି ଜବାବ୍‍ ଦେଲା–ମା’ ଙ୍କୁ ଏ ସମ୍ୱନ୍ଧରେ କିଛି କହିଗଲେ ଭଲ ହୁଅନ୍ତା ନାହିଁ ?

 

ହରିଶଙ୍କର କହିଲେ–ଆଚ୍ଛା କହିଯିବି । ସେଥିପାଇଁ ଚିନ୍ତା କର ନାହିଁ । ତେବେ ମୁଁ ଫେରିଆସିଲେ କାମର ହିସାବଟା ଦେବାକୁ ପଡ଼ିବ ।

 

ଏହା କହି ହରିଶଙ୍କର ହସିବାକୁ ଲାଗିଲେ । ସୁଷମା ମଧ୍ୟ ଟିକିଏ ହସିଲା । ତା’ପରେ ହରିଶଙ୍କର ମା’ ରାଧାପ୍ରିୟାଙ୍କ ନିକଟକୁ ଯାଇ କହିଲେ–ଶୁଣିଲଣି ମା’ !

 

ରାଧାପ୍ରିୟା ପଚାରିଲେ–କ’ଣ ରେ ହରି ?

 

ହରିଶଙ୍କର ଉତ୍ତର ଦେଲେ–ଏଇ ଯେ ତୋର ବୋହୁର ଆପତ୍ତି–

 

ରାଧାପ୍ରିୟା ତୁରନ୍ତ ଶାସନ କରି କହିଲେ–ଚୁପ୍‍ !

 

ହରିଶଙ୍କର ଧମକ୍‍ ଖାଇ ବନ୍ଦ ହୋଇଗଲେ । କକ୍ଷାନ୍ତରରେ ଥାଇ ସୁଷମା ଏସବୁ ଶୁଣି ମରିଯିବା ପରି ହେଲା ।

 

ରାଧାପ୍ରିୟା କହିଲେ–ହଁ ରେ ହରି, ସୁଷମା ତୋ ପାଖରେ କ’ଣ ଆପତ୍ତି କରିଛି ? ଏଠି ତା’ର କିଛି ଅସୁବିଧା ହେଉଛି ?

 

ହରିଶଙ୍କର କହିଲେ ଅସୁବିଧା ନୁହେଁ ମା’, କିଛି କାମ ଦାମ ନାହିଁ ବୋଲି ସୁଷମାର ଯା ଆପତ୍ତି । ଆଚ୍ଛା, ତା’ ଉପରେ କିଛି କାମର ଭାର ଦେଲେ ହୁଅନ୍ତା ନି କି ?

 

ରାଧାପ୍ରିୟା ହସି ଉଠିଲେ । କହିଲେ–ଓଃ ଏତେ ବଡ଼ ଆପତ୍ତ ! ଆଚ୍ଛା, ମୁଁ ଡାକି ବୁଝୁଛି ଯା, ଏହା କହି ସେ ଡାକିଲେ–ସୁଷମା !

 

ଲଜ୍ଜାବନତମୁଖୀ ସୁଷମା ନିତାନ୍ତ ଅନିଚ୍ଛାସତ୍ତ୍ୱେ ଉପସ୍ଥିତ ହୋଇ କହିବ–କ’ଣ ମା’ ?

 

ରାଧାପ୍ରିୟା ପଚାରିଲେ–କାମ କରିବାକୁ ଚାହୁଁ, ସୁଷମା !

 

ତଳକୁ ଅନାଇ ସୁଷମା ଆସ୍ତେ ଆସ୍ତେ ଉତ୍ତର ଦେଲା–ହଁ ମା’, ଯାହା କରିବାକୁ କହିବେ ତା’ କରିବି ।

 

ରାଧାପ୍ରିୟା ହସି ହସି କହିଲେ–ଆଚ୍ଛା ହେଉ । ଏ କପାଳକୁ ମୋର ପାଗଲା ପିରାଖଣ୍ଡକ ଯେମିତି ମିଳିଛି, ତା’ ସାଙ୍ଗକୁ ତୁ ବି ଏକ ପାଗଳୀ ଆସି ଜୁଟିଛୁ ରେ !

 

ସୁଷମା ଏହା ଶୁଣି ନୀରବରେ ଚାଲିଗଲା । ରାଧାପ୍ରିୟା ସେ ଦିନ ଆଦେଶ ଦେଲେ–ପ୍ରତିଦିନ ସୁଷମାକୁ ତାଙ୍କରି ପାଇଁ ତିରିଶ ଖଣ୍ଡ ପାନ ଭାଙ୍ଗିବାକୁ ହେବ, ଆଉ ସକାଳୁ ଗାଧୋଇ କୁଳଦେବତା ମଦନମୋହନଙ୍କ ପାଇଁ ଚାରୋଟି ଫୁଲର ହାର ଗୁନ୍ଥିବାକୁ ହେବ । ଜାୟଗିରିଖିଆ ମାଳୀ ଦେବାଳୟ ସଂଲଗ୍ନ ଉଦ୍ୟାନରୁ ପ୍ରତିଦିନ ଫୁଲ ତୋଳି ଆଣି ସୁଷମାର ହସ୍ତରେ ଅର୍ପଣ କରିଯିବ ।

 

ଏହି ବ୍ୟବସ୍ଥା ଅନୁଯାୟୀ ସୁଷମାକୁ ଚଳିବାକୁ ପଡ଼ିଲା । କିନ୍ତୁ ଏ କି ଗୋଟାଏ କାମରେ ଲେଖା ! ଯେ ଦିନେ ଏତେ କାମ କରୁଥିଲା ତା’ ପକ୍ଷରେ ଏ ଗୋଟାଏ ଖେଳ ଛଡ଼ା ଆଉ କ’ଣ ହୋଇପାରେ ? ସୁଷମା ଏହି କାମ ପାଇଁ ଯେ ଆପତ୍ତି କରିଥିଲା ତା’ ନୁହେଁ । ତା’ର ଉଦ୍ଦେଶ୍ୟ ଥିଲା ଅନ୍ୟପ୍ରକାର । ଅନ୍ୟର ଆଶ୍ରିତା ହୋଇ ବସି ବସି କାଳକ୍ଷେପ କରିବାକୁ ତାକୁ ବଡ଼ କଷ୍ଟକର ବୋଧହେଉଥିଲା । ସେଟା ମଧ୍ୟ ତାକୁ ବଡ଼ ଅସୁନ୍ଦର ଦିଶୁଥିଲା । କୌଣସି କ୍ରମେ ସେ ନିଜକୁ ଏ ଜମିଦାର ପରିବାରର ଅଙ୍ଗ ବୋଲି ମନେ କରିପାରୁ ନ ଥିଲା । ଆଶ୍ରିତାର ନ୍ୟାଯ୍ୟ ଦାବି ଯାହା, ତା’ ଅପେକ୍ଷା ଅଧିକ କିଛି ଦାବି କରିବାଟା ତା’ ପକ୍ଷରେ ବଡ଼ ଅସଙ୍ଗତ ବୋଲି ସେ ଭାବୁଥିଲା । ଅନ୍ୟର ଗଳଗ୍ରହ ଛଡ଼ା ସେ ନିଜକୁ ଅନ୍ୟ କୌଣସି ଚକ୍ଷୁରେ ଦେଖିପାରୁ ନ ଥିଲା । ହରିଶଙ୍କରଙ୍କର ମନର କଥା ଅବଶ୍ୟ ତାଙ୍କୁ ଅଜଣା ନ ଥିଲା । କିନ୍ତୁ ସେଟା କେବଳ ମନର କଥାମାତ୍ର । ହରିଶଙ୍କରଙ୍କୁ ବାଦଦେଲେ ଏତେ ବଡ଼ ଦୁନିଆରେ ଆଉ କିଏ ଅଛି ଯେ ତା’ ମଞ୍ଜୁର କରିବାକୁ ପ୍ରସ୍ତୁତ ? ସେ ନିଜେ ବି ଏଟାକୁ ସ୍ୱୀକାର କରିବାର କୌଣସି ଉପାୟ ଦେଖୁ ନ ଥିଲା । ତେଣୁ ଆଶ୍ରିତାର କର୍ତ୍ତବ୍ୟ ସମ୍ପାଦନ କରି ଏ ଗୃହରେ ଦୀନଦୁଃଖୀ ପରି ଚଳିବାକୁ ସେ ଚାହୁଥିଲା । ଏ ସଂସାରରେ କେତେ ନିରାଶ୍ରୟା ଅନାଥିନୀ ତ ପୁଣି ସେହିପରି ଜୀବନ କାଟୁଛନ୍ତି । ତେବେ ଆଉ କ’ଣ ?

 

ହରିଶଙ୍କର ଯିବା ପୂର୍ବରୁ ମା’ ଙ୍କୁ ପ୍ରଣାମ କରି ବିଦାୟ ନେଲେ । କିନ୍ତୁ ସୁଷିଠାରୁ ବିଦାୟ ନେବାବେଳେ ଆଲିଙ୍ଗନୋଦ୍ୟତ ପ୍ରଣୟୀର ନିରାଶା ହେବାକୁ ପଡ଼ିଲା । ସୁଷି ବାଧା ଦେଇ କହିଲା–ଛିଃ; ଥାଉ ।

 

ସଂସ୍କାରପ୍ରିୟ ହରିଶଙ୍କର ଏଥିରେ କ୍ଷୁବ୍‍ଧ ହେଲେ । ହେବାର କଥା । ଚିରଜୀବନ କ’ଣ ଏହି ‘‘ଛି–ଆଉ’’ ର ସମ୍ମୁଖୀନ ହେବାକୁ ପଡ଼ୁଥିବ ? ସୁଷି କେବେ କି ତାଙ୍କ ପଥରେ ପଥିକ ହୋଇ ପାରିବ ନାହିଁ ? ହରିଶଙ୍କରଙ୍କ ମନରେ ଏହି ସନ୍ଦେହର ଛାୟାପାତ ହେଲା । କିନ୍ତୁ ଏତେ କଥା ଭାବିବାକୁ ବର୍ତ୍ତମାନ ସମୟ ନାହିଁ ? ସେ ମନର କ୍ଷୋଭ ମନରେ ରଖି ଆଲିଙ୍ଗନରୁ ନିରସ୍ତ ହେଲେ-

 

ଅଧିକ ଡେରି କଲେ ଗାଡ଼ି ପାଇବା ଅସମ୍ଭବ ହୋଇପାରେ ମନେ କରି ସେ ଶୀଘ୍ର ଘରୁ ବାହାରି ପଡ଼ିଲେ ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ରାଧାପ୍ରିୟାଙ୍କ ସଂସାରରେ ସୁଷିର ଦିନ ପରେ ଦିନ କଟିବାକୁ ଲାଗିଲା । ଯେତେ ଦିନ ଅତିବାହିତ ହେଲା ତେତେ ବେଶୀ ସ୍ନେହ ମମତାର ବନ୍ଧନ ଉଭୟଙ୍କ ମଧ୍ୟରେ ଦୃଢ଼ୀଭୂତ ହେଲା । ରାଧାପ୍ରିୟାଙ୍କ ନିଃସଙ୍ଗ ଜୀବନରେ ସୁଷିର ସଙ୍ଗଲାଭ ବିଧାତାର ଶୁଭନିର୍ଦ୍ଦେଶ ପରି ପ୍ରତିଭାତ ହେଲା-। ସୁଷି ସବୁବେଳେ ତାଙ୍କର ମନ ନେଇ କାର୍ଯ୍ୟ କରେ । ସୁଷିକୁ ପାଖରୁ ଛାଡ଼ିବାକୁ ରାଧାପ୍ରିୟାଙ୍କର ଇଚ୍ଛା ହୁଏ ନାହିଁ । ନିଜର ଆଦରିଣୀ କନ୍ୟାକୁ ସୁଦ୍ଧା ଲୋକେ ଏତେ ଆଦର କରନ୍ତି କି ନା ସନ୍ଦେହ-। ସୁଷି ଯାହା କରେ ରାଧାପ୍ରିୟାଙ୍କ ଚକ୍ଷୁରେ ତା’ ସୁନ୍ଦର; ସୁଷି ଯାହା କହେ, ରାଧାପ୍ରିୟାଙ୍କ କର୍ଣ୍ଣରେ ତାହା ମଧୁର ହୋଇ ବାଜେ । ସୁଷି ପୂର୍ବ ନିର୍ଦ୍ଦେଶମତେ ପ୍ରତିଦିନ ତିରିଶଖଣ୍ଡ ପାନ ଭାଙ୍ଗିଦିଏ-। ରାଧାପ୍ରିୟା ସେ ତିରିଶଖଣ୍ଡ ଯାକ ଶେଷ କରି ଦିନେ ଦିନେ ଆହୁର ମାଗି ଖାନ୍ତି । ପାନ ଖାଇବା ବିଷୟରେ ସେ ଧୁରନ୍ଧର । ଉତ୍କଳର ପାନରସିକା ରମଣୀମାନଙ୍କ ନାମ ତାଲିକାରେ ତାଙ୍କର ନାମ ଅଗ୍ରବଦ୍ୟ । ପାନ ଚୋବାଇବା ପ୍ରତିଯୋଗିତାରେ କେହି ଯେ ତାଙ୍କୁ ହଟେଇଦେଇପାରେ, ତା’ ନୁହେଁ । ପାନର ମହତ୍ତ୍ୱ ରାଧାପ୍ରିୟା ଯେପରି ବୁଝନ୍ତି ଅନ୍ୟ କେହି ସେପରି ବୁଝିବାକୁ ସମର୍ଥ ବୋଲି ମନେ ହୁଏ ନାହିଁ । ଏଇଟା ତାଙ୍କର ଜୀବନର ଏକମାତ୍ର ବିଳାସ । ସେଥିପାଇଁ ତାମ୍ୱୁଳ ସମ୍ୱନ୍ଧୀୟ ସମସ୍ତ ସରଞ୍ଜାମ ସବୁବେଳେ ଖଞ୍ଜା ହୋଇ ରହିଥାଏ । ବାରମାସ ପାଇଁ କେତକୀ ଖଇର ପ୍ରସ୍ତୁତ ହୋଇ ତାଙ୍କ ପାଇଁ ରଖା ହୋଇଥାଏ–ସୁନ୍ଦର ସୁବାସିତ ଚୁଆବୋଳା ଗୁଣ୍ଡିମସଲା କେତେବେଳେ ଘରୁ ଛାଡ଼ି ନ ଥାଏ । ଅତି ପରିପାଟି ସହକାରେ ସେ ସୁବାସିତ ଗୁଣ୍ଡିମସଲା ବହୁଦିନର ଏକ ପ୍ରବୀଣା ଦାସୀ ଚିରଜୀବନର ଅଭିଜ୍ଞତା ନେଇ ତିଆରି କରେ । ରାଧାପ୍ରିୟାଙ୍କ ତାମ୍ବୁଳ ସେବନପାଇଁ ଯେତେ ବିଧିବ୍ୟବସ୍ଥା ଅବଲମ୍ବନ କରାଯାଇଥାଏ ଗୋଟାଏ ରାଜ୍ୟଶାସନ ପାଇଁ ବୋଧହୁଏ ଯେତେ ବିଧି ବ୍ୟବସ୍ଥାର ପ୍ରୟୋଜନ ହୁଏ ନାହିଁ । ସେଥିରେ ସାମାନ୍ୟ ଦୋଷ ତ୍ରୁଟି ଘଟିଲେ ତାହା ଅମାର୍ଜନୀୟ ଅପରାଧ ବୋଲି ବିବେଚିତ ହୁଏ । ଅବିଶାନ୍ତ ତାମ୍ବୁଳଚର୍ବଣ ଫଳରେ ରାଧାପ୍ରିୟାଙ୍କ ଦନ୍ତମାଳା ନୀଳକାନ୍ତମଣିର ଯେଉଁ ଦିବ୍ୟ ଦୀପ୍ତି ବିସ୍ତାର କରେ ତା’ ସହଜରେ ନୀଳକାନ୍ତମଣିର ଯେଉଁ ଦିବ୍ୟ ଦୀପ୍ତି ବିସ୍ତାର କରେ ତା’ ସହଜରେ ଅନୁମେୟ । ପିଲାଦିନର ସାମାନ୍ୟ ଆଠ ଦଶ ବର୍ଷ ଛାଡ଼ିଦେଲେ, ଅନ୍ୟୁନ ପଞ୍ଚତ୍ରିଂଶ ବର୍ଷର ପୁଟପାକ ସେହି ଦନ୍ତମାଳାର ବିଶେଷତ୍ୱ ।

 

ସୁଷି ରାଧାପ୍ରିୟାଙ୍କର ଏହି ତାମ୍ୱୁଳ ସେବନ ବ୍ୟାପାରରେ ପରମ ସାହିଯ୍ୟକର୍ତ୍ତ୍ରୀ । ଏ ଦିଗରେ ତା’ର ଯତ୍ନର ଅଣୁମାତ୍ର ତ୍ରୁଟି ନ ଥାଏ । ସୁଷିର ହାତଭଙ୍ଗା ପାନ ବଡ଼ ସ୍ୱାଦୁ ଲାଗେ, ରାଧାପ୍ରିୟାଙ୍କ ତୁଣ୍ଡରେ ତାହା ଅମୃତବତ୍‍ ପ୍ରତୀୟମାନ ହୁଏ । ଯେଉଁ ଦିନ ସଂଖ୍ୟା ତିରିଶକୁ ଟପିଯାଏ, ସେ ଦିନ ସୁଷମା ହସି ହସି କହେ–‘‘ଏଥର ଆଉ ରକ୍ଷା ନାହିଁ ମା’, ଗୋଟାଏ ଗୋଟାଏ ଦିନରେ ଗୋଟାଏ ଗୋଟାଏ ପାନବରଜ ଚୋବାଇ ନିକାଶ କରିଦେବ ଜଣା ଗଲାଣି । କେତେ ପାନ ଖାଅ ମା ! ’’ ରାଧାପ୍ରିୟା କହନ୍ତି–‘ଦୂର ପାଗଳୀ, ତୁ ପାନର ମଜା କ’ଣ ବୁଝିବୁରେ ? ଦିନେ ତ ଖଣ୍ଡେ ହେଲେ ପାନ ସେ ତୁଣ୍ଡ ଛୁଇଁବ ନାହିଁ । ଦାନ୍ତଗୁଡ଼ାକ କରି ରଖିଛୁ ଯେମିତି ଗୋରୁର ହାଡ଼, ଆଖିରେ ଦେଖିବାକୁ ବି ଇଚ୍ଛା ହେବ ନାହିଁ । ଭଗବାନ ତୋତେ, ଡାଳିମ୍ବମଞ୍ଜି ପରି ଏଡ଼େ ସୁନ୍ଦର ଦାନ୍ତଗୁଡ଼ିଏ ଦେଇ ତା’ର ମର୍ଯ୍ୟାଦା ରକ୍ଷା କରିବାକୁ କ’ଣ ଟିକିଏ ହେଲେ ବୁଦ୍ଧି ଦେଇ ନାହାନ୍ତି ।’ ସୁଷି ହସି ହସି ଜବାବ ଦିଏ–‘ତା’ହେଲେ ଦାନ୍ତର ରଙ୍ଗଟା କ’ଣ ଗୋବର ପରି ହେବା ଉଚିତ ମା !’ ରାଧାପ୍ରିୟା କହନ୍ତି–‘ତା’ ନୁହେଁ ତ ଆଉ କ’ଣ ? ଆଜିଠୁ ଖଣ୍ଡେ ଖଣ୍ଡେ ପାନ ଖାଇବା ଶିଖ, ସେଥିରେ ଢେର ଲାଭ ଅଛି ।’ ସୁଷି ଉତ୍ତର ଦିଏ–‘ଛିଃ, ଏ ଜନ୍ମରେ ନୁହେଁ ।’ ରାଧାପ୍ରିୟା ନିରାଶ ହୋଇ ମନ୍ତବ୍ୟ ବାଢ଼ନ୍ତି–‘କି ଦୁର୍ବୁଦ୍ଧି ଏ ଝିଅଟାର ! ଭାବି ଦୁଃଖ ହୁଏ–ଯେ ଏଡ଼େ ସୁନ୍ଦର ପାନଭାଙ୍ଗି ପାରେ, ସେ ପାନ ଖାଇ ଜାଣେ ନାହିଁ ।’

 

ଏଇ ପାନଭାଙ୍ଗିବା ଏବଂ ମଦନମୋହନଙ୍କ ପାଇଁ ଫୁଲହାର ଗୁନ୍ଥିବା–ଏଇ ଦୁଇଟାମାତ୍ର କାର୍ଯ୍ୟ ରାଧାପ୍ରିୟଙ୍କ ଆଦେଶରେ ଥିଲା । ସୁଷିର ଅବଶ୍ୟ କର୍ତ୍ତବ୍ୟ; ସେଥିରୁ ବେଶି କେହି ପ୍ରତ୍ୟାଶା କରୁ ନ ଥିଲେ ମଧ୍ୟ ନିଜ ଇଚ୍ଛାରେ, ଏପରିକି ସମୟ ସମୟରେ ଅଳି କରି ରାଧାପ୍ରିୟାଙ୍କ ସମ୍ମତି ନେଇ ଅଧିକ କିଛି କିଛି କରେ । ରାଧାପ୍ରିୟା ଆରିଷାପିଠାକୁ ବଡ଼ ଭଲ ପାଆନ୍ତି । ସୁଷି ଭଲ ଆରିଷାପିଠା କରି ଜାଣେ । ଦିନେ ଦିନେ ସେ ପ୍ରସ୍ତାବ କରେ–‘ ମା’, ଆଜି ଦି’ଟା ଆରିଷାପିଠା କଲେ ଭଲ ହୁଅନ୍ତା ନି କି ?’ ରାଧାପ୍ରିୟା ବାହାରକୁ ଟିକିଏ ଔଦାସିନ୍ୟ ଦେଖେଇ କହନ୍ତି–କାହିଁକି ଏତେ ଝିଂଝଟକୁ ଯିବୁ ମା’ ? ସେଥିରେ କ’ଣ କମ୍‍ ପରିଶ୍ରମ ? ସୁଷି କହେ–ପରିଶ୍ରମ କ’ଣ ଅଛି ମା’ ? ଚାଉଳଚୂନା ତ କୁଟୁଣୀମାନେ କୁଟି ଦେବେ, ଆଉ କ’ଣ ? ରାଧାପ୍ରିୟା ଆଦେଶ ଦିଅନ୍ତି–‘ତା’ହେଲେ ତୋର ଯଦି ମନ ହେଉଚି, ଦି’ଟା କର ।’ କିନ୍ତୁ ପ୍ରକୃତରେ ମନଟା ରାଧାପ୍ରିୟାଙ୍କର ହୁଏ । ଚତୁରୀ ସୁଷମା ତା’ ବୁଝିପାରେ । ସେଥିରେ ମାତିଯାଏ । କୁଟୁଣୀମାନଙ୍କୁ ଲଗାଇ ଚାଉଳଚୂନା କୁଟି ପାଗଧରି ଆରିଷା ଛାଙ୍କି ଗଳଦ୍‍ଘର୍ମ୍ମ ହୋଇ ତହିଁରେ ଆନନ୍ଦ ଅନୁଭବ କରେ । ଛଙ୍କା ସରିଲେ ଭଲ ଭଲ ପିଠା ବାଛି ଟିକିଏ ଥଣ୍ଡା କରି ଥାଳୀରେ ସଜେଇନେଇ ରାଧାପ୍ରିୟାଙ୍କ ପ୍ରକୋଷ୍ଠକୁ ଯାଇ ଡାକ ଦିଏ–ମା’ । ରାଧାପ୍ରିୟା କହନ୍ତି–‘ ଆଉ ରଖିଦେବୁ ନାହିଁରେ ତୁ । ଏ ମଧ୍ୟରେ ଏତେ କାଣ୍ଡ କରି ବସିଛୁ ? ତା’ପରେ ରାଧାପ୍ରିୟା ଆରିଷାପିଠା ଗୁଡ଼ିକର ସଦ୍‍ବ୍ୟବହାର କରି ଖୁସି ହୁଅନ୍ତି । ଦିନେ ରାଧାପ୍ରିୟା ଧରି ବସିଲେ–‘ସୁଷମା, ଆଜି ତୋତେ ମୋ ସାଙ୍ଗରେ ଖାଇବାକୁ ହେବ ମା ।’ ସୁଷମା ବଡ଼ ମୁସ୍କିଲରେ ପଡ଼ିଲା । ଜିଭ କାମୁଡ଼ି ପଳେଇବାକୁ ଇଚ୍ଛା କଲା । କିନ୍ତୁ ରାଧାପ୍ରିୟା ଜିଗର କଲେ–ତା’ ନ ହେଲେ ଖାଇବି ନାହିଁ, ତୋ ପିଠା ତୋର ଆଉ । ଅଗତ୍ୟା ସୁଷି ଆଉ ଗୋଟାଏ ପାତ୍ର ଆଣି ପାଖରେ ବସି ଖାଇବାକୁ ପ୍ରସ୍ତୁତ ହେଲା । ରାଧାପ୍ରିୟା କହିଲେ–‘ନା ତା ପଟିବ ନାହିଁ ।’ ସୁଷି ତାଟକା ହୋଇ ପଚାରିଲା–ଆଉ କ’ଣ ମା’ ? ରାଧାପ୍ରିୟା କହିଲେ–‘ଗୋଟାଏ ଥାଳୀରେ ତ ଆଣିଛୁ, ଆଉ ଗୋଟାଏ କ’ଣ ହେବ ରେ ପାଗଳୀ-?’ ସୁଷି ଦ୍ୱିଧା ପ୍ରକାଶ କରି ଉତ୍ତର ଦେଲା–ତା’ କି ହୁଏ ମା’ ? ରାଧାପ୍ରିୟା ଜୋର ଗଳାରେ କହିଲେ–‘ଖୁବ୍‍ ହୁଏ, ଝିଅ ପୁଅ ଲୋକ ! ସେମାନଙ୍କର ଗୋଟାଏ ଜାତିର ବିଚାର କ’ଣ-?’ ଏହା କହି ସେ ସୁଷିର ହାତଧରି ଜୋର କରି ଟାଣିନେଇ ବସାଇଲେ । ନିରୁପାୟା ସୁଷି ପାଖେଇ ପାଖେଇ ଖାଇବାକୁ ଲାଗିଲା । ତାର ସଙ୍କୋଚ ଦେଖି ରାଧାପ୍ରିୟା କହିଲେ–‘ଏତେ ଡରି ଡରି ଖାଉଛୁ ଯେ ମା’ ! ଅଭିଆଡ଼ା ଝିଅର ଜାତି ଧରାଯାଏ ନାହିଁ ବୋଲି ଯେ ମୁଁ କହୁଛି, ସେଟା କି ତୋର ବିଶ୍ୱାସ ହେଉ ନାହିଁ ? ଏହା କହି ସେ ଗୋଟାଏ ପିଠା ଧରି ନିଜ ହାତରେ ସୁଷିର ତୁଣ୍ଡରେ ଭର୍ତ୍ତି କରିଦେଲେ । ସୁଷି ବ୍ୟସ୍ତହୋଇ ପାଣି ଗ୍ଲାସଟା ପାଖକୁ ଘୁଞ୍ଚାଇଦେଇ କହିଲା–ହାତଟା ଧୋଇପକାଅ ମା’ । ରାଧାପ୍ରିୟା ଗର୍ଜନ କରି ଉଠିଲେ–ସେମିତି କଥା ଆଉ କହିବୁ ନାହିଁ ସୁଷି, ଖବରଦାର ।

 

କ୍ରମେ ରାଧାପ୍ରିୟାଙ୍କ ଇଚ୍ଛାରେ ପ୍ରତି ଆଠଦିନରେ ଥରେ ଆରିଷାପିଠା ହେବାର ବ୍ୟବସ୍ଥା ହେଲା । ଗୃହସ୍ଥାଳୀର ସମସ୍ତେ ଏ ସୁବ୍ୟବସ୍ଥାରେ ଯତ୍ପରୋନାସ୍ତି ସନ୍ତୁଷ୍ଟ । ଦାସଦାସୀମାନେ ସପ୍ତାହରେ ସେହି ସୌଭାଗ୍ୟର ଦିନଟାକୁ ସତୃଷ୍ଣ ପ୍ରାଣରେ ଚାହିଁ ରହିଥାନ୍ତି । ସେ ଦିନଟା ଆସିଲେ ସମସ୍ତେ ଯେପରି ବଡ଼ ତତ୍‍ପର ହୋଇ ଉଠନ୍ତି । ସୁଷିକୁ ସାହାଯ୍ୟ କରିବାପାଇଁ ସମସ୍ତେ ବ୍ୟାକୁଳ ହୋଇପଡ଼ନ୍ତି । ସୁଷି ଯାହା ବରାତ୍‍ କରେ ତାହା ସଙ୍ଗେ ସଙ୍ଗେ ଆସିଥାଏ । ଏପରିକି ରାଧୁ ଗୁମାସ୍ତା ପର୍ଯ୍ୟନ୍ତ ଏ ଦିଗରେ ଆକୃଷ୍ଟ ହୋଇପଡ଼ିବାର ଦେଖାଗଲା । ସୁଷି ଏହି ଗୁମାସ୍ତାବାବୁଟିର କଥା ବି ଭୁଲେ ନାହିଁ । ସମସ୍ତଙ୍କୁ ସେ ଆପଣାର ପରି ଦେଖେ । ପ୍ରତିଥର ଗୁମାସ୍ତାବାବୁଙ୍କ ପାଇଁ ଥାଳୀରେ ସଜାଇ ରୁମାଲ ଢାଙ୍କି ପାଞ୍ଚଗଣ୍ଡା ଆରିଷା ପଠାଇଦିଏ । ରାଧୁ ତା’ ଆନନ୍ଦରେ ଗର୍ଭସ୍ଥ କରି କହନ୍ତି–‘ଲକ୍ଷ୍ମୀହାତଟାଏ ଦେଖିଲି ଏକା’ । ଜମିଦାରବାବୁଙ୍କ ଘରେ ଗୋଟାଏ ବହୁଦିନର ନୌକର ଅଛି । ନାମଟା କୀର୍ତ୍ତନିଆ । କିନ୍ତୁ ଯଥାର୍ଥରେ ସେ ନାମଟା ଖୁବ୍‍ କମ୍‍ ଲୋକ କୀର୍ତ୍ତନ କରନ୍ତି । ଅଧିକାଂଶ ତାକୁ ପେଟୁରାମ ବୋଲି ଡାକନ୍ତି । ଲୋକଟା ଟିକିଏ ଉଦରସର୍ବସ୍ୱ, ତେଣୁ ଏ ବଦନାମ୍‍ । ଆରିଷାପିଠା ଦିନ ସେ ଆଉ ଘର ଛାଡ଼ି ପାଦେ ସୁଦ୍ଧା ବାହାରକୁ ଯାଏ ନାହିଁ । ସବୁବେଳେ ସୁଷିର ପିଛା ଧରି ଚାଲିଥାଏ । ଯେପରି ଗୋଟାଏ ନିତାନ୍ତ କୃତଜ୍ଞ ପୋଷା ଶ୍ୱାନ । ତା’ ଦେଖି ଅନ୍ୟାନ୍ୟ ଚାକରବାକରମାନେ ଟାଉଲି କରନ୍ତି । ରତନ ବାରିକ କହେ–ସେଟାକୁ ଗୋଇଠାଟାଏ ଛାଟି ଦେଇପାରୁ ନାହିଁ ସୁଷି ଅପା, ଚିତ୍‍ମାତ୍‍ ହୋଇ ପଡ଼ନ୍ତା । ବେହିଆଟା ପିଠା ନ ହେଉଣୁ ଅଧେ ପଶିଯାଉଛି । ଭୀମବେହେରା ହୁଙ୍କାରି ଉଠେ–‘‘ଉଁ, ଅପା ଖାଲି ଠାରି ଦିଅନ୍ତେ ଯଦି, ଶ୍ୱଶୁର ପୁଅକୁ ଦେଖି ଦିଅନ୍ତି ।’’ ନେଉଳୀ ମା’ ଦାସୀ କହେ–‘‘ରଙ୍କା ପରା, ରଙ୍କା ପରା, ଖାଇବ ବୋଲି ପାଟିରୁ କଳସୀଏ ଲାଳ ଗଡ଼େଇଲାଣି, ମରୁନାହୁଁରେ ଉଙ୍କୁଣା ପେଟୁ ! ଅପା ସାଆନ୍ତାଣୀ ତ ସମସ୍ତଙ୍କୁ ଦଉଛନ୍ତି, ଦେବେ । ଟିକିଏ ଥୟ ଧର । ମୁଁ ହୋଇଥିଲେ ନିଆଁଖୁଣ୍ଟାରେ ସେ ପୋଡ଼ାମୁହାଁକୁ ଚେଙ୍କି ଦିଅନ୍ତି; ପୁଅର ଆରିଷା ଖାଇବା ଖୋଇ ଛାଡ଼ିଯାଆନ୍ତା ।’’ ଏସବୁ କଟୁକ୍ତି, ସମାଲୋଚନା, ଥଟ୍ଟା, ବିଦ୍ରୁପ ପେଟୁରାମ ବୀରପରି ପଛକୁ ପକେଇଦେଇ ଅନନ୍ୟମନା ହୋଇ ଏକ ଆଦର୍ଶର ଅନୁସରଣ କରି ସୁଷିର ପଛେ ପଛେ ଲାଗି ରହିଥାଏ । କହେ–ବୁଝିଲ ନା ସୁଷି ଅପା, ଯେଗୁଡ଼ାକ ଈର୍ଷାରେ ଜରଜର ହୋଇ ମରନ୍ତି ସେଗୁଡ଼ାଙ୍କ କଥାରେ କାନଦେବା ଅଧର୍ମ୍ମ । ଭଗବାନ୍‍ ସେଗୁଡ଼ାକୁ ଭୁକିବାକୁ ସୃଷ୍ଟି କରିଛନ୍ତି, ଭୁକୁଥାନ୍ତୁ; ପେଟୁରାମ୍‍ ରଥ ଚାଲିଥାଉ ।

 

ଏହିପରି ସୃଷ୍ଟିର ଅନେକ ପରିମାଣରେ ଭୟସଙ୍କୋଚ ଦିନକୁ ଦିନ ଦୂର ହୋଇଯାଏ । ରାଧାପ୍ରିୟାଙ୍କ ଘରେ ପ୍ରବେଶ କଲାପରେ ପ୍ରଥମେ ତା’ର ଯେତେ ପରିମାଣରେ କଡ଼ଛଡ଼ା ଭାବ ଥିଲା, ବର୍ତ୍ତମାନ ସେତେ ପରିମାଣରେ ନାହିଁ । ସେ ଆଉ ତେତେ ଦୂରେ ଦୂରେ ରହିବାକୁ ଚାହେଁ ନାହିଁ–ରହିପାରେ ନାହିଁ ମଧ୍ୟ । ଟିକିଏ ଦୂରକୁ ଖସିଗଲେ, ରାଧାପ୍ରିୟା ଯେପରି ତାକୁ ପାଖକୁ ଆକର୍ଷଣ କରି ଆଣନ୍ତି । ରାଧାପ୍ରିୟାଙ୍କୁ ସେ ଆପଣାର କରି ପାରିଛି । ଏ ଗୃହ-ସଂସାରକୁ ନିଜର ବୋଲି ମନେ କରିବା ତା’ ପକ୍ଷରେ କଷ୍ଟକର ହେଲେ ସୁଦ୍ଧା, ଏହା ଏକାବେଳକେ ଅଲଗା ପରି ତା’ ନିକଟରେ ପ୍ରତୀୟମାନ ହୁଏ ନାହିଁ । ଆଶ୍ରିତା ହେଲେ ମଧ୍ୟ ସେ ନିତାନ୍ତ ଘୃଣିତା ବା ଅବଜ୍ଞାତା ନୁହେଁ । ତେବେ ସେ ଦୟାର ପାତ୍ରୀ ହୋଇପାରେ । କିନ୍ତୁ ଦୟାର ପାତ୍ରୀ ହେବା ଛଡ଼ା ସେ ଏ ଦୁଆରଠାରୁ ଅଧିକ କ’ଣ ଦାବୀ କରିପାରେ ? ସେହି ଦୟା ସେ ନିଜଗୁଣରେ ଆକର୍ଷଣ କରିବାକୁ ଚେଷ୍ଟାକରେ ଏବଂ ତା’ର ଚେଷ୍ଟା ବ୍ୟର୍ଥ ହୁଏ ନାହିଁ ।

 

ରାଧାପ୍ରିୟାଙ୍କର ଦେହ କେତେବେଳେ କେମିତି ଅସୁସ୍ଥ ହୋଇପଡ଼ିଲେ ସୁଷମା ତାଙ୍କର ଯଥାସାଧ୍ୟ ଶୁଶ୍ରୁଷା କରେ । ପ୍ରାୟ ସବୁବେଳେ ପାଖରେ ବସିଥାଏ । ରୋଗୀର ଶୁଶ୍ରୁଷା କରିବାରେ ଏତେ ନିଷ୍ଠା ଅନ୍ୟ ଲୋକଠାରେ କ୍ୱଚିତ୍‍ ଦେଖାଯାଏ । ସୁଷି ସେଥିରେ ଅଭ୍ୟସ୍ତ । ପିଲାଦିନରୁ ତା’ର ସେ ଅଭ୍ୟାସ । ତା’ର ମା’ ଥିଲେ ଚିରରୁଗ୍‍ଣା । ବାତରୋଗରେ ତାଙ୍କୁ ଅନେକ ସମୟରେ ଭୋଗିବାକୁ ପଡ଼ୁଥିଲା । ସୁଷି ଥିଲା ତାଙ୍କର ଏକମାତ୍ର ଶୁଶ୍ରୁଷାକାରିଣୀ । ମା’ ରୋଗ ବାଧକରେ ପଡ଼ିଲେ ଦିନ ନାହିଁ, ରାତି ନାହିଁ, ସେ ସବୁବେଳେ ବିଛଣାଟି ପାଖରେ ଜଗି ବସିଥାଏ, ବରାବର ସତର୍କ ଦୃଷ୍ଟି ଦେଇଥାଏ । ନିଜର ସୁବିଧା ଅସୁବିଧା କଥା ଭୁଲିଯାଏ । ଆହାର ନିଦ୍ରା ପର୍ଯ୍ୟନ୍ତ ସେ ବେଳେ ବେଳେ ତ୍ୟାଗ କରିଦିଏ । ଏଟା ତା’ ପକ୍ଷରେ ନୂଆକଥା ନୁହେଁ । ରାଧାପ୍ରିୟା ତା’ର ଏ ନିଷ୍ଠାପରତା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି । ରୋଗଶଯ୍ୟା ପାଖରେ ସୁଷମା ଦେବଦୂତିକା ପରି ବୋଧହୁଏ । ତା’ର ସ୍ନିଗ୍‍ଧ ମଧୁର ଦୃଷ୍ଟିରେ ରୋଗର ଯନ୍ତ୍ରଣା କମିଯାଏ । ରୋଗୀର ଦେହରେ ତା’ର କୋମଳ ହାତଟି ବାଜିଲେ ରୋଗ ଯେପରି ଯାଦୁବଳରେ ଉଡ଼ିଯାଏ । ରାଧାପ୍ରିୟା ତା’ର ଏ ଅସାଧାରଣ ଶକ୍ତି ଲକ୍ଷ୍ୟ କରି ମୁଗ୍‍ଧ ହୁଅନ୍ତି । ରୋଗୀର ରୋଗଶଯ୍ୟା ପାଖରେ ସୁଷମା ପରି ଶୁଶ୍ରୁଷାକାରିଣୀ ଥିଲେ ଔଷଧର ବା ବୈଦ୍ୟର ପ୍ରୟୋଜନ ନାହିଁ ବୋଲି ତାଙ୍କର ମନେ ହୁଏ । ମନେ ମନେ ସେ ସୁଷମାର କେତେ ଯେ ପ୍ରଶଂସା କରନ୍ତି ତା’ କଥାରେ କହି ହେବ ନାହିଁ । ରୋଗଶଯ୍ୟାରୁ ଉଠି ରାଧାପ୍ରିୟା ଦିନେ ବିହ୍ୱଳପ୍ରାଣରେ କହି ପକାଇଲେ–‘ସୁଷି ରେ ! ମାଆ ରେ ! ମୋର ଲକ୍ଷ୍ମୀପ୍ରତିମାଟି ରେ ! ବ୍ରାହ୍ମଣଘରେ ଜନ୍ମ ହୋଇ ପାରିଲୁ ନାହିଁ ମା’ ? ଭଗବାନ ତୋତେ ଏତେ ଗୁଣଗ୍ରାମ ଦେଇ ଶୁଦ୍ରଘରେ ଜନ୍ମଦେଲା’ ଏହା କହି ସେ ସୁଷମାକୁ କୋଳକୁ ଟାଣିନେଇ ତା’ର ଲଲାଟ ଚୁମ୍ୱନ କଲେ । ସୁଷମାର ମର୍ମ୍ମଦେଶ ବିକ୍ଷୋଭିତ କରି ଗୋଟିଏ କରୁଣ ନିଃଶ୍ୱାସ ବାହାରି ଆସିବାକୁ ଉପକ୍ରମ କଲା, ମାତ୍ର ସେ ତାକୁ ବଳପୂର୍ବକ ଚାପି ରଖିଲା ।

 

ସୁଷମାଠାରୁ ବିଦାୟ ନେଇ ସେ ଦିନ ହରିଶଙ୍କର ଆସି ଗାଡ଼ି ଚଢ଼ିଲେ । ସେ ଦିନ ଗାଡ଼ି ଡେରିରେ ଆସିଲା । ହରିଶଙ୍କର ଷ୍ଟେସନରେ ପହୁଞ୍ଚିବା ବେଳକୁ ଲାଇନ କ୍ଲିଅର ଘଣ୍ଟାପର୍ଯ୍ୟନ୍ତ ହୋଇନାହିଁ । ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା । ଇଣ୍ଟରକ୍ଲାସ ମୁସାଫିରଖାନାରେ ଗୋଟାଏ ଛାରପୋକମୟ ଆରାମ ଚେୟାରରେ ବସି ଟିକିଏ ବିଶ୍ରାମ ଲାଭର ଚେଷ୍ଟା କଲେ । କିନ୍ତୁ ଛାରପୋକ ଗୁଡ଼ାକର ଉତ୍ପାତରେ ଅଥୟ ହୋଇ ବିରକ୍ତ ମନରେ ଉଠିଲେ । ବେଡ଼ିଙ୍ଗ୍‍ ଖୋଲି ଅଧାଅଧି ଗୋଟାଏ କୋଣରେ ପାରିଦେଇ ତାହାର ଉପରେ ଅର୍ଦ୍ଧଶୟାନ ଅବସ୍ଥାରେ ଢଳି ରହିଲେ-। ଅଙ୍ଗ ପ୍ରତ୍ୟଙ୍ଗ ବିଶ୍ରାମ ଲାଭକଲା କି ନ କଲା ତା’ ସେହି ଅଙ୍ଗ ପ୍ରତ୍ୟଙ୍ଗ ହିଁ ଜାଣନ୍ତି, କିନ୍ତୁ ମନଟା ତିଳାର୍ଦ୍ଧ ବିଶ୍ରାମ ପାଇଲା ନାହିଁ । ରାସ୍ତାସାରା ମୋଟରରେ ଆସୁ ଆସୁ ଯେଉଁ ଚିନ୍ତା ତାଙ୍କୁ ଘରୁ ଷ୍ଟେସନ ପର୍ଯ୍ୟନ୍ତ ଗ୍ରାସକରି ବସିଥିଲା, ଏହି ମୁସାଫିରଖାନାରେ ବି ତାହା ମୁସାଫିରଙ୍କୁ ତ୍ୟାଗ କଲା ନାହିଁ । ହରିଶଙ୍କର ଭାବିଲେ ସୁଷମାର ପ୍ରତ୍ୟାଖ୍ୟାତ ସେହି ବିଦାୟ ଆଲିଙ୍ଗନର କଥା । ଯେତେ ଥର ସେ ସୁଷମା ନିକଟରେ ପ୍ରଣୟ ନିବେଦନ କରିବାକୁ ଯାଇଛନ୍ତି. ତେତେ ଥର ସେ ନିରାଶ ହୋଇଛନ୍ତି । ସୁଷି ଧରାଦେବାକୁ ଚାହେଁ ନାହିଁ । ସ୍ତ୍ରୀର ଅଙ୍ଗସ୍ପର୍ଶ କରିବାକୁ ଯେପରି ସ୍ୱାମୀର ଅଧିକାର ନାହିଁ । ଆଦର ଆପ୍ୟାୟନ କରିବାକୁ ଯେପରି ସେ ଯୋଗ୍ୟ ନୁହେଁ । ସାମାନ୍ୟ ଗୋଟାଏ ଅଙ୍ଗୁରୀୟ ପର୍ଯ୍ୟନ୍ତ ଉପହାର ଦେବାଟା ଯେପରି ତା’ ପକ୍ଷରେ ଧୃଷ୍ଟତା । ସୁଷି କାହିଁକି ତାଙ୍କୁ ଏପରି ଚକ୍ଷୁରେ ଦେଖେ ? ହରିଶଙ୍କର ବ୍ୟଥିତ ପ୍ରାଣରେ ଭାବିଲେ–‘ ଅବଶ୍ୟ ସୁଷମା ନିଷ୍ପାପ ନିଷ୍କଳଙ୍କ ପ୍ରତିମା । ନିର୍ମଳ ଦର୍ପଣ ପରି ତା’ର ଚରିତ୍ର–ସ୍ୱଚ୍ଛ, ସୁନ୍ଦର, ଜକ୍‍ଜକ୍‍ । ଧୂଳି ନାହିଁ, ମଳି ନାହିଁ, ସ୍ୱାଭାବିକ ସ୍ୱଚ୍ଛତାରେ ତା’ ଦୀପ୍ତ, ଉଜ୍ଜଳ । ତା’ ବୋଲି କ’ଣ ଦୁନିଆର ଅନ୍ୟ ଯେତେ ଲୋକ ସମସ୍ତେ କଳଙ୍କିତ ?’ ହରିଶଙ୍କର ନିଜର ସ୍ୱଭାବ ଚରିତ୍ର ପ୍ରତି ପଶ୍ଚାତ୍‍ଦୃଷ୍ଟି ନିକ୍ଷେପ କରି ଦେଖିଲେ–କାହିଁ ? କେବେ ତ ତା’ଉପରେ କଳଙ୍କର ଦାଗ ପଡ଼ିନାହିଁ । ଚିରଦିନ ସେ ଚରିତ୍ରର କଠୋର ପ୍ରହରୀ ପରି ଜୀବନଯାପନ କରିଆସିଛନ୍ତି । କେତେବେଳେ ତାଙ୍କର ପାଦ ନୀତିରାସ୍ତାରୁ ଟିକିଏ ହେଲେ ଏପାଖ ସେପାଖ ହୋଇନାହିଁ । ଦୁଶ୍ଚରିତ୍ର ଧନୀ ସନ୍ତାନର ଆଦର୍ଶ ସେ କେବେ ହେଲେ ଜୀବନରେ ଅବଲମ୍ୱନ କରିନାହାନ୍ତି–ବରଂ ଅପରିସୀମ ଘୃଣାର ସହିତ ତାହା ପାଦରେ ଠେଲି, ଦୂରକୁ ନିକ୍ଷେପ କରି, କର୍ତ୍ତବ୍ୟର କଠୋର ପଥରେ ଅଗ୍ରସର ହୋଇ ଆସିଛନ୍ତି । ଯଦି କେବେ ଏହାର ବ୍ୟତିକ୍ରମ ହୋଇଥାଏ, ତେବେ ତାହା ଦିନକ ପାଇଁ–ଯେଉଁଦିନ ସୁଷିର ସହିତ ତାଙ୍କର ପ୍ରଥମ ଓ ପ୍ରଗାଢ଼ ପରିଚୟ, ରୋଗାତୁରା ମାତାର ବିକଳ ନିବେଦନ, ସୁଷି ସଙ୍ଗରେ ଦୃଷ୍ଟି ବିନିମୟ, ତା’ର ସମସ୍ତଭାର ନିଜ ସ୍କନ୍ଧରେ ବହନ କରିବାକୁ-ନା, ନା–ସୁଷିକୁ ପ୍ରାଣର ସଙ୍ଗିନୀ କରିବାକୁ ଦୃଢ଼ ପ୍ରତିଜ୍ଞା । ସେ ପ୍ରତିଜ୍ଞା ଏ ପର୍ଯ୍ୟନ୍ତ ତାଙ୍କର ଅବିଚଳିତ ରହିଛି–ଚିରକାଳ ଥିବ । ତେବେ ସେଟାକୁ କି ନୀତିବ୍ୟତିକ୍ରମ କୁହା ଯାଇପାରେ–ତାକୁ କି ଚରିତ୍ରହୀନତାର ଦୁର୍ନାମ ଦିଆ ଯାଇପାରେ ? ନା, କଦାପି ନା, କସ୍ମିନ୍‍ କାଳେ ନା । ତଥାପି ତାଙ୍କ ପ୍ରତି ସୁଷମାର ଏ ବ୍ୟବହାର କାହିଁକି–ଏତେ ଅନାଦର କାହିଁକି ?

 

ହରିଶଙ୍କର ଏହା ଭାବି ବିଚଳିତ ହୋଇ ଉଠିଲେ । ଏତେ ବିଚଳିତ ହେବା ତାଙ୍କ ଜୀବନରେ ଏହି ପ୍ରଥମ । ଅଜ୍ଞାତସାରରେ ଚକ୍ଷୁ ଦୁଇଟା ବାଷ୍ପାକୁଳ ହେବାକୁ ଆରମ୍ଭ କଲା । ହରିଶଙ୍କର ଧଡ଼ପରି ଉଠି ବାହାରକୁ ଆସିଲେ । ଓହୋ ! କେତେବେଳ ହେଲାଣି କି ? କଳାକୁର୍ତ୍ତା ପିନ୍ଧି ଲଣ୍ଡଭଣ୍ଡ ହେଉଥିବା ଗୋଟାଏ କୁଲିକୁ ଦେଖି ପଚାରିଲେ–ଗାଡ଼ିକୁ ଲାଇନ୍‍ କ୍ଲିଅର ହେଲାଣି ? ସେ କହିଲା–‘ହଁ ବାବୁ ଲାଇନ୍‍କ୍ଲିଅର ଯାଇ ଆଉଟ୍‍ ଘଣ୍ଟି ବି ହୋଇଗଲାଣି । ଗାଡ଼ି ଆସିବା ଉପରେ-।’ ହରିଶଙ୍କର ବ୍ୟସ୍ତ ହୋଇପଡ଼ିଲେ । ସେ ଯେ ଟିକଟ କରି ନାହାନ୍ତି ! ଜିନିଷପତ୍ର ଜଣେ ଚିହ୍ନାଲୋକର ଜିମାଦେଇ ସେ ବୁକିଂ ଅଫିସ୍‍ ଆଡ଼କୁ ଧାଇଁଲେ । ହାୟ, ହାୟ ! ପକେଟରେ ହାତ ଦେଇ ଦେଖିଲେ–ମନିବେଗ୍‍ଟା ନାହିଁ, ସର୍ବନାଶ !

 

ଠିକ୍‍ ଏହିପରି ସମୟରେ ତାଙ୍କର ନିଜର ପଡ଼ିଗଲା ଚାକର ପେଟୁରାମ କୀର୍ତ୍ତନିଆ ଉପରେ । ସେ ତାଙ୍କ ଆଡ଼କୁ ଧାଇଁ ଧାଇଁ ଆସୁଛି । ହରିଶଙ୍କର ଅନ୍ୟମନସ୍କ ଭାବରେ ତରତର ହୋଇ ଘରୁ ବାହାରି ଆସିଥିଲେ ମନିବେଗ୍‍ଟା ସେ ଟେବୁଲ ଉପରେ ଛାଡ଼ି ଦେଇ । ରୂପାର ପାନବଟା ଓ ଫାଉଣ୍ଟେନ ପେନ୍‍ଟା ବି ତା’ ପାଖରେ ପକେଇ ଦେଇ ଆସିଥିଲେ । ବାହାରି ଆସିବା ପରେ ତା’ ସୁଷିର ଦୃଷ୍ଟିରେ ପଡ଼ିବାରୁ ସୁଷି ସେଗୁଡ଼ାକ କୀର୍ତ୍ତନିଆ ହାତରେ ପଠାଇ ଦେଇଛି । ତା’ ଛଡ଼ା, ସୁଷି ଅନେକଗୁଡ଼ାଏ ଜଳଖିଆ ଗୋଟାଏ ଟିଫିନ୍‍ କେରିଅରରେ ଭର୍ତ୍ତିକରି ହରିଶଙ୍କରଙ୍କ ଦୂରଯାତ୍ରାର ପାଥେୟ ସ୍ୱରୂପ ସାଇତି ରଖିଥିଲା । କିନ୍ତୁ ହରିଶଙ୍କର ସେ ଦିନ ଏତେ ତରତରରେ ବାହାରିଯିବେ ବୋଲି ସେ ଜାଣି ନ ଥିଲା । ସୁତରାଂ ସେ ଗୁଡ଼ାକ ଦିଆଯାଇ ପାରି ନ ଥିଲା । କୀର୍ତ୍ତନିଆ ହାତରେ ସେ ତାହା ମଧ୍ୟ ପଠାଇ ଦେଇଛି । ଗୋଟାଏ ସାଇକେଲ ଛୁଟାଇ ସେ ଏ ସମସ୍ତ ପଦାର୍ଥ ଧରି ଧାଇଁଆସିଛି । ଖୋଜି ଖୋଜି ଲୋକଗହଳି ଭିତରୁ ସେ ମୁନିବଙ୍କୁ ବାହାର କରି ନେଇଛି ।

 

ଅବିଳମ୍ୱେ ହରିଶଙ୍କରଙ୍କ ଆଗରେ ଉପସ୍ଥିତ ହୋଇ କୀର୍ତ୍ତନୀଆ କହିଲା–‘ ଆଜ୍ଞା, ଅସଲ ଜିନିଷଟା ଛାଡ଼ିଦେଇ ଆସିଥିଲେ, ସୁଷି ଅପା ପଠେଇ ଦେଇଛନ୍ତି ।’ ଏହା କହି ସେ ଟିଫିନ୍‍ କେରିଅରଟା ତଳେ ଥୋଇ ଦେଇ ଅଣ୍ଟାରେ ଭିଡ଼ା ହୋଉଥିବା ଗାମୁଛାଟା ଫିଟାଇବାକୁ ଆରମ୍ଭ କଲା । ହରିଶଙ୍କର ବିରକ୍ତ ହୋଇ କହିଲେ–‘ବୋକାରାମ, ତୁ ଯେମିତି, ତୋର ସୁଷି ଅପା ବି ସେମିତି ! ଏଇଟା ପରି ଅସଲ ଚିଜ, ନେଇ ଯା’ ଖାଇବୁ ।’

 

କଥାର ତାତ୍ପର୍ଯ୍ୟ ନ ବୁଝିପାରି, ମୁନିବଙ୍କୁ ବିରକ୍ତ ହେବାର ଦେଖି ହିତେ ବିପରୀତ ହେଲା ମନେକରି କୀର୍ତ୍ତନିଆ କମରରୁ ଗାମୁଛାଟା ଫିଟାଉଁ ଫିଟାଉଁ ବନ୍ଦ ହୋଇଗଲା ଓ ଥକ୍‍କା ହୋଇ ହରିଶଙ୍କରଙ୍କ ମୁହଁକୁ ଅନେଇ ରହିଲା । ହରିଶଙ୍କର ଆହୁରି ଚିଡ଼ି ଉଠିଲେ । କହିଲେ–ଆଁ ଟା କରି ରହିଲୁ କାହିଁକି ? ମନିବେଗ୍‍ଟା ପଠେଇ ଦେବାକୁ କାହାରି ବୁଦ୍ଧି ହେଲା ନାହିଁ ? ଚାଲ୍‍, ଚାଲ୍‍, ଫେରି ଚାଲ୍‍ ।

 

ଏତେବେଳେ କୀର୍ତ୍ତନିଆ ପ୍ରଭୁର ବିରକ୍ତିର କାରଣ ବୁଝିପାରିଲା । କହିଲା–ଆଜ୍ଞା, ଆଣିଛି । ସୁଷି ଅପା ଦେଇଛନ୍ତି, ଏଇ ଗାମୁଛାରେ ବାନ୍ଧିଛି ପରା ।

 

ଏହା କହି ସେ ତୁରନ୍ତ ଗାମୁଛା ଫିଟାଇବାକୁ ଲାଗିଲା । ମନିବେଗ୍‍ ଓ କଲମଟା ହାତକୁ ବଢ଼େଇ ଦେଲା ପରେ ହରିଶଙ୍କର ଖୁସିହୋଇ କହିଲେ–ହଁ ଏଇଟା ଦରକାର । ଆରେ ପାନବଟାଟା ଆଉ କଲମଟା ବି ପକେଇଦେଇ ଆସିଥିଲି ପରା ! ହାୟ ରେ ମନ !

 

ହରିଶଙ୍କର ଟିକିଟ କିଣି ଗାଡ଼ିରେ ଚଢ଼ିଲେ । ଟିଫିନ୍‍ କେରିଅରଟା ନେଇ ପାଖରେ ରଖିଲେ । କୀର୍ତ୍ତନିଆକୁ କିଛି ବକ୍‍ଶିସ୍‍ ଦେଇ କହିଲେ–ଯା, ଆଜି ଗୋଟାଏ କାମ ଭଳି କାମ କରିଛୁ । ଏଇ ମନିବେଗ୍‍ଟା ନ ଆଣିଥିଲେ, ସିଧା ଘରକୁ ଫେରିଯିବାକୁ ପଡ଼ିଥାନ୍ତା । ବିଦାୟ ଦେବା ସର୍ତ୍ତ୍ୱେ କୀର୍ତ୍ତନିଆ ଠିଆ ହୋଇ ରହିଲା । ହରିଶଙ୍କର ତା’ ଦେଖି ପଚାରିଲେ–ଆଉ କାହିଁକି ଠିଆ ହୋଇ ରହିଲୁ ରେ ? କୀର୍ତ୍ତନିଆ ଧୀରେ ଧୀରେ ଜବାବ ଦେଲା–ସୁଷି ଅପା କହିଥିଲେ–

 

ଏତିକି କହି ସେ ମୁଣ୍ଡଟା ଅଣ୍ଡାଳିବାକୁ ଲାଗିଲା । କଥାଟା କହିବାକୁ ଟିକିଏ ଯେପରି ଇତସ୍ତତଃ ହେଲା । ଥରେ ସୁଷି ଅପାର ନାମ ଧରିବାକୁ ଯାଇ ସେ ମୁନିବର ବିରକ୍ତଭାଜନ ହୋଇ ସାରିଛି । ପୁନଶ୍ଚ ସେହି ନାଁ ଟା ତା’ ତୁଣ୍ଡରୁ ବାହାରି ପଡ଼ିଲାଣି । ବାବୁ ଯଦି ପୁନଶ୍ଚ ଗରମ ହୋଇ ଉଠନ୍ତି, ଏହା ଭାବି ସେ ଟିକିଏ ତୁନି ହୋଇ ରହିଲା । ହରିଶଙ୍କର ହସି ହସି କହିଲେ–ହଁ, ତୋର ସୁଷି ଅପା କ’ଣ କହିଥିଲେ ରେ ?

 

ପ୍ରଭୁର ପ୍ରସନ୍ନ ମୁଖ ଦେଖି କୀର୍ତ୍ତନିଆ ଉତ୍ସାହିତ ହୋଇ କହିଲା–‘କହିଥିଲେ–ହଜୁର ସେ ଜଳଖିଆରୁ ଟକିଏ ତୁଣ୍ଡରେ ଦେଲେ ମୁଁ ଯିବି ।’

 

ହରିଶଙ୍କର ଠୋ ଠୋ ହୋଇ ହସି କହିଲା–ତା’ ଆଗରୁ ତେବେ ଯିବୁ ନାହିଁ ?

 

କୀର୍ତ୍ତନିଆ ମୁଣ୍ଡ ହଲାଇ ଜବାବ୍‍ ଦେଲା–ଆଜ୍ଞା ନା ।

 

ହରିଶଙ୍କର ପଚାରିଲେ–ଏତେ ବଡ଼ କଡ଼ା ହୁକୁମ୍‍ ?

 

କୀର୍ତ୍ତନିଆ ଏ କଥାର ଉତ୍ତର ନ ଦେଇ ନୀରବ ରହିଲା । ହରିଶଙ୍କର କହିଲେ–ଆଚ୍ଛା, ସେହି ଲୋଟାଟା ନେଇ ପାଇପ୍‍ରୁ ଲୋଟାଏ ପାଣି ନେଇ ଆ । କୀର୍ତ୍ତନିଆ ଧାଇଁଯାଇ ପାଇପରୁ ପାଣି ଆଣି ଦେଲା । ହରିଶଙ୍କର ଟିଫିନ୍‍-କେରିଅରଟା ଖୋଲି ଦେଖିଲେ । ସୁଷି ଅତି ଯତ୍ନ କରି କେତେ ସୁଖାଦ୍ୟ ତା’ ଭିତରେ ଭର୍ତ୍ତି କରି ରଖିଛି–ଗୃହିଣୀପଣର ପରାକାଷ୍ଠା ଦେଖାଇଛି । ଗୋଟାଏ ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ଶାଳପତ୍ରରେ ମୋଡ଼ାହୋଇ ରହିଛି । ପ୍ରତିଥର କିଛି ଖାଇବାପରେ ଦାନ୍ତ ଖୁଣ୍ଟିବାଟା ହରିଶଙ୍କରଙ୍କର ଚିରଦିନର ଅଭ୍ୟାସ । ସୁଷି ତାହା ଜାଣେ । ତେଣୁ ଦାନ୍ତଖୁଣ୍ଟା ଖଣ୍ଡିକ ଦେବାକୁ ମଧ୍ୟ ଭୁଲି ନାହିଁ । ହରିଶଙ୍କର କିଛି କିଛି ସବୁ ଜିନିଷରୁ ନେଇ ଖାଇବାକୁ ଆରମ୍ଭ କଲେ । ଖାଇସାରି କୀର୍ତ୍ତନିଆକୁ କହିଲେ–ଏଥର ହେଲା ?

 

କୀର୍ତ୍ତନିଆ ପୂନର୍ବାର ମୁଣ୍ଡ ଅଣ୍ଡାଳି ଧୀରସ୍ୱରରେ ଜଣାଇଲା–ସୁଷି ଅପା ଯେ କହିଥିଲେ–

 

ହରିଶଙ୍କର ଆଗ୍ରହର ଆତିଶଯ୍ୟବଶତଃ କଥା ଶେଷ କରିବାକୁ ନ ଦେଇ ପଚାରିଲେ–ଆହୁରି ସୁଷି ଅପାର କଥା ବାକି ଅଛି ନା କ’ଣ ?

 

କୀର୍ତ୍ତନିଆ ଜବାବ୍‍ ଦେଲା ଯେ, ସୁଷି ଅପା ତାକୁ ବିଶେଷ ଭାବରେ ତାଗିଦ୍‍ କରି କହିଥିଲେ–ବାବୁ ଯେପରି ପେଟପୂରାଇ ଖାଆନ୍ତି ତା’ ଦେଖିଯିବାକୁ ।

 

ହରିଶଙ୍କର ଏଥିରେ ଯଥେଷ୍ଟ ଆମୋଦ ଅନୁଭବ କରି କହିଲେ–ତେବେ ତୁ କହିବାକୁ ଚାହୁଁ ଯେ, ପେଟଟା ଥରେ ନ ଦେଖିଲେ ଯିବୁ ନାହିଁ ?

 

କୀର୍ତ୍ତନିଆ ନିଜର ନିର୍ବୁଦ୍ଧିତାର ପରିଚୟ ପାଇ ଲଜ୍ଜିତ ହେଲା । ଠିକ୍‍ ଏହି ସମୟରେ ଗାଡ଼ି ଛାଡ଼ିବାର ଘଣ୍ଟି ବାଜି ଉଠିଲା–ଗାର୍ଡ଼ ସାହେବର ପେଁକାଳି ଶବ୍ଦଟି ଶୁଣାଗଲା । କୀର୍ତ୍ତନିଆ ପ୍ରଭୁ ପାଦରେ ଦଣ୍ଡବତ ହୋଇ ବିଦାୟ ନେଲା ।

 

ହରିଶଙ୍କର ଚାଲିଲେ ।

Image

 

Unknown

ଚତୁର୍ଦ୍ଦଶ ପରିଚ୍ଛେଦ

 

ଷ୍ଟେସନ ପରେ ଷ୍ଟେସନ ଗଲା । କେତେ ଲୋକ ଚଢ଼ିଲେ, କେତେ ଓହ୍ଲେଇଲେ । କେତେବେଳେ ରେଳଗାଡ଼ିର ଅପ୍ରଶସ୍ତ କୋଠରୀଟା ଖାଲି ହୋଇଗଲା, କେତେବେଳେ ବା ଗର୍ଭବତୀର ଗର୍ଭ ପରିପୂର୍ଣ୍ଣ ହୋଇଉଠିଲା । କେତେବେଳେ ଅପରିସୀମ କୋଳାହଳ କେତେବେଳେ ବା ନିସ୍ତବ୍ଧତା । କେତେବେଳେ ଠେଲାଠେଲି, ପେଲାପେଲି, କେତେବେଳେ ବା ଶାନ୍ତି–ସ୍ୱଚ୍ଛନ୍ଦତା । କିନ୍ତୁ ହରିଶଙ୍କରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ଗୋଟାଏ ସ୍ଥାନରେ ଅବିଚଳିତ ଭାବରେ ବସିରହି ସେ ଗଭୀର ଧ୍ୟାନମଗ୍ନ । ଦୁଃଖମୟ ସଂସାରର ଦୁଃଖରାଶି ଦର୍ଶନ କରି ବୋଧହୁଏ ମହାମୁନି ବୁଦ୍ଧଦେବଙ୍କର ଧ୍ୟାନ ଏତେ ଗଭୀର ହୋଇ ନଥିଲା । ହରିଶଙ୍କର ଭାବୁଥିଲେ ସୁଷିର ବିରୁଦ୍ଧ ବ୍ୟବହାର କଥା । ସୁଷି କେତେବେଳେ କି ଆକାର ଧାରଣ କରେ, କେତେବେଳେ ତା’ର ବ୍ୟବହାର କ’ଣ ହୁଏ, ତା’ ସେ ବୁଝିବାକୁ ଚେଷ୍ଟାକରି ଯେପରି ଏକ କଠିନ ପ୍ରହେଳିକାର ରହସ୍ୟମୟ ଜାଲରେ ଛନ୍ଦି ହୋଇ ଯାଉଥିଲେ । କେତେବେଳେ ସୁଷିର ଆଦରର ସୀମା ନାହିଁ–କେତେବେଳେ ଅସୀମ ଅନାଦର । ମନେ ପଡ଼ୁଥିଲା ତାଙ୍କର ସେହିଦିନର କଥା, ଯେଉଁ ଦିନ ସେ ଉଚ୍ଛ୍ୱସିତ ଭାବରାଶି ନେଇ ନିରାଭରଣା ସୁଷିର ଅଙ୍ଗରେ କେତୋଟି ସ୍ୱର୍ଣ୍ଣଭରଣ ପିନ୍ଧାଇଦେଇ, ସୁନ୍ଦରୀକୁ ସୁନ୍ଦରତର କରିବାକୁ ଚାହିଥିଲେ । ମନେ କରିଥିଲେ–କଣ୍ଠଦେଶରେ ଗୋଟିଏ ସୁବର୍ଣ୍ଣର ଆଭାମୟ ହାର ଝୁଲାଇ ଦେବେ, ମୃଣାଳ-ମଞ୍ଜୁଳ ହସ୍ତ ଦୁଇଟିରେ ସୁନାର ଚୁଡ଼ି ତିନି ତିନିପଟ କରି ପିନ୍ଧାଇ ଦେବେ, ଚମ୍ପକ ଅଙ୍ଗୁଳିରେ ଅଙ୍ଗୁରୀୟ ବିନ୍ୟାସ କରି ତାକୁ ପ୍ରଭାମୟ କରିବେ, କର୍ଣ୍ଣଦୁଇଟିରେ ସୁନ୍ଦର ସୁବର୍ଣ୍ଣ ଝୁମୁକା ଦୁଇଟି ଖଞ୍ଜିଦେଇ ତା’ର ରମଣୀୟତା ସୁସ୍ପଷ୍ଟ କରି ଫୁଟାଇବେ । କିନ୍ତୁ ଏ କଳ୍ପନାବିଳାସୀ ଯୁବକର ସମସ୍ତ କଳ୍ପନା କେବଳ କଳ୍ପନାରେ ହିଁ ପର୍ପ୍ୟବସିତ ହୋଇ ରହିଗଲା–ବାସ୍ତବତାର ସୀମା ସ୍ପର୍ଶ କରିବାକୁ ସମର୍ଥ ହୋଇ ନ ଥିଲା । ସୁଷି ତାହା କାର୍ଯ୍ୟରେ ପରିଣତ କରିବାକୁ ଦେଲା ନାହିଁ । କିନ୍ତୁ ବାଧାପ୍ରାପ୍ତ ଯୁବକ ଯେତେବେଳେ ଅପୂର୍ଣ୍ଣ ଅଭିଳାଷ ନେଇ ବାହାରି ଆସିବାକୁ ଉଦ୍ୟତ ହେଲେ, ସେତେବେଳେ ସୁଷି ତାଙ୍କୁ କୌଣସିକ୍ରମେ ବାହାରିଯିବାକୁ ଦେଲା ନାହିଁ । ପାଦଦ୍ୱୟ ଜଡ଼ିଧରି ପାଦର ଗତି ଅଚଳ କରିଦେଲା । ଏ ତ ଗଲା ସେ ଦିନର କଥା । ପୁଣି ଏହି ଯାତ୍ରାର ଅବ୍ୟବହିତ ପୂର୍ବର କଥା । ଗୃହତ୍ୟାଗ ସମୟରେ କି ଅନନ୍ତ ଉଦବେଳିତ ପିପାସା ନେଇ ସେ ପ୍ରିୟତମାର ଅଙ୍ଗଆଲିଙ୍ଗନ ପ୍ରାର୍ଥୀ ହୋଇଥିଲେ–ସାମୟିକ ବିଚ୍ଛେଦର ବ୍ୟଥାରେ ବ୍ୟାକୁଳ ହୋଇ ସେ ପ୍ରିୟତମା ନିକଟରେ ସାମାନ୍ୟ ଟିକିଏ ଆଦର ଅର୍ପଣ କରିବାକୁ ଯାଇଥିଲେ–କିନ୍ତୁ ଫଳ ହେଲା ଅନାଦର, ‘‘ଛି ଥାଉ’’ ର ନିର୍ମ୍ମମ ନିର୍ଯ୍ୟାତନ ! ତା’ପରେ ପୁଣି ଏହି ନଗଦ ଘଟଣାର ଅଭିନୟ । ଯେ ବ୍ୟକ୍ତିର ଅନାଦର ତାଙ୍କୁ ଏତେ ବିଚିତ୍ର କରି ପକେଇଛି, ତା’ର ପୁଣି କି ଆଦର ! ହରିଶଙ୍କର ଦୂରସ୍ଥାନର ଯାତ୍ରୀ ବୋଲି ଜାଣି ସୁଷି କେତେ ପରିଶ୍ରମ କରି ତାଙ୍କ ପାଇଁ କେତେ ପ୍ରକାର ସୁଖାଦ୍ୟ ପ୍ରସ୍ତୁତକରି ରଖିଛି ! ତିନିଦିନକାଳ ବସି ବସି ଖଇଲେ ବି ସରିବ ନାହିଁ । ଟିଫିନ୍‍-କେରିଅରଟା ଏକାବେଳକେ ଜାମ୍‍ । ଆଉ ଚାକରଟା ପ୍ରତି କଡ଼ା ଆଦେଶ ଏକାବେଳେକେ ପ୍ରଭୁର ଉଦର ପରିପୂର୍ଣ୍ଣ କରି ଖୋଇ ଆସିବାକୁ–ତା’ ପୂର୍ବରୁ ଫେରିବାକୁ ମନା । ଏ ସବୁ ବ୍ୟାପାରର ଅର୍ଥ କ’ଣ ?

 

ହରିଶଙ୍କର ଅନେକ ଭାବିଲେ । ସୁଷମାର ଉପେକ୍ଷା ଓ ଅନାଦର ଯେତେ ବଡ଼ ବିଶାଳମୂର୍ତ୍ତି ଧରି ତାଙ୍କ ଆଗରେ ଆବିର୍ଭୂତ ହୋଇ ରହିଥିଲା, ତା’ ଆଉ ତେତେ ପ୍ରକାଣ୍ଡ ଧାରଣ କରି ରହି ପାରିଲା ନାହିଁ । କ୍ରମେ କ୍ରମେ କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲା । ଅବଶେଷରେ କୁଆଡ଼େ ଯେପରି ମିଳେଇ ଯିବାକୁ ଆରମ୍ଭ କଲା । ହରିଶଙ୍କର ଦେଖିଲେ–ସେହି ପ୍ରଚଣ୍ଡ ଅନାଦର ପରିବର୍ତ୍ତରେ ଏକ ମଧୁମୟ ଆଦର ଆପ୍ୟାୟନ ଆପଣାର ସିଂହାସନ ପାତି ସୁଦୃଢ଼ଭାବରେ ଅବସ୍ଥିତ । ସେଥିରୁ କେତେ ମମତାର ଅମୃତ ଆଦେଶ କ୍ଷରିତ ହୋଇ ପଡ଼ୁଛି । ହରିଶଙ୍କର ବିଚଳିତ ହୋଇ ସ୍ପଷ୍ଟକଣ୍ଠରେ ଚିତ୍କାର କରି ଉଠିଲେ–‘ନା, ନା, କଦାପି ନା, ତା’ ଅନାଦର ବୋଲି କଦାପି କୁହାଯାଇ ନ ପାରେ ।’ ଏ ଚିତ୍କାରରେ ପାର୍ଶ୍ୱବର୍ତ୍ତୀ ଏକ ମୁସଲମାନ ଯାତ୍ରୀ ଚମକି ଉଠି ପଚାରିଲା–‘କ୍ୟା କ୍ୟା, ବାବୁଜି କ୍ୟା ହୁଆ ଆପ୍‍କା ?’ ହରିଶଙ୍କରଙ୍କ ଚୈତନ୍ୟ ଚଟ୍‍କରି ଫେରିଆସିଲା । ଆପଣାର ଆତ୍ମବିସ୍ମୃତିରେ ସେ ଲଜ୍ଜିତ ହୋଇ ଜବାବ୍‍ ଦେଲେ–ନେହି ନେହି, ମିଆଁ ସାହେବ ! କୁଛ ନେହି ହୁଆ, ସବ୍‍ ଠିକ୍‍ ହେ ।’ ଯାତ୍ରୀଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା–‘ସବ୍‍ ଠିକ୍‍ ହେ ।’ ହରିଶଙ୍କର କହିଲେ–‘ବିଲ୍‍କୁଲ ଠିକ୍‍ ହେ ।’ ‘ତୋବା ତୋବା’ କହି ଯାତ୍ରାଟି ତା’ର ଆସନରେ ସ୍ୱଚ୍ଛନ୍ଦରେ ବସି ଗୋଟାଏ ବିଡ଼ି ଟାଣିବାକୁ ଆରମ୍ଭ କରିଦେଲା ।

 

ହରିଶଙ୍କର ପୁନର୍ବାର ଚିନ୍ତାମଗ୍ନ ହୋଇପଡ଼ିଲେ । ଭାବିଲେ–ନା, ଏମିତି କରି ଆଉ ଦିନ କାଟିଲେ ଚଳିବ ନାହିଁ । ଏହାଦ୍ୱାରା ତାଙ୍କର ଭିତରର ଉଦ୍ଦେଶ୍ୟଟା କାହାରି ପାଖରେ ସ୍ପଷ୍ଟାରୂପେ ଧରା ଦେଉ ନାହିଁ । ସୁଷି ଯେ ତାଙ୍କର ବିବାହିତା ପତ୍ନୀ ତା’ କେହି ମନେ କରି ପାରୁନାହାନ୍ତି । କେମିତି ବା କରିବେ ? ଏତେ ଯୁଗଯୁଗାନ୍ତର ଧରି ଯେ ପ୍ରାଚୀନ ରାତିଟା ସମାଜର ବକ୍ଷଦେଶରେ ଗଭୀରଭାବରେ ଚେରମାରି ରହିଛି, ତା’ର ପ୍ରଭାବ କି କମ୍‍ ? ସେଟାକୁ ବାଦଦେଲେ ଚଳିବ ନାହିଁ । ଆଉ ସେଟା ବି ତେତେ ବଡ଼ ଦୋଷର କଥା ନୁହେଁ–ମନୁଷ୍ୟର ତଦ୍ଦ୍ୱାରା ବିଶେଷ କିଛି କ୍ଷତି ଘଟେ ନାହିଁ । ସେଟା କେବଳ ଗୋଟାଏ ବାହ୍ୟିକ ପ୍ରକାଶ । ପ୍ରକାଶ୍ୟଭାବରେ ବିଭା କରି ନେଲେ କଥା ଛିଣ୍ଡିଯିବ । ଲୋକେ ମଧ୍ୟ ତାହା ଜାଣିବା ଦରକାର । ସମାଜ ତାହା ଆଖି ଆଗରେ ନ ଦେଖିଲେ ବିଶ୍ୱାସ କରିପାରିବ ନାହିଁ । ସମାଜର କଥା ଦୂରେ ଥାଉ, ନିଜର ଘରେ ମଧ୍ୟ ତାହା କେହି ବିଶ୍ୱାସ କରି ପାରୁନାହିଁ । ମା’ ବି ନୁହନ୍ତି, ଏପରି କି ନିଜେ ସୁଷି ମଧ୍ୟ ତା’ ବିଶ୍ୱାସ କରିବାକୁ ପ୍ରସ୍ତୁତ କି ନା କିଏ ଜାଣେ ? ହୁଏତ ତାହା ହିଁ ତା’ର ଉପେକ୍ଷାର ଏକମାତ୍ର କାରଣ ହୋଇପାରେ । ହରିଶଙ୍କର ମନେ କଲେ–ଜୀବନରେ ଏତେ ବଡ଼ ଗୋଟାଏ ଘଟଣା ଗୋପନ ରହି ଯାଉଛି । ସେଥିରେ କିଛି ଲାଭ ନାହିଁ, କିଏ କେତେ ରକମ ମନେ କରିପାରେ । ସେଟାକୁ ପ୍ରକାଶ୍ୟରୂପେ ସମାଜ ଆଗରେ ଅନାଦୃତ କରି ଦେବାକୁ ହେବ । ସମସ୍ତଙ୍କର ଭୁଲ ଭାଙ୍ଗି ଦେବାକୁ ହେବ । ପୁରୋହିତ ଡାକି କବଚ କରି ଟିକିଏ ମନ୍ତ୍ର ପଢ଼େଇ ନେବାକୁ ପଡ଼ିବ । ଗୋଟାଏ ଶଙ୍ଖ ବାଜିବା ବି ଦରକାର । ହୁଏତ ସେହି ଶଙ୍ଖସ୍ୱରରେ ଆରୋହଣ କରି ସତ୍ୟଟା ବିସ୍ତାରଲାଭ କରିବାର ସୁଯୋଗ ପାଇବ । କିନ୍ତୁ ମିଥ୍ୟା ଆଡ଼ମ୍ୱର କରି ଗୁଡ଼ାଏ ଅର୍ଥଶ୍ରାଦ୍ଧ କରିବାକୁ ଦିଆଯିବ ନାହିଁ । ବିବାହଟା ତାମସା ନୁହେଁ–ସମାଜ ତାହା ଜାଣିବା ଉଚିତ ।

 

ଏହିପରି ଭାବୁଁ ଭାବୁଁ ଗାଡ଼ି ଆସି କଟକ ଷ୍ଟେସନରେ ପହୁଞ୍ଚିଲା । ହରିଶଙ୍କରଙ୍କର କଟକରେ ଟିକିଏ କାମ ଥିଲା । ସୁତରାଂ ତାଙ୍କୁ କଟକରେ ଓହ୍ଲାଇବାକୁ ପଡ଼ିଲା । କାମସାରି ସେହିଦିନ ପୁଣି ସେ କଟକରୁ ବାହାରି ପଡ଼ିଲେ । ମେରାମଣ୍ଡଳୀ ଷ୍ଟସନରେ ପହୁଞ୍ଚି ମଟର ଚଢ଼ି ସେ ସମ୍ୱଲପୁରରେ ଯାଇ ଉପସ୍ଥିତ ହେଲେ ।

 

ରୀତିମତ ବିବାହ କରିବାର ଅଭିଳାଷଟା ବର୍ତ୍ତମାନ ପ୍ରବଳତର ହେବାକୁ ଲାଗିଲା । ପ୍ରତିଦିନ ସେ ସମ୍ୱନ୍ଧରେ କିଛି ନା କଛି ସେ ଭାବନ୍ତି । ଅବଶେଷରେ ସେ ଗୋଟାଏ ସିଦ୍ଧାନ୍ତରେ ଉପନୀତ ହୋଇଗଲେ । ଆଉ ବିଳମ୍ୱ କରିବାକୁ ହେବ ନାହିଁ । ଏହି ଆଗାମୀ ବୈଶାଖ ମାସରେ ହିଁ ବିବାହଟା ସମ୍ପନ୍ନ କରିବାକୁ ହେବ ।

 

ଦୁଇଦିନ ପରେ ସେ ଘରକୁ ଚିଠି ଲେଖି ତାହା ଜଣାଇ ଦେଲେ । ତିନିଖଣ୍ଡ ଚିଠି ସେ ତିନି ଜଣଙ୍କ ପାଖକୁ ଲେଖିଲେ । ଖଣ୍ଡେ ମା’ ରାଧାପ୍ରିୟାଙ୍କ ପାଖକୁ, ଆଉ ଖଣ୍ଡେ ମାତୁଳ କୃଷ୍ଣମାଧବଙ୍କ ନାମରେ ଓ ତୃତୀୟଖଣ୍ଡ ରାଧୁଗୁମାସ୍ତାଙ୍କ ନିକଟକୁ । ସମସ୍ତ ଚିଠି ଗୋଟାଏ ଖୋଳରେ ଭର୍ତ୍ତିକରି ଗୁମାସ୍ତାଙ୍କ ନାମରେ ପଠାଇଦେଲେ ।

 

ମାଆଙ୍କ ନିକଟକୁ ସେ ଯେଉଁ ପତ୍ର ଦେଲେ ସେଥିରେ ସେ ନିଜର ସିଦ୍ଧାନ୍ତଟା ବିଷୟ ଉଲ୍ଲେଖ କରି ଅନେକ କଥା ବୁଝାଇବାକୁ ଚେଷ୍ଟା କରିଥିଲେ । ସମସ୍ତ କଥା ଏଠାରେ କହି କିଛି ଲାଭ ନାହିଁ । ତେବେ ସଂକ୍ଷେପରେ ଏତିକି କୁହାଯାଇ ପାରେ ଯେ ସେହି ଦୀର୍ଘ ପତ୍ରଟାରେ ସେ ବିବାହ ପ୍ରଥାର ଗୋଟାଏ ଆମୂଳଚୂଳ ଇତିହାସ ଲେଖିବାକୁ ଛାଡ଼ି ନ ଥିଲେ । ବିବାହପ୍ରଥା କିପରି ସୃଷ୍ଟି ହେଲା, ବୈଦିକଯୁଗରେ ଆମ ଦେଶରେ କିପରି ବିବାହ ପ୍ରଚଳିତ ଥିଲା, ଏକ ସମୟରେ କିପରି ବିବାହରେ ଜାତି ବିଚାର ନ ଥିଲା, ବ୍ରାହ୍ମଣ କିପରି କ୍ଷତ୍ରିୟ ବା ବୈଶ୍ୟ ଘରେ ବିବାହ କରୁଥିଲା, ଅନ୍ୟ ଆର୍ଯ୍ୟଜାତି କିପରି ବ୍ରାହ୍ମଣ ଘରେ ବିବାହ କରି ପାରୁଥିଲେ, ଆଜିକାଲି ଶୁଦ୍ର ବୋଲି ଯେଉଁ କଥାଟା ବ୍ରାହ୍ମଣତର ସମସ୍ତଙ୍କୁ ବୁଝଉଛି ତାହା କିପରି ଅର୍ଥହୀନ, ଅନ୍ୟାନ୍ୟ ଦେଶରେ କିପରି ବିବାହ ବ୍ୟବସ୍ଥା ଚଳେ ଇତ୍ୟାଦି ସମସ୍ତ ବିଷୟ ଆଲୋଚନା କରି ସେ ପତ୍ରଖଣ୍ଡି ପରିପୂର୍ଣ୍ଣ କରି ଦେଇଥିଲେ । ପଢ଼ିଲେ ମନେ ହେବ–ତାହା ପତ୍ର ନୁହେଁ, ଗୋଟାଏ ଥିସିସ୍‍, ସତେ ଯେପରି ଡକ୍‍ଟରେଟ ପାଇବା ପାଇଁ ଗୋଟାଏ ଉଦ୍ୟମ । ଭାବପ୍ରବଣ ହରିଶଙ୍କର ଭାବୋଚ୍ଛ୍ୱାସରେ ଯେତେବେଳେ ଭାସିଯାନ୍ତି, ସେତେବେଳେ କାହାର କେତେ ବୁଝିବାର ଶକ୍ତି, କିଏ କେତେଟା ଗ୍ରହଣ କରିପାରେ, ତା’ ସମ୍ପୂର୍ଣ୍ଣ ଭୁଲିଯାନ୍ତି ।

 

କୃଷ୍ଣମାଧବଙ୍କ ନିକଟକୁ ସେ ଏତେ ବିସ୍ତୃତ କରି ପତ୍ର ଲେଖି ନ ଥିଲେ । କେବଳ ନିଜର ଉଦ୍ଦେଶ୍ୟଟା ବ୍ୟକ୍ତ କରିଥିଲେ । ତା’ ସଙ୍ଗେ ସଙ୍ଗେ ତାଙ୍କର କିପରି ଘଟଣାରେ ସୁଷି ସଙ୍ଗରେ ପରିଚୟ ହେଲା, ସୁଷିର ମୁମୁର୍ଷୁ ମା’ ନିକଟରେ ସେ କିପରି ନିରାଶ୍ରୟା କନ୍ୟାର ସମସ୍ତ ଭାର ନିଜମୁଣ୍ଡରେ ନେବାକୁ ପ୍ରତିଶ୍ରୁତି ହୋଇଥିଲେ, ତା’ପରେ ଯାହା ଘଟିଥିଲା, ତା’ ସବୁ ସେ ବର୍ଣ୍ଣନା କରିଥିଲେ । ଶେଷରେ ସେ ଲେଖିଥିଲେ, କୌଣସି ଆଡ଼ମ୍ବର ନ କରି କେବଳ ଧର୍ମ୍ମସଙ୍ଗତ ବିଧିବିଧାନ ଅନୁସାରେ ସେ ବିବାହଟା ସମ୍ପନ୍ନ କରିବାକୁ ଚାହାନ୍ତି ।

 

ରାଧୁ ଗୁମାସ୍ତାଙ୍କ ପାଖକୁ ସେ କେବଳ ଏତିକି ଲେଖିଥିଲେ ଯେ ମାତୁଳ କୃଷ୍ଣମାଧବ ଜମିଦାରୀ ଗସ୍ତରୁ ଫେରିଲେ ତାଙ୍କୁ ତାଙ୍କର ପତ୍ରଟି ଦେବେ ଓ ଅନ୍ୟପତ୍ର ଖଣ୍ଡି ମାଆଙ୍କ ନିକଟକୁ ପଠାଇଦେବେ ।

 

ଚିଠି ତିନିଖଣ୍ଡି ଲେଖି ଓ ଯଥାସମୟରେ ଡାକରେ ଦେଇ ହରିଶଙ୍କର ଗୋଟାଏ ସମାପ୍ତିର ନିଃଶ୍ୱାସ ପକାଇ କହିଲେ–ଯାଃ ଏବେ କଥା ଛିଣ୍ଡିଗଲା,–ଆଉ ଅଡ଼ୁଆ ନାହିଁ ।

 

ଏଥର ଗୋଟାଏ ସୁନିର୍ମଳ ତୃପ୍ତିର ସ୍ରୋତ ତାଙ୍କର ପ୍ରାଣେ ପ୍ରାଣେ କଳକଳ ନାଦ କରି ବହିଗଲା ।

Image

 

ପଞ୍ଚଦଶ ପରିଚ୍ଛେଦ

 

କୃଷ୍ଣମାଧବଙ୍କୁ ଜମିଦାରୀ ଗ୍ରସ୍ତରେ ଯାଇ ସେଥିରେ ଫେରିବାକୁ ବହୁତ ଦିନ ବିଳମ୍ୱ ହେଲା । ସମୟ ସମୟରେ ଏହିପରି ବିଳମ୍ୱ ହୋଇଥାଏ । ଗୋଟାଏ କଚେରୀରୁ ଅନ୍ୟ ଗୋଟାଏ କଚେରୀ, ସେଠାରୁ ଆଉ ଏକ କଚେରୀକୁ ଯାଇ ପ୍ରତ୍ୟେକ ସ୍ଥାନରେ କିଛି କିଛି ଦିନ ଅବସ୍ଥାନ କରି, କର୍ମଚାରୀମାନଙ୍କ ସାହଯ୍ୟରେ ଖଜଣାପତି ଆଦାୟ ଅସୁଲ କରି, ହାରିଗୁହାରି ଶୁଣି, ନ୍ୟାୟନିଷ୍ପତ୍ତି କରି ଘରକୁ ଫେରିବାକୁ ତାଙ୍କୁ ଅନେକ ଦିନ ଲାଗିଯାଏ । ପ୍ରକାଣ୍ଡ ଜମିଦାରୀର ସମସ୍ତ ଭାର ତାଙ୍କ ଉପରେ–କର୍ମଚାରୀମାନେ ସମସ୍ତେ କାର୍ଯ୍ୟତଃ ତାଙ୍କ ଅଧୀନରେ । ସେହିମାନଙ୍କୁ ନେଇ ସେ ଏତେ ବଡ଼ ଜମିଦାରୀର ରକ୍ଷଣାବେକ୍ଷଣ କରନ୍ତି । ଘରେ ବାହାରେ ତାଙ୍କର ଅଖଣ୍ଡ ପ୍ରତାପ । ହରିଶଙ୍କରଙ୍କ ପିତା ଶିବଶଙ୍କର ତାଙ୍କୁ ନିଜର ସହୋଦର ପରି ଜ୍ଞାନ କରୁଥିଲେ । ଉଭୟଙ୍କ ମଧ୍ୟରେ ଅଗାଧ ଅପରିସୀମ ସୌହାର୍ଦ୍ଦ୍ୟ ଥିଲା । ଶିବଶଙ୍କରଙ୍କର ସେ ଥିଲେ ସଙ୍ଗୀ, ଆତ୍ମୀୟ, ସୁହୃଦ, ସହଚର, ଅମାତ୍ୟ ସବୁ । କୃଷ୍ଣମାଧବ ନ ହେଲେ ଶିବଶଙ୍କରଙ୍କର ଦଣ୍ଡେ ଚଳୁ ନ ଥିଲା । କୃଷ୍ଣମାଧବଙ୍କ ପରାମର୍ଶ ନ ନେଲେ ଶିବଶଙ୍କର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିଲେ । ଖାଇବା, ପିଇବା, ବସିବା, ଉଠିବାରୁ ଆରମ୍ଭ କରି ବିଶାଳ ଜମିଦାରୀ ଶାସନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶିବଶଙ୍କର କୃଷ୍ଣମାଧବଙ୍କ ସାହାଯ୍ୟରେ ସମ୍ପନ୍ନ କରୁଥିଲେ । ବାସ୍ତବିକ କହିବାକୁ ଗଲେ, ଶିବଶଙ୍କର ଥିଲେ ନାମତଃ ଜମିଦାର, କୃଷ୍ଣମାଧବ ଥିଲେ ସେହି ଜମିଦାରୀର ଶାସକ ଓ ଚାଳକ–ପ୍ରକୃତ ଜମିଦାର । ଖୁବ୍‍ କମ ସମୟରେ ଉଭୟଙ୍କ ମଧ୍ୟରେ ମତଭେଦ ହେଉଥିବାର ଦେଖାଯାଉଥିଲା–ପ୍ରାୟ ନ ହେଉଥିଲା କହିଲେ ଚଳେ । କୃଷ୍ଣମାଧବଙ୍କ ପିତା ସମସ୍ତ ପୈତୃକ ସମ୍ପତ୍ତି ବିଳାସରେ ଉଡ଼େଇଦେଇ, ସର୍ବସ୍ୱାନ୍ତ ହୋଇ, ପୁତ୍ରକୁ ଏକପ୍ରକାର ଦାଣ୍ଡର ଭିକାରି କରି, ସଂସାରକୁ ଫାଙ୍କି ଦେଇ ଚିରଦିନ ପାଇଁ ଇହଧାମରୁ ଅନ୍ତର୍ହିତ ହୋଇ ଯାଇଥିଲେ । ମା’ ମଧ୍ୟ ତହିଁ ପୂର୍ବରୁ ସତୀ ସ୍ୱର୍ଗରେ ନିଜପାଇଁ ଯତ୍‍ସାମାନ୍ୟ ଖଣ୍ଡିଏ ସ୍ଥାନର ଯୋଗାଡ଼ କରି ନେଇଥିଲେ । ସୁତରାଂ ପିତାର ମୃତ୍ୟୁପରେ କୃଷ୍ଣମାଧବ ଯେତେବେଳେ ଦିଗ୍‍ବିଦିଗ ଶୂନ୍ୟ ଦେଖୁଥିଲେ, ସେତେବେଳେ ନିଃସହାୟର ସହାୟ ହୋଇ ଛିଡ଼ା ହୋଇଥିଲେ ଭଗିନୀପତି ଶିବଶଙ୍କର । ପିତୃଶ୍ରାଦ୍ଧ ପରେ ଶିବଶଙ୍କର କୃଷ୍ଣମାଧବଙ୍କୁ ନିର୍ଜନରେ ଡାକି କହିଥିଲେ–’କୃଷ୍ଣ, ଆଉ କାହିଁକି ଭାଇ, ଏ ସ୍ଥାନରେ ଏକାକୀ ପଡ଼ିରହି କି ଲାଭ ? ଚାଲ, ଦୁଇଭାଇ ଏକାଠି ରହି ପରସ୍ପର ପରସ୍ପରର ସଙ୍ଗସୁଖ ଭୋଗକରି ନିଶ୍ଚିନ୍ତରେ କଳାତିପାତ କରିବା । ଯଦି ତମର କୌଣସି ପ୍ରକାର ଅସୁବିଧା ହୁଏ, କିମ୍ୱା କିଛି ଅଭାବ ରହେ,–ସେଥିପାଇଁ ମୁଁ ଦାୟୀ । କୃଷ୍ଣମାଧବଙ୍କୁ ମଧ୍ୟ ସେହି ନିର୍ଜନ ଗୃହଟା ନିଷ୍ଠୁର ଦେବତାର ନିର୍ମ୍ମମ ପରିହାସ ପରି ବୋଧହେଉଥିଲା । ସେ କୌଣସି ଆପତ୍ତି ନ କରି, ବହଦିନରୁ ସ୍ଥିରକରି ରଖିଥିଲା ପରି ତୁରନ୍ତ ଜବାବ ଦେଇଥିଲେ–‘‘ଚାଲ ଭାଇ ।’’ କଥା ସଙ୍ଗେ ସଙ୍ଗେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ପତ୍ନୀ ପ୍ରେମଲତାଙ୍କୁ ଡାକି ସେ ତତ୍‍କ୍ଷଣାତ୍‍ ଆଦେଶ ଦେଇଥିଲେ–‘ଜିନିଷପତ୍ର ବନ୍ଧାବନ୍ଧି କର ।’ ପ୍ରେମଲତା କ୍ଷଣକାଳ ଅବାକ୍‍ ରହି ପଚାରିଥିଲେ–‘କୁଆଡ଼େ ଯିବ ?’ କୃଷ୍ଣମାଧବ ଉତ୍ତର ଦେଇଥିଲେ–‘ଯିବାବେଳେ ପଚାରିବା ଅବଧି-।’ ସେହିଦିନ ଶିବଶଙ୍କର ଶ୍ୟାଳକ କୃଷ୍ଣମାଧବ, ଶ୍ୟାଳକପତ୍ନୀ ପ୍ରେମଲତା ଓ ଏକମାତ୍ର ସନ୍ତାନ ପାଞ୍ଚବର୍ଷର ବାଳୁତ କନ୍ୟାଟିକୁ ସଙ୍ଗରେ ନେଇ ନିଜ ନିବାସ ପ୍ରହରାଜପୁରରେ ଆସି ଉପସ୍ଥିତ ହୋଇଥିଲେ । ସେହିଦିନଠାରୁ ଦୁଇଟି ନଦୀର ସ୍ରୋତ ଏକ ହୋଇ ନିରବିଚ୍ଛିନ୍ନ ପ୍ରୀତିରେ ପ୍ରବାହିତ ହେଲା ପରି ଉଭୟ ପରିବାର ମିଶି ଏକାଠି ହୋଇ ଚଳିବାକୁ ଆରମ୍ଭ କରିଥିଲେ । କ୍ରମେ କ୍ରମେ କୃଷ୍ଣମାଧବ ଏହି ସମ୍ମିଳିତ ପରିବାରର ଏକ ବିଶିଷ୍ଟ ଅଙ୍ଗ ଓ ଅବଶେଷରେ କର୍ତ୍ତା ହୋଇ ପଡ଼ିଥିଲେ-। ଶିବଶଙ୍କର ତାଙ୍କୁ ଘରେ ବାହାରେ ଅବାଧ କର୍ତ୍ତୃତ୍ୱ ଅର୍ପଣ କରିଥିଲେ । ଘରେ ସେ ଥିଲେ ଗୃହ ସଂସାରର ସର୍ବନିୟନ୍ତା ଓ ବାହାରେ ଜମିଦାରୀର ସର୍ବକ୍ଷମତାସମ୍ପନ୍ନ ମେନେଜର । ଏହି ଘଟଣାର ଦଶବର୍ଷ ପରେ ତାଙ୍କ କନ୍ୟାର ବିବାହ ଓ ବାରବର୍ଷ ପରେ ପତ୍ନୀବିୟୋଗ ଘଟିଥିଲା-। ତା’ର କିଛିଦିନ ପରେ ନିଜେ ଶିବଶଙ୍କର ମଧ୍ୟ ଚିରକାଳ ପାଇଁ ତାଙ୍କର ସଙ୍ଗ ତ୍ୟାଗ କରି ଇହ ସଂସାରରୁ ଅନ୍ତର୍ହିତ ହୋଇ ଯାଇଥିଲେ । ଶିବଶଙ୍କରଙ୍କ ବିୟୋଗ ଅନ୍ତେ ବି ସେ ପୂର୍ବଗୌରବରେ ପ୍ରତିଷ୍ଠିତ ରହି, ଘରର ସମସ୍ତ ତତ୍ତ୍ୱ, ଜମିଦାରୀର ସମସ୍ତ ହାଲଚାଲ ବୁଝାସୁଝା କରୁଥିଲେ । ହରିଶଙ୍କର ତାଙ୍କୁ ପିତୃବତ୍‍ ଜ୍ଞାନ କରି, ତାଙ୍କରି ସ୍କନ୍ଧରେ ସମସ୍ତ ଭାର ରଖି, ତାଙ୍କର କର୍ଯ୍ୟକଳାପରେ ବିଶେଷ କିଛି ହସ୍ତକ୍ଷେପ ନ କରି ଏକପ୍ରକାର ନିଶ୍ଚିନ୍ତରେ ନିଜର କର୍ମ୍ମମୟ ଉତ୍‍ସୃଷ୍ଟ ଜୀବନ ଯାପନ କରୁଥିଲେ । ଘରେ କୃଷ୍ଣମାଧବଙ୍କ କଥାରେ କେହି ପ୍ରତିବାଦ କରିବାକୁ ସାହସ କରୁ ନ ଥିଲେ, କାରଣ ତାଙ୍କର ସାଂସାରିକ ଅଭିଜ୍ଞତା ଓ ଦୂରଦର୍ଶିତାରେ ସମସ୍ତେ ଆସ୍ଥାବାନ୍‍ ଥିଲେ । ଜମିଦାରୀରେ ପ୍ରଜାମାନେ ତାଙ୍କୁ ବଡ଼ ଭୟ କରୁଥିଲେ । ତାଙ୍କର ବିରୁଦ୍ଧାଚରଣ କରି କୌଣସି ପ୍ରଜା ସହଜରେ ଜମିଦାରୀରେ ବାସ କରି ପାରୁ ନ ଥିଲା ।

 

ଏଥର ଜମିଦାରୀ ଗ୍ରସ୍ତର ଶେଷବେଳକୁ କୃଷ୍ଣମାଧବ ଆସି ଉପସ୍ଥିତ ହୋଇଗଲେ ସେହି ଗ୍ରାମରେ,–ଯେଉଁ ଗ୍ରାମରେ କେତେକ ପ୍ରଜା ମିଳି ସେ ଦିନ ହରିଶଙ୍କରଙ୍କଠାରୁ କୃଷ୍ଣମାଧବଙ୍କ ଅନୁପସ୍ଥିତିରେ ଅନାବାଦି ଜମିଗୁଡ଼ିକ ଚାଷକରିବା ପାଇଁ ଅନୁମତି ଆଣିଥିଲେ । ସେହି ଅନୁମତି ବଳରେ ସେମାନେ ଗ୍ରାମକୁ ଫେରିଆସି ଜମିଗୁଡ଼ାକ ଚାଷୋପଯୋଗୀ କରିବା ବିଷୟରେ ତତ୍ପର ହୋଇପଡ଼ିଥିଲେ । ଇତିମଧ୍ୟରେ ସେମାନେ ଆପଣା ଆପଣାର ଅଂଶ ବାଣ୍ଟିନେଇ ତାହାର ସୀମା ଗଠନ କରିନେଇଥିଲେ । ପ୍ରତ୍ୟକ ଚାଷୀ ତା’ର ଭାଗଜମି ଛୋଟ ବଡ଼ କିଆରୀରେ ବିଭକ୍ତ କରି ହିଡ଼ ଟେକି ଦେଇଥିଲେ । ମାଘ ମାସରେ ଆଚ୍ଛାକରି ଦି’ ଅସ୍ରା ବୃଷ୍ଟି ହୋଇଯାଇଥିବାରୁ କେହି କେହି ହଳ ପକାଇ ସାରିଥିଲେ । ଅନେକ ଦିନର ପଡ଼ିଆ ଜମି, ଘାସ ନ ମଲେ ଫସଲ ହେବ ନାହିଁ-। ସୁତରାଂ ଚାଷୀମାନେ ଆଗରୁ ଗାରେ ଦି’ ଗାର ପକାଇ ଘାସ ମାରିବାକୁ ଯତ୍ନବାନ୍‍ ହୋଇଥିଲେ-

 

କୃଷ୍ଣମାଧବ ସେ ଗାଁରେ ପହଞ୍ଚିଲା ପରେ ଜଣେ ଅଧେ ଚୁଗୁଲିଆ ପରଶ୍ରୀ-ଅସହିଷ୍ଣୁ ଲୋକ ଆସି ସେମାନଙ୍କ ନାମରେ ଚୁଗୁଲି ବାଢ଼ିଥିଲେ । ଅମୁକ ଅମୁକ ଲୋକେ ଜବରଦସ୍ତି କରି ଜମିଦାରଙ୍କ ଅନାବାଦୀ ଜମି ଚଷି ପକାଉଛନ୍ତି ବୋଲି ଆପତ୍ତି କରିଥିଲେ । କୃଷ୍ଣମାଧବଙ୍କର ମନେ ପଡ଼ିଗଲା, କେତେକ ପ୍ରଜା ଅନେକ ଦିନରୁ ସେଥିପାଇଁ ପ୍ରାର୍ଥୀ ଥିଲେ,–ଜମିଦାରଙ୍କ ସିରସ୍ତାରେ ଦରଖାସ୍ତ କରିଥିଲେ । ସଲାମି କଥାଟା ନେଇ ଜମିଦାର ପ୍ରଜାଙ୍କ ମଧ୍ୟରେ ଭିଡ଼ା ଓଟରା ଲାଗିଥିଲା-। କିନ୍ତୁ କାହାରିଠାରୁ ତ ସେ ଏପର୍ଯ୍ୟନ୍ତ ସଲାମି ଗ୍ରହଣ କରି ନାହାନ୍ତି । ମାଣକେ ଦେଢ଼ଶହ ଟଙ୍କା କରି ସଲାମି ନ ଦେଲେ କେହି ସେ ଜମିର ପାଖ ପଶି ପାରିବ ନାହିଁ ବୋଲି ସେମାନଙ୍କୁ ସ୍ପଷ୍ଟକରି ଶୁଣାଇ ଦେଇଛନ୍ତି । ଏପରି ଅବସ୍ଥାରେ ସେମାନଙ୍କର ଏତେ ବଡ଼ ଦିମାକ ଯେ ସେମାନେ ଚାଷ କରିବାକୁ ଆରମ୍ଭ କରିଦେଇଛନ୍ତି । ପ୍ରଥମେ କୃଷ୍ଣମାଧବଙ୍କର କଥାଟା ବିଶ୍ୱାସ ହେଲା ନାହିଁ । କିନ୍ତୁ ପରେ ବିଶେଷ ଅନୁସନ୍ଧାନ କରି ବୁଝିଲେ ଯେ ତାହା ସମ୍ପୂର୍ଣ୍ଣ ସତ୍ୟ,–ସେଥିରେ ଟିକେ ହେଲେ ମିଛ ନାହିଁ । କ୍ରୋଧରେ ତାଙ୍କର ରକ୍ତମାଂସ ଗରମ ହୋଇ ଉଠିଲା । ତୁମୂଳ ଗର୍ଜନ କରି ସେ କଚେରୀ ଘରର ବାରନ୍ଦା କମ୍ପାଇଦେଲେ । ‘‘କାହାର ହୁକୁମରେ, କାହାର ହୁକୁମରେ ଶଳାଏ ସେ ଜାଗାରେ ପାଦ ପକେଇଲେ ? ଯାଓ, ଅଭି ଯାଓ, ସବ୍‍ ସାଲୋକୋ ପକଡ଼ ଲାଓ’’–ବୋଲି କହି ସେ କଚାଡ଼ି ହେବାକୁ ଲାଗିଲେ । ଯମଦୂତପରି ପାଞ୍ଚ ପାଞ୍ଚଟା ଦାଢ଼ିବାଲା ମୁସଲମାନ ବରକନ୍ଦାଜ ଠେଙ୍ଗା ଧରି ଧାଇଁଲେ । କୃଷ୍ଣମାଧବଙ୍କର କଡ଼ା ହୁକୁମ୍‍–ବସିଲା ଠାରୁ ଉଠାଇ ଆଣିବ-। ବରକନ୍ଦାଜ ଗୁଡ଼ାକ ବି ସେ ବିଷୟରେ ଭାରି ପକ୍‍କା । ଗୋଟି ଗୋଟି କରି ସମସ୍ତଙ୍କୁ ଧରି ଆଣିଲେ । ଅଖିଆ ଅପିଆ ସେମାନଙ୍କୁ ଆସି ଜମିଦାରଙ୍କ କଚେରୀଦୁଆରେ ହାଜର ହେବାକୁ ପଡ଼ିଲା । ନିରୀହ ପ୍ରଜାଗୁଡ଼ାକ ଉପରେ କୃଷ୍ଣମାଧବ ଏକାବେଳକେ ପଞ୍ଚମ ହୋଇଉଠିଲେ-। ଯେତେ ଅଶ୍ରାବ୍ୟ ଅକଥ୍ୟ ଭାଷା ତୁଣ୍ଡକୁ ଆସିଲା ତା’ ସମସ୍ତ ପ୍ରୟୋଗ କରି ଚାଲିଗଲେ-। ଗରୀବ ପ୍ରଜାଗୁଡ଼ାକ ମୁଣ୍ଡ ତଳକୁ ପୋତି ନୀରବରେ ସମସ୍ତ ଶୁଣି ବଡ଼ କଷ୍ଟରେ ତାହା ବରଦାସ୍ତ କରିବାକୁ ଲାଗିଲେ । କୃଷ୍ଣମାଧବଙ୍କ ଅଗ୍ନ୍ୟୁଦ୍‍ଗାର ଦେଖି ସମସ୍ତେ ଅବାକ୍‍ ହୋଇ ରହିଲେ ।

 

ଘଣ୍ଟାଏ କାଳ ଅଗ୍ନିବର୍ଷଣ ପରେ କୃଷ୍ଣମାଧବ କହିଲେ–ଦେଖ, ଭଲ ଦଶା ଥିଲେ ଆଗେ ସେ ଜମି ଉପରୁ ସମସ୍ତ ହିଡ଼ କାଟି ସଫା କର, ଆଉ ମୁଣ୍ଡପିଛା ପଚିଶ ଟଙ୍କା ଜରିମାନ ଦାଖଲ କର । ପରେ ଆଉ ଯେଉଁ କଥା ।

 

ପ୍ରଜାଗୁଡ଼ାକ ଉପରେ ଆକାଶ ଛିଣ୍ଡିଲା । ଏତେ ପରିଶ୍ରମ କରି ସେମାନେ ହିଡ଼ବାଡ଼ି ଦେଇଥିଲେ, ହଳ କରିଥିଲେ । ସେ ସବୁ ତ ଗଲା, ତା’ପରେ ପୁଣି ପଚିଶ ପଚିଶ କରି ଜରିମାନା । ନ ଦେଲେ ତ ରକ୍ଷା ନାହିଁ । କୃଷ୍ଣମାଧବ ଯମ, କିନ୍ତୁ ଦେବେ କେଉଁଠୁ ଆଣି ? କି ଅନ୍ୟାୟ ! ଖୋଦ୍‍ ଜମିଦାର ବାବୁଙ୍କ ହୁକୁମ ପାଇ ସେମାନେ ଚାଷ ଆରମ୍ଭ କରିଛନ୍ତି, ଜୋର ଜବରଦସ୍ତି କରି ନୁହେଁ । ଆଜି ପୁଣି କୃଷ୍ଣମାଧବଙ୍କର ଏ କି ହୁକୁମ ? ଏ କି ଅକାଳ ବଜ୍ରପାତ ! ପ୍ରଜାମାନଙ୍କ ମଧ୍ୟରୁ ଜଣେ ଉଠିଯାଇ ଗୋଡ଼ ଧରି ପକେଇଲା । କୃଷ୍ଣମାଧବ ତାକୁ ଗୋଇଠାଏ ଦେଲେ । ଗର୍ଜନ କରି ହିନ୍ଦି ଝାଡ଼ିଲେ–‘ ସୁଅରକା ବଚ୍ଚା, ମେହେନ୍ତରକା ଗୋଲାମ୍‍, ହାରମ୍‍ଜାଦା ପାଜି କାହାଁକା । ଏସା ଦିମାକ୍‍-। ଜମିନ୍‍ ଉପରକୋ ଯାନେକା ବାସ୍ତେ କୋନ୍‍ ବୋଲାରେ ?‘ ଗୋଇଠା ଖାଇ ମଧ୍ୟ ଗରୀବ ପ୍ରଜାଟି ଗୋଡ଼ ଧରି ପଡ଼ିରହିଲା । ଅନ୍ୟେନ୍ୟ ସମସ୍ତେ ହାତଯୋଡ଼ି କହିଲେ–ହଜୁରଙ୍କ ସିରସ୍ତାରୁ ହୁକୁମ୍‍ ପାଇ ଆମେ ସିନା ଜମି ମାଡ଼ିଲୁଁ, ନ ହେଲେ କି କାହାର ଏତେ ବହପ ହୁଅନ୍ତା ? ହଜୁର ଯଦି କହିବେ–ଆମେ ଛାଡ଼ିଯିବୁଁ, ଆମର ମୂଲ ମଜୁରି ଦେହ ମେହେନତ୍‍ ସବୁ ପଛେ ଗଲା ।

 

କଥାଟା ଶୁଣି କୃଷ୍ଣମାଧବ ଚମକି ଉଠିଲେ । କ’ଣ ? ହଜୁରଙ୍କ ସିରସ୍ତା ହୁକୁମ୍‍ ପାଇ ? କିଏ ହୁକୁମ ଦେଲା ? କେବେ ? ପ୍ରଜାମାନେ ବିନୀତଭାବରେ ଉତ୍ତର ଦେଲେ ଖୋଦ୍‍ ଜମିଦାରବାବୁଙ୍କ ହୁକୁମ୍‍ରେ ସେମାନେ ଚାଷ ଆରମ୍ଭ କରିଛନ୍ତି । କୃଷ୍ଣମାଧବ ପୁନଶ୍ଚ ଚମକି ଉଠିଲେ । ପଚାରିଲେ, କିଏ–ହରିଶଙ୍କର ? ପ୍ରଜାମାନେ ଉତ୍ତର ଦେଲେ–‘ ଆଜ୍ଞା, ହଁ ।’ ତତ୍ପରେ ଗୋଟି ଗୋଟି କରି ସେ ଦିନର ସମସ୍ତ ଘଟଣା କହିଗଲେ । କିପରି ସେମାନେ ସେଦିନ କୃଷ୍ଣମାଧବଙ୍କ ନିକଟରେ ଗୁହାରି କରିବାକୁ ଯାଇଥିଲେ, କିନ୍ତୁ କୃଷ୍ଣମାଧବ ଅନୁପସ୍ଥିତ ଥିଲେ; ଜମିଦାରବାବୁ ନିଜେ ତାଙ୍କର ଗୁହାରି ଶୁଣି ହୁକୁମ ଦେଇଥିଲେ, ରାଧୁ ଗୁମାସ୍ତା ସେମାନଙ୍କୁ ତାଙ୍କର ଆଦେଶ ପଢ଼ି ଶୁଣାଇ ଦେଇଥିଲେ, ଇତ୍ୟାଦି ଇତ୍ୟାଦି ।

 

କଥାଟା ଶୁଣି କୃଷ୍ଣମାଧବ ଅବାକ୍‍ ହୋଇଗଲେ । କିନ୍ତୁ ଅବିଶ୍ୱାସ କରିବାର ଉପାୟ ନାହିଁ । ତାଙ୍କ ମୁହଁ ଉପରେ ଏଡ଼େ ବଡ଼ ଗୋଟାଏ ମିଥ୍ୟା କହିବାକୁ ପ୍ରଜାମାନେ କଦାପି ସାହସ କରିବେ ନାହିଁ । ସେ କିଛିକ୍ଷଣ ଗୁମ୍‍ ମାରି ବସି ରହିଲେ । ଭାବିଲେ–ବୋଧହୁଏ ହରିଶଙ୍କର ଘରକୁ ଫେରିଆସିଛି, ନିଜର ଅନୁପସ୍ଥିତିରେ ଏହିପରି ଏକ କାଣ୍ଡ ଘଟିଯାଇଛି । ଖମଖିଆଲିଆ ଟୋକା ! ପାଠପଢ଼ି ମୂର୍ଖ । ଜମିଦାରକୁଳରେ ଜନ୍ମହୋଇ ଜମିଦାର ଗିରି କରି ଜାଣେ ନାହିଁ, ମସ୍ତ ପାଗଳ । ଏହା ଭିତରେ ଘରକୁ ଫେରିଆସି ଏ ବୁଦ୍ଧିହୀନତା ପ୍ରକାଶ କରି ବସିଛି । କୃଷ୍ଣମାଧବ ବହୁଦିନାବଧି ଘରେ ଅନୁପସ୍ଥିତ ଥିବାରୁ ଏସବୁ ତାଙ୍କୁ ମାଲୁମ୍‍ ନାହିଁ । ପ୍ରଜାମାନଙ୍କ ଉପରେ ଯେଉଁ ରାଗଖଣ୍ଡକ ଚଢ଼ିଥିଲା ତାହା ବର୍ତ୍ତମାନ ହରିଶଙ୍କରଙ୍କୁ ଲକ୍ଷ୍ୟ କରି ତେଜି ଉଠିଲା । ଗରମ୍‍ ମିଞ୍ଜାସରେ ଭାବିଲେ–ନିଜ ଜମିଦାରୀ ପରିଚାଳନା କରିବାକୁ ହରିଶଙ୍କରଙ୍କର ଯଦି ଏତେ ଇଚ୍ଛା, ତେବେ ଆଜି କାହିଁକି ସେ ସମସ୍ତ କାଗଜପତ୍ର ବୁଝି ନେଉ ନାହିଁ ? ତା’ହେଲେ ତ କୃଷ୍ଣମାଧବ ନିଶ୍ଚିନ୍ତ ହୋଇପାରନ୍ତେ । ତା’ର ଜମିଦାରୀ ସେ ଚଳେଇବ, ଯେପରି ଇଚ୍ଛା ସେପରି ଚଳେଇବ । ସେଥିପାଇଁ ସେ ଯଦି ଅନ୍ୟଲୋକର ପରାମର୍ଶ ନ ଲୋଡ଼େ, ତେବେ କୃଷ୍ଣମାଧବ କାହିଁକି ଉପରେ ପଡ଼ି ତାହା ଦେବାକୁ ଯିବେ ? ନା, ଯେତେଦିନ ତା’ ହୋଇଥିଲା ସେତେ ଦିନ, ଆଉ ନୁହେଁ । ଆଗ ଯୁଗକୁ ବାଘ ଖାଇଲାଣି । ତାଙ୍କ ପରାମର୍ଶର ଆଉ ପ୍ରୟୋଜନ ନାହିଁ । ସୁତରାଂ ତାଙ୍କୁ ଏ ଝକ୍‍ମାରି କାମ ଛାଡ଼ିବାକୁ ହେବ ।

 

କୃଷ୍ଣମାଧବ ଏହିପରି କେତେ କ’ଣ ଗରମ ମିଞ୍ଜାସରେ ଭାବିଗଲେ । କିନ୍ତୁ ଏସବୁ ଭାବ ପ୍ରଜାମାନଙ୍କ ଆଗରେ ପ୍ରକାଶ କରିବାଟା ବିଜ୍ଞତାର କର୍ଯ୍ୟ ବୋଲି ମନେ କଲେ ନାହିଁ । କିଛି କ୍ଷଣ ନୀରବ ରହି ସେ କହିଲେ–ଦେଖ, ହରିଶଙ୍କର ଯେତେ ହେଲେ ପିଲା । ତାକୁ ଭୁଲେଇଭାଲେଇ ଏ ଭଳି କାମ ଥରେ କରି ନେଲ । କିନ୍ତୁ ପୁନର୍ବାର ଯଦି କର ତେବେ ଚିହ୍ନିବ, କୃଷ୍ଣମାଧବ କି ଭଳି ଲୋକ । ଏହା କହି ସେ ପ୍ରଜାମାନଙ୍କୁ ସତର୍କ କରି ଫେରାଇଦେଲେ । କିନ୍ତୁ କିପରି ଗୋଟାଏ ପରାଜୟର ଭାବ ତାଙ୍କ ପ୍ରାଣ ମଧ୍ୟରେ ଲାଖି ରହିଲା । ଭିତରେ ଭିତରେ ଗୋଟାଏ ଅବ୍ୟକ୍ତ ଅସ୍ତ୍ୱସ୍ତି କୁହୁଳିବାକୁ ଲାଗିଲା ।

 

କୃଷ୍ଣମାଧବ ଅନ୍ୟ କୌଣସି ସ୍ଥାନକୁ ନ ଯାଇ ସେଦିନ ଫେରି ଆସିଲେ । ଉଆସକୁ ନ ପଶି ଆଗେ କଚେରୀଘରେ ପ୍ରବେଶ କରି ରାଧୁଗୁମାସ୍ତାଙ୍କୁ ତଲବ କଲେ । ଗୁମାସ୍ତାବାବୁ ଆସିଲାରୁ ସମସ୍ତ ହାଲ ତନ୍ନ ତନ୍ନ କରି ବୁଝିଲେ । ପ୍ରଜାମାନଙ୍କ ଆବେଦନ ପତ୍ର ଉପରେ ହରିଶଙ୍କରଙ୍କ ସ୍ୱହସ୍ତ ଲିଖିତ ଆଦେଶ ପାଠକଲେ । ଏତେ ଗୁଡ଼ାଏ ଜମିବିବାଦ ଖୁବ୍‍ କମ୍‍ରେ ହଜାରେ ଟଙ୍କା ସଲାମି ମିଳିଥାନ୍ତା–ସେଥିରୁ ଗୋଟାଏ ପାହୁଲା ବି ଆଦାୟ କରାଯାଇ ନାହିଁ, ସମସ୍ତ ଛାଡ଼ି ଦିଆଯାଇଛି । କି ଦିଲଦାର ଅମୀର ! କୃଷ୍ଣମାଧବଙ୍କ ହାଡ଼ କଡ଼ କଡ଼ ହୋଇ ଉଠିଲା । ରାଧୁଗୁମାସ୍ତା ଉପରକୁ କାଗଜଟା ଫୋପାଡ଼ି ଦେଇ ମୁହଁ ବିରକାଳି ତୀବ୍ର କଣ୍ଠରେ କହିଲା–ଏଠି ଜମିଦାରୀର ମଙ୍ଗଳା-ମଙ୍ଗଳ ଦେଖିବାକୁ ଅଛ ନା ଘାସ କାଟିବାକୁ ଅଛି ? ନିମକହାରାମ୍‍ ତମକୁ ସବୁ ଦୂର କରିବାକୁ ହେବ ।

 

ଗାଳିଖାଇ ରାଧୁଗୁମାସ୍ତା ମେଁ ମେଁ ହେବାକୁ ଲଗିଲେ । ବେକସୁର ବୋଲି ନିଜକୁ ପ୍ରମାଣ କରିବାକୁ ଚେଷ୍ଟାକରି ଭୟବଶତଃ କୃଷ୍ଣମାଧବଙ୍କ ସାମନାରେ କିଛି ହେଲେ କହି ପାରିଲେ ନାହିଁ, କେବଳ ଥଙ୍ଗ ଥଙ୍ଗ ହେବା ସାର ହେଲା । କୃଷ୍ଣମାଧବ କ୍ରୋଧରେ, ବିରକ୍ତିରେ ଭୟଙ୍କର ସ୍ଫୀତ ହୋଇ ନିଜର ବୈଠକଖାନାକୁ ଚାଲିଗଲେ ।

 

ରାଧୁ ହରିଶଙ୍କରଙ୍କ ଚିଠି ପାଇ ସାରିଥିଲେ । ରାଧାପ୍ରିୟାଙ୍କ ନିକଟକୁ ତାଙ୍କ ଚିଠିଟା ମଧ୍ୟ ପଠାଇ ଦେଇସାରିଥିଲେ । କିନ୍ତୁ କୃଷ୍ଣମାଧବଙ୍କ ପାଖକୁ ଲେଖାହୋଇଥିବା ଚିଠିଟା ତାଙ୍କ ପାଖରେ ଥିଲା । ଭୟରେ ସେ ଚିଠିଟାର କଥା ସେ ଭୁଲିଗଲେ, ଦେଇପାରିଲେ ନାହିଁ । ଭୁଲି ନ ଯାଇଥିଲେ ମଧ୍ୟ ସେତେବେଳେ ଦେଇ ପାରି ନ ଥାନ୍ତେ । କୃଷ୍ଣମାଧବଙ୍କ କ୍ରୋଧ ଓ ବିରକ୍ତି ଦେଖି ତାଙ୍କର ପ୍ଲୀହା ଜଳବତ୍‍ ତରଳ ହୋଇଯାଇଥିଲା । ପରେ ସୁସମୟ ଦେଖି ରାଧୁ ସେ ଚିଠିଟା କୃଷ୍ଣମାଧବଙ୍କ ହାତରେ ଅର୍ପଣ କରିବାକୁ ବିଚାରିଥିଲେ ।

Image

 

ଷୋଡ଼ଶ ପରିଚ୍ଛେଦ

 

କୌଣସି ଗୋଟାଏ ସୂତିଗନ୍ଧମୟ କଦର୍ଯ୍ୟ ରାସ୍ତା ଦେଇ ଯାଉଁ ଯାଉଁ ହଠାତ୍‍ ଯେତେବେଳେ ଗୁଡ଼ାଏ ସଦ୍ୟ ବିଷ୍ଠା ଉପରେ ପାଦ ପଡ଼ିଯାଏ, ସେତେବେଳେ ମନୁଷ୍ୟର ଅନ୍ତରାତ୍ମା ଯାହା ହୁଏ ଏବଂ ନାସା-ମୁଖର ଆକୃତି ଯେଉଁ ବିକୃତି ଧାରଣ କରେ, ହରିଶଙ୍କରଙ୍କ ଚିଠିଟା ପଢ଼ି କୃଷ୍ଣମାଧବଙ୍କର ଠିକ୍‍ ତାହା ହିଁ ହୋଇଗଲା । କି କୁତ୍ସିତ କଥା ! ବ୍ରାହ୍ମଣ ସହିତ ଶୁଦ୍ରର ବିବାହ ! କ’ଣ ଆଉ ବାକି ରହିଲା ? କଳିର ଭୋଗ ଏଥର ପରିପୂର୍ଣ୍ଣ । କୃଷ୍ଣମାଧବ ସ୍ତମ୍ଭୀଭୂତ ହୋଇ ବସିଗଲେ ।

 

ଜମିଦରୀ କାର୍ଯ୍ୟରେ ହରିଶଙ୍କରଙ୍କ ହସ୍ତକ୍ଷେପ ମନରେ ଦରୁଣ ଆଘାତ ଦେଇଥିଲା । କିନ୍ତୁ ସଂସାରାଭିଜ୍ଞ କୃଷ୍ଣମାଧବ ସେଟା କୌଣସି ପ୍ରକାରେ ସହିଯିବାକୁ ଚେଷ୍ଟା କରୁଥିଲେ । ଭାବୁଥିଲେ ଯେତେ ହେଲେ ହରିଶଙ୍କର ଜମିଦାର, ସମ୍ପତ୍ତିର ମାଲିକ । ହଜାରେ ଆତ୍ମୀୟ ହେଲେ ବି କୃଷ୍ଣମାଧବ କର୍ମ୍ମଚାରୀ ମାତ୍ର । ଶତ ପ୍ରଭୁତ୍ୱ ଜାରିକଲେ ବି ସେ ପ୍ରଭୁ ହୋଇ ନ ପାରନ୍ତି । ସୁତରାଂ ମାଲିକର ବିରୁଦ୍ଧାଚରଣ କରି ଲାଭ କ’ଣ ? ସଲାମି ଟଙ୍କା ଆଦାୟ ହୋଇଥିଲେ, ତାହାରି ଆୟ ବୃଦ୍ଧି ହୋଇଥାନ୍ତା । ସେ ଯଦି ତା’ର ଆୟବୃଦ୍ଧି ନ ଚାହେଁ, ତେବେ ଅନ୍ୟ ଲୋକର ସେଥିରେ ମଥାବ୍ୟଥା କିଆଁ ?

 

ଏହିପରି ଭାବି କୃଷ୍ଣମାଧବ ସେଥିରେ ଉଚ୍ଚବାଚ୍ୟ କରିବାଟା ସାଂସାରିକ ଦୃଷ୍ଟିରୁ ଅଭିଜ୍ଞତାର କାର୍ଯ୍ୟ ବୋଲି ମନେ କରୁଥିଲେ । ଘଟଣାଟିକୁ ଆଖି ବୁଜି ପିଠେଇନେବାକୁ ସେ ସଂକଳ୍ପ କରିଥିଲେ । ମାତ୍ର ହରିଶଙ୍କରଙ୍କର ଏହି ଶୁଦ୍ରବିବାହ ପ୍ରସ୍ତାବଟା ସେଥିରେ ପ୍ରଚଣ୍ଡ ପ୍ରତିବନ୍ଧକ ସୃଷ୍ଟି କଲା । ଏଟାକୁ ତ ସେ କୌଣସି ପ୍ରକାରେ ସମର୍ଥନ କରି ନ ପାରନ୍ତି । ଜାତି ବିରୁଦ୍ଧରେଏତେ ବଡ଼ ଗୋଟାଏ ଅତ୍ୟାଚାରର ପ୍ରଶୟ ଦେବା କି ତାଙ୍କ ପକ୍ଷରେ ସମ୍ଭବ ? ତାହା କି ପ୍ରକାରାନ୍ତରେ ନରକାନ୍ତ ହେବାର ଚେଷ୍ଟା ନୁହେଁ ? ସମାଜପତି ବୋଲି କୃଷ୍ଣମାଧବଙ୍କର ସ୍ଥାନ ଅଛି-। କିନ୍ତୁ ସମାଜପତି ହୋଇ ସେ ଯଦି ଏଭଳି ଦୁଷ୍କାର୍ଯ୍ୟର ପକ୍ଷପାତୀ ହୁଅନ୍ତ, ତେବେ ସମାଜରେ ତାଙ୍କର ସ୍ଥାନ ରହିବ କିପରି ? କାହିଁକି ବା ରହିବ ? ନା, ବଞ୍ଚି ଥାଉଁ ଥାଉଁ କୃଷ୍ଣମାଧବ ଏଭଳି ଗୋଟାଏ ଅପକର୍ମର ସହାୟ ହୋଇ ପାରିବେ ନାହିଁ, ନାହିଁ, ନାହିଁ ।

 

କୃଷ୍ଣମାଧବ ଉତ୍ତେଜିତ ହୋଇ ଉଠିଲେ । ମନେ ମନେ ପ୍ରତିଜ୍ଞା କଲେ,–ଯାହା ହେଉ ନା କାହିଁକି, ସେ ଏଥିରେ ପ୍ରାଣପଣେ ବାଧା ଦେବେ । ନିତାନ୍ତ ଯଦି ଏଥିପାଇଁ ତାଙ୍କୁ ସମ୍ପର୍କ ତ୍ୟାଗ କରିବାକୁ ପଡ଼େ ତାହା ବି ସେ କରିବେ । ଚିରଦିନର ମାୟାବନ୍ଧନ ଛିନ୍ନ କରିବା କଷ୍ଟକର ସତ୍ୟ, କିନ୍ତୁ ହେଲେଇ ବା ? ଶେଷରେ କି ସେ ଜାତିଧର୍ମରୁ ଚ୍ୟୁତ ହୋଇ ନରକର ରାସ୍ତା ସଫା କରି ବସିବେ ?

 

କୃଷ୍ଣମାଧବ ବିଚଳିତ ହୋଇ ଉଠିଲେ । ଇଚ୍ଛା ହେଲା–ସଙ୍ଗେ ସଙ୍ଗେ ହରିଶଙ୍କରଙ୍କ ନିକଟକୁ ଉତ୍ତର ଦେଇ ସମସ୍ତ କଥା ପରିଷ୍କାର କରି ଲେଖିଦେବାକୁ । ହରିଶଙ୍କର ଯଦି ଜାତିଭ୍ରଷ୍ଟ ହେବାକୁ ଚାହେଁ, ତା’ହେଲେ ଆପଣାର ଦାୟିତ୍ୱରେ ତାହା କରୁ, ସେଥିରେ କୃଷ୍ଣମାଧବ ଲିପ୍ତ ହେବାକୁ ଚାହାନ୍ତି ନାହିଁ । ଯାହାକୁ ଦୁର୍ବୁଦ୍ଧି ଗ୍ରାସ କରିଛି, ତାହାର ଫଳ ତାକୁଇ ଭୋଗ କରିବାକୁ ହେବ ।

 

ଏହା ଭାବି କୃଷ୍ଣମାଧବ ଉଠିଯାଇ ଜବାବ୍‍ ଲେଖିବା ଆରମ୍ଭ କରିଦେଲେ । ‘‘ନିରାପଦ ଦୀର୍ଘଜୀବେଷୁ’’ ପର୍ଯ୍ୟନ୍ତ ଲେଖି ସେ କଲମଟା ଛାଡ଼ିଦେଇ ଭାବିଲେ–କେଉଁ ଠିକଣାରେ ଚିଠି ଦେବେ ? ଠିକଣା କାହିଁ ? ହରିଶଙ୍କରଙ୍କ ଚିଠି ପଢ଼ି ଦେଖିଲେ, ଲେଖା ଅଛି କେବଳ ସମ୍ବଲପୁର । କିନ୍ତୁ ସମ୍ବଲପୁରର ଠିକ୍‍ କେଉଁ ଜାଗାରେ ସେ ? ଚିଠିଦେଲେ ପାଇବ ତ ? ତା’ର ଠିକ୍‍ କ’ଣ ?

 

ଏହିପର ସାତ ପାଞ୍ଚ ଭାବି ସେ ପତ୍ର ଲେଖା ବନ୍ଦ କଲେ । କିନ୍ତୁ ମନଟା ସ୍ଥିର ହୋଇ ପାରିଲା ନାହିଁ । ହରିଶଙ୍କରଙ୍କ ଚିଠିଟା ହାତରେ ଧରି ଖଡ଼ମ ପିନ୍ଧି ଅପ୍ରସନ୍ନ ମୁଖରେ ସେ ଉଆସ ଭିତରକୁ ଚାଲିଲେ ।

 

ଭିତରେ ପ୍ରବେଶ କରି ସେ ଗଭୀର କଣ୍ଠରେ ଡାକ ଦେଲେ–ନାନୀ ! ରାଧାପ୍ରିୟା ନିଜର ଶୟନକକ୍ଷରେ ବସି, ସୁଷମାକୁ ପାଖରେ ବସାଇ କହୁଥିଲେ–‘‘ ମା’, ତୋରି ହାତରେ ସବୁ କଥା । ପାଗଳା ପିଲାଟା ଯେ ଝୁଙ୍କ ଧରିଛି, ତୁହି ଏକା ତା’ର ଝୁଙ୍କ ଭାଙ୍ଗିପାରୁ । ପିଲାଦିନରୁ ସେ ଏହିପରି ଝୁଙ୍କି, ଯାହା ଗୋଟାଏ ମନରେ ପଶିଥିବ ସେୟା;–ଆଗପଛ କିଛିହେଲେ ଦେଖିବାକୁ ଯାଏ ନାହିଁ,–ସମ୍ଭବ ଅସମ୍ଭବ ଦେଖେ ନାହିଁ,–ଚଟ୍‍କରି ଗୋଟାଏ କଥା ଧରିବସେ, ଆଉ ସେଥିରେ ଦୟା ହୋଇଯାଏ । ଚିରକାଳ ତା’ର ଏଇ ସ୍ୱଭାବ, ଏଇ ପାଗଳାମି । ମୋର ଖୁବ୍‍ ବିଶ୍ୱାସ, ତୋହରି କଥାରେ ଫଳହେବ, ମା’ । ତୁ ଟିକିଏ ବାୟାଟାକୁ ବୁଝେଇ ଦେ, ଏମିତି ଗୋଟାଏ ବିବାହ କୌଣସିମତେ ସମ୍ଭବ ନୁହେଁ । ଶୁଣୁଛୁ ମା’ ?

 

ସୁଷି ଆନତ ନୟନରେ ଖଡ଼ିକା ଖଣ୍ଡିଏ ଧରି ଭୂଇଁରେ ଗାର କାଟୁଁ କାଟୁଁ ମୁଣ୍ଡ ଟୁଙ୍ଗାରି ନୀରବରେ ସମ୍ମତି ଜ୍ଞାପନ କରୁଥିଲା । ଠିକ୍‍ ଏହିପରି ସମୟରେ କୃଷ୍ଣମାଧବ ଡାକିଲେ–ନାନୀ !

 

ରାଧାପ୍ରିୟା ଧଡ଼ ପରି ଉଠି ଦୁଆର ନିକଟକୁ ଆସି ଜବାବ୍‍ ଦେଲେ–କିଏ ରେ, କୃଷ୍ଣ ? କେତେବେଳେ ଆସିଲୁ ? ଆ, ଏଇ ଘରକୁ ଆ ।

 

କୃଷ୍ଣମାଧବ ଗୃହ ମଧ୍ୟରେ ପ୍ରଦେଶ କରନ୍ତେ ରାଧାପ୍ରିୟା ସୁଷିକୁ ସମ୍ଭୋଧନ କରି କହିଲେ–ସୁଷମା, ଏଇ ତୋର ମାମୁ ।

 

ସୁଷମା ବ୍ୟସ୍ତ ହୋଇ ସମ୍ଭ୍ରମରେ ଆସି କୃଷ୍ଣମାଧବଙ୍କ ପାଦତଳେ ମସ୍ତକ ସ୍ପର୍ଶ କରି ପ୍ରଣାମ କଲା । କୃଷ୍ଣମାଧବଙ୍କ ଦୃଷ୍ଟି ତା’ର ସଲ୍ଲଜ ସୁନ୍ଦର ମୂର୍ତ୍ତିଟି ଉପରେ ପଡ଼ି ଯେପରି ମୂଢ଼ ହୋଇଗଲା । କୃଷ୍ଣମାଧବ ଟିକିଏ ସ୍ତବ୍‍ଧ ହୋଇ ରହିଲେ । ମନେ ମନେ କହିଲେ–ଏଇ ବୋଧହୁଏ ସେହି । ହରିଶଙ୍କରଙ୍କୁ ବିପଥଗାମୀ କରିବାକୁ ଯାଇଛି–ଏଇ ଭ୍ରଷ୍ଟା, ଏଇ ମାୟାବିନୀ, ଏହି ବିଧବା ମୂର୍ତ୍ତି ? କୃଷ୍ଣମାଧବ ରାଧାପ୍ରିୟାଙ୍କୁ ସମ୍ୱୋଧନ କରି କହିଲେ–ନାନୀ ! ତୋ ସାଙ୍ଗରେ କେତେକ କଥା ଅଛି, ଟିକିଏ ନିରୋଳା ହେଲେ ଭଲ ହୁଅନ୍ତା ।

 

ସୃଷ୍ଟି ଏ କଥାର ତାତ୍ପର୍ଯ୍ୟ ବୁଝିପାରି ତାହାରି ଆଦେଶର ଅପେକ୍ଷା ନ ରଖି ଘରୁ ନୀରବରେ ବାହାରିଗଲା । ପାର୍ଶ୍ୱବର୍ତ୍ତୀ ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠରେ ବସି କୌଣସି ଗୋଟାଏ କାର୍ଯ୍ୟରେ ନିଜକୁ ନିଯୁକ୍ତ କରିବାକୁ ଯତ୍ନ କଲା । କିନ୍ତୁ ମନଟା ଛନଛନ ହେବାକୁ ଲାଗିଲା ।

 

କୃଷ୍ଣମାଧବ ଆଲୋଚନାର ସୁତ୍ରପାତ କଲେ । କହିଲେ–କି କାଣ୍ଡ ଏସବୁ ହଉଚି ନାନୀ-! ତୋତେ କ’ଣ ଏସବୁ ସୁନ୍ଦର ଦେଖା ଯାଉଛି ? ଯାହା ଲୋକ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରିବ ନାହିଁ ସେହିପରି ଘଟଣା ଯେ ତୋର ଆଖି ଆଗରେ ଘଟିଯାଉଛି, ତା’ କି ତୁ ଦେଖୁନାହୁଁ-?

 

କୃଷ୍ଣମାଧବ ଯେ ହଠାତ୍‍ ଉପସ୍ଥିତ ହୋଇ ଏକାବେଳକେ ରାଧାପ୍ରିୟାଙ୍କ ଉପରେ କଥାଟା ଏପରି ଆକସ୍ମିକ ଭାବରେ ପକାଇଦେବେ ଏହା ରାଧାପ୍ରିୟା ଭାବି ନ ଥିଲେ । ସେଥିପାଇଁ ସେ ଆଦୌ ପ୍ରସ୍ତୁତ ନ ଥିଲେ । ତେଣୁ କ’ଣ କହି ଏହାର କୈଫିୟତ ଦେବେ ତାହା ସେ ସ୍ଥିର କରି ନ ପାରି ମୂକ ହୋଇ ରହିଲେ ।

 

କୃଷ୍ଣମାଧବ କହିବାକୁ ଲାଗିଲେ–ତୁ ଯାହା କହ ନାନୀ ! ଏସବୁ ଦିନକୁ ଦିନ ଅସହ୍ୟ ହୋଇ ଉଠୁଛି । ମଣିଷ ଆଉ କେତେ ସମ୍ଭାଳି ପାରେ ? ତା’ର ତ ପୁଣି ଆତ୍ମସମ୍ମାନ ଜ୍ଞାନ ଅଛି, ଭଲମନ୍ଦ ବିଚାରକରି ଚଳିବାର ଦାୟିତ୍ୱ ରହିଛି । ସବୁ କଥାକୁ ତ ସେ ସବୁବେଳେ ଆଖି ବୁଜି ଦେଇ ଚଳି ନ ପାରେ । ଆଜି ମୁଁ ସ୍ପଷ୍ଟ ଦେଖି ପାରୁଛି ନାନୀ, ଏଠି ଆଉ ବେଶି ଦିନ ନୁହେଁ ।

 

କଥାଟା ଶୁଣି ରାଧାପ୍ରିୟା ଚମକି ଉଠିଲେ । କୃଷ୍ଣମାଧବଙ୍କ ମୁଖରେ ଏ କଥାଟା ନିତାନ୍ତ ଅସ୍ୱାଭାବିକ ଶୁଣାଗଲା । ରାଧାପ୍ରିୟାଙ୍କ ଛାତିରେ କିଏ ଯେପରି ଚାଉଁ କରି ଗୋଟାଏ ଅଗ୍ନିଶଳାକା ମାରି ଦେଇଗଲା । ସେ ବ୍ୟସ୍ତବିକଳ ହୋଇ କହିଲେ–କ’ଣ କହୁଛୁ ରେ କୃଷ୍ଣ ? ତୋ ମୁହଁରେ ଆଜି ଏ କି କଥା ?

 

କୃଷ୍ଣମାଧବ ଜବାବ ଦେଲେ–ଏତେ ବଡ଼ କଥାଟା ଆଜି ତୋ ଆଗରେ କହିବା ମୋ ପକ୍ଷରେ ଯେ କି କଷ୍ଟକର ତା’ ମୁଁ ବୁଝିପାରୁଛି, ନାନୀ ! କିନ୍ତୁ ନ କହି ଉପାୟ ନାହିଁ । ଏତେ ଦିନ ହେଲା ତୋର ଆଶ୍ରୟରେ ବଞ୍ଚି ଆସିଲି । ଭାଇ ଶିବଶଙ୍କର ନିକଟରେ ମୁଁ ଯେ କି ପରିମାଣରେ ଋଣୀ ତା’ କଥାରେ ପ୍ରକାଶ କରି ହେବ ନାହିଁ । ଏତେ ଉପକାର ସଂସାରରେ କେହି କାହାର କରେ ନାହିଁ । ଶିବଭାଇ ମୋର ଯାହା କରିଛନ୍ତି, ମରି ମାଟି ହେଲେ ବି ତା’ ଭୁଲି ପାରିବି ନାହିଁ । ଲୋକେ କହନ୍ତି–‘ ଶିବଶଙ୍କର ରାଜା, କିନ୍ତୁ ରାଜତ୍ୱ କରେ କୃଷ୍ଣମାଧବ ।’ ଏ କଥାଟା କେତେ ପରିମାଣରେ ଠିକ୍‍ ତା’ ମୁଁ ଯେତେ ବୁଝେଁ, ବୋଧହୁଏ ଆଉ କେହି ତେତେ ବୁଝିପାରିବ ନାହିଁ । ସେ ବର୍ତ୍ତମାନ ସ୍ୱର୍ଗବାସୀ, ଆଉ ତାଙ୍କର ସ୍ୱର୍ଗବାସ ସଙ୍ଗେ ସଙ୍ଗେ ମୋର ବି ସେ ସୁଖର ଦିନ ଯାଇଛି ଭଉଣୀ !

 

ଏହା କହି କୃଷ୍ଣମାଧବ ଗୋଟାଏ ନିଶ୍ୱାସ ତ୍ୟାଗକଲେ । ରାଧାପ୍ରିୟା ପୁନଶ୍ଚ ବ୍ୟସ୍ତ ହୋଇ କହିଲେ–କାହିଁକି ରେ କୃଷ୍ଣ ? ଏମିତି ଗୁଡ଼ାଏ କାହିଁକି ଭାବୁଛୁ ? ତୋର କ’ଣ ହେଲା ?

 

କୃଷ୍ଣମାଧବ ଉତ୍ତର ଦେଲେ–ତୁ କ’ଣ ଦେଖୁନାହୁଁ ନାନୀ ? ଶିବଭାଇଙ୍କ ଅମଳରେ ଏଇ କୃଷ୍ଣମାଧବ କ’ଣ ନ କରିଛି ? କିନ୍ତୁ ଆଜି କି ଆଉ ସେ କଥା ଅଛି ? ତା’ର ଇଚ୍ଛାରେ କି ଆଜି ସବୁକାମ ହଉଚି ? ଅବଶ୍ୟ ଜମିଦାରୀର କଥା ମୁଁ କହୁନାହିଁ ନାନୀ । ସେ ଜିନିଷଟା ହରିଶଙ୍କରର । ତା’ର ଯେମିତି ଇଚ୍ଛା ସେ ସେମିତି ଚଳେଇବ । ସେ ବିଷୟରେ ଆପତ୍ତି କରିବାଟା ଅନ୍ୟ ଲୋକର ଧୃଷ୍ଟତା । ମୁଁ କାହିଁକି ସେଥିରେ ବାଧା ଦେବି ? ଏଇ ଯେ ସେ ଦିନର ଘଟଣାଟା ହେଲା,–ତୁ ଜାଣୁ କି ନା ଅବଶ୍ୟ ମୁଁ ଜାଣେ ନାହିଁ,–ହେଲେ ମୁଁ ତ ସେଥିରେ ତିଳେମାତ୍ର ଆପତ୍ତି କରି ନାହିଁ । ବୁଝିଲୁ ନା, ମୁଁ କହୁଛି ସେହି ସଲାମି ଟଙ୍କାଟା ଛାଡ଼ିଦେବା କଥା । କେତେଗୁଡ଼ାଏ ପ୍ରଜା ଅନାବାଦି ଜମି ଚାଷ କରିବା ପାଇଁ ପ୍ରାର୍ଥୀ ଥିଲେ; ମୁଁ ସେମାନଙ୍କଠାରୁ କିଛି ସଲାମି ଆଦାୟ କରି ସେମାନଙ୍କୁ ଚାଷ କରିବାକୁ ଅନୁମତି ଦେବାକୁ ପାଞ୍ଚିଥିଲି । ହଜାରେ ଟଙ୍କାରୁ କମ୍‍ ସଲାମି ଆଦାୟ ହୋଇ ନ ଥାନ୍ତା । କିନ୍ତୁ ହରିଶଙ୍କର ମୋର ଅନୁପସ୍ଥିତିରେ, ଏପରିକି ମୋତେ ପଦେ ନ ପଚାରି, ସମସ୍ତ ଟଙ୍କାଟା ଛାଡ଼ି ଦେଲା । ମୁଁ ଗସ୍ତରୁ ଫେରି ଶୁଣିଲି । ଅବଶ୍ୟ ଏଟା କାନରେ ହାତ ଦେବା ଭଳି ଗୋଟାଏ କଥା । କିନ୍ତୁ ତା’ହେଲେ ବି,–ମୁଁ କାହିଁକି ସେଥିରେ ବାଧା ଦେବି ? ହରିଶଙ୍କର ଜମିଦାର, ମୁଁ ଯେତେ ହେଲେ ତା’ର ଗୋଟାଏ କର୍ମ୍ମଚାରୀ ଛଡ଼ା ଆଉ କିଛି ତ ନୁହେଁ । ମୁନିବର ଇଚ୍ଛା ବିରୁଦ୍ଧରେ ମୁଁ ଗୋଟାଏ କାମ କରିବାକୁ ଯିବି କାହିଁକି ? କହିଲି–ଯାନେ ଦୋ । ହରିଶଙ୍କର ଯଦି ଛାଡ଼ି ଦେଇଛି, ବେଶ୍‍ ଭଲ ହେଲା । ଟଙ୍କାଟା ତାହାରି ହାତକୁ ଆସିଥାନ୍ତା । ସେ ଯଦି ହାତକୁ ନେବାକୁ ନ ଚାହେ, ତେବେ ସେଥିରେ ଅନ୍ୟ ଲୋକର କହିବାର କ’ଣ ଅଛି ? ମୁଁ କିଛି ଅନ୍ୟାୟ କଥା କହୁଛି ନାନୀ !

 

ରାଧାପ୍ରିୟା କହିଲେ–ନ୍ୟାୟ ଅନ୍ୟାୟର କଥା କ’ଣରେ କୃଷ୍ଣ ? ହରି ପିଲାଟା, ଚିରଦିନ ତ ସେହିପରି ବାୟା । ସେ କ’ଣ ଏତେ କଥା ଭାବେ ? ଏତେ ଆଡ଼କୁ ନଜର ଦିଏ ? କେହି ଯଦି କାନ୍ଦି କାଟି ପଦେ କହିଦେଲା, ଯାଃ ଗୋଟାକସାରା ତାହାରି । ହରିର ଦୟା ମାୟା କଥା କି ତୁ ଜାଣୁ ନାହିଁରେ କୃଷ୍ଣ, ଏଇଥିପାଇଁ ଅଭିମାନ କରି ବସିଛୁ ?

 

କୃଷ୍ଣମାଧବ ବାଧା ଦେଇ କହିଲେ–ନା, ନା, ନା, ତୁ ଯେ ଭୁଲ ବୁଝିଲୁ ନାନୀ ! ମୁଁ ’କ’ଣ ସେଥିପାଇଁ ଅଭିମାନ କରିଛି ? ତିଳାର୍ଦ୍ଧ ନୁହେ । ତା’ର ପ୍ରଜାପାଟକ, ତାଙ୍କ ପ୍ରତି ସେ ଦୟା କଲା, ସେଥିରେ ଅଭିମାନ କରିବାର କ’ଣ ଅଛି ? ରେଗ କରିବାର ବା କ’ଣ ଅଛି ? ତା’ ନୁହେଁ । ସେଟା ତ ଅତି ସାମାନ୍ୟ କଥା । କିନ୍ତୁ ତା’ ଅପେକ୍ଷା ଗୁରୁତର କଥା କି ତୋ ଦୃଷ୍ଟିରେ ପଡ଼ୁନାହିଁ ନାନୀ ?

 

କୃଷ୍ଣମାଧବଙ୍କର କଥାର ଲକ୍ଷ୍ୟ ରାଧାପ୍ରିୟା ମନେ ମନେ ବୁଝିଲେ । ଶତ ପ୍ରତିବାଦ ସତ୍ତ୍ୱେ କୃଷ୍ଣମାଧବ ଯେ ଅଭିମାନ କରି ବସିଛନ୍ତି, ସେଟା ସତ୍ୟ । ତାହା ଢାଙ୍କି ଘୋଡ଼ାଇ ରଖିବାର କଥା ନୁହେଁ । ହରିଶଙ୍କର ମଧ୍ୟ ବଡ଼ ଗୋଟାଏ ଅନ୍ୟାୟ କରିଛି । ଟଙ୍କାଟା ଛାଡ଼ିଦେବା ପୂର୍ବରୁ ଥରେ କୃଷ୍ଣମାଧବଙ୍କୁ ପଚାରିବା ଉଚିତ ଥିଲା । ହେଲେ ଏଇଟା କି କୃଷ୍ଣମାଧବଙ୍କର ଅଭିଯୋଗର ଏକମାତ୍ର କାରଣ ? ରାଧାପ୍ରିୟା ବୁଝିଲେ–ନା, ଅସଲ ଅଭିଯୋଗ ସେହି ବିବାହ ପ୍ରସଙ୍ଗ ନେଇ । ହରିଶଙ୍କର ଯେ ସୁଷିକୁ ବିବାହ କରିବାକୁ ଧରିବସିଛି । ସେହିଟାହିଁ ସମସ୍ତ ଗଣ୍ଡଗୋଳର ମୂଳ । ହାୟ । କେଉଁ ବିଧାତାର ନିଷ୍ଠୁର ନିର୍ଦ୍ଦେଶରେ ସୁଷି ସହିତ ହରିର ପରିଚୟ ହେଲା ! ଯଦି ବା ହେଲା, ହରିଶଙ୍କର ମନରେ ଏ ଅସମ୍ଭବ କଳ୍ପନା କାହିଁକି ଜାତ ହେଲା ? ସୁଷିକୁ ବା କାହିଁକି ବ୍ରାହ୍ମଣ ଘରେ ଜନ୍ମ ନ ଦେଇ ବିଧାତା ଶୁଦ୍ରକୁଳରେ ଜନ୍ମଦେଲା ? ବିଧାତାର ଏ ଅନ୍ୟାୟବିଧାନ ବିରୁଦ୍ଧରେ ରାଧାପ୍ରିୟାଙ୍କର ଆତ୍ମା ବିଦ୍ରୋହ କରି ଉଠିଲା । ମାତ୍ର ସେ କୃଷ୍ଣମାଧବଙ୍କୁ ଚାହିଁ କହିଲେ–କୃଷ୍ଣ, ଏତେ ଅଧୀର ହେଲେ କି ଚଳିବ ? ତୋ ନିକଟରେ ଅସାଧ୍ୟ ହୋଇ ରହିବ, ଏଭଳି ଗୁରୁତର କଥା କ’ଣ ଅଛି ? ହରିଶଙ୍କର ଯଦି ନିଜର ଅଜ୍ଞାତବଳରେ ଗୋଟାଏ ଭୁଲ ଭ୍ରାନ୍ତି କରି ପକାଏ ତାକୁ ସୁଧାରିବାକୁ ତୋ ଛଡ଼ା ଆଉ ମୋର କିଏ ଅଛି ? ତେବେ, କାହିଁକି ଏତେ ବ୍ୟସ୍ତ ହେଉଛୁ ଶୁଣେ ?

 

କୃଷ୍ଣମାଧବ ହରିଶଙ୍କରଙ୍କ ଚିଠିଟା ରାଧାପ୍ରିୟାଙ୍କ ଆଡ଼କୁ ଫୋପାଡ଼ି ଦେଇ କହିଲେ–କାହିଁକି, ଏଇ ଦେଖ । ଥରେ ହରିର ଚିଠିଟା ପଢ଼ି ବୁଝ । କି ଦୁର୍ବୁଦ୍ଧି ଆଜି ତାକୁ ଗ୍ରାସ କରିଛି ସେହି ଚିଠିଟା ପଢ଼ିଲେ ହିଁ ଜାଣିପାରିବୁ । ମିଛଟାରେ କୃଷ୍ଣମାଧବ କେବେ ବିଚଳିତ ହୁଏ ନାହିଁ ।

 

ରାଧାପ୍ରିୟା କହିଲେ–ମୁଁ ଆଉ କ’ଣ ପଢ଼ିବାକୁ ଯିବି ଭାଇ ତୁ ତ ପଢ଼ିଛୁ, କଥାଟା କ’ଣ ହେବ । ହରି କ’ଣ ତୋତେ ଗୁରୁତର ଅପମାନ ଦେଇଛି କୃଷ୍ଣ ?

 

କୃଷ୍ଣମାଧବ ଜବାବ୍‍ ଦେଲେ–ଗୁରୁତର ଅପମାନ ଆଉ କାହାକୁ କୁହାଯାଏ ନାନୀ ? ଜାତିଧର୍ମର ବିରୁଦ୍ଧରେ ଯଦି କେହି କିଛି କରିବାକୁ ଯାଏ, ତା’ଠାରୁ ବଳି ଗୁରୁତର ଅପମାନ ଆଉ କ’ଣ ହୋଇପାରେ ? ଏଇ କେତେ ଦିନ ମଧ୍ୟରେ ହରିଶଙ୍କର କି କାଣ୍ଡଟା ନ କରିଛି କହିଲୁ ? ତା’ର ବିବାହ ପାଇଁ ଆମେ କେତେ ଚେଷ୍ଟା ନ କରିଛେଇଁ ? କିନ୍ତୁ ଦେଖ୍‍ ଆମର ସମସ୍ତ କଥାକୁ ପାଦରେ ଠେଲି ଦେଇ କେଉଁଠୁ ଗୋଟାଏ ଅରକ୍ଷିତା, ଅଜ୍ଞାତ କୁଳଶୀଳା, ଭ୍ରଷ୍ଟଚରିତ୍ରା ଶୁଦ୍ରକନ୍ୟାକୁ ଆଣି କାହାରି ମତର ଅପେକ୍ଷା ନ ରଖି ଏକାବେଳକେ ଘରେ ଭର୍ତ୍ତି କରି ଦେଇଚି ! ପୁଣି କ’ଣ ନା, ତାକୁଇ ବିବାହ କରିବାକୁ ଚାହେ ! ଜାତିଧର୍ମ କି ଏକାବେଳକେ ରସାତଳକୁ ଯାଇ ସାରିଛି ନାନୀ ? କଳିକାଳ ହେଲା ବୋଲି କ’ଣ ସବୁ ଏକାବେଳକେ ଶେଷ ? ଲୋକ ଯାହା ଇଚ୍ଛା ତାହା କରିଯିବ, କେହି ବାଧା ଦେବେ ନାହିଁ !

 

ଏହା କହି କୃଷ୍ଣମାଧବ ଉତ୍ତର ଅପେକ୍ଷାରେ ରାଧାପ୍ରିୟାଙ୍କ ମୁହଁକୁ ଚାହିଁ ରହିଲେ । କଥାଗୁଡ଼ାକ ରାଧାପ୍ରିୟାଙ୍କ କାନରେ ଯେପରି ଅଗ୍ନିବର୍ଷଣ କରିଗଲା । କୃଷ୍ଣମାଧବ ଯାହା ଯାହା କହିଲେ ତାହା ସତ୍ୟ, କିନ୍ତୁ ସୁଷମା କି ଭ୍ରଷ୍ଟଚରିତ୍ରା ? ଅନାଥିନୀର ସନ୍ତାନକୁ ନ ବୁଝି ନ ସୁଝି ଏତେ ବଡ଼ ଅପଖ୍ୟାତି ଦେବାଟା ଶୋଭାପାଏ ନାହିଁ । କିନ୍ତୁ ସେ କି ପ୍ରତିବାଦ କରିବେ ? ରାଗମୁଣ୍ଡରେ କୃଷ୍ଣମାଧବ ଏପରି ଗୋଟାଏ କହିଥାଇ ପାରନ୍ତି, ସେଥିପାଇଁ ତାଙ୍କୁ ଦୋଷୀ କରାଯାଇ ନ ପାରେ । ତେବେ ଆଉ ଯେଉଁ ଯେଉଁ କଥା କୃଷ୍ଣମାଧବ କହିଲେ ତାହା ତ ମିଥ୍ୟା ବୋଲି ଉଡ଼େଇଦେଇ ହେବ ନାହିଁ । ରାଧାପ୍ରିୟା ବ୍ୟସ୍ତହୋଇ ଭାବିଲେ–ହରିଶଙ୍କର କି କାଣ୍ଡଟା ନ କଲା ? ବର୍ତ୍ତମାନ ଉପାୟ କ’ଣ ? ରାଧାପ୍ରିୟାଙ୍କ ମସ୍ତକ ଘୂଣ୍ଣିତ ହେବାକୁ ଲାଗିଲା । କୃଷ୍ଣମାଧବଙ୍କ କଥାର କୌଣସି ଉତ୍ତର ଦେବାକୁ ସେ ସମର୍ଥ ହେଲେ ନାହିଁ । ନୀରବରେ ତଳକୁ ମୁହଁ କରି ବସିରହିଲେ ।

 

କୃଷ୍ଣମାଧବ କହିଲେ–ତୁନି ହୋଇ ବସି ରହିଲୁ ଯେ ନାନୀ ! ରାଧାପ୍ରିୟା ଗୋଟାଏ ଗଭୀର ନିଃଶ୍ୱାସ ତ୍ୟାଗକରି ଜବାବ ଦେଲେ–କ’ଣ ଆଉ କହିବି କୃଷ୍ଣ ? ତୋତେ ଯେପରି ଭଲ ଦେଖାଯାଉଛି ସେହିପରି କର୍‍, ମୋତେ ଆଉ ପଚାରୁଛୁ କ’ଣ ?

 

ଠିକ୍‍ ଏହି ସମୟରେ ଜୋତା ମଚ୍‍ ମଚ୍‍ କରି ଉଆସ ଭିତରକୁ କେହି ପଶି ଆସୁଥିବାର ଶବ୍ଦ ଶୁଣାଗଲା । ଆରେ ! ଏ ଯେ ହରିଶଙ୍କର ! କୃଷ୍ଣମାଧବ ଚମକି ଉଠିଲେ । ରାଧାପ୍ରିୟା ଆଶ୍ଚର୍ଯ୍ୟ ହୋଇ କହିଲେ–ହରି ଯେ !

 

ହରିଶଙ୍କର ସସ୍ମିତ ମୁଖରେ ଉତ୍ତର ଦେଲେ–ହଁ ମା’, ଯେତେ ଦିନ ରହିବାକୁ ପଡ଼ିବ ବୋଲି ଭାବିଥିଲି, ତା’ ରହିବାକୁ ପଡ଼ିଲା ନାହିଁ । ଭାବିଲି–ଯାଏଁ, ଘରର ପୁଅ ଏଥର ଘରର ଭାତଟା ଯାଇ ଖାଏଁ । ଆଚ୍ଛା, କ’ଣ ଭଲ କାମଟାଏ କରି ନାହିଁ ମା’ ? ଏହା କହି ସେ ହି ହି ହୋଇ ହସି ଉଠିଲେ । ତତ୍ପରେ ସେ ମାତୁଳ କୃଷ୍ଣମାଧବଙ୍କୁ ଚାହିଁ ପଚାରିଲେ–କେବେ ଫେରିଲ ମାମୁ ? ଏଥର ଖୁବ୍‍ ଲମ୍ବା ଗସ୍ତ କରିବାକୁ ପଡ଼ିଲା ପରା ?

 

କୃଷ୍ଣମାଧବ କହିଲେ–ହଁ, ଯାହା ଯେତେବେଳେ କରିବାକୁ ହୁଏ, ଚାରା କ’ଣ ?

 

କୃଷ୍ଣମାଧବ ଏପରି ଉଦାସଭାବରେ ଉତ୍ତରଟାଏ ଦେଲେ ଯେ ହରିଶଙ୍କରଙ୍କୁ ତାହା କିପରି ଟିକିଏ ଅସ୍ୱାଭାବିକ ବୋଧ ହେଲା । ଦେହରୁ ଗମାଗମ୍‍ ଝାଳ ବୋହୁଥିଲା । ସେ ଶୀଘ୍ର ପୋଷାକପତ୍ର ଖୋଲି ପକାଇବାପାଇଁ ଦୋତାଲା ଉପରେ ଥିବା ତାଙ୍କର ବୈଠକ ଘର ଆଡ଼କୁ ଚାଲିଗଲେ ।

Image

 

ସପ୍ତଦଶ ପରିଚ୍ଛେଦ

 

ମାତୁଳ କୃଷ୍ଣମାଧବଙ୍କ ସହିତ ହରିଶଙ୍କରଙ୍କର କିଛିଦିନ ପରେ ଗୋଟାଏ ଭୟଙ୍କର ବଚସା ହୋଇଗଲା । ବିବାହ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ସୁତୀବ୍ର ଆଲୋଚନା ଚାଲିଥିବା ବେଳେ କୃଷ୍ଣମାଧବ ହରିଶଙ୍କରଙ୍କୁ ଅନେକ ଗୁଡ଼ାଏ ଗରମ ଗରମ କଥା ଶୁଣାଇଦେଲେ । ଏପରି କଥା ସେ ଜନ୍ମାବଧି କୃଷ୍ଣମାଧବଙ୍କ ମୁଖରୁ ଶୁଣି ନ ଥିଲେ । ମାତୁଳ ଭାଗିନେୟଙ୍କୁ ଚିରଦିନ ସ୍ନେହଚକ୍ଷୁରେ ଦେଖି ଆସିଥିଲେ, ନିଜର ପୁତ୍ରପରି ଜ୍ଞାନ କରୁଥିଲେ । କିନ୍ତୁ ଆଜି ସେ ସମସ୍ତ ସ୍ନେହଧାରା ଯେପରି ଏକ ମୁହୂର୍ତ୍ତରେ କୁଆଡ଼େ ଶୁଖି ଖାଙ୍କ୍‍ ହୋଇଗଲା । ଏତେ ଦିନର ସରସ ମଧୁର ମମତାର ଅମୃତକୁଣ୍ଡ ପଲକ ମଧ୍ୟରେ ଯେପରି ତିକ୍ତ ଗରଳାକ୍ତ ହୋଇଉଠିଲା । କହୁଁ କହୁଁ କୃଷ୍ଣମାଧବ ଅନେକ କଥା କହି ପକାଇଲେ । ଜମିଦାରୀଟା ଯେ ହରିଶଙ୍କରଙ୍କର ଘର୍ମସିକ୍ତ ପରିଶ୍ରମର ଫଳ ନୁହେଁ, ପିତୃପିତାମହଙ୍କର ଅର୍ଜିତ ସମ୍ପତ୍ତି । କୃଷ୍ଣମାଧବ ଯେ ତାହାପାଇଁ ତିଳ ତିଳ କରି ପ୍ରାଣବଳି ଦେଇଆସିଛନ୍ତି ଓ ତାହାରି ଫଳରେ ଜମିଦାରୀର ଏ ପ୍ରତ୍ୟକ୍ଷ ସମୃଦ୍ଧି, କୃଷ୍ଣମାଧବ ବଜ୍ରକଠୋର କଣ୍ଠରେ ଏ କଥାଗୁଡ଼ାକ ଶୁଣାଇଦେଲେ । ଆଜି ପ୍ରହରାଜବଂଶର ମର୍ଯ୍ୟାଦା ଓ ଧନବୃଦ୍ଧି ପାଇଁ ପ୍ରାଣପାତ କରିଥିବା ସେହି ଶୁଭାନୁଧ୍ୟାୟୀ ମାତୁଳର କ୍ଷମତା ଲୋପ କରିବା ସକାଶେ ଯେ ପ୍ରକାରାନ୍ତରେ ଚେଷ୍ଟା ହେଉଛି, ତାହା ମଧ୍ୟ ସେ ଶୁଣାଇଦେବାକୁ ଛାଡ଼ିଲେ ନାହିଁ । ତାଙ୍କର ବର୍ତ୍ତମାନର ଏ ମହତ୍‍କୁଳର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବାକୁ ସେ କୌଣସି କ୍ରମେ ଦେଇ ନ ପାରନ୍ତି । ହୁଏ ତ ତା’ ପୂର୍ବରୁ ତାଙ୍କୁ ଏ ବଂଶସମ୍ପର୍କ ତ୍ୟାଗ କରିବାକୁ ହେବ । ନଚେତ୍‍ ଯାହା ଲାଗି ଏ ପ୍ରାଚୀନ ସୁପବିତ୍ର ବ୍ରାହ୍ମଣକୁଳରେ କଳଙ୍କ ଲାଗିବାକୁ ଯାଉଛି ତାକୁ ଅବିଳମ୍ବେ ଏଠୁ ଅନ୍ତରିତ କରିବାକୁ ହେବ । ଏଇ ଦୁଇ କଥାରୁ ଗୋଟାଏ ଚାହି,–ଏହାର ତୃତୀୟ ନାସ୍ତି ।

 

ହରିଶଙ୍କର ରୁକ୍ଷକଣ୍ଠରେ ପଚାରିଲେ–‘ଏଇଟା କି ଆପଣଙ୍କର ଶେଷ କଥା ମାମୁ ?’ କୃଷ୍ଣମାଧବ ତତୋଧିକ କର୍କଶ କଣ୍ଠରେ ଜବାବ୍‍ ଦେଲେ–‘ଅଲବତ୍‍ ।’

 

କୃଷ୍ଣମାଧବ ଉଗ୍ରମୂର୍ତ୍ତି ଧରି ଡଗ ଡଗ ହୋଇ ବାହାରିଗଲେ । ହରିଶଙ୍କର ଗମ୍ଭୀର ମୁଖରେ ବସିରହିଲେ । ଆକସ୍ମିକ ବଜ୍ରପାତ ହେଲେ ଯେପରି ହୁଏ. ଗୃହର ଅବସ୍ଥା ତାହା ହିଁ ହେଲା-। ସମସ୍ତେ ସ୍ତମ୍ଭୀଭୂତ ହୋଇ ରହିଲେ । ଚାକରବାକରଗୁଡ଼ାକ ସ୍ତବ୍ଧ । ମା’ ରାଧାପ୍ରିୟାଙ୍କର ତୁଣ୍ଡରେ ଉଁ-ଚୁ ପର୍ଯ୍ୟନ୍ତ ଶବ୍ଦଟି ନାହିଁ । ସେ ଏକାବେଳକେ ହତବୁଦ୍ଧି ହୋଇପଡ଼ିଲେ ।

 

ହରିଶଙ୍କର କ୍ଷଣକ ପରେ ଉଠି ଝଡ଼ବେଗରେ ଆସି ଉପସ୍ଥିତ ହେଲେ ସୁଷମା ପାଖରେ-। ଡାକ ଦେଲେ–ସୁଷମା !

 

ସୁଷମା ଏକ ନିର୍ଜନ କୋଣରେ ବସି ନୀରବରେ ରାଧାପ୍ରିୟାଙ୍କ ପାଇଁ ପାନ ଭାଙ୍ଗିବାରେ ଲାଗିଥିଲା । ହରିଶଙ୍କରଙ୍କ ଡାକ ଶୁଣି ସେ ମୁହଁ ଟେକି ଅନେଇବାକୁ ଚେଷ୍ଟାକଲା, କିନ୍ତୁ ଅନେଇଁ ପାରିଲା ନାହିଁ । ହରିଶଙ୍କର ଆହୁରି ଟିକିଏ ପାଖକୁ ଘୁଞ୍ଚିଯାଇ ଡାକ ଦେଲେ–ସୁଷି !

 

ସୁଷମା ଠିଆ ହୋଇପଡ଼ି ଧୀରେ ଧୀରେ ଜବାବ୍‍ ଦେଲା–କିଛି କହିବାର ଅଛି ?

 

ହରିଶଙ୍କର ପଚାରିଲେ–ରାଗିଛ ?

 

‘‘କାହା ଉପରେ ?’’

 

‘‘ତୁମର ଦୁର୍ଭାଗ୍ୟର ଏକମାତ୍ର କାରଣ ।’’

 

ଏହା କହି ସେ ସୁଷମାର ହାତଟି ଧରି ଚାହିଁ କହିଲେ । ଉଚ୍ଛ୍ୱସିତ ପ୍ରାଣର ଆବେଗ ସମ୍ଭାଳି ରଖିବା ତାଙ୍କ ପକ୍ଷରେ କଷ୍ଟକର ହେଲା । ଚକ୍ଷୁ ଦୁଇଟି ବାଷ୍ପାକୁଳ ହୋଇଉଠିଲା ।

 

ସୁଷମା ମୃଦୁ କଣ୍ଠରେ କହିଲା–କାହିଁକି ଏତେ ଅଧୀର ହେଉଚ କହିଲ । ତମେ ଯଦି ମୋର ଦୁର୍ଭାଗ୍ୟର କାରଣ, ତେବେ ସୁଷମାର ସୌଭାଗ୍ୟ-ତପନ କିଏ ?

 

କିଏ ଏ ଭାଷାର ଝଙ୍କାର ଆଜି ସୁଷମା କଣ୍ଠରେ ଏପରି ଆଚମ୍ବିତ ଭାଷାରେ ସୃଷ୍ଟି କଲା, ତା’ ସୁଷମା ଜାଣେ ନାହିଁ । କିନ୍ତୁ ହରିଶଙ୍କରଙ୍କ ତପ୍ତ-ପ୍ରାଣରେ ତାହା ଯେପରି ଅମୃତ ବର୍ଷଣ କଲା । ଆବେଗର ଆତିଶଯ୍ୟରେ ସେ ସୁଷିକୁ ଆପଣାର ବକ୍ଷ ଉପରକୁ ଟାଣିନେଇ ଯେପରି ଅନନ୍ତ ଶାନ୍ତିର ଅଜସ୍ର ଆରାମ ଉପଭୋଗ କଲେ । ସୁଷମାର ଆଜି ବାଧା ଦେବାର ଶକ୍ତି ନ ଥିଲା, ଇଚ୍ଛା ମଧ୍ୟ ନ ଥିଲା ।

 

ସୁନ୍ଦରୀର ଶୁଷ୍କ ମୁଖଟି ବକ୍ଷ ଉପରେ ଚାପିଧରି ହରିଶଙ୍କର କହିଲେ–ସୁଷି, ତମେ କି ସତେ ଏ ଅପଦାର୍ଥକୁ ଭଲ ପାଅ ? ସ୍ୱାମୀ ବୋଲି ମନେ କରିପାର ?

 

ସୁଷିର ତୁଣ୍ଡରୁ ଅକୁଣ୍ଠିତ ସ୍ୱରରେ ସଂକ୍ଷିପ୍ତ ଉତ୍ତର ବାହାରିଲା–ହୁଁ ।

 

‘‘ବିବାହ ନ ହେଲେ ବି ?’’

 

ପୁନଶ୍ଚ–‘‘ହୁ’’ । ସୁଷମାର ସମସ୍ତ ଲଜ୍ଜା ଆଜି ଏକ ମୁହୂର୍ତ୍ତରେ କୁଆଡ଼େ ପାଣି ହୋଇ ବୋହିଗଲା ।

 

‘‘ସାବାସ୍‍’’ ବୋଲି କହି ହରିଶଙ୍କର ସୁଷମାକୁ ବାହୁପାଶରୁ ମୁକ୍ତ କଲେ । ଯୁବକର ହୃଦୟ ଆଜି ଗର୍ବୋଲ୍ଲାସରେ ଭାରି ଉଠିଲା । ପ୍ରଚଣ୍ଡ ତୋଫାନ ପରେ ଯେପରି ଅମାରାତ୍ରିର ଅନ୍ଧକାର ଦୂର କରି ନବୀନ ରବିର କନକକିରଣ ତାଙ୍କର ସମଗ୍ର ପାଣକୁଞ୍ଜ ସୁନ୍ଦର ରଙ୍ଗରେ ରଞ୍ଜିତ କରିଦେଲା ।

 

ହରିଶଙ୍କର କିଛିକ୍ଷଣ ନୀରବ ରହି ପୁନର୍ବାର ଆରମ୍ଭ କଲେ–କିନ୍ତୁ ସେଟା ସେତେ ସହଜ ନୁହେଁ ସୁଷି ! ଚିରଦିନ ଯେ ଏହି ଅବସ୍ଥାରେ ରହିବାକୁ ପଡ଼ିବ ।

 

ସୁଷି ଜବାବ୍‍ ଦେଲା ଯେ, ସେଟା ତା’ ପକ୍ଷରେ ଏକାନ୍ତ ସହଜ ।

 

ହରିଶଙ୍କର କହିଲେ–କିନ୍ତୁ ସେଟା ଯେ ଜୀବନାନ୍ତ ପର୍ଯ୍ୟନ୍ତ ପ୍ରିୟେ !

 

ସୁଷି ସେହିପରି ସହଜ କଣ୍ଠରେ ଉତ୍ତର ଦେଲା–ଜାଣେ ପ୍ରିୟତମ !

 

ହରିଶଙ୍କର ନଗ୍ନ ଉଲ୍ଲାସରେ ଏକାବେଳକେ ନାଚି ଉଠିଲେ ଓ ସଙ୍ଗେ ସଙ୍ଗେ ଚିତ୍କାର କରି ଉଠିଲେ–ତେବେ, ଚାଲ ସୁଷି ! ଆଜିଠାରୁ ଉଭୟଙ୍କର ସେହି ବିଚ୍ଛେଦମୟ ଜୀବନଯାତ୍ରାର ଆରମ୍ଭ ।

 

ଏହା କହି ସେ ଦୁମ୍‍ ଦୁମ୍‍ ହୋଇ ବାହାରିଗଲେ ।

 

ହରିଶଙ୍କରଙ୍କ ଜୀବନରେ ଏତେ ବଡ଼ ଗୋଟାଏ ଦୁଃଖମୟ ପୁଣି ସୁଖମୟ ଦିବସ ଆଉ କେବେ ଦେଖାଦେଇ ନ ଥିଲା ।

 

ତିନିଟା ବେଳେ ଗୋଟାଏ ଗାଡ଼ି ଦକ୍ଷିଣକୁ ଯାଏ । ହରିଶଙ୍କର ସେହି ଗାଡ଼ିରେ ଯିବାପାଇଁ ସଙ୍କଳ୍ପ କରି ଗୋଟାଏ ଟେକ୍‍ସି ଡାକି ଆଣିବାକୁ ଚାକର କୀର୍ତ୍ତନିଆକୁ ଆଦେଶ ଦେଲେ-। ଟେକ୍‍ସି ଆସି ପହଞ୍ଚିବାର ଅବ୍ୟବହିତ ପୂର୍ବରୁ ହରିଶଙ୍କର ପୋଷାକପତ୍ର ପିନ୍ଧି ସୁଷମା ନିକଟରେ ଉପସ୍ଥିତ ହୋଇ କହିଲେ–ଆଉ ବେଳ ନାହିଁ, ସୁଷି ! ଏବେ ବାହାରି ପଡ଼ିବାକୁ ହେବ । ଯାଅ, ଶୀଘ୍ର ମା’ ଠାରୁ ବିଦାହୋଇ ଆସ । ଆଉ ବାଉଲିମାକୁ ମଧ୍ୟ ପ୍ରସ୍ତୁତ ହେବାକୁ କହି ଦିଅ । ଠିକ୍‍ ଏହି ସମୟରେ ଟେକ୍‍ସିଟା ପହଞ୍ଚି ହର୍ଣ୍ଣ ଦେଲା । ହରିଶଙ୍କର କହିଲେ–ଆଉ ଡେରି କର ନାହିଁ-

 

ପ୍ରତିଦିନ ଶୁଭ୍ର ଶାଢ଼ୀ ଖଣ୍ଡିଏ ପିନ୍ଧି ସୁଷମା ଯେପରି ରାଧାପ୍ରିୟାଙ୍କ ଆଗରେ ଆସି ଉପସ୍ଥିତ ହୁଏ । ଆଜି ମଧ୍ୟ ସେହିପରି ଆସି ଉପସ୍ଥିତ ହେଲା । ରାଧାପ୍ରିୟା ଅନ୍ୟମନସ୍କ ଭାବରେ ଭେଳକା ମାରିଲାପରି କ’ଣ ଯେ ଭାବୁଥିଲେ ବା ଭାବୁ ନ ଥିଲେ ତା’ ଯେ ଦିନରାତି କରିୁଛନ୍ତି ସେହି ଜାଣନ୍ତି । ବାହାରର ଘଟଣାବଳୀ ତାଙ୍କ ଚକ୍ଷୁ ସମକ୍ଷରେ ଘଟୁଥିଲେ ସୁଦ୍ଧ ମନ ଉପରେ ଯେ ତାହା କୌଣସି ରେଖାପାତ କରିପାରୁଛି ସେପରି ଜଣାଯାଉ ନ ଥିଲା । ଏହିପରି ଅବସ୍ଥାରେ ସୁଷମା ଆସି ପାଦମୂଳରେ ମସ୍ତକ ସ୍ପର୍ଶ କରି ଜୁହାରଟିଏ ହେଲା ଏବଂ ଅତି ନମ୍ର ଭାବରେ କହିଲା–‘ଯାଉଛି ମା’ ।’

 

ରାଧାପ୍ରିୟା କେବଳ ଜଳଜଳ ହୋଇ ଅନେଇଁ ରହିଲେ, ତୁଣ୍ଡରେ ପଦେ ସୁଦ୍ଧା କଥା ବାହାରି ପାରିଲା ନାହିଁ । ରାଧାପ୍ରିୟାଙ୍କ ମନ ରାଧାପ୍ରିୟାଙ୍କ ଭିତରେ ନ ଥିଲା ।

 

କ୍ଷଣକ ପରେ ସୁଷି ଏହି ଜମିଦାର ଗୃହର ସମସ୍ତ ସୁଷମା ନେଇ ଚିରକାଳ ପାଇଁ ବିଦାୟ ହୋଇଗଲା ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ଭୁବନେଶ୍ୱର ଷ୍ଟେସନରେ ପହଞ୍ଚି, ସେଠାରୁ ଗୋଟାଏ ବଳଦ ଗାଡ଼ି ଭଡ଼ା କରି ସୁଷିର ଗ୍ରାମକୁ ଯିବାଟା ସହଜ । ମାତ୍ର ସେପର୍ଯ୍ୟନ୍ତ ଯିବାକୁ ହରିଶଙ୍କରଙ୍କର ମନ ବଳୁ ନ ଥିଲା । ରେଲରେ ଆସୁଁ ଆସୁଁ ସେ ଭାବିଥିଲେ ଭୁବନେଶ୍ୱର ଷ୍ଟେସନରୁ ଫେରିବେ, ଆଉ ଅଗ୍ରସର ହେବେ ନାହିଁ; କିନ୍ତୁ ଷ୍ଟେସନରେ ପହଞ୍ଚି ହରିଶଙ୍କର ସେ କଳ୍ପନା ପରିତ୍ୟାଗ କଲେ । ସୁଷିକୁ ଘରେ ନେଇ ପହୁଞ୍ଚାଇ ଦେବାକୁ ଆଉ କିଏ ଅଛି ? ସଙ୍ଗରେ ହୁସିଆର ଲୋକ କେହି ନାହିଁ । ଖାଲି ବାଉଲାମାଟି ମାତ୍ର ସହାୟ । କିନ୍ତୁ ତା’ ଉପରେ ଏ କାର୍ଯ୍ୟର ଭାର ଦେଇ ହରିଶଙ୍କର କି ନିଶ୍ଚିନ୍ତ ହୋଇପାରନ୍ତି ? ନା, ନିଜକୁ ଶେଷ ପର୍ଯ୍ୟନ୍ତ ଯିବାକୁ ପଡ଼ିବ । ସୁତରାଂ ନିତାନ୍ତ ଅନିଚ୍ଛାସତ୍ତ୍ୱେ ହରିଶଙ୍କର ତାହା ହିଁ କଲେ ।

 

ଶୁଭ୍ର, ସୁନିର୍ମ୍ମଳ ଚନ୍ଦ୍ରାଲୋକ ପଡ଼ି ପଲ୍ଲୀର ଶ୍ରୀ ଯେପରି ହସି ଉଠୁଛି । ବୃକ୍ଷଲତା, ପଥପ୍ରାନ୍ତର ସବୁ ଏକାବେଳକେ ପରିପ୍ନୁତ । ଅବାରିତ ଗତିରେ, ଅନନ୍ତ ସ୍ରୋତରେ ତାହା ଊର୍ଦ୍ଧ୍ୱଦେଶରୁ ତଳକୁ ଝରୁଛି । କେଉଁ ସୁଦୂର ପରୀରାଜ୍ୟର ସ୍ୱପ୍ନମୟ ଆଦେଶ ପୃଥିବୀ ଉପରେ ଅନବରତ ବର୍ଷିତ ହେଉଛି । ଟିକିଏହେଲେ ବିରାମ ନାହିଁ, ବିଶ୍ରାମ ନାହିଁ । ଚନ୍ଦ୍ରଭୁବନରୁ ଆରମ୍ଭ କରି ଧରିତ୍ରୀର ଶ୍ୟାମସୀମା ଯର୍ଯ୍ୟନ୍ତ ସମସ୍ତ ଜଗତ୍‍ ଶୁଭ୍ର ସୁଷମାରେ ପରିପୂର୍ଣ୍ଣ କରି ରଖିବାକୁ ସତେ ଯେପରି କାର ଅକ୍ଲାନ୍ତ ଉଦଯୋଗ ! ତାହାରି ଫଳରେ ଆଜି ସମସ୍ତ ପ୍ରକୃତି ଶୁଭ୍ର ସୁନ୍ଦର ହୋଇଉଠିଛି । ଚନ୍ଦ୍ରିକାବିଧୌତ ବୃକ୍ଷଲତାର ରୁଚିର ରୂପକାନ୍ତି ଦେଖିଲେ ଆନନ୍ଦରେ ସେଗୁଡ଼ିକୁ କୁଣ୍ଢେଇ ପକେଇବାକୁ ଇଚ୍ଛା ହେଉଛି । ପ୍ରାଣରେ ଅନନ୍ତ ଉନ୍ମାଦନା ଡେଇଁ ଉଠୁଛି । ହରିଶଙ୍କର ଭାବୁଛନ୍ତି–ସୁଷିର ଗ୍ରାମଟି କି ସୁନ୍ଦର ! ଦିନେ ଏହି ସୁନ୍ଦର ଗ୍ରାମଟି କଦର୍ଯ୍ୟ ଥିଲା ! ଜଳକର୍ଦ୍ଦମରେ କି କୁତ୍ସିତ ଦେଖା ଯାଉଥିଲା ! କିନ୍ତୁ ଏଇ ଅଳ୍ପ କେତେଟା ଦିନ ଭିତରେ ପୁଣି କି ସୁନ୍ଦର ହୋଇ ଉଠିଛି ! ଆହା, ଚିରଦିନ ଯଦି ଏହା ଏହିପରି ରହିପାରନ୍ତା, ତା’ ହେଲେ କି ସୁନ୍ଦର ସ୍ୱର୍ଗ ନ ହୁଅନ୍ତା-! କିନ୍ତୁ ପୁନର୍ବାର ବନ୍ୟାର ବିଭୀଷିକା ଆସିବ, ଉତ୍କଳର ମସ୍ତକରେ ବିଧାତାର ସେହି ପ୍ରଚଣ୍ଡ ଅଭିଶାପ ବର୍ଷକୁ ବର୍ଷ ବର୍ଷିତ ହେବ । ଗୃହ ଭବନ ଭାଙ୍ଗିବ, ଶସ୍ୟସୁଷମା ମଉଳିବ, ଦୂର୍ଭିକ୍ଷ ତର୍ଜିବ, ସମସ୍ତ ଶ୍ରୀ–ସମ୍ପଦ ତୁଟିବ । ହାୟରେ ଲଲାଟ !

 

ଭାବନାର ସ୍ରୋତରେ ଭାସି ଭାସି ହରିଶଙ୍କର ଚାଲିଲେ । ଗାଡ଼ି ଲକ୍ଷ୍ୟସ୍ଥାନର ନିକଟରୁ ନିକଟତର ହେବାକୁ ଲାଗିଲା । ଗୋଟି ଗୋଟି ହୋଇ ସଦ୍ୟ ଅତୀତର ଅନେକ ସ୍ମୃତି ମନରେ ଜାଗ୍ରତ ହେଲା । ଏହି ସେହି ଗ୍ରାମ,–ଏହି ସେ ଗ୍ରାମର ରାସ୍ତା,–ଏହି ଗ୍ରାମର ଗୋଟିଏ ଅନାଥିନୀ ବିଧବାର ଅର୍ଦ୍ଧଭଗ୍ନ ଗୃହକୁ ସେଦିନ ତାଙ୍କର ଆଗମନ,–ସୁଷି ସହିତ ସାକ୍ଷାତ,–ସୁଷିକୁ ଜୀବନସଙ୍ଗିନୀ କରିବାର ସଂକଳ୍ପ ।

 

ଆହା ! ସବୁ ସ୍ୱପ୍ନ, ସବୁ ମିଥ୍ୟା, ମୂଳରୁ ଶେଷପର୍ଯ୍ୟନ୍ତ ସମୟ ହିଁ ଶୂନ୍ୟ ବୁଦ୍‍ବୁଦ୍‍ ! ହରିଶଙ୍କରଙ୍କର ମନେ ହେଲା–ସତେ ଯେପରି ସେ ଗୋଟାଏ ଚଳନ୍ତି ଗାଡ଼ିର ଚକ ଉପରେ ପଡ଼ି ରହି ଉଠୁଛନ୍ତି–ପଢ଼ୁଛନ୍ତି, ଯାଉଛନ୍ତି–ଫେରୁଛନ୍ତି । ଚକ ଘୁରୁଛି, ସେ ମଧ୍ୟ ଘୂରୁଛନ୍ତି । ଜୀବନଟା କେବଳ ଘୂର୍ଣ୍ଣନ ! କେବଳ ଆବର୍ତ୍ତନ–ବିବର୍ତ୍ତନ ! ଆଉ କିଛି ନା ।

 

ଦେଖୁଁ ଦେଖୁଁ ଗାଡ଼ିଟା ଆସି ନିତାନ୍ତ ନିକଟବର୍ତ୍ତୀ ହେଲା । ଗାଡ଼ିବାଲା ପଚାରିଲା–କୁଆଡ଼େ ନେବି ବାବୁ ? ହରିଶଙ୍କରଙ୍କ ଚିନ୍ତାସ୍ରୋତ ବାଧା ପାଇଲା । ସେ ଅଙ୍ଗୁଳି ସଙ୍କେତ କରି କହିଲେ–ଏଇ ଯେ ପୋଖରୀଟା ଦେଖାଯାଉଛି, ତା’ ପାଖରେ ଯେଉଁ ଘର ସେଇ ଘରକୁ ନେଇ ଚାଲ । ଗାଡ଼ିବାଲା ଅବିଳମ୍ୱେ ନେଇ ସେହିଠାରେ ଗାଡ଼ି ହାବୁଡ଼େଇ ଦେଲା । ସେତେବେଳକୁ ସୁଷିର ଟିକିଏ ତନ୍ଦ୍ରା ଆସିଯାଇଥିଲା । ହରିଶଙ୍କର ଡାକିଲେ–ସୁଷମା, ଉଠ, ଗାଡ଼ି ଯେ ପହଞ୍ଚିଗଲାଣି । ସୁଷମା ଧଡ଼ପଡ଼ ହୋଇ ଉଠିଲା । ଗୋଟି ଗୋଟି ହୋଇ ଗାଡ଼ିରୁ ସମସ୍ତେ ଅବତରଣ କଲେ । ସଙ୍ଗରେ ଜିନିଷପତ୍ର ବିଶେଷ କିଛି ନ ଥିଲା । କେବଳ ଗୋଟିଏ ପୋଟଳା । ବୋଧହୁଏ ସୁଷି ଓ ବାଉଲିମାର ଖଣ୍ଡି କେତେ ପିନ୍ଧିବା ଲୁଗା ।

 

ଘରଟି ତାଲାବଦ୍ଧ ଥିଲା । ହରିଶଙ୍କର ପକେଟରୁ ଚାବି ଥୋଳାଟିଏ କାଢ଼ି, ତହିଁ ମଧ୍ୟରୁ ତିନି ଚାରୋଟି ଚାବି ରିଙ୍ଗ୍‍ ଦେହରୁ ବାହାରକରି, ବାଉଲିମା ହାତକୁ ବଢ଼ାଇଦେଲେ ଏବଂ ସଦର ଦରଜା ଓ ଭିତର ଘରଗୁଡ଼ିକ ଖୋଲିବାକୁ ଆଦେଶ ଦେଲେ । ଗାଡ଼ିବାଲା ସେହିକ୍ଷଣି ବିଦାହୋଇ ଯିବାକୁ ଚାହିଁବାରୁ ହରିଶଙ୍କର କହିଲେ ନା–ନା, ଟିକିଏ ଅପେକ୍ଷା କର, ମୋତେ ଷ୍ଟେସନକୁ ଫେରାଇ ନେଇଯିବାକୁ ହେବ । ଗାଡ଼ିବାଲା ଆଶ୍ଚର୍ଯ୍ୟହୋଇ କହିଲା–ଡବଲ ଭଡ଼ା ପଡ଼ିବ ବାବୁ । ହରିଶଙ୍କର ଜବାବ୍‍ ଦେଲେ–ପରବାୟ ନାହିଁ, ଏହିକ୍ଷଣି ନେବୁ ? ଗାଡ଼ିବାଲା କହିଲା–ହଁ ବାବୁ ଭଲ ହୁଅନ୍ତା । ହରିଶଙ୍କର ମନିବେଗ୍‍ରୁ ଟଙ୍କା କାଢ଼ି ତା’ର ଡବଲ ଭଡ଼ା ସମେତ ସମସ୍ତ ପାଉଣା ନିର୍ବିବାଦରେ ଚୁକ୍ତି କରିଦେଲେ ଏବଂ ଗାଡ଼ିକୁ ରାସ୍ତା ଉପରକୁ ନେଇ ବଳଦ ଯୋଟି ରଖିବାକୁ କହିଲେ ।

 

ସୁଷି ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇ କ’ଣ ଭାବୁଥିଲା ସେ ଜାଣେ । ହରିଶଙ୍କର ତା’ର ସମୀପବର୍ତ୍ତୀ ହୋଇ ଧିରେ ଧିରେ କହିଲେ–‘ସୁଷି ଏଇଟା ରଖ, ଯେତେବେଳେ ଯାହା ଦରକାର ତାହା ଖର୍ଚ୍ଚ କରିବ । ଆଉ ଅଭାବ ହେଲେ ମୋତେ ଜଣେଇବ । ଏହା କହି ସେ ସୁଷିର ହାତରେ ସମଗ୍ର ମନିବେଗ୍‍ଟା ଗୁଞ୍ଜିଦେଲେ । ସୁଷି ରୁଦ୍ଧ କଣ୍ଠରେ ଚକ୍ଷୁ ଦୁଇଟି ଛଳ ଛଳ କରି ଭୂମିଲଗ୍ନ ଦୃଷ୍ଟିରେ ଚାହିଁ ରହିଲା । ହରିଶଙ୍କର ପଚାରିଲେ–‘ ତମର କିଛି ଭୟ ହେଉଛି ସୁଷି ?’ ସୁଷି ମୁଣ୍ଡହଲେଇ ଦୃଢ଼ ସ୍ୱରରେ ଉତ୍ତର ଦେଲା–‘ନା’ ।

 

ହରିଶଙ୍କର କହିଲେ–ତେବେ ଯାଅ । କିଛି ଚିନ୍ତା କରିବ ନାହିଁ, ବ୍ୟସ୍ତ ହେବନାହିଁ । ମନୁଷ୍ୟର ମସସ୍ତ ଅଭିଳାଷ ଗୋଟାଏ ଜନ୍ମରେ ପରିପୂର୍ଣ୍ଣ ହୁଏ ନାହିଁ. ସୁଷି ।

 

ଏହା କହି ସେ ସୁଷିର ହସ୍ତଟି ଧରି ପ୍ରାଣର ସମସ୍ତ ସ୍ନେହାଦର ଅଲକ୍ଷରେ ତାହାରି ଉପରେ ଅଜାଡ଼ି ଦେଇ ବିଦାୟ ନେଲେ । ସୁଷି ଅନ୍ୟମନସ୍କ ଭାବରେ ଠିଆହୋଇ ରହିଲା ।

 

ବାଉଲିମା ଘରଗୁଡ଼ିକ ଖୋଲିଦେଇ ଦ୍ୱାରପାଖକୁ ଆସି ଡାକିଲା–ଭିତରକୁ ଆସ ମା’ । ବାହାରଟାରେ ଛିଡ଼ାହୋଇ ରହିବାଟା ଭଲ ନୁହେଁ ।

 

ସୁଷିର ଅନ୍ୟମନସ୍କତା ଭାଙ୍ଗିଗଲା । ସେ ଧୀରେ ଧୀରେ ଗୃହ ମଧ୍ୟରେ ପ୍ରବେଶ କରିବାକୁ ଆରମ୍ଭ କଲା ।

 

ରାତ୍ରି ସେତେବେଳକୁ ପ୍ରଭାତ ହୋଇ ଆସିଥିଲା । ପୂର୍ବଦିଗରେ ସିନ୍ଦୁରା ଫାଟି ସାରିଥିଲା । ସମସ୍ତଙ୍କ ଆଗେ ଯେଉଁ ଡାମରାକାଉଟାର ନିଦ୍ରଭଙ୍ଗ ହୁଏ ଏବଂ ଘରେ ଘରେ ବୁଲି ଯେ ପ୍ରଭାତର ଆଗମନ କା-କା କରି ଜଣେଇଦେଇଯାଏ, ସେହି କାଉଟା ଆଜି ଘର ଉପରେ ବସି ପୂର୍ବପରି ସଙ୍କେତ ଦେଇଗଲା ଏବଂ ବକ୍ର ନୟନରେ ଚାହିଁ ଦେଖିଗଲା–ଶୂନ୍ୟମନ୍ଦିରଟିରେ ପୁଣି ଦୁଇଟି ଲୋକର ଆବିର୍ଭାବ ହେଲାଣି ।

 

ବାଉଲିମା ଡାକିଲା–ରାଣୀ !

 

ସୁଷମାର ପୁରା ନାମ–ସୁଷମାରାଣୀ । ବାଉଲିମା ତାକୁ ଚିରଦିନ ‘ରାଣୀ’ ବୋଲି ଡାକେ-। କିନ୍ତୁ ସେହି ପୁରାତନ ଡାକଟା ଆଜି ତାକୁ ନୂତନ ଶୁଣାଗଲା । ସେ ପ୍ରାୟ ଚମକି ଉଠିଲା-। କିନ୍ତୁ କ୍ଷଣକ ମଧ୍ୟରେ ସେ ନିଜକୁ ଆୟତ କରିନେଇ ମନେ ମନେ ଅପରିସୀମ ଦୃଢ଼ତାର ସହିତ କହିବାକୁ ଲାଗିଲା–ହଁ ଠିକ୍‍, ସେ ରାଣୀ, ପର୍ଣ୍ଣକୁଟୀରବାସିନୀ ସୌଭାଗ୍ୟମୟୀ ରାଣୀ-। ଆଉ ହୃଦୟ-ସିଂହାସନରେ ଅଧିଷ୍ଠିତ ତା’ର ରାଜାର ନାମ–ହରିଶଙ୍କର ।

 

ଉତ୍ସାହରେ ତା’ର ସମଗ୍ର ପ୍ରାଣ ଉଜ୍ଜ୍ୱଳ ହୋଇଉଠିଲା । ସେ ଜବାବ୍‍ ଦେଲା–କ’ଣ କହୁଛୁ, ବାଉଲିମା ?

 

ବାଉଲିମା କହିଲା–ପାଣି ଦାନ୍ତକାଠି ଆଣି ଥୋଇଦେଇଛି, ଦାନ୍ତ ଘସିପକାଅ ମା । ବାବୁ କ’ଣ ଚାଲିଗଲେ ?

 

ସୁଷମା କହିଲା–ହଁ, କାହିଁକି ?

 

ବାଉଲିମା ଜବାବ୍‍ ଦେଲା–ଆଚ୍ଛା, ଗଲେ ଯାଉନ୍ତୁ । ମୋ ପାଖରେ ଅଛି ।

 

ସୁଷମା ଆଶ୍ଚର୍ଯ୍ୟ ହୋଇ ପଚାରିଲା–ତୋ ପାଖରେ କ’ଣ ଅଛି, ବାଉଲିମା ?

 

ବାଉଲିମା କହିଲା–ଢେର ଅଛି । ସାଆନ୍ତାଣୀମା (ରାଧାପ୍ରିୟା) ଖୁସିହୋଇ ବେଳେ ଅଧେ ଯାହା ମୋତେ ଦେଇଛନ୍ତି ତା’ର ଗୋଟାଏ ଛଦାମ ବି ଖର୍ଚ୍ଚ ହୋଇନାହିଁ, ସେମିତି ଅଛି, ଦେଖିବ ?

 

ଏହା କହି ସେ ତରତର ହୋଇ ଗାଞ୍ଜିଆ ଖୋଲି ଚାରି ପାଞ୍ଚ ଟଙ୍କାର ରେଜକି କାଢ଼ିପକାଇଲା ।

 

ସୁଷମା ପଚାରିଲା–ସେ ସବୁ କ’ଣ ହେବ ବାଉଲିମା ?

 

ବାଉଲିମା ଉତ୍ତର ଦେଲା–ଦିନ ପାଞ୍ଚ ସାତଟା କ’ଣ ଏଥିରେ ଚଳିବ ନାହିଁ ? ଖୁବ୍‍ ଚଳିବ । ତେଣିକି ଦେଖାଯିବ, ହାତ ଗୋଡ଼ ଅଛି ।

 

ସୁଷମା ତା’ର କଥାଗୁଡ଼ାକ ଶୁଣି ସେ ଅବସ୍ଥାରେ ସୁଦ୍ଧା ବେଶ ଆମୋଦ ଅନୁଭବ କଲା-। ଓଷ୍ଠାଧରପୁଟରେ କିଞ୍ଚିତ୍‍ ହାସ୍ୟରେଖା ଖେଳାଇ ସେ କୌତୁକ କରି ପଚାରିଲା–ତା’ପରେ-?

 

ବାଉଲିମା କହିଲା–ତା’ପରେ ‘ଗତର’ ଖଟେଇ ବାଉଲିମା ଦୁଇଟା ପେଟ ପୋଷିପାରେ-

 

ସୁଷମା ହସି ହସି ପଚାରିଲା–ଏତେ ସାହସ ?

 

ବାଉଲିମା ଟାଣ୍‍ ହୋଇ ଜବାବ୍‍ ଦେଲା–ତା’ ଦେଖିବୁ ରାଣୀ !

ସୁଷମା ମୃଦୁ ହାସ୍ୟ କରି କହିଲା–ହଉ ହଉ, ଏବେ ସବୁ ରଖ୍‍ । ଦରକାର ହେଲେ ବାହାର କରିବୁ । ଏଇକ୍ଷଣି ଆଉ, ସେଇ ଘରେ ଯେ ମନିବେଗ୍‍ଟା ପଡ଼ିଛି, ସେଟା ଆଣ୍‍ତ ।

ଘର ଭିତରକୁ ପ୍ରବେଶ କରି ବାଉଲିମା ଅଣ୍ଡାଳି ହୋଇ ପଚାରିଲା–ଏଁ ! ‘‘ମଣିଆବେଙ୍ଗ’’ କାହିଁ ମା’ ?

ସୁଷମା କହିଲା–ସେଇ ଯେ ଜିନିଷଟା ପଡ଼ିଛି, ଆଣ୍‍ ।

ବାଉଲିମା ତା’ ଆଣି ସୁଷମାର ହାତରେ ଦେଲା । ସୁଷମା ଖୋଲି ଦେଖିଲା–ସେଥିରେ ନୋଟ, ଟଙ୍କା, ରେଜିକି ମିଶି ଅନେକ ଗୁଡ଼ାଏ ଅଛି । ପ୍ରାୟ ତିନିଶ ଟଙ୍କାରୁ କମ୍‍ ନୁହେଁ । ସୁଷମା ସେଥିରୁ ଦୁଇଟା ଟଙ୍କା ବାହାର କରି ବାଉଲିମାକୁ ଦେଇ କହିଲା–ଏଇ ନେଇଯା, ଗୋବିନ୍ଦ ପଧାନ ଦୋକାନରୁ ଯାହା ଯାହା ଦରକାର ସବୁ ନେଇଆସିବୁ ।

ବାଉଲିମା ଚକ୍ଷୁ ଲଲାଟସ୍ଥ କରି ପଚାରିଲା–ସେ କାଗଜଗୁଡ଼ାକ ‘ଲୋଟ’ ନା କ’ଣ ରାଣୀ !

ସୁଷମା ହସି ହସି କହିଲା–ହଁ ଲୋଟ । ତୋ ଗାଞ୍ଜିଆରେ ରଖିଥା, ନେ ।

ବାଉଲିମା ଚମକି ପଡ଼ି ଜବାବ ଦେଲା–ଲୋ ମା ! ତାକୁ ସମ୍ଭାଳିବ କିଏ ? ତମ ପାଖରେ ଥାଉ ।

 

ଏହା କହି ସେ ଟଙ୍କା ଦୁଇଟି ନେଇ କାନିରେ ବାନ୍ଧିଲା । ମନେ ମନେ କହିଲା–ରଜାର ପିଲା, ତା’ର କ’ଣ ଅଭାବ ? ଗୁପ୍ତେ ଗୁପ୍ତେ ଗୁଞ୍ଜିଦେଇ ଯାଇଛି, ବସି ଖାଉଥା । ଆଉ ରାଣୀର ବି ମନମୋହିନେବା କରାମତି ବେଶ୍‍ ଅଛି । ହାୟ ହାୟ, ନିଆଁ ଦରପୋଡ଼ ଜାତିଟା ସିନା ସବୁ ଗୋଳମାଳ କରିଦେଲା । ନହେଲେ, ରାଣୀ ଠିକ୍‍ ରାଣୀ ହୋଇ ବସିଥାନ୍ତା ।

 

ଏହିପରି ଭାବୁ ଭାବୁ ବାଉଲିମା ହଠାତ୍‍ ମୁହଁ ପଛକୁ ବୁଲାଇ ଜିଭ କାମୁଡି ପକେଇଲା । ନିଜକୁ ଶାସନକରି ମନେ ମନେ କହିଲା–ଆଲୋ ମା ! ମୁଁ କ’ଣ ଭାବୁଛି ଲୋ ! ବଡ଼ ଘରର ବଡ଼ କଥା, କେତେବେଳେ ତୁଣ୍ଡଟା ଖସିଯିବ, କ’ଣ ବୋଲି କ’ଣ ବାହାରି ପଡ଼ିବ, ଆଳୁ ଖୋଳୁଁ ଖୋଳୁଁ ମହାଦେବ ବହାରିବ । ମୁଁ ଦୁଃଖୀ ଲୋକ, ମୋର ସେ କଥାରୁ କ’ଣ ଯାଏ ଆସେ ଲୋ ମା ! ଚୁପ୍‍ ଚୁପ୍‍ ଚୁପ୍‍ ।

 

ଏହିପରି ଭାବି ବାଉଲିମା ପ୍ରତିଜ୍ଞା କଲା–ସେ ଯାହା ଯାହା ଜାଣେ, ତା’ କାହରି ପାଖରେ କିଛି ତୁଣ୍ଡ ଖୋଲି କହିବ ନାହିଁ । ବାବୁ ବଡ଼ ମହତ୍‍ ଲୋକ, ରାଣୀ ଝିଅଟି ବି ବଡ଼ ସୁନ୍ଦର, ଦେଖିଲା ମାତ୍ରେ ମାୟା ହୁଏ । ସେ ଦୁଇଟି ପ୍ରାଣୀର କଥା ସେ ନିଜେ କାହାରିକୁ କିଛି କହି ନିଷ୍କଳଙ୍କ ପ୍ରତିମା ଦେହରେ କଳଙ୍କ ବୋଳିବ ନାହିଁ ।

 

ବାଉଲିମା ଘର ଦ୍ୱାର, ମେଲା ଅଗଣା ସବୁ ଝାଡ଼ି ପହରେଇ ସଫା ସୁତୁରା କରିବାକୁ ଲାଗିଲା । ଶୀଘ୍ର ଶ୍ରୀଘ୍ର ସେ ସବୁ ଧନ୍ଦା ସାରି ସେ ଦୋକାନକୁ ବାହରିଯିବା ପାଇଁ ତତ୍ପର ହୋଇପଡ଼ିଲା ।

 

ସୁଷମା ଦାନ୍ତ ଘସୁ ଘସୁ ଭାବିବାକୁ ଲାଗିଲା–ତା’ର ବିଚିତ୍ର ଜୀବନର କଥା । ମନରେ ସେ ଅପୂର୍ବ ଦୃଢ଼ତା ଧରି ସେହି ବୈଚିତ୍ରମୟ ଜୀବନପଥରେ ନିର୍ଭୟରେ ଚାଲିବାକୁ ସଙ୍କଳ୍ପ କଲା । ଯାହାର ଅଲକ୍ଷିତ ହସ୍ତ ତାକୁ ସଂସାରରେ ଟାଣିନେଇ ଚାଲିଛି, ତାହାର ତାକୁ ଯେଉଁଆଡ଼କୁ ନେବାର ଇଚ୍ଛା, ସେ ଆଡ଼କୁ ନେଉ । ସେଥିରେ ସେ ବିଚଳିତ ହେବ କାହିଁକି ?

 

ଦିନ ପରେ ଦିନ କଟିଯିବାକୁ ଲାଗିଲା । ଦିନ ସମସ୍ତଙ୍କର କଟେ । ରଜାର କଟେ ମୂଲିଆର ବି କଟେ । ସୁଖୀର କଟେ, ଦୁଃଖୀର ବି କଟେ । ସନାଥାର କଟେ, ଅନାଥାର ମଧ୍ୟ କଟେ-। ଏହିଟାହିଁ ଏ ଦୁନିଆର ସାନ୍ତ୍ୱନାର କଥା । ତେବେ କାହାର ହର୍ମ୍ୟକୋଳରେ କଟେ, କାହାରବା ପର୍ଣ୍ଣକୁଟୀରରେ କଟେ । କାହାର ସ୍ୱର୍ଣ୍ଣପଲଙ୍କରେ ଦିନ ଯାଏ, କାହାର ବା ତୃଣଶଯ୍ୟାରେ ଯାଏ-। ଏଇମାତ୍ର ପ୍ରଭେଦ । ଏହି ପ୍ରଭେଦଟିକ ନେଇ ସୁଷମାର ଦିନ ଗୁଡ଼ିକ ବେଶ୍‍ କଟିଯିବାକୁ ଲାଗିଲା-। ବାଉଲିମା ତା’ର କଡ଼େ କଡ଼େ ଥାଏ, ନିଜର ସ୍ତନ୍ୟପାଳିତ କନ୍ୟାଟି ପରି ତାକୁ ସ୍ନେହ କରେ, ସ୍ନେହମମତାର ବନ୍ଧନ ପ୍ରଗାଢ଼ରୁ ପ୍ରଗାଢ଼ତର ହୋଇଉଠେ, ମା’-ଝିଅ ପରି ଦୁଇପ୍ରାଣୀ ଆନନ୍ଦରେ ଚଳିଯାନ୍ତି । ଉଭୟ ଭୟଙ୍କର କଥା ବୁଝନ୍ତି । ଜଣେ ଆଉ ଜଣଙ୍କର ମନନେବାକୁ ସବୁବେଳେ ଚେଷ୍ଟିତ ଥିଲେ, ସଂସାରରେ ଯେଉଁ ଶାନ୍ତି ସୁଧାର ପ୍ରବାହ ଲୀଳାୟିତ ଗତିରେ ବୋହିଯାଏ, ଏହି ପଲ୍ଲୀର ପର୍ଣ୍ଣକୁଟୀରଟିରେ ତାହା ଦିନ ପରେ ଦିନ ବୋହିଯାଉଥିଲା । ବାଉଳିମା ସୁଷିର ଜୀବନ-ଇତିହାସର ଗୁପ୍ତରହସ୍ୟଟି କାହାରି ପାଖରେ ଖୋଲି କହେ ନାହିଁ । ମନରେ ଭୟ–କାଳେ ସେହି ସ୍ନେହମୟ ଯୁବକ ଯୁବତୀ ଦୁଇଟିର ଚରିତ୍ରରେ ଆଞ୍ଚ ଲାଗିବ । ପ୍ରତିବେଶିନୀମାନେ ତାକୁ ଅନେକ କଥା ପଚରା ଉଚରା କରନ୍ତି, ଫାନ୍ଦରେ ପକାଇ ବେଳେ ଅଧେ ଗୋଟାଏ କଥା ପେଟରୁ ବାହାର କରିନେବାକୁ ଦୁଷ୍ଟପ୍ରକୃତିର ଲୋକେ ମଧ୍ୟ ଚେଷ୍ଟା କରନ୍ତି, ମାତ୍ର ବାଉଳିମା ସେ ବିଷୟରେ ବଡ଼ ସତର୍କ ଥାଏ । ତଥାପି ପ୍ରତିବେଶୀ-ପ୍ରତିବେଶିନୀମାନେ କାନେ କାନେ ବେଳେ ଅଧେ ଫୁସ୍‍ ଫୁସ୍‍ ହୁଅନ୍ତି । ଦୁଇଟା ଲୋକ କେମିତି ଚଳୁଛନ୍ତି, ଏହି କଥାଟା ଭାବି ଭାବି ଜଣେ ଅଧେ ଲୋକଙ୍କୁ ନିଦ୍ରା ହୁଏ ନାହିଁ । କେହି ଅବା କହେ ବଡ଼ଲୋକର ଆଶ୍ରୟରେ ଅଛି, ଅଭାବ କ’ଣ-? ଅନ୍ୟ କେହି ବିଦ୍ରୂପ କରି ତା’ର ଜବାବ ଦିଏ–‘ହଁ ! ଏମିତି ଖାଲି ଖାଲି ଆଶ୍ରୟଦେବା ଲୋକ ଦୁନିଆରେ ମୁଁ ଢେର ଦେଖିଛି ।’ ଗୋଟାଏ କଥା ସେମାନଙ୍କୁ ବିଶେଷ ବ୍ୟସ୍ତ କରିପକାଏ-। ତା’ ହେଉଛି ଏହି ଯେ, ଯେଉଁ ଲୋକର ସେ ଆଶ୍ରିତା, ସେ କ’ଣ ଦେଖୁନାହିଁ ଯେ ଝିଅଟାର ବିବାହର ବୟସ ଅତିକ୍ରମ କରିଯାଉଛି । ଭିତରର କଥାଟା କ’ଣ ତାହା ଅନୁମାନ କରିବାକୁ ଚେଷ୍ଟାକରି କେତେଲୋକ ଘର୍ମାକ୍ତ ହୋଇଉଠନ୍ତି । ବାଉଲିମାକୁ ପଚାରିଲେ ସେ ଫାଙ୍କିଦେଇ କହେ–ହଃ, ତହୁଁ ବଳି ତହୁଁ ବଳି ଯୁବତୀ ଝିଅ ଲୋକମାନଙ୍କ ଘରେ ରହିଛନ୍ତି । ରାଣୀର ଏମିତି କେତେଗୁଡ଼ାଏ ବୟସ କି ? ବାହା ଲଗନ ଫିଟିଲେ ତ ହୁଏ, ପରଜାପତି ଘଟସୂତ୍ର, ସେ କ’ଣ କମ୍‍ କଥା-! ଯୋଗାଡ଼ ଲାଗିଛି ! ଦିନେ ହବ-

Image

 

ଊନବିଂଶ ପରିଚ୍ଛେଦ

 

ଦିନ ପରେ ଦିନ, ମାସ ପରେ ମାସ, ଏହିପରି ଗୋଟାଏ ପୁରାବର୍ଷ କଟିଗଲା । ହରିଶଙ୍କରଙ୍କର କୌଣସି ଖବର ନାହିଁ । ସୁଷିର ତତ୍ତ୍ୱନେବାକୁ ଆସିବା ଦୂରେଥାଉ, ଚିଠି ଖଣ୍ଡିଏ ବି ଦିଅନ୍ତି ନାହିଁ । ସେହି ଯେ ସେଦିନ ହରିଶଙ୍କର ଗୃହମଧ୍ୟରେ ପ୍ରବେଶ ସୁଦ୍ଧା ନ କରି ବାହାରୁ ବାହାରୁ ଚାଲିଗଲେ, ତା’ପରେ ଆଉ ଦେଖାନାହିଁ, ଦର୍ଶନ ନାହିଁ, କୌଣସି ସମ୍ପର୍କ ହିଁ ନାହିଁ । ବାଉଲିମା ଦିନେ ଦିନେ ଆଶ୍ଚର୍ଯ୍ୟ ହୋଇ ପଚାରେ–ରାଣୀ ! ବାବୁ କିଛି ଚିଠିପତ୍ର ଦେଇଛନ୍ତି ? ସୁଷମା କହେ କାହିଁ–ତୋତେ କି ଚିଠି ଦେବାକୁ କହିଯାଇଥିଲେ ? ବାଉଲିମା ଆହୁରି ଆଶ୍ଚର୍ଯ୍ୟ ହୁଏ । ଉତ୍ତର ଦିଏ–ମୋ ସାଙ୍ଗରେ ଆଉ ତାଙ୍କର କେତେବେଳେ କଥାବାର୍ତ୍ତା ହେଲା ମା’ ? ମୁଁ ତ ଯାଉଁ ଯାଉଁ ସେ ଛୁ । ତମେ ବି ଟିକିଏ ଭିତରକୁ ଡାକିଲ ନାହିଁ, ସେ ବି ଭିତରକୁ ପଶିଲେ ନାହିଁ । ଏସବୁ କ’ଣ ରାଣୀ ?

 

ସୁଷମାରାଣୀ ଜବାବ ଦେଇ କହେ–ତୁ କାହିଁକି ଏତେକଥା ଭାବୁଛୁ ବାଉଲିମା ? ବାବୁଙ୍କ ପାଇଁ କ’ଣ କୌଣସି କଥା ଅଟକି ଯାଇଛି ? ଏଠି ଆସି ସେ କ’ଣ କରିବେ ?

 

ବାଉଲିମା ତଟସ୍ଥ ହୋଇକହେ–କି କଥା କହୁଛ ରାଣୀ ? କିଛି କରିବାର ନାହିଁ ବୋଲି, ଲୋକେ କ’ଣ ଏକାବେଳକେ ପାସୋରି ଦିଅନ୍ତି ? ଏ କି ଧାରା ?

 

ସୁଷି କହେ–ସେ ସବୁ କଥା ଭାବି କ’ଣ ଲାଭ ବାଉଲିମା ? ସେଥିପାଇଁ ତୁ ବ୍ୟସ୍ତ ହେଉଛୁ କାହିଁକି ? ତୋର କିଛି ଅସୁବିଧା ହେଉଛି ?

 

ବାଉଲିମା ଉତ୍ତର ଦିଏ–ସେଇ କଥା ତମର ଗଲାନାହିଁ ରାଣୀ ! ମୋର ପୁଣି କି ଅସୁବିଧା ମ ? ମୋ ପେଟଟା କ’ଣ ଓପାସ ରହିଛି ? ମୁଁ କ’ଣ ଖାଇବାକୁ ପାଉନାହିଁ, ନା ପିଇବାକୁ ପାଉନାହିଁ ? ନା, ତମଠାରୁ ଅଧିକ କେହି ମୋର ନିଘାମାନ କରିବ ? ସେ କଥାକୁ କ’ଣ ମୁଁ ଭାବନା କରିଛି ରାଣୀ ! ଏହି କ’ଣ କି–ଦିନେ ନୁହେଁ, ଅଧେ ନୁହେଁ, ମାସେ ନୁହେଁ ପକ୍ଷେ ନୁହେଁ; ଆଜିକୁ ବର୍ଷକୁ ଉପର ହୋଇଗଲା । ବାବୁଙ୍କର ପତ୍ତା ନାହିଁ । ଖଣ୍ଡେ ଭାଷା ନାହିଁ, ଚିଟଉ ନାହିଁ । ମଣିଷର ତ ପୁଣି ଦିହ-ପା ଅଛି । ‘‘ତମର ଦିହ ମୁଣ୍ଡ ଭଲ ନା’’–ଏମିତି କରି ଦିଧାଡ଼ି ଲେଖି ଖଣ୍ଡେ ‘ପୁଷ୍ଟକାଠ୍‍’ ଫୋପାଡ଼ି ଦେଇ ପାରୁନାହାନ୍ତି ? ଏକି ଭୋଳାମହେଶ ଲୋ ମା’ !

 

ବାଉଲିମାର କଥା ଶୁଣି ସୁଷିର ହସ ଲାଗେ । ସେ କହେ–ସତେ ତ ! ଭାରି ଅଭଦ୍ର ବାବୁଟି ! ବାଉଲିମାର ଦିହମୁଣ୍ଡ କଥା ଥରେ ବୁଝିବା ଶୁଝିବା, ଭଲମନ୍ଦ ପଚାରିବା, କିଛି ନାହିଁ–ମହେଶ ଠାକୁର କଉଁଠି ବସି ଗଞ୍ଜେଇ ଟଣାରେ ଲାଗିଯାଇଛନ୍ତି ।

 

ସୁଷି କଥାଗୁଡ଼ାକ ଏପରି ମୁଖଭଙ୍ଗିକରି କହେ ଯେ ବାଉଲିମା ସ୍ୱର ଲମ୍ୱେଇଦେଇ ମନ୍ତବ୍ୟ ଝାଡ଼େ–ଯା ମଲା ! ସବୁବେଳେ ତମର ଟାଉଳି !

 

ଦିନେ ଦିନେ ବାଉଲିମା ଅତି ନିକଟକୁ ଘୁଞ୍ଚିଆସି ଫୁସ୍‍ ଫୁସ୍‍ କରି କହେ–ରାଣୀ ! ସତ କହିଲ, ମୋ ମୁଣ୍ଡ ଖାଇବ, ବାବୁଙ୍କୁ କିଛି କଡ଼ାକଥା କହିଛ ?

 

ସୁଷି ବିରକ୍ତ ହୋଇ ଜବାବ ଦିଏ–ଦୂର୍‍ ପୋଡ଼ାମୁହିଁ ? ସବୁବେଳେ ‘‘ବାବୁ–ବାବୁ’’ ବୋଲ ମଲୁ, ଆଉ ଲୋକଙ୍କୁ ଦିକ୍‍ କରି ମାରିଲୁ ! ବାବୁ ପାଇଁ ତୋର ପ୍ରାଣ କାହିଁକି ଛାଡ଼ିଯାଉଛିଲୋ ବାଉଲିମା ?

 

ବାଉଲିମା ଟିକିଏ ଦବିଯାଇ କହେ–ବୁଝିଲ ନାହିଁ, ବଡ଼ଘରର ପୁଅପରା ମା, ରଜାବାଦସାର କୁମର । ପାନରୁ ଟିକିଏ ଚୂନ ଖସିଗଲେ ଗଲା । ତମ ଆମ ଭଳି ଦୁଃଖୀ-ରଙ୍କିତ ନୁହନ୍ତି ଯେ ପାଞ୍ଚପଦ ଟାଣ ଟାଣ କରି ଝିଙ୍ଗାସି ପକେଇଲେ ବରଦାସ୍ତ କରିଯିବେ । ପଦେ ଅଧେ ଗରିଷ୍ଠକଥା ସେମାନଙ୍କ ଦିହରେ ଚାଏଁ ପରି ଲାଗିଯାଏ ।

 

ସୁର୍ଷି ଥଟ୍ଟାକରି କହେ–ଓହୋ ! ବୁଝିଲି ! ରାଧା ଦିହକୁ ବାଧା ଲାଗିଯାଏ ପରା ! ହଉ ଆଉ ପଛେ ସେପରି ନକହିବି ଲୋ ମା !

 

ବାଉଲିମା ଏହାଶୁଣି ଆହୁରି ସନ୍ଦେହ କରି ବସେ । ପଚାରେ–ରାଣୀ ! ସତେ କିଛି କହିଛ ?

 

ସୁଷି ଗମ୍ଭୀର ହୋଇ ତାମସା ଦେଖିବାପାଇଁ କହେ–ନ କହିବି କାହିଁକି ? ତାଙ୍କ ଘରକୁ ସେ ବଡ଼, ଆମ ଘରକୁ ଆମେ ବଡ଼ । ଏତେ ଡର କାହିଁକି ?

 

ବାଉଲିମା ସୁଷିର ମୁହଁକୁ ବଲ୍‍ ବଲ୍‍ କରି ଅନାଏ । ମନଟା ତା’ର ଆଶଙ୍କାରେ ପୂରିଉଠେ । ସେ ଭାବେ–କ’ଣ ହେଲା ? ସୁଷମା ତ ମାଛିକୁ ମର ବୋଲି କହିବା ଝିଅନୁହେଁ, ତା’ ତୁଣ୍ଡରୁ ଗୁଣି କି କଥା ବାହାରି ପଡ଼ିଲା ? ମାନୀଲୋକ ମାନ ମାରି ବସିରହିଲେ । ଏହା ଭାବି ସେ ଖୁବ୍‍ ଭାଳିହୁଏ ।

 

ସୁଷମା କୌତୁକ କରି ପଚାରେ–ତେବେ ଆଉ କ’ଣ ବାଉଲିମା ? ତାଙ୍କ ଗୋଡ଼ତଳେ ପଡ଼ିଥାନ୍ତି ?

 

ଏହା କହି ସେ ଖଳ ଖଳ ହୋଇ ହସିଉଠେ । ବାଉଲିମା ବୁଝିପାରେ–ସବୁ ମିଛ । ସୁଷି ଟାପରା କରୁଛି ।

 

ଦିନେ ବାଉଲିମା ଖଣ୍ଡେ ପୋଷ୍ଟକାର୍ଡ଼ ପାଇଁ ବରାତ କରି ଜଣେ ଲୋକହାତରେ ପଇସା ଗୁଞ୍ଜିଦେଲା । ପୋଷ୍ଟ ଅଫିସଟା ତିନିମାଇଲ ବାଟ । ଲୋକଟି ପୋଷ୍ଟକାର୍ଡ଼ ଖଣ୍ଡିଏ କିଣିଆଣି ତା’ ହାତରେ ଦେବାପରେ ବାଉଲିମା ତରତର ହୋଇ ଆସି ସୁଷି ପାଖରେ ହାଜର ହୋଇଯାଇ କହିଲା–ଏଇ ଆଣିଛି ରାଣୀ !

 

ସୁଷି ଖଣ୍ଡିଏ ରାମାୟଣ ପୋଥି କୋଳରେ ଧରି ତନ୍ମୟ ହୋଇ ପଢ଼ୁଥିଲା । ରାମ ଜାନକୀ ଦେବୀଙ୍କୁ ବର୍ଜନ କରିଛନ୍ତି, ହତଭାଗିନୀ ଆଜି ବନବାସିନୀ । କେତେବଡ଼ ରାଜ୍ୟର ରାଣୀ କେଡ଼େ ଘରର କୂଳବଧୂ, କେଡ଼େ ସତୀ ସୁଲକ୍ଷଣୀ ! କିନ୍ତୁ ଆଜି ତାଙ୍କର କି ଅବସ୍ଥା, କି କଷଣ ! ଏତେ ବଡ଼ ସ୍ନେହମୟ ସ୍ୱାମୀ ରାମଚନ୍ଦ୍ର ସୀତାଠାକୁରାଣୀଙ୍କୁ ଭୁଲିଯାଇଛନ୍ତି,–ନିର୍ବାସିତ କରି ନିଶ୍ଚିନ୍ତ-। ହାୟ, ହାୟ, ଦେବତା ବି ଏତେ କଠୋର ହୁଅନ୍ତି ! ଦେବୀ ଠାକୁରାଣୀଙ୍କ ଜୀବନରେ ବି ଏମିତି ଗୋଟାଏ ଗୋଟାଏ ଦୁଃଖର ଦିନ ଆସେ ! ଛାର ମନୁଷ୍ୟର କଥା ବା କ’ଣ !

 

ଏହା ଭାବି ସୁଷିର ଜାନକୀଦେବୀଙ୍କ ଉପରେ ଅସୀମ ସହାନୁଭୂତି ଜାତ ହେଉଥିଲା, ରାମଚନ୍ଦ୍ରଙ୍କ ଉପରେ ଉଭୟଙ୍କର କ୍ରୋଧ ଜନ୍ମୁଥିଲା । ଠିକ୍‍ ଏହିପରି ସମୟରେ ବାଉଲିମା ଆସି ପାଟିକରି କହିଲା–ଏଇ ଆଣୁଛି ରାଣୀ !

 

ଏତେବଡ଼ ରସମୟ ଉପାଖ୍ୟାନର ମଧ୍ୟସ୍ଥଳରେ ରସଭଙ୍ଗ ଘଟିବାରୁ ସୁଷି ବିରକ୍ତହୋଇ କହିଲା–କି ନିଧିଟା ଆଣିଛୁ ଲୋ ପୋଡ଼ାମୁହାଁ ?

 

ବାଉଲିମା ଜବାବ ଦେଲା–ଏ ରାଣୀ ! ଏ ମା ! ଦି କଲମ ଲେଖି ପିଙ୍ଗିଦିଅ ଭଲା, ତମ ହାତ ଓଠ ଧରୁଛି ।

 

ଏହା କହୁଁ କହୁଁ ସେ ସୁଷିର ଓଠଟି ଧରି ପକେଇଲା । ସୁଷି ଅବାକ୍‍ ହୋଇ ଚାହିଁ ରହିଲା । କି ପାଗଳୀଟା ! ତା’ର ସମସ୍ତ ବିରକ୍ତି ମୁହୂର୍ତ୍ତକ ମଧ୍ୟରେ ଉଭେଇଗଲା । ସେ ପଚାରିଲା–କା ପାଖକୁ ଲେଖିବାକୁ କହୁଛୁ ବାଉଲିମା ?

 

‘‘ବାବୁଙ୍କ ପାଖକୁ ରାଣୀ, ଆଉ ପୁଣି କାହା ପାଖକୁ ?’’

 

ସୁଷମା ହସିଦେଇ କହିଲା–ଦୂର୍‍ ପାଗଳୀ ! ତାଙ୍କର ଠିକଣା କ’ଣ ଜଣାଅଛି ?

 

ବାଉଲିମାର ବୁଦ୍ଧି ଗୋଳିଆ ହୋଇଗଲା । ସେ ଭାବିବାକୁ ଲାଗିଲା–ଏଥକୁ କି ଉପାୟ-? ଏତେ କୁହାପୁଛା ଖୋସାମଦ୍‍ ବରାମଦ କରି ପୋଷ୍ଟକାର୍ଡ଼ ଖଣ୍ଡେ ସେ ଆଣେଇ ଥିଲା, ସେ ଖଣ୍ଡଟା କ’ଣ ମାଟି ହୋଇଯିବ ? ହଠାତ୍‍ ତା’ ମୁଣ୍ଡରେ ଗୋଟାଏ ବୁଦ୍ଧି ପଶିଗଲା । ସେ କହିଲା–ତା’ହେଲେ ରାଣୀ, ଗୋଟାଏ କାମକଲେ ତ ହୁଅନ୍ତା ?

 

ସୁଷମା କୌତୁହଳୀ ହୋଇ ପଚାରିଲା–କି କାମଲୋ ?

 

ବାଉଲିମା ଜବାବ୍‍ ଦେଲା–ଏତେ ଲୋକ ‘ବେରଙ୍ଗ’ କରି ଭାଷା ଦେଉଛନ୍ତି, ତାଙ୍କର ତ ଠୁକ୍‍ ପରି ପହଞ୍ଚିଯାଉଛି । ସେମିତିଟାଏ କରିଦେଲେ ହୁଅନ୍ତା ନାହିଁ ?

 

ସୁଷମା ଠୋ ଠୋ ହୋଇ ହସି ଉଠିଲା । କହିଲା–ଦୂର୍‍ ଅଲାଗୀ ! ଠିକଣା ଜାଣିଥିଲେ ‘ବେରଙ୍ଗ’ ସରଙ୍ଗ ସବୁ ହୁଏ, ନ ଜାଣିଥିଲେ କିଛି ହୁଏ ନାହିଁ ଲୋ ?

 

ତା’ପରେ ସୁଷମା ତାକୁ ବୁଝେଇ ସମଝେଇ କହିଲା–ବାଉଲିମା ! ତୁ ଏମିତି ହ’ନା । ବାବୁତ ପିଲା ନୁହନ୍ତି । ଚିଠିପତ୍ର ଦେବା ଦରକାର ଥିଲେ ସେ ଦିଅନ୍ତେ । ଯେତେବେଳେ ଦରକାର ପଡ଼ିବ, ସେତେବେଳେ ନିଶ୍ଚେ ଦେବେ । ଆଜି ତୁ ସେ ପୋଷ୍ଟକାର୍ଡ଼ଟା ରଖିଦେଇଆ, ପରେ ଠିକଣା ବୁଝି ଚିଠି ଲେଖିବା ।

 

ଅଗତ୍ୟା ବାଉଲିମା ନିଃଶ୍ୱାସଟାଏ ପକାଇ ପୋଷ୍ଟକାର୍ଡ଼ଖଣ୍ଡ ନେଇ ସାଇତି ରଖିବାକୁ ଗଲା । କିନ୍ତୁ ତା’ର ମନ ପ୍ରବୋଧ ମାନିଲା କି ନାହିଁ ସେ ଜାଣେ ।

 

ଆହୁରି କିଛି ଦିନ ଗଡ଼ିଗଲା । ବର୍ଷ ପୁରିଯାଇ ଦୁଇମାସରୁ ଅଧିକ ହେବାକୁ ବସିଲା । ତଥାପି ବାହାରର କୌଣସି ଲୋକ ଖୋଜଖବର ନେଲେ ନାହିଁ । ବାଉଲିମା ଭାଳି ଭାଳି ନିରସ୍ତ ହୋଇପଡ଼ିଲା । ସୁଷି ସେସବୁ କଥା ଭାଳିବାକୁ ଯାଏ ନାହିଁ । ଥରେ ଅଧେ ତା’ର ଅବାଧ୍ୟ ମନଟା ଶାସନରୁ ଖସିଯାଇ ତାହା ଭାଳିବସିଲେ ସେ ପୁନଶ୍ଚ ତାକୁ ଦୃଢ଼ତା ସହକାରେ ବାଟକୁ ନେଇଆସେ-। ତାକୁ ଚେତେଇ ଦେଇ କହେ–ଏ ଜନ୍ମରେ ଯେଉଁଟା ଭାଳିବାର କଥା ନୁହେଁ ସେଟା ଭାଳିବାକୁ ବସୁଛ କାହିଁକି ? ଏ ଦୁର୍ବଳତା ମାର୍ଜନାର ଯୋଗ୍ୟ ନୁହେଁ । ସେଟା ସର୍ବଥା ଛାଡ଼ିବାକୁ ହେବ-। ମନକୁ ଏହି ମହନୀୟ ହିତୋପଦେଶ ଦେଉଁ ଦେଉଁ ହରିଶଙ୍କରଙ୍କ ବିଦାୟବାଣୀ ତା’ର ସ୍ମୃତିପଥରେ ଉଦିତ ହୁଏ । ‘‘ମନୁଷ୍ୟର ସମସ୍ତ ଅଭିଳାଷ ଗୋଟାଏ ଜନ୍ମରେ ପରିପୂର୍ଣ୍ଣ ହୁଏ ନାହିଁ, ସୁଷି ।’’ –ଏହି ତାଙ୍କର ଶେଷ କଥା । ଏହି ଉପଦେଶ ତା’ର ଶିରୋଧାର୍ଯ୍ୟ । ଏହିଟା ହିଁ ଖାଣ୍ଟି ସତ୍ୟ,–ବେଦବାକ୍ୟଠାରୁ ବଳି ମୂଲ୍ୟବାନ୍‍ । ସୁଷି ଏ ଜନ୍ମରେ ସେପରି ଅଭିଳାଷ ରଖିବାକୁ ଚାହେଁନାହିଁ-। ଜୀବନାନ୍ତ ପର୍ଯ୍ୟନ୍ତ ତାକୁ କିପରି ଅବସ୍ଥାରେ ରହି କାଳ କାଟିବାକୁ ପଡ଼ିବ ତା’ ସେ ନିଜେ ମଧ୍ୟ ସ୍ପଷ୍ଟାକ୍ଷରରେ ହରିଶଙ୍କରଙ୍କୁ ଶୁଣାଇ ଦେଇଛି । ସୁତରାଂ ସେ ପ୍ରଶ୍ନର ମୀମାଂସା ହୋଇସାରିଛି-। ଆଉ କିଛି ବାକି ନାହିଁ । ସୁଷିର ଜୀବନରେ ସେହିଟାହିଁ ଶେଷ ଚୁକ୍ତି ଏବଂ ସେହି ଚୁକ୍ତି ରକ୍ଷାରେ ହିଁ ତା’ର ମୁକ୍ତି ।

 

ଏମିତି କରି ସେ ହରିଶଙ୍କରଙ୍କ କଥା ଭୁଲିବାକୁ ଚେଷ୍ଟାକଲେ କିନ୍ତୁ ଆଉ ଜଣକର କଥା ସେ ଭୁଲିପାରେ ନାହିଁ, ଭୁଲିବାକୁ ଚେଷ୍ଟା ମଧ୍ୟ କରେ ନାହିଁ । ସେ ଜଣକ ରାଧାପ୍ରିୟା । ତା’ର ରାଧାପ୍ରିୟାଙ୍କୁ ଭୁଲିବାକୁ ଇଚ୍ଛା ହୁଏ ନାହିଁ । ଅନେକ ସମୟରେ ସେ ତାଙ୍କ କଥା ମନେ ପକାଏ ଏବଂ ସେଥିରୁ ଆନନ୍ଦ ପାଏ । ଆଜିକାଲି କିଏ ତାଙ୍କୁ ତିରିଶ ଚାଳିଶ ଖଣ୍ଡ ଲେଖାଏଁ ପାନ ଭାଙ୍ଗି ଦେଉଛି ? ମନୋମତ କରି ଭାଙ୍ଗିଦେଉଛି ତ ? ହଁ, ତା’ ନ ଦେଉଥିବେ କାହିଁକି ? ସବୁଦିନେ କ’ଣ ସୁଷି ତାଙ୍କ ପାଖରେ ଥିଲା ? ଅନ୍ୟଲୋକ ତ ପୁଣି ଭାଙ୍ଗି ଦେଉଥିଲେ । ଏହିପରି କେତେ ତର୍କ ତା’ ମନରେ ଉଠେ ଏବଂ ସଙ୍ଗେ ସଙ୍ଗେ ସମସ୍ତ ତର୍କର ମୀମାଂସା ହୋଇଯାଏ । କିନ୍ତୁ ରାଧାପ୍ରିୟାଙ୍କ ସ୍ମୃତି ସେ ତର୍କ ଓ ମୀମାଂସାର ବହିର୍ଭୂତ ପରି ବୋଧହୁଏ । ଥରେ ଥରେ ପ୍ରାଣ ଭିତରେ ଥାଇ କିଏ ଯେପରି ତାକୁ ଠେଲାଟାଏ ଦେଇ କହେ–ଚାଲ୍‍, ଚାଲ୍‍, ରାଧାପ୍ରିୟାଙ୍କ ପାଇଁ ଦି’ଖଣ୍ଡ ପାନ ଭାଙ୍ଗି ଦେଇ ଆସିବୁ ଚାଲ । ସେ ଚମକି ପଡ଼େ । ନିଜର କଳ୍ପନା ଆଜି ତା’ ସହିତ ପରିହାସ କରୁଛି, ଏହା ବୁଝିପାରି ସେ ଲଜ୍ଜିତ ହୁଏ ।

 

ବାଉଲିମା ପାନ ଖାଏ, ଅବଶ୍ୟ ତିରିଶ ଚାଳିଶ ଖଣ୍ଡ ନୁହେଁ । ଦୀନ ଦରିଦ୍ର ଯେପରି ଖାଆନ୍ତି ସେହିପରି । ତେବେ ଖଣ୍ଡେ ପାଟିରେ ଗୁଞ୍ଜିଦେଲେ ପାଞ୍ଚସାତ ଘଣ୍ଟା ଚାଲିଯାଏ । ମେଞ୍ଚାଏ ଚୂନ, ତଦନୁପାତରେ ଖଇରଗୁଣ୍ଡ, ତା’ ସାଙ୍ଗକୁ କିଛି ଗୁଆ, ପୁଣି ହାପୁଲେ ଗୁଣ୍ଡି–ଏ ହେଲା ବାଉଲିମାର ପାନଖିଆ । ସୁଷି ରାଧାପ୍ରିୟାଙ୍କ କଥା ମନେ କରି ଦିନେ ଦିନେ କହେ–‘ବାଉଲିମା ମୋତେ ଖଣ୍ଡେ ପାନ ଦେ ତ ଆଜି ଖାଏଁ ।’ ବାଉଲିମା ଆକାଶରୁ ବୁଲ୍‍ କରି ଛିଣ୍ଡି ପଡ଼ିଲା ଭଳି କହେ–‘କିଲୋ ମା’, ଆଜି କଉଁଦିଗରୁ ସୂରୁଜ ଦେବତା ଉଇଁଥିଲେ କି, ପାନ ଖାଇବାକୁ ମନ ହୋଇଗଲା ! । ସୁଷି ହସି ଉଠେ । ବରାତ୍‍କରେ–ଟିକିଏ ଚୂନ, ଟିକିଏ ଖଇର, ଅଳ୍ପ କିଛି ଗୁଆ ଦେଇ ଖଣ୍ଡେ ପାନ ଭାଙ୍ଗିଆଣ । ବାଉଲିମା ତଦନୁସାରେ ଖଣ୍ଡିଏ ପାନ ଭାଙ୍ଗିଦିଏ, କିନ୍ତୁ ତା’ର ମନକୁ ପାଏନାହିଁ । ସେ କହେ–ଛିକର ! ଏମିତି ପାନ ଖାଇବା ଯାହା, ପାଟିରେ ଛତୁଫୁଟିବା ତାହା-

 

ସେଦିନ ବାଉଲିମା ସୁଷିର ବରାଦରେ ଗୋଡ଼ ଲମ୍ବେଇ ପାନ ଭାଙ୍ଗୁଛି । ସୁଷି ଟିକିଏ ଛଡ଼ାରେ ବସି କହୁଛି–ଏ, ଇୟେ କ’ଣ ଲୋ ? ମୋତେ ମାରିଦେବୁ କି ? ଏତେ ଚୂନ ବୋଳି ପକାଉଛୁ କାହିଁକି ? ଖାଲି ଧାରେ ଦେ ।’ ଏହିପରି ସମୟରେ ଭୁସ୍‍ ଭୁସ୍‍ ହୋଇ ଜଣେ ଘର ଭିତରକୁ ପଶି ଆସିଲା । ମୁହଁରେ ଲମ୍ୱାଧାଡ଼ି, ହାତରେ ଖଣ୍ଡେ ଛଡ଼ି । ହଠାତ୍‍ ସୁଷି ଉପରେ ଦୃଷ୍ଟି ପଡ଼ିବାରୁ କହିଲା–ବାଃ, ତୁ ସୁଷି ନାରେ ? ଏତେ ବଡ଼ ହୋଇଗଲୁଣି !

 

ସୁଷି ଅବାକ୍‍ ହୋଇରହିଲା । ବାଉଲିମା ତୁନି ତୁନି କହିଲା–ଏଉଟା କାହା ‘ଖପିସ ଲୋ ମା’ ?

 

ଆଗନ୍ତୁକ ଅଗ୍ରସର ହେଉଁ ହେଉଁ ନିଜର ପରିଚୟ ଦେଲା । ଡେବିରି ହାତରେ ଦାଢ଼ିର ଅଗଟା ମୋଡ଼ୁଁ ମୋଡ଼ୁଁ କହିଲା–ଓହୋ ! ଚିହ୍ନି ପାରୁନାହିଁ ପରା । ହଁ, ଚିହ୍ନିବୁ ବା କେମିତି ? କଉଁ କାଳର କଥା ! ଗୋଟାଏ ଯୁଗ ବିତିଗଲାଣି ! ଆରେ, ମୁଁ ତୋର ଜଇ ଭାଇରେ ! ପିଲାଦିନେ ତୋତେ କେତେ କାଖେଇ କାନ୍ଧେଇ ମଣିଷ କରିଛି । ସେକଥା କି ଆଉ ତୋର ମନେ ଥିବ ? ଆପା ଥିଲେ ଆଜି ଚଟ୍‍ପରି ଚିହ୍ନିଥାନ୍ତେ । ହାୟ, ହାୟ, ସେତ ଆଜି ସ୍ୱର୍ଗରେ ମୁଁ ଏଇ ସେ ଦିନ ଖବର ପାଇଲିରେ । ଖବରଟା ପାଇ ମନଟା ବଡ଼ ଘାଣ୍ଟିଚକଟି ହେଲା । ଭାବିଲି–‘‘ନା, ଥରେ ନଗଲେ ନୋହିବ । ପିଲାଟା ଆଜି ଅକୂଳରେ ଭାସୁଥିବ, ମାଆଟିତ ଚାଲିଗଲା, ଆଉ କିଏ ଅଛି ? ଆଉ କଲିକତା ଗାଁରେ ବସି ବାବୁଆନି କରିବାକୁ ମନ ଟେକିଲା ନାହିଁ । ବସିଲାଠାରୁ ଉଠି ଆସିଲି-। ଆହା ! ଅପା ଠାକୁରାଣୀ ! ସେ କେଡ଼େ ମଜାର ମଣିଷ ଥିଲେ ! ମୋତେ କେତେ ଶରଧା କରୁଥିଲେ ।’’

 

ଏହା କହି ଆଗନ୍ତୁକ ହାୟ ହାୟ ହେବାକୁ ଲାଗିଲା । ସୁଷିର ଚଟ୍‍ପରି ମନେ ପଡ଼ିଗଲା,–ଜୟକୃଷ୍ଣ ବୋଲି ମାଆଙ୍କର ଏକ ଦୂର ସମ୍ପର୍କୀୟ ପୁତୁରା ଥିଲା, ପିତାଙ୍କ ଅନ୍ତେ ସେ ତାକୁ ଘରେ ଆଣି ରଖିଥିଲେ । ସେ ଦିନେ ଘରଛାଡ଼ି ପଳେଇଥିଲା । ମା’ ଥରେ ଅଧେ ତା’ କଥା କହିଛନ୍ତି । କିନ୍ତୁ ଭାତୁଷ୍ପୁତ୍ରର ସେ ଯେଉଁ ଚିତ୍ର ଅଙ୍କନ କରିଯାଇଛନ୍ତି ତାହା ଭୟାବହ,––ଅନ୍ତତଃ ସୁନ୍ଦର ନୁହେଁ ।

 

ସୁଷମା କେତେକ ପରିମାଣରେ କୁଣ୍ଠିତ ଚିତ୍ତରେ ଆସି ଜଇ ଭାଇର ପାଦତଳେ ପ୍ରଣାମ କଲା । ଜୟକୃଷ୍ଣ ତା’ର ମୁଣ୍ଡଟି ସ୍ପର୍ଶକରି କହିଲା–ଉଠ୍‍ ଉଠ୍‍, ସୁଷି, ଉଠ୍‍ । ସୁଷି ଉଠି ଛିଡ଼ାହେଲାରୁ ସେ ତୁନି ତୁନି ପଚାରିଲା । ସେ ଲୋକଟି କିଏରେ ବୁଢ଼ୀ ! ସୁଷି ଜବାବ ଦେଲା ସେ ବାଉଲିମା । ମାଆଙ୍କ କାଳହୋଇଗଲା ଦିନରୁ ସେ ଆମ ଘରେ ଅଛି ।

 

ଜୟକୃଷ୍ଣ ‘‘ଓଃ ହୋ, ହୋ’’ ହୋଇ ହସିଉଠି କହିଲା–ବାଉଲିମା, ବାଉଲିମା ? ଆମର ! ତାକୁ ଆଉ ମୁଁ ଚିହ୍ନେ ନାହିଁ ନା ? ବେଶ୍‍ ବେଶ୍‍, ଭଲ କଲ । ପାଖକୁ ଗୋଟିଏ ଲୋକ ଥିବା ଦରକାର ।

 

ବାଉଲିମା ଆଁ ଟା କରି ଚାହିଁଥାଏ । ମନେ ମନେ କହୁଥାଏ–କେଉଁଦିନ ଏତେ ପରିଚୟ ହେଲା ଲୋ ମା ।

 

ସେ ଯାହା ହେଉ, ବର୍ତ୍ତମାନ ଦୁଇଟି ଲୋକସ୍ଥାନରେ ତିନୋଟି ଲୋକ ହେଲେ । ଠିକ୍‍ କହିବାକୁ ଗଲେ ଏହି ଗର୍ବଲେଶହୀନ ପଲ୍ଲୀ ମନ୍ଦିରଟିରେ ଦୁଇଟି ଦେବତା ଥିଲେ, ବର୍ତ୍ତମାନ ସେମାନଙ୍କ ସାଙ୍ଗକୁ ଏକ ଦାନବର ଆବିର୍ଭାବ ହେଲା । ଜୟକୃଷ୍ଣ ଏତେ କାଳ ହେଲା କଲିକତାରେ ରହି ଯେ କଦର୍ଯ୍ୟ ଉପାୟରେ ଜୀବନ ଯାପନ କରୁଥିଲା, ତାହା ବର୍ଣ୍ଣନା କରି ଏ କାହାଣୀ କଳଙ୍କିତ କରିବା ଲେଖକର ଅଭିପ୍ରେତ ନୁହେଁ । କିନ୍ତୁ ସାମାନ୍ୟ ଟିକିଏ ସୂଚନା ନ ଦେଲେ ନ ଚଳେ । ଯେଉଁ ଦୁଶ୍ଚରିତ୍ରା ସ୍ତ୍ରୀଲୋକଟାକୁ ନେଇ ଜୟକୃଷ୍ଣ ସେଦିନ ଅନ୍ତର୍ଦ୍ଧାନ ହୋଇଯାଇଥିଲା ସେ କଲିକତାରେ ରହି କାଳକ୍ରମେ ବେଶ୍ୟାବୃତ୍ତ ଆରମ୍ଭ କରିଦେଇଥିଲା ଏବଂ ଜୟକୃଷ୍ଣ ତା’ର ସେହି କଦର୍ଯ୍ୟ ଜୀବିକାଯାପନରେ ସହାୟତା କରି ନିଜର କଳୁଷିତ କଳଙ୍କମୟ ଜୀବନ ଯାପନ କରୁଥିଲା । ଅନେକଦିନ ଏହିପରି କଟିଥିଲା । କିନ୍ତୁ ଏ ଜୀବନଯାତ୍ରାର ଅପରିହାର୍ଯ୍ୟ ପରିଣାମ, ଯାହା ତାହାହିଁ ଅବଶେଷରେ ଘଟିଲା । ନାନାକାରଣରୁ, ନାନାଘଟଣାରେ ଏହି ଦୁଶ୍ଚରିତ୍ର ଯୁବକ ଯୁବତୀ ଦୁଇଟାଙ୍କ ମଧ୍ୟରେ ଭୀଷଣ କଳହର ସୂତ୍ରପାତ ହେଲା । ତାହା ଦିନକୁ ଦିନ ପରିପୁଷ୍ଟ ଓ ପରିବର୍ଦ୍ଧିତ ହୋଇ ଅବଶେଷରେ ଗୋଟାଏ ‘‘ଖୁନ୍‍-ଖରାପି’’ ବା ହତ୍ୟାକାଣ୍ଡର ଅଭିନୟ ହେବାକୁ ଯାଉଥିଲା । କିନ୍ତୁ ଭାଗ୍ୟକ୍ରମେ ଜୟକୃଷ୍ଣ ଜୀବନନେଇ ପଳାଇ ଆସିବାକୁ ସମର୍ଥ ହୋଇଥିଲା ଏବଂ ତାହାର ପାପପ୍ରଣୟିନୀ କଲିକତାର ଜଣେ ଧନଶାଳୀ ବଙ୍ଗୀୟ ବାବୁଙ୍କର ‘‘ବାଗାନବାଡ଼ି’’ରେ ପ୍ରତିଷ୍ଠାତା ହୋଇ ଉଦ୍ୟାନ ବିହାରର ସୌଭାଗ୍ୟସୁଖ ବର୍ଦ୍ଧନ କରିଥିଲା । ଜୟକୃଷ୍ଣର ହଠାତ୍‍ ମନେ ପଡ଼ିଗଲା ପୂର୍ବତନ ଆଶ୍ରୟସ୍ଥଳୀର କଥା ଏବଂ ଅନତିବିଳମ୍ୱେ ସେ ଏହି ଉତ୍କଳଭୂମି ଅଭିମୁଖେ ବାହୁଡ଼ାଯାତ୍ରା ଆରମ୍ଭ କରିଦେଲା ।

 

ଜୟକୃଷ୍ଣ ସଙ୍ଗରେ ଆଣିଥିଲା ତା’ର ବହୁଦିନର ପରିପୋଷିତ ଅହିପେନଶ୍ରୀତି । ପ୍ରତିଦିନ ସେହି ପ୍ରୀତିପଥର ପାଥେୟ ସ୍ୱରୂପ ତା’ର ଚାରିଗଣ୍ଡା ପଇସା ଲୋଡ଼ା । ସେତକ ନ ହେଲେ ତାକୁ ତ୍ରିଭୂବନ ଅନ୍ଧାର ଦିଶେ, ଦଶଦିଗ ଘୂର୍ଣ୍ଣିତ ହୁଏ, ଜୀବନର ସମସ୍ତ ସରସତା ମୁହୂର୍ତ୍ତକେ ଲୋପ ପାଇଯାଏ । ହାଇ ଆସେ, ଆଖି ବୁଜିଯାଏ, ମିଞ୍ଜାସ ତାତିଉଠେ, ପୃଥ୍ୱୀ ପ୍ରଳୟ ହୁଏ । ଦିନେ ଓଳିଏ ତା’ର ଭାତ ନ ଖାଇଲେ ଚଳିଯାଇପାରେ, କିନ୍ତୁ ଅଫିମ ନ ହେଲେ ସେ ଅଚଳ-। ସେତକ ତା’ର ପ୍ରାଣ, ସୁତରାଂ ସେତକରୁ ବଞ୍ଚିତ ହେଲେ ସେ ମହାବିଭ୍ରାଟ ସୃଷ୍ଟି କରେ, ଅକଥ୍ୟ ଉପଦ୍ରବ ଆରମ୍ଭ କରେ, ସ୍ୱର୍ଗକୁ ନରକରେ ପରିଣତ କରିବାକୁ କୁଣ୍ଠାବୋଧ କରେ ନାହିଁ । ସେତକ ନିର୍ବିବାଦରେ ଲାଭକରି ପାରିଲେ ସେ ସଂସାରରେ ନିଜକୁ ପରମସୁଖୀ ମନେ କରେ ଏବଂ ଯେ ବ୍ୟକ୍ତି ସେତକ ତା’ର ହସ୍ତଗତ କରିଦେଇ ପାରେ ସେ ତା’ର ମସ୍ତକର ମଣି, ହୃଦୟର ହାର, ପ୍ରାଣର ଉପାସ୍ୟ ଦେବତା, ନଚେତ୍‍ ସେ ତା’ର ଶତ୍ରୁ, ତା’ର ଦୁସ୍‍ମନ୍‍, ତା’ର କଣ୍ଟକ-

 

କେଉଁ କୁଚକ୍ରୀ ବିଧାତାର କୁଚକ୍ରଫଳରେ ଏହି ଦୁଷ୍ଟଦାନବ କଲିକତାର ହାଡ଼କଟା ଗଳିରୁ ଫେରି ଆସିଲା, ତା’ ସେହି ବିଧାତା ପୁରୁଷ ହିଁ ଜାଣେ । କିନ୍ତୁ ତା’ର ଆବିର୍ଭାବ ଫଳରେ ସୁଞ୍ଚିର ଜୀବନରେ ନୁତନ ଦୁଃଖ ଦୁର୍ଯୋଗର ବହ୍ନି ଜଳିଉଠିଲା ।

Image

 

ବିଂଶ ପରିଚ୍ଛେଦ

 

‘‘ଏତେବେଳ ଯାଏଁ କ’ଣ ଚା ଟିକିଏ ହୋଇପାରିଲା ନାହିଁରେ । ଉଃ, ଏଇ କେତେଟା ଦିନ ଭିତରେ କି ଅଳସେଇ ଯେ ପାଲଟି ଯାଇଛୁ ତୁ, ତା’ ଦେଖି ମୁଁ ଅବାକ୍‍ ହଉଚି ।’’

 

ଏହା କହି ଜୟକୃଷ୍ଣ ଗୃହାଭ୍ୟନ୍ତରକୁ ପ୍ରବେଶ କଲା । ପ୍ରାତଃକୃତ୍ୟ ସାରି ଗରମ ଚା’ ଟିକିଏ ତା’ର ନ ହେଲେ ନ ହୁଏ । ପ୍ରତିଦିନ ଏଇ ଜଞ୍ଜାଳ । ସେ ଆସିଲା ଦିନରୁ ଏ ଗୋଟାଏ ନୂତନ ଧନ୍ଦା ଆରମ୍ଭ ହୋଇଛି । ସୁଷମାର ଗୋଟାଏ ଅଧିକା କାମ ବଢ଼ିଛି । ପ୍ରାତଃକାଳରୁ ଉଠି ପ୍ରତିଦିନ ତାକୁ ଚା’ କରିବାକୁ ହୁଏ । ତା’ ନ ହେଲେ ଜଇଭାଇର ମିଞ୍ଜାସ ଚା’ଠାରୁ ଅଧିକ ଗରମ ହୋଇଯାଏ, ସେ ବକାବକି କରେ, ଅକାରଣଟାରେ ଅଶାନ୍ତି ସୃଷ୍ଟି କରେ । ଆଜି ଯେ ବେଶୀଗୁଡ଼ାଏ ବେଳ ହୋଇଯାଇଛି, ତା’ ନୁହେଁ । ଏଇ ଘଣ୍ଟାଏ ହେଲା ରାତି ପାହିଲା । ସୂର୍ଯ୍ୟଦେବତା ଉପରକୁ ଉଠି ନାହାନ୍ତି । ଅନ୍ୟଲୋକଙ୍କ ଘରେ ଏପର୍ଯ୍ୟନ୍ତ କବାଟ ଫିଟି ନାହିଁ । ତଥାପି ଜଇର ଚା’ ପାନର ସମୟ ଗଡ଼ିଗଲା ବୋଲି ସେ ଅସ୍ଥିର ହୋଇଉଠିଲା ।

 

ସୁଷି ଚୁଲ୍ଲୀ ଭିତରକୁ ଜାଳଟା ଠେଲି ଦେଉଁ ଦେଉଁ ଜବାବ ଦେଲା–ହଉଛି, ଟିକିଏ ଥୟ ଧର ଜଇଭାଇ । ପାଣିଟା ଆଚ୍ଛାକରି ଫୁଟିଲେ ତ ହବ ?

 

‘‘ଆରେ ତୋ ପାଣି ଫୁଟୁ ଫୁଟୁ ଏଆଡ଼େ ମଣିଷର ପତ୍ତ ପଛେ ପଡ଼ିଯାଉ । ଦି’ ଘଣ୍ଟାହେଲା ତୋର ପାଣି ଫୁଟୁଛି !’’ –ଏହା କହି ଜୟକୃଷ୍ଣ ମୁହଁ ଛଞ୍ଚାଡ଼ିବାକୁ ଲାଗିଲା ।

 

ବାଉଲିଆ ଅଧୁଆ ମୁହଁରେ ଅଗଣାଟା ପହଁରୁଥିଲା । ଜୟକୃଷ୍ଣର ଉତ୍‍ପାତ ଦେଖି ସମ୍ଭାଳି ପାରିଲା ନାହିଁ,–କହି ପକାଇଲା–କି ମିଣିପଟା ମ ! ସହିସମ୍ଭାଳିହେବା ଜାତକରେ ନାହିଁ, । ରାତି ପାହିଛି କି ନାହିଁ,–ପାହାନ୍ତିଆ କୁଆ ଗୁହ ଖାଇଛି କି ନାହିଁ,–କ’ଣ ନା, ଦିଅ ମୋତେ ଚା’ । ମୋ ହଂସା ଉଡ଼ିଗଲା । ଏ କି ଅଲକ୍ଷଣ ଢଙ୍ଗ ଲୋ ମା !

 

ଏହା କହି ସେ କଙ୍କାଳରେ ହାତଦେଇ ଚର୍‍ ଚର୍‍ କରି ପହଁରିବାକୁ ଲାଗିଲା । ଜୟକୃଷ୍ଣ କାନରେ କଥାଗୁଡ଼ାକ ଯାଇ ଠକ୍‍ ଠକ୍‍ ହୋଇ ବାଜିଲା । ମିଞ୍ଜାସ ଆହୁରି କଡ଼ା ହୋଇଉଠିଲା । ସେ ଚିତ୍‍କାର ଛାଡ଼ିଲା–କଳିକତି ଭାଷାରେ ଶୋଧନ ଝାଡ଼ିଲା–‘‘ଦ୍ୟାଖ୍‍ ଦ୍ୟାଖ୍‍ ସୁଷି, ଏଇ ବଜାତ୍‍ ମାଗୀଟାକେ ଦ୍ୟାଖତ ! ଯତ ବଡ଼ ମୁଖ୍‍ନୟ, ତତ ବଡ଼ କଥା ! ତୁଇ ଏ ବାଡ଼ିତେ କେ’ଲା ?’’

 

ବାଉଲିମା ଏଥର କଙ୍କାଳ ସିଧାକରି ଛିଡ଼ାହେଲା । ସମାର୍ଜନୀଟା ପରିଷ୍କାର ଭାବରେ ଆଗକୁ ଦର୍ଶେଇ ଦେଇ କହିଲା । ହଇରେ ‘‘କେ’ଳା !’’ ମୁହଁ ସମ୍ଭାଳି କଥା କହି । ନୋହିଲେ ତୋ ବଙ୍ଗାଳିପଣିଆ ଛଡ଼ାଇଦେବି । ଜାଣୁ ନା ? ଏ ଆଉ କେହି ନୁହେଁ ଯେ–ବାଉଲିମା । ଭଲପାଖରେ ସେ ଯେତିକି ଭଲ, ମନ୍ଦ ପାଖରେ ତେତିକି ମନ୍ଦ । ମୋ ଆଗରେ ବଙ୍ଗଳା ଛାଡ଼ୁଛୁ ! କେତେ ବଙ୍ଗାଳିଙ୍କୁ କାନିରେ ବାନ୍ଧି ଫୋପାଡ଼ି ଦେବି । ଆଚ୍ଛାରେ ଚା’-ଖିଆ ବଙ୍ଗାଳି ! ପଚାରେ, କଲିକତା ଗାଁରୁ କି ମାଲମତାଟା ନେଇ ଆସିଥିଲୁ କହ ନି, ଏତେ ଜୁଲମ୍‍ ?

 

ଜୟକୃଷ୍ଣ ଏହା ଶୁଣି ଆହୁରି ରାଗି ଉଠିଲା । ମାରିବାପାଇଁ ହୁମ୍‍ ହୁମ୍‍ ହୋଇ ପାଖକୁ ଭିଡ଼ିଗଲା । ବାଉଲିମା ବି ଛାଡ଼ିବା ପାତ୍ରୀ ନୁହେଁ । ତୁରନ୍ତ ଲମ୍ୱା ଦାଢ଼ିରେ ହାତପକେଇ ଦେଲା । କହିଲା–କଣ ରେ ଅଳପାଇସିଆ ଝାଡ଼ୁଖିଆ ମେହେନ୍ତର ! ମାରିବୁ, ମାରିବୁ ? ଲଗାନି ହାତ, ଦେଖେ !

 

ଏହା କହି ପିଠି ସହିତ ସମ୍ମାର୍ଜନୀର କନିଷ୍ଠ ସମ୍ପର୍କ ପ୍ରତିଷ୍ଠା କରି ଦେବାକୁ ଉଦ୍ୟତ ହେଉଥିଲା; ଏହି ସମୟରେ ସୁଷି ଧାଇଁଆସି ଦୁହିଁଙ୍କୁ ଛଡ଼ାଛଡ଼ି କରିଦେଲା । କହିଲା ଛି ଛି, ଏ ଗୋଟାଏ କି ଅମର୍ଯ୍ୟାଦାର କଥା ମ ! ଲୋକେ ଶୁଣିଲେ କ’ଣ କହିବେ ? ମୋର ଟିକିଏ ଉଠିବାକୁ ଡେରି ହୋଇଗଲା । ନ ହେଲେ କି ଏତେବେଳଯାଏଁ ଚା’ ଟା ତିଆରି ସରି ନ ଥାନ୍ତା । ଯା ଯା ବାଉଲିମା, ତୋ କାମରେ ଯା ଆସ, ଜଇଭାଇ ଚା’ ଥଣ୍ଡା ହୋଇଯିବ ।

 

ଏହା କହି ସେ ବାଉଲିମାକୁ ଠେଲି ଅନ୍ୟଆଡ଼କୁ ବାହାର କରିଦେଲା । ବାଉଲିମା ଗର୍‍ ଗର୍‍ ହୋଇ କହିବାକୁ ଲାଗିଲା–‘ତମର ସେଇ ସର୍ବସହଣୀପଣ ଗଲା ନାହିଁ ରାଣୀ, ସେଥିପାଇଁ ତ ଏତେ ଦୁଃଖ ।’ ସୁଷି ତାକୁ ତୁନି ତୁନି ବୋଧ ଦେଇ କହିଲା–ହଉ ଲୋ ବାଉଲିମା କ’ଣ କରିବା, ମୋ ମୁହଁକୁ ଅନେଇ ସବୁ ସହି ଯା ।

 

ବାସ୍ତବିକ ବାଉଲିମା ସୁଷିର ମୁହଁକୁ ଅନେଇ ସବୁ ସହିପାରେ । ସେ ଆଉ ଉଚ୍ଚବାଚ୍ୟ ନ କରି ନିଜ ଧନ୍ଦାରେ ଲାଗିଗଲା । ଇତ୍ୟବସରରେ ଜୟକୃଷ୍ଣ ଯାଇ ଗୋଟାଏ ଘରର ନିର୍ଜନ କୋଣରେ ଠିଆହୋଇ ଦାଢ଼ିଟା ଆଉଁସୁ ଆଉଁସୁ ମନେ ମନେ କହିଲା–‘ଓଃ, ଚଣ୍ଡାଳୁଣୀଟା କି ଝିଙ୍କାଟା ଦେଲା, ହୁ ହୁ ହୋଇ ଜଳୁଛି !’ ବାସ୍ତବରେ ବାଉଲିମା ଆଚ୍ଛାକରି ଝିଙ୍କାଟାଏ ଦେଇଥିଲା । ସେହିପରି ଆଉ ଥରେ ଝିଙ୍କି ଦେଇଥିଲେ ଜୟକୃଷ୍ଣର ଦାଢ଼ି ନିବାଡ଼ ହୋଇଯାଇଥାନ୍ତା । ଯାହାହେଉ ଜୟକୃଷ୍ଣର ଚେତନା ହେଲା । ସେ ବୁଝିପାରିଲା–ବାଉଲିମାଟା ସହଜ ଜନ୍ତୁ ନୁହେଁ । ତା’ କଥା ଉପରେ କଥା କହିବା ବୁଦ୍ଧିଆଲୋକର କାମ ନୁହେଁ । ଏହି ସମୟରେ ସୁଷି ଆସି ଡାକିଲା–ଆସ ଜଇଭାଇ, ତମେ ଏଇଠି ଅଛ, ମୁଁ କେତେ ଖୋଜିଲିଣି । ଚା’ ଟା ପରା ଥଣ୍ଡା ହୋଇଯାଉଛି !

 

ଜଇ ଛଳନାପୂର୍ଣ୍ଣ ଅଭିମାନ କରି କହିଲା–ନା, ସୁଷି, ଆଉ କ’ଣ ଖାଇବି, ଆଉ । ଚା’ ଖାଇବାର ବଡ଼ ବାପ ହୋଇଯାଇଛି ।

 

ସୁଷି ଅନୁନୟ କରି ବସିଲା–ଛି, ଜଇଭାଇ, ଏମିତି ଅବୁଝା ହେଲେ କି ଚଳେ ? ମୋ ଉପରେ ରାଗିବାଟା କ’ଣ ଉଚିତ ? ଆସ, ଖାଇବ ଆସ ।

 

ଏହା କହି ସେ ଜୟକୃଷ୍ଣଙ୍କର ହାତଧରି ଟାଣି ନେଇଗଲା । ଜୟକୃଷ୍ଣର ମନଟା ମଧ୍ୟ ଥିଲା, ସୁତରାଂ ସେ ସିଧା ଚାଲିବାକୁ ଲାଗିଲା ।

 

ପରମ ଚା’ ଉଦରସ୍ଥ କରି ଜୟକୃଷ୍ଣ ବୁଲିବାକୁ ବାହାରିଗଲା । ସେହିଦିନ ଜୟକୃଷ୍ଣର ଅଫିମ ଆଣିବା ପାଳି । ସୁଷି ଚାରିଦିନକୁ ଟଙ୍କାଟିଏ ଦିଏ ଏବଂ ସେହି ଟଙ୍କାରେ ଅଫିମ କିଣା ହୋଇ ଆସେ । ଆଜି ଅଫିମ ଖର୍ଚ୍ଚ ଦେବାକୁ ଯାଇ ସୁଷି ଦେଖିଲା–ପାଣ୍ଠି ପ୍ରାୟ ଶେଷ ଉପରେ । ଆଉ କେତେଟା ଦିନ ଗଲେ ସବୁ ଝାଡ଼ଝୁଡ଼ ହୋଇଯିବ । ଗୋଟାଏ କାଣିକଉଡ଼ି ବି ରହିବ ନାହିଁ । ତେବେ ଉପାୟ କ’ଣ ? ତା’ର ଚକା ଘୂରିଗଲା । ଏତେଦିନେ ତା’ ମନରେ ଦୁଶ୍ଚିନ୍ତା ପ୍ରବେଶ କଲା-। ଚତୁର୍ଦ୍ଦିଗ ତାକୁ ଶୂନ୍ୟ ଦେଖାଗଲା । ଭବିଷ୍ୟତଟା ଘୋର ବିଭୀଷିକାମୟ ହୋଇଉଠିଲା-। ଅଫିମପାଇଁ ଟଙ୍କାଟିଏ ଜୟକୃଷ୍ଣର ହାତକୁ ବଢ଼ାଇ ଦେଇ, ସେ ଆସି ପିଣ୍ଡାଟିରେ କାନ୍ଥକୁ ଆଉଜି ବସିପଡ଼ିଲା । ପଦ୍ମଫୁଲ ପରି ସୁନ୍ଦର ମୁହଁଟି କରତଳରେ ନ୍ୟସ୍ତ କରି ସେ ଭାଳିବାକୁ ଲାଗିଲା–ଅଦୂର ଭବିଷ୍ୟତର କଥା । ବାଉଲିମା ପୋଖରୀ ତୁଠକୁ ଯାଇଥିଲା । ଫେରିଆସି ସୁଷମାର ସେହି ଚିନ୍ତାକୁଳ ଅବସ୍ଥା ଲକ୍ଷ୍ୟକଲା । ସୁଷିର ସୁପ୍ରସନ୍ନ ମୁଖମଣ୍ଡଳଟି ଯେପରି କଳା ବଉଦରେ ଆଚ୍ଛନ୍ନ ହୋଇ ରହିଥିଲା । ବାଉଲିମା ପାଖକୁ ଆସି ଡାକିଲା ରାଣୀ !

 

ସୁଷମାର ଧ୍ୟାନ ଭାଙ୍ଗିଗଲା । ସେ ବିଷାଦଭାରାକ୍ରାନ୍ତ ମୁଖମଣ୍ଡଳରେ ପ୍ରସନ୍ନତାର ଦୀପ୍ତି ଫୁଟାଇବାକୁ ଚେଷ୍ଟାକଲା, ମାତ୍ର ଧରା ପଡ଼ିଗଲା । ବାଉଲିମା କହିଲା–ରାଣୀ ! ଏ କ’ଣ ?

 

ସୁଷି ଉତ୍ତରଦେଲା–ନା, କିଛି ନା ।

 

ବାଉଲିମା ଧରିବସିଲା–‘ନା’ ବୋଲି କହିଲେ କି ହୁଏ ମା ? ମୁହଁଖଣ୍ଡି ଯେ ଏକାବେଳକେ କଳାକାଠ ପଡ଼ି ଯାଇଛି । କ’ଣ ହେଲା ରାଣୀ !

 

ବାଉଲିମା ଜିଦ୍ଦି କରିବାକୁ ଲାଗିଲା । ଠିକ୍‍ ଗର୍ଭଧାରିଣୀଟି ପରି କୋଳକୁ ଟାଣିନେଇ କହିଲା ମା’ ମୋର, ସୁନାର ସାରଟି ମୋର ! କି ଦୁଃଖରେ ତୋର ?

 

ସୁଷି କୋଳରେ ମୁହଁଟି ଗୁଞ୍ଜି କହିଲା–ବାଉଲିମା, ଗୋପାଳବାବୁଙ୍କର ଛୋଟ ଛୋଟ ଝିଅ ଦୁଇଟିଙ୍କୁ ପଢ଼ାଇବା ପାଇଁ ଗୋଟିଏ ମାଷ୍ଟ୍ରାଣି ଦରକାର ବୋଲି ଶୁଣିଥିଲି । ତାଙ୍କ ଘରକୁ ଟିକିଏ ଯାଇ ବୁଝିଆସି ପାରିବୁ ?

 

ବାଉଲିମା ଏଥର ସୁଷିର ମନ ଦୁଃଖର କାରଣ ବେଶ୍‍ ଅନୁମାନ କରିନେଲା । ଭାବିଲା–ସେଇ କେତେଟା ଟଙ୍କା ତ ! ଆଉ କେତେଦିନ ସେଥିରେ ଚଳନ୍ତା ? ବସି ଖାଇଲେ ନଈବାଲି ସରେ । ତା’ଉପରେ ପୁଣି ସେହି ଅକର୍ମାଟା ଆସି କେଉଁଠୁ ଜୁଟିଲା । ବାପର ମାଲ ଥୁଆହୋଇଥିଲା ପରି ବସି ବସି ଚଳୁ କରୁଛି । ସେଥିରେ ପୁଣି କେତେ ଜୁଲମ୍‍ ! ଚା’ ଦିଅ ! ଚା’ ଦିଅ, ଅଫିମଦିଅ, ୟା ଦିଅ, ତା’ ଦିଅ, ନ ହେଲେ ଖପା । ସତେ ଯେପରି ଚଉଦପୁରୁଷର ଗୁରୁ ଗୋସେଇଁ । ପୁଣି ଅଇଲୁ ତ ଅଇଲୁ ଏବେ ଯା । ନା ତା’ ବି ନୁହେଁ । ଗୋଡ଼ ଉଠୁନାହିଁ । ବାଉଲିମା ଏହା ଭାବି ଭାରି ରାଗିଲା । ମନେ ମନେ କହିଲା–ସୁଷି ଯଦି ଥରେ ଇସାରା ଦେଇ ଦିଅନ୍ତା, କୁଢ଼ି ଯୋଗିନୀଖିଆକୁ ପହଁରା ମୁଣ୍ଡରେ ଦି’ପାହାର ଦେଇ ଆଜି ବିଦା କରିଦିଅନ୍ତି । ସେଉଟା ନ ଥିଲେ, ଦି’ଟା ପେଟ ପୋଷିବା ବାଉଲିମା ପକ୍ଷରେ ବଳିପଡ଼ନ୍ତା ନାହିଁ ।

 

ଏହିପରି ମନେ ମନେ ଭାବି ସେ ସୁଷମାକୁ କହିଲା–ରାଣୀ ! କେଉଁ ଗୋପାଳବାବୁ ? ସେଇ ଆର ଗାଁର ଜମିଦାରବାବୁ ? ଯା ନାଁ ଧରିଲେ ଭାତ ମିଳେ ନାହିଁ ? ରାମ୍‍, ରାମ୍‍, ଲୋକେ ପୁଣି ତା’ ମୁହଁ ଚାହାନ୍ତି ! ଆଉ ତା’ର ମାଷ୍ଟରାଣୀ ଦରକାର ଥିଲେ ବି କ’ଣ ହେଲା ?

 

ସୁଷି ଜବାବ୍‍ ଦେଲା–ଯଦି ଦୟାକରି ପିଲା ଦିଓଟି ପଢ଼େଇବାର ଭାର ମୋ ଉପରେ–

 

ବାଉଲିମା ବାଧାଦେଇ କହିଲା–ଥାଉ, ଥାଉ । ଆଉ କହିବାର ଦରକାର ନାହିଁ । ତାଙ୍କ ଘରର ଯେଉଁ ଦୟା ମାୟା ତ ! ମରିଯାଉଥିଲେ ଲୋକର ତୁଣ୍ଡରେ ପାଣି ଠୋପାଏ ଦେବେ ନାହିଁ । ତାଙ୍କ ଘର କଥା ମୁଁ ଜାଣେ ନାହିଁ ନା ? ପଇସା ଥାଇ କ’ଣ ହେବ ? ନିଆଁ ଲାଗିଯାଉ ସେ ପଇସାରେ । ତା’ ଖତଗଦାକୁ ବି ଯୋଗ୍ୟ ନୁହେଁ । ସେଠେଇଁ ଯାଇ ପଢ଼େଇବ ବୋଲି ବିଚାରିଛ ପରା ରାଣୀ ! ଛି କର ! ମଣିଷ ତାଙ୍କ ଦୁଆର ମାଡ଼ନ୍ତି ? ପୁଣି ତାଙ୍କ ଘର ଯାଇ କଉଁଠି,–ଏ ଗାଁ ଟପିଲେ ଯାଇ ସେ ଗାଁ । ଏତେ ବାଟ ପାଠ ପଢ଼େଇବାକୁ ଯିବ କି ? ପେଟକୁ ଚିରି ଶୁଖାଇଦେଲେ କ’ଣ ହେଲା କି ? ଦେଖାଯାଉ କେଉଁଠା ପାଣି କେଉଁଠିକି ଯାଉଛି । ଏତେ ‘ବେସ୍ତ’ କାହିଁକି ? ଯୋଗିନୀଖିଆଟା ଆଜି ଗଲେ, କାଲି ମତେ କଥାଟା ବଳିଯିବ ନାହିଁ । ତମେ ଏମିତି କ୍ୟାଁ ହେଉଚ-? କମରରେ ଜୋର ଥିଲେ ବାଉଲିମା ଏ ସବୁ କଥାକୁ ଚିନ୍ତା କରେ ନାହିଁ ରାଣୀ ! ଚାଲ, ଚାଲ, ଲୁଗାଟା ପାଲଟି ଦିଅ, ମୁଁ ପଖାଳି ପକାଏଁ । ଏଇକ୍ଷଣି ସଞ୍ଜ ମାଡ଼ିଆସିବ ।

 

ସୁଷି ଧୀରେ ଧୀରେ ଉଠି ଠିଆ ହେଲା । କହିଲା–ନା, ବାଉଲିମା, ମୁଁ ପୋଖରୀ ତୋଠକୁ ଯାଇ ପେଟଟା ପାଣିରେ ବୁଡ଼ାଇଦେଇ ଆସେ ।

 

ଏହିପରି ଭାବରେ ଆଉ କିଛିଦିନ କଟିଗଲା । ଦିନେ ବାଉଲିମା ସୁଷିକୁ ବୁଝେଇ ବସିଲା–ଦେଖ ରାଣୀ ! ଆମର ତ ଠ–ଠା ଠିକ୍‍ । ଆଉ କେତେ କାଳ ସେ ମଣିଷଟାକୁ ବସେଇ ବସେଇ ପୋଷୁଥିବେ ? ତାକୁ ଏବେ ସଫା କହିଦେଲେ ହୁଅନ୍ତା ନାହିଁ ଯେ, ବାବା, ଏବେ ତୋର ରାସ୍ତା ତୁ ଦେଖ୍‍ । ଏତେକାଳ ଚଳେଇ ଆସିଲୁଁ, ଆଉ ପାରିବୁ ନାହିଁ ।

 

ସୁଷମା ଉତ୍ତର ଦେଲା–ଛି ଛି, ଏମିତି ଗୋଟାଏ କଥା ବି କୁହାଯାଏ ବାଉଲିମା ?

 

ବାଉଲିମା କହିଲା–ହଁ ଖୁବ୍‍ କୁହାଯାଏ । ତମେ ନ କୁହ, ମୁଁ କହିବି । ନ କହି ତ ଆଉ ଉପାୟ ନାହିଁ ମା’ ।

 

ଏହା କହି ସେ ଅନୁମତି ପ୍ରତୀକ୍ଷାରେ ସୁଷିର ମୁହଁକୁ ଚାହିଁ ରହିଲା । ସୁଷି ଅନେକ ଭାବି ଭାବି କହିଲା–ନା ବାଉଲିମା, ଜଇଭାଇ ମନରେ କଷ୍ଟ ହେବ ।

 

ବାଉଲିମା ଚିଡ଼ିଉଠି କହିଲା–ଦୂର କର । ଯା ମନରେ କଷ୍ଟ ହୁଏ, ସେ ଅନ୍ୟର କଷ୍ଟ ନ ବୁଝେ କାହିଁକି ? ଯେତେବେଳେ ଖାଣ୍ଟି ଉପାସଟି ରହିବାକୁ ହେବ ସେତେବେଳେ ? ଅବସ୍ଥା ବୁଝି ତ ପୁଣି କାମ କରିବାକୁ ହୁଏ ?

 

ଏହା କହି ସେ ପୁନର୍ବାର ସୁଷିର ଅନୁମତିକୁ ଚାହିଁ ରହିଲା । ସୁଷି ନିଃଶ୍ୱାସ ପକାଇ କହିଲା–ଯାହା ଭଲ ବୁଝୁଛୁ କର, ବାଉଲିମା । ତେବେ ନିତାନ୍ତ କଡ଼ା କଥା ଯେପରି–

 

ବାଉଲିମା ଉଦ୍ଦେଶ୍ୟଟା ବୁଝିପାରି ତୁରନ୍ତ କହି ଉଠିଲା–ନା ମା’, କଡ଼ା କଥା କାହିଁକି କହିବାକୁ ଯିବି ? ଏଥିରେ ରାଗରୁଗାର ଦରକାର କ’ଣ ?

 

ସେହିଦିନ ସେ ଅନ୍ୟ ସମୟରେ ଜୟକୃଷ୍ଣକୁ ଡାକି କହିଲା–ଆହେ ଜଉଭାଇ, ଗୋଟାଏ କଥା କହିବି, ମନରେ କିଛି ଭାବିବ ନାହିଁ ତ ?

 

ଜୟକୃଷ୍ଣ ସନ୍ଦିଗ୍‍ଧ ମନରେ ପଚାରିଲା–କ’ଣ ଏମିତି ଭାବନାର କଥାଟା ବାଉଲିମା ?

 

ବାଉଲିମା ଜବାବ ଦେଲେ–ହଁ ଭାଇ, ଭାବନାର କଥା ନୁହେଁ ତ ଆଉ କ’ଣ ? ତମେ ବି ତ ଦେଖିପାରୁଥିବ ! ଏ କେତେ ଦିନ ହେଲା ଯେଉଁ ହଇରାଣ ହେବାକୁ ପଡ଼ୁଛି ତା’ ଯେ ଦିନରାତି କରୁଛି ସେ ଜାଣେ । ପିଲାଟା ବଡ଼ ଛାନିଆ ହୋଇଗଲାଣି, ବସି ବସି ଖାଲି କାନ୍ଦୁଛି । ହାତରେ ପଇସା ବୋଲି ଯାହା ଥିଲା, ସବୁ ଶେଷ । ଏଥର ଆକାଶକୁ ଅନେଇ ରହିବା ଛଡ଼ା ଆଉ ଚାରା କ’ଣ ଅଛି ? କଥାଟା, ଭାଇ, ତମରି ଭଲ ପାଇଁ କହୁଛି । ଆମେ ଦି’ଟା ମାଇପିଲୋକ ଓପାସ ଭୋକେ ପଡ଼ିରହି କପାଳକୁ ଆଦରି କାଳ କାଟିବୁଁ । ତୁମେ ମର୍ଦ୍ଦପୁଅ, ହାତହଲେଇ ରୋଜଗାର କରିବା ଲୋକ । ତୁମେ କାହିଁକି ଆମସାଙ୍ଗରେ ପଡ଼ି ଘାଣ୍ଟିହେବ କହିଲ ।

ଜୟକୃଷ୍ଣ ବୁଝିପାରିଲା ଯେ, ତାକୁହିଁ ଘରୁ ବାହାର କରିବା ପାଇଁ ଏତେ ଫିକର । ମନେ ମନେ ବଙ୍ଗଳାରେ କହିଲା–‘ମାଗୀ କମ୍‍ ନୟ ତ !’ ପ୍ରକାଶ୍ୟରେ ଉତ୍ତର ଦେଲା–କିଲୋ ବାଉଲିମା, କ’ଣ ହେଲା ଯେ ବ୍ୟସ୍ତ ହୋଇପଡ଼ୁଛୁ ?

ବାଉଲିମା କହିଲା–ମିଛଟାରେ କି ଆଉ ବ୍ୟସ୍ତ ହେଉଛି ଭାଇ ! ଦିନ ଦୁଇ ଚାରିଟା ପରେ ଯେ କ’ଣ କରିବାକୁ ହେବ, ତା’ ଭାବି ଚାରିଦିଗ ଅନ୍ଧାର ଦେଖାଯାଉଛି । ଏଇ କଥା ଭାବି ଭାବି ରାଣୀର ଅଧେ ଦିହ ଝଡ଼ିଗଲାଣି । ସେ ଦିନ ପରା କହୁଁ କହୁଁ କହି ପକେଇଲା–ନାଁ, ବାଉଲିମା, ଗଳାରେ ଦଉଡ଼ି ଦେଇ ପଛେ ମରିଯିବି, ଏମିତି ହିନସ୍ତା ଜୀବନ ରଖି ପାରିବି ନାହିଁ ।

ଜୟକୃଷ୍ଣ କହିଲା–ଏଁ ଏଁ, ଏ କି କଥା ! ଆଚ୍ଛା, ବାଉଲିମା ସୁଷି ହାତରେ କ’ଣ ପଇସା ନାହିଁ ? ସମସ୍ତେ ଯେ କହୁଛନ୍ତି–ଗୋଟାଏ ଭାରି ବଡ଼ଲୋକ ତାକୁ ବହୁତ ଟଙ୍କା ଦଉଚି,–ସୁଷି ଉପରେ ତା’ର ଖୁବ୍‍ ସୁନଜର, ଏସବୁ କଥା କ’ଣ ସତ ନୁହେଁ ?

ବାଉଲିମା କହିଲା–ହାୟରେ ହାୟ ! ଲୋକେ କ’ଣ ନ କୁହନ୍ତି ! କୁଆ ଉଡ଼ିଗଲେ, ଛୁଆ ଉଡ଼ିଗଲା । ଏଇତ ଏ ସଂସାରର ଲକ୍ଷଣ । ତେବେ ଭାଇ, କଥାଟା ଏୟା ସେଇ ଯେ ଗଲାବର୍ଷ ନଈ ବଢ଼ିଟା ମାଡ଼ିଆସି ସବୁ ଛାରଖାର କରି ଦେଇଗଲା, ସେତିକିବେଳେ ଲୋକଙ୍କୁ ଖଇରାତ ବାଣ୍ଟିବାପାଇଁ ବାବୁ ପଞ୍ଝାଏ ଆସିଥିଲେ, ଠିକ୍‍ ସେତିକିବେଳେ ସଉଦି ଅପାର କାଳ ହୋଇଗଲା । ତାଙ୍କ ଭିତରୁ ଗୋଟିଏ ବାବୁ–ଭାରି ଦୟାବାନ୍‍, ରାଣୀର ଦୁଃଖ ଦୁର୍ଦ୍ଦଶା ଦେଖି ସେତେବେଳେ ସାହା ଭରସା ହୋଇଥିଲା । ବାବୁଟି ଖୁବ୍‍ ଉପକାର କରିଛି । ବଡ଼ଲୋକ ଘର ପୁଅ, ତା’ର କେଉଁ କଥାର ଅଭାବ ? ଦେଖିବା ଯେତେବେଳେ ଅରକ୍ଷିତଟି ମଝି ଦରିଆରେ ଭାସି ଯାଉଛି ସେତେବେଳେ ପାଖରେ ଛିଡ଼ାହୋଇ ହାତ ବଢ଼େଇ ଦେଇଥିଲା । ତେବେ ସେଇ କଥାଟାକୁ ନେଇ ସମସ୍ତଙ୍କର ଆଜି ଚହଳ ପଡ଼ିଛି । ହାୟରେ ଗାଁ ଖଣ୍ଡକ । ତିଳଟିଏ ପାଇଲେ ତାକୁ ତାଳ କରି ଥୋଇବେ । କି ? ସେ ତ ପରପୁଅ, ଆପଣାର କିଛି ତ ନୁହେଁ ଯେ କାଳ କାଳକୁ ଭରସା ହୋଇଥିବ । କହିଲା–‘‘ ରେ ପୁଅ, ସାର ଚଢ଼େଇ, ଉଡ଼ିଗଲେ ଯାଏ, ଅକ୍‍କା ହୋଇ ମନୁଆ ମୋ ଚାହିଁ ରହିଥାଏ ।’’ ସବୁ ଦିନକୁ ସେ ସାହା ହୋଇଥିବ ବୋଲି କ’ଣ ଲେଖିଦେଇଛି ? ନା, ତା’ଉପରେ କାହାରି ଜୋର ଜୁଲମ ଯାଏ ? ସଂସାରରେ ଘର କରିଥିଲେ ଆପଣା କପାଳ ଆପଣାର । ନା, ଜଇଭାଇ ମୁଁ ମିଛ କହୁଛି ।

ଜୟକୃଷ୍ଣ କହିଲା–ମିଛ କାହିଁକି ହେବ ଭଉଣୀ ! ତେବେ କ’ଣ କି କଥାଟା ଭଲ ହେଲା ନାହିଁ । ଯଦି ସେମିତି ଗୋଟାଏ ଭାବ ପ୍ରୀତି ଲଗେଇଥିଲା, ତେବେ ସେଟା ଭାଙ୍ଗିଦେବା କଉଁ ଭଦ୍ରଲୋକର କାମ । ଅଭିଆଡ଼ା ଝିଅଟା ଏହିଲାଗେ କାହା ଦୁଆରେ ଯାଇ ଛିଡ଼ା ହେବ ?

ଜୟକୃଷ୍ଣର କଥାର ଗତି କେଉଁଆଡ଼େ ଯାଉଛି, ତା’ ବୁଝିପାରି ବାଉଲିମା ଚମକି ଉଠିଲା-। ଆଉ ଅଧିକ ସେ ବିଷୟ ଚର୍ଚ୍ଚା କରିବା ବିପଜ୍ଜନକ ମନେ କରି ସେ ବାଁରେଇ ଦେଇ କହିଲା–ସେଥିଲାଗି ମୁଁ କହୁଛି, ଜଇଭାଇ, ତମର ଆଉ ଏଠି ପଡ଼ି ହଇରାଣ ହେବାଟା ଶୋଭାପାଏ ନାହିଁ, ବେଳ ଥାଉଁ ଥାଉଁ ତା’ର କିନାରା କରିବା ଦରକାର ।

କିନ୍ତୁ–‘‘ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ୍‍ ।’’ ଜୟକୃଷ୍ଣ ଏ କଥାରେ ଭୁଲିବାର ପାତ୍ର ନୁହେଁ । ସେ ନିଶରେ ହାତ ମାରିଦେଇ କହିଲା–ଥୟଧର ବାଉଲିମା, ଥୟଧର, ମୁଁ ସବୁ ଠିକ୍‍ କରି ଦେଉଛି ।

 

ଏହା କହି ସେ ଘରୁ ବାହାରିପଡ଼ିଲା ।

 

ପରଦିନ ସେ ନିରୋଳାରେ ସୁଷମା ନିକଟକୁ ଯାଇ କହିଲା–ସୁଷମା, ଗୋଟାଏ ଭଲ ଉପାୟ ଭାବି ଭାବି ମୁଁ ସ୍ଥିର କରିଛି । ତୋତେ କେମିତି ଲାଗୁଛି କହିଲୁ ?

 

ସୁଷମା ପଚାରିଲା–କି ଉପାୟ ଜଇଭାଇ ?

 

ଜୟକୃଷ୍ଣ କହିଲା–ଚାଲ, ମୋ ସାଙ୍ଗରେ କଲିକତା ଚାଲ । ଚିନ୍ତା କରିବାର କିଛି କାରଣ ନାହିଁ । ବୁଝିଲୁ ସୁଷି, ସେ ଭଳି ଜାଗାରେ ପେଟ ଅପୋଷା ରହେ ନାହିଁ । କପାଳରେ ଥଲେ ତୋପରି ଗୋଟାଏ ଲୋକ ସେଠି ଦିନ ଦି’ଟାରେ ଲକ୍ଷପତି ହୋଇ ବସିଯିବା ବିଚିତ୍ର ନୁହେଁ । କେତେ ବଡ଼ ବଡ଼ ଲୋକ, ରଜା ମହାରାଜା ରହିଛନ୍ତି ପରା ! ଜଣକର ସୁନଜର ପଡ଼ିଗଲେ ହିଁ ହେଲା ।

 

କଳିକୃଷ୍ଣ ଜୟକୃଷ୍ଣ ଷୋଳପଣ ଘାରିଥିଲେ ।

 

ମାତ୍ର ଜୟକୃଷ୍ଣର କଥାଟା ଶୁଣି, ସୁଷିର ଅନ୍ତରାତ୍ମା ଘୃଣାରେ ବିରକ୍ତିରେ ଜର୍ଜର ହୋଇ ଉଠିଲା । ଛି ଛି ଛି, କି କଦର୍ଯ୍ୟ ପ୍ରସ୍ତାବ ! ସୁଷି ସେ ସୁଷିର ଭାଇବୋଲି ନିଜର ପରିଚୟ ଦିଏ ! ଏଭଳି କଥା ତୁଣ୍ଡରେ ଆଣିବାପୂର୍ବରୁ ସେ ମରି ମାଟିରେ ମିଶି ନ ଗଲା କାହିଁକି ? ଆଉ ସୁଷି ବା କାହିଁକି ବଞ୍ଚିରହିଲା ଏହା ଶୁଣିବା ପାଇଁ ? ଛି ଛି ଛି ! ସୁଷି ଆଉ ସେଠି ଠିଆ ହୋଇପାରିଲା ନାହିଁ । କ’ଣ କହି ପଳେଇବ ତାକୁ ବୁଦ୍ଧିବାଟ ଦେଖାଗଲା ନାହିଁ । ଏହିପରି ସମୟରେ ବାଉଲିମା ଆସି ଡାକ ଦେଲା–ରାଣୀ ! କୁଆଡ଼େ ଗଲ ?

 

ସୁଷି ନିସ୍ତାର ଲାଭ କରି ‘‘ଏଇ ଯାଉଛି’’ ବୋଲି କହି, ଏକ ନିଃଶ୍ୱାସରେ ପଳେଇଗଲା ।

Image

 

Unknown

ଏକବିଂଶ ପରିଚ୍ଛେଦ

 

‘‘କୁଆଡ଼େ ଗଲ ହେ ବାବା ଜୟକୃଷ୍ଣ ?’’ –ବୋଲି ବାହାରୁ ଡାକ ଦେଇ ଦେଇ, କ୍ଷୀରକୋଳିକାଠର ବାଡ଼ିଖଣ୍ଡ ଭୂଇଁରେ ଠକ୍‍ ଠକ୍‍ କରୁଁ କରୁଁ ଘରଭିତରକୁ ପଶିଆସିଲେ ବୁଢ଼ା ଶମ୍ଭୁନାଥ ଶତପଥି । ଶମ୍ଭୁନାଥଙ୍କ ସମବୟସୀ ଲୋକ ଆଖ ପାଖ ପାଞ୍ଚଖଣ୍ଡ ଗାଁରେ ଖୁବ୍‍ କମ୍‍ ଅଛନ୍ତି–ବୟସ ସତୁରିର ସେ ପାଖ । ଜାତିରେ ବ୍ରାହ୍ମଣ, ପେଷା ଅନେକ ରକମ । ଚଣ୍ଡୀପାଠ ଠାରୁ ଆରମ୍ଭକରି ହଡ଼ା ବିକ୍ରୀ ପର୍ଯ୍ୟନ୍ତ ଶମ୍ଭୁନାଥ ସବୁ କରିପାରନ୍ତି । ନାନା ମନ୍ତ୍ର ତନ୍ତ୍ର ମଧ୍ୟ ଜଣା ବୋଲି ଅନେକ ଲୋକଙ୍କର ମତ । ଘା ଶିଙ୍ଘାଡ଼ିବା, ସାପବିଷ ଛଡ଼େଇବା, ପିଠିରେ ଥାଳୀଲଗେଇ ଶିବାଦଷ୍ଟ ବ୍ୟକ୍ତିର ବିଷ କେତେ ଗହୀରରେ ପଶିଛି ତା’ ପ୍ରକାଶ କରିଦେବା, ଏକ ଦୁହାଁଳୀ ଗାଈର ଦୁଧ ହରିନେଇ ଅନ୍ୟଗାଈର ପହ୍ନାରେ ଭର୍ତ୍ତି କରିଦେବା, ଯୁବତୀ ଅର୍ଦ୍ଧଯୁବତୀ ବିଧବାନାରୀଙ୍କୁ ନେଇ କଲିକତାପରି ମହା ମହା ନଗରୀମାନଙ୍କୁ ଚାଲାଣ କରିବା ଇତ୍ୟାଦି ଇତ୍ୟାଦି ଅନେକ ସତ୍‍କର୍ମ କରି ମୁଣ୍ଡର ସମସ୍ତବାଳ ପାଚି ବହୁକାଳରୁ ଝୋଟ ହେଲାଣି । ଶମ୍ଭୁନାଥ ବିବାହେଚ୍ଛୁ ବିପତ୍ନୀକ ଦୋହଲିଦେଇ ତେହେଳବେଇମାନଙ୍କର ପରମ ଭରସାର ସ୍ଥଳ । ସେହି ଏକାଙ୍ଗ ବିହଙ୍ଗମଗୁଡ଼ିକ ପାଇଁ କେଉଁଠାରୁ କେତେଦରରେ ନୀଡ଼ମଣ୍ଡନା ବିହଙ୍ଗମାଟିଏ ମିଳିବ, ତା’ର ପୁଙ୍ଖାନୁପୁଙ୍ଖ ତତ୍ତ୍ୱ ରଖନ୍ତି ଏହି ବିପ୍ରବର ଶମ୍ଭୁନାଥ । ଅଧିକ ବୟସର ଲୋକ ପତ୍ନୀ ବିୟୋଗରେ ପଡ଼ି ପୁନର୍ବାର ଗୃହସଂସାରଟି ଗଢ଼ିବାପାଇଁ ଆକୁଳହୋଇ ଧରିବସନ୍ତି ତାଙ୍କୁ । ସେଥିପାଇଁ କୃତଜ୍ଞ ପ୍ରାଣରେ ହାତରେ ଶହେ ପଚାଶ ଗୁଞ୍ଜିଦେବାକୁ ବି କୁଣ୍ଠା ବୋଧକରନ୍ତି ନାହିଁ । ଏଥିରୁ ଶତପଥୀଙ୍କର ଦି’ପଇସା ଭଲରକମ ହାତପୈଠ ହୁଏ । ଦୁଷ୍ଟଲୋକେ ବାରକଥା କହିଲେ ସୁଦ୍ଧା ତାକୁ ସେ ତିଳମାତ୍ର ଭ୍ରୁକ୍ଷେପ କରନ୍ତି ନାହିଁ । ହସି ଉଡ଼େଇଦିଅନ୍ତି । ବୁଦ୍ଧବିହୀନ ପରଶ୍ରୀକାତର ଲୋକଙ୍କର ଏହିଟା ସ୍ୱଭାବ ଦୋଷ ବୋଲି ମନେ କରି ସେ ତାକୁ ପଛକୁ ପକେଇଦେଇ ସଂସାର ପଥରେ ବୀରବିକ୍ରମରେ ଅଗ୍ରସର ହୁଅନ୍ତି ।

 

ଶମ୍ଭୁନାଥଙ୍କ ଡାକଟା ଶୁଣି ଜୟକୃଷ୍ଣ ଘରୁ ବାହାରିଆସି,–‘‘ଓହୋ ଶମ୍ଭୁ କକା ଯେ’’ ବୋଲି କହି ଓଳଗିଟାଏ ହେଲା । ତା’ପରେ କୌତୁହଳୀ ହୋଇ ପଚାରିଲା–ଏ ଆଡ଼କୁ ଆଜି କେମିତି ଗଡ଼ି ପଡ଼ିଲ କି କକା ?

 

ଶମ୍ଭୁନାଥ ଜବାବ୍‍ ଦେଲେ–ଅନେକ ଦିନରୁ ଆସି ନ ଥିଲି ପୁଅ, ଟିକିଏ ଚାଲି ଆସିଲି । ଭାବିଲି–ବହୁତ ଦିନ ପରେ ବାପା ଜୟକୃଷ୍ଣ ଘରକୁ ଫେରିଛନ୍ତି,–ଟିକିଏ ଦେଖାଟା କରି ଦି’ଟା କଥାଭାଷା ହୋଇଆସେ । ଦିନ ଦି’ଟାପରେ ହୁଏ ତ ତମେ ଚାଲିଯିବ, ଟିକିଏ ସାକ୍ଷାତ୍‍ ହେବା । ପୁଣି ଆମର ବି କ’ଣ ଆଉ ଦିନକାଳ ଆସୁଛି ! ପାକଲା ତାଳ, ଆଜି ଅଛୁଁ କାଲି ଖସିଲେ ଗଲା । ଏହି ସବୁ କଥାକୁ ଲକ୍ଷ୍ୟ କରି–ବୁଝିଲ ନା ବାପା ।--ଆରେ ! ଏ ମୋର ମା ସୁଷମାରାଣୀ ନା କିଏ ରେ ?

 

ଅକସ୍ମାତ ସୁଷମା ଆସି ଉପସ୍ଥିତ ହୋଇଯିବାରୁ କଥୋପକଥନର ଗତି ବଦଳିଗଲା । ଶମ୍ଭୁନାଥ ଦନ୍ତବିହୀନ ତୁଣ୍ଡରେ ହାସ୍ୟର ଅପରୂପ ପ୍ରଭା ବିସ୍ତାର କରି କହିବାକୁ ଲାଗିଲେ–ବାଃ, ଖୁବ୍‍ ବଡ଼ଟିଏ ତ ହୋଇଗଲୁଣି ମା’ । ମୁଁ କହେଁ, ଆହେ ବାପା ଜୟକୃଷ୍ଣ ! ତମେ ତ ଭାଗ୍ୟକୁ ଆସି ଯାଇଛ । ମାଆଟିର ମୋର କିଛି ଗୋଟାଏ କୁଳକିନାରା କରିଯାଅ ଭଲା । ଆଉ କେତେକାଳ ଅନେଇ ବସିଥିବ । କହିଲା ପରା–‘‘ଝିଅ ଘରେ ରହିଲେ ଅଡ଼ୁଆ, ଘିଅ ଘରେ ରହିଲେ କଡ଼ୁଆ ।’’

 

ସୁଷି ଶମ୍ଭୁନାଥଙ୍କ ପାଦତଳେ ଗୋଟାଏ ମୁଣ୍ଡିଆ ମାରି ଚଞ୍ଚଳ ଚଞ୍ଚଳ ପଳାଇଗଲା । କଥାଗୁଡ଼ାକ ତାକୁ କଣ୍ଟାଛାଟରେ ପିଟିବା ଭଳି ଲାଗିଲା । ତା’ ଘରେ ସେ ଅଛି, କିପରି ଅନ୍ୟଲୋକର ଅଡ଼ୁଆ ହେଲା ତାହା ସେ ବୁଝିପାରିଲା ନାହିଁ ।

 

ଶମ୍ଭୁନାଥ ଏହାପରେ ସ୍ୱରଟା କ୍ଷୀଣକରି କହିଲେ (...) ବାପା, ଆଜିଠାରୁ ଲାଗି ପଡ଼ିବି । ଆଉ, ତମେହିଁ ତ ସେ ଘରର ମୁରବି, ଆଉ ଆପଣାର କିଏ ଅଛି ? କିଏ ଏସବୁ କଥା (...) କରିବ-? ଝିଅଟା ଦିନକୁ ଦିନ ଯେପରି ବଢ଼ି ଉଠୁଛି କେତେ (...) କ’ଣ ? ଆଜି କାଲି ଯୁଗର କଥା କ’ଣ ବୁଝିନାହିଁ ? ସାକ୍ଷାତ (...) ମୂର୍ତ୍ତିଟି ପରି ଦେଖାଗଲାଣି ପରା ! ବଡ଼ ବିପଦ ବାପା, ବଡ଼ ବିପଦ ନା, କ’ଣ କହୁଛ ?

 

ଶମ୍ଭୁନାଥ ପ୍ରଶ୍ନର ଉତ୍ତରକୁ ଅପେକ୍ଷା ନ ରଖି, ଆହୁରି ଟିକିଏ ପଛକୁ ଘୁଞ୍ଚିଆସି, ବାଡ଼ିଖଣ୍ଡ ଘୁଞ୍ଚାଇଆଣି, ଅତି ଗୋପନରେ କାନେ କାନେ କହିବାକୁ ଆରମ୍ଭ କଲେ–ବାପା, ଗୋଟାଏ ଲାଏଖ ପାତ୍ର ବି ହାତରେ ଅଛି । ଧରି ବସିଲେ ଟଙ୍କା ଚାରିଶରୁ କ୍ରାନ୍ତିଟାଏ ଊଣା ହେବ ନାହିଁ । ଲୋକଟା ବି ସେ ପକ୍ଷରେ ଦିଆଳୁ । ଧନ ଅମାପ । ଅମାର ଅମାର ଧାନ ଠେସି ଦେଇଛି । ମହାଜନି କାରବାର । ନିତି ନିତି ଗୋଡ଼ତଳେ ଟଙ୍କା ପଇସା ଆସି ଝମ୍‍ ଝମ୍‍ ହୋଇ ପଡ଼ୁଛି । ତେବେ କଅଣ କି ଦୋହଳବେଇ । ହେଲେ, ବୟସ ବେଶି ନୁହେଁ, ପଚାଶ ପୂରି ନାହିଁ । ପୁରୁଷ ପୁଅର ବୟସ କି ଧରାଯାଏ ବାପା ? ମୋ ଦେଖନ୍ତାରେ ଲୋକେ ବାଷଠି ବର୍ଷରେ କାର୍ତ୍ତିକେୟ ପରି ପୁଅର ବାପ ହୋଇଚନ୍ତି–ଚତୁର୍ଥ ପକ୍ଷର ସ୍ତ୍ରୀ ପ୍ରସବ କରି ଝାଡ଼ି ଦେଇଛି । ଆଉ ଏ ବା କେତେ-? ତେବେ, କ’ଣ ବାପା, ଚେଷ୍ଟାଚରିତ୍ର କରି ଦେଖିବା ? ମୁଁ କହି ରଖୁଛି–କାନମୋଡ଼ି ଗୋଟିଗଣନ୍ତା ଚାରିଶହ ଟଙ୍କାଟି ଆଦାୟ କରିଦେବି । ଏ ଶମ୍ଭୁନାଥ ଶତପଥି, ୟା’ର କଥାର ଏପାଖ ସେ ପାଖ ନାହିଁ ।

 

ଏହା କହି ଶମ୍ଭୁନାଥ ବାଡ଼ିଧରି ଉଠିବାକୁ ଉଦ୍ୟତ ହେଲେ ଏବଂ ଛିଡ଼ା ହୋଇପଡ଼ି କହିଲେ–ଏହିଲାଗେ ଜବାବଟା ଦେବାକୁ (...) ବାପା । ଏସବୁ କଥା ଭାବିଚିନ୍ତି ଦେଖିବାକୁ ସମୟ ଲାଗେ । ଭଲ କରି ଭାବ । କାଲି ସାରି କରି ମୋତେ କହିବ । ଆଉ (...) ସହିତ ତ ପରାମର୍ଶ କରିବାର ନାହିଁ । ମୁଁ ଯା କହିଛି (...) ବୋଲି ଏକମାତ୍ର ତମେ । ତମେ ଯାହା ସ୍ଥିର କରିବ ତା’ ହେବ-

 

ଆଚ୍ଛା, ମୁଁ ଆସେଁ ବାପା, ଭାବି ଚିନ୍ତି କହିବ । କାଲି ଦେଖା ହେବ ତ ?

 

ଜୟକୃଷ୍ଣ କହିଲା–ହଁ କକା, କାଲି ଏତିକି ବେଳକୁ ବସିଲେ ହବ ।

 

‘‘ଆଚ୍ଛା, ଆଚ୍ଛା’’ ବୋଲି କହି ଶତପଥୀଏ ବିଦା ହେଲେ । ଜୟକୃଷ୍ଣ ଉଠି, ପାଟିକରି କହିବାକୁ ଲାଗିଲା–କି ଅକଲ ଏତେ ବଡ଼ ଝିଅଟାର ବାବା ! ଆଖିରେ ଦେଖିଗଲା–ଶତପଥୀଏ ଆସି କଥାଭାଷା ହେଉଛନ୍ତି । ଖଣ୍ଡେ ପାନ ବି ଆଣି ଦେବାକୁ ବୁଦ୍ଧି ହେଲା ନାହିଁ । ଧିକ୍‍ ସେ ବୁଦ୍ଧିକି-

 

ସୁଷି କଥାଗୁଡ଼ାକ ଶୁଣି, ନ ଶୁଣିଲା ପରି ଚୁପ୍‍ ରହିଲା ।

 

ସେ ଦିନ ରାତିରେ ଜୟକୃଷ୍ଣକୁ ଆଉ ନିଦ ହେଲା ନାହିଁ । କେବଳ ମନେ ପଡ଼ିଲା–ଶମ୍ଭୁନାଥଙ୍କ ଆଶାମୟୀ ବାଣୀ । ଆଖି ଆଗରେ ନାଚି ଉଠିଲା–ଗୋଟି ଗୋଟି ହୋଇ ଚାରିଶହ ଟଙ୍କା । କି ସୁନ୍ଦର ପ୍ରସ୍ତାବ । ଏକାଥରକେ ଚାରିଶହ ଟଙ୍କା ତା’ର ହାତ ମୁଠା ଭିତରକୁ ଆସିଯିବ । ଅଡ଼ି ବସିଲେ, ଚାରିଶହଟା ବଢ଼ି ବଢ଼ି ପାଞ୍ଚ ଶହରେ ଯେ ନ ଉଠିବ ତା’ ବା କିଏ କହିବ ? ଶମ୍ଭୁନାଥ ଶତପଥୀ ଯେଉଁଠି ମଧ୍ୟସ୍ଥ, ସେଭଳି ଜାଗାରେ ତା’ ହେବା ବିଚିତ୍ର ନୁହେଁ । ଲୋକଟାକୁ ସେ ସବୁ କାଇଦା କଟକଣା ଭଲରୂପେ ଜଣା । କିପରି ଲୁହାରେ କି ଭଳି ପାଣି ଦିଆଯାଏ, ତା’ ସେ ଜାଣେ । ଏପରି ଗୋଟାଏ ଦାଗ ଛାଡ଼ିଦେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ।

 

ଜୟକୃଷ୍ଣ ଭାବିଲା–ଏହିଟା ଠିକ୍‍ ଉପାୟ । ସେ ଦିନ ସେ ଯେଉଁ ପ୍ରସ୍ତାବଟା କରିଥିଲା ଅର୍ଥାତ୍‍ ସୁଷିର କଲିକତା ଯିବା ପ୍ରସ୍ତାବ, ସେଟା ଠିକ୍‍ ଜାଗାରେ ବଢ଼ା ହୋଇ ନ ଥିଲା–ସୁଷି ସେପରି ସାହସବାଲୀ ନୁହେଁ–ବେଧଡ଼କ ନିଆଁକୁ ଡେଇଁ ପଡ଼ିବାର ସାହସ ତା’ର ନାହିଁ । କଲିକତା ନାଁଟା ଶୁଣି ତା’ର ମୁଣ୍ଡରେ ତେନ୍ତୁଳିଆ ବିଛା ବିନ୍ଧିଦେଲା–ସେ ଛାଟିପିଟି ହୋଇ ପଳେଇଲା । ତା’ର କଲିଜା ବଡ଼ ନରମ୍‍ । ଖାଲି ରୂପ ସିନା ଅଛି, ଛାତି ନାହିଁ । ସେ ସେହି ପୁରୁଣା କାଳର ସାବିତ୍ରୀ ଠାକୁରାଣୀ–ଏ ଯୁଗର ଦମ୍ଭବାଲି ନୁହେଁ । ଫଟ୍‍ କରି ଗୋଡ଼ କାଢ଼ି କଲିକତା ରେଙ୍ଗୁନକୁ ଠେଲିଯିବା, ଆଉ ଆପଣାର ନସିବ୍‍କୁ ତା’ ରାସ୍ତାରେ ଛାଡ଼ିଦେବା ବୋଇଲେ ଯେଉଁ କଥା ତା’ ସୁଷି ଭଳି ଲୋକଦ୍ୱାରା ହେବାର ନୁହେଁ । ଏହି ସତ୍ୟଟା ଜୟକୃଷ୍ଣ ଉପଲବ୍‍ଧି କରିଗଲା । ଆଉ ଦେଖିଲା–ଏଥିରେ ପୁରାମାତ୍ରାରେ ନିଜର ଲାଭ ରହିଛି । ସେ ହେଉଛି ସର୍ବବାଦୀସମ୍ମତ ମୁରବି । ଟଙ୍କାଟା ତାହାରି ହାତରେ ପଡ଼ିଲେ କେତେ କାମ ଦେଖେଇବ । ଅବଶ୍ୟ. ବିଭାଘରଟାରେ ଚାଳିଶ ପଚାଶ ଉଡ଼ିଯିବ । ଗଲେ ଯାଉ, ବାକିଟା ତ ହାତ ମୁଠାରେ ରହିଲା । ସେତେକ ଧରି କଲିକତା ସହରରେ ଯାଇ ବାଜିଏ ଦି’ବାଜି ଜୁଆଖେଳରେ ବସିଗଲେ ତେଣିକି ନେଉଥା ।’ ଏହି ବାଟରେ ଯାଇ ତ ପୁଣି ଲୋକେ ବଡ଼ ଲୋକ ହୋଇ ବସିଛନ୍ତି, ସେ ବା ନ ହେବ କାହିଁକି ? ଏହା ଭାବି, ଟଙ୍କାଟା ହାତକୁ ଆସିଗଲେ ଦୈନିକ ଅହିଫେନ ସେବନର ମାତ୍ରା ଆଉ ଟିକିଏ ବଢ଼େଇଦେଇ, ଜୟକୃଷ୍ଣ ଦେହରେ ଟିକିଏ ତାକତ୍‍ ଆଣିବାକୁ ମଧ୍ୟ ସଂକଳ୍ପ କରିଦେଲା ।

 

ପରଦିନ ଚା’ ପାନ କରିସାରି ସେ ଖୁସି ମନରେ ବାଉଲିମାକୁ ଡାକି କହିଲା–ବୁଝିଲୁ ନା ବାଉଲିମା, କଲିକତା ଛାଡ଼ି ଆଉ ବେଶୀଦିନ ଏଠି ରହିବାକୁ ମନ ଟେକୁ ନାହିଁ । ଖାଲି ପଳେଇ ଯିବାକୁ ଆତ୍ମା ଡାକୁଛି । ଢେରଦିନର ମାୟା କି ନା । ଗୋଟାଏ ଲୋକର ମାୟା ଯେମିତି, ଗୋଟାଏ ସ୍ଥାନର ମାୟା ସେମିତି ଜାଣିବୁ । କହିବାକୁ ଗଲେ, ଏକପ୍ରକାର ପିଲାଦିନରୁ ଯାଇ ସେ ସ୍ଥାନରେ ମୁକାମ କରା ହେଇଛି ତ ! ଆଜି ଆଉ ତା’ର ମାୟା ତୁଟେଇ ହେଉଛି କେତେକେ ?

 

ବାଉଲିମା ମନେ ମନେ ଖୁସିହୋଇ କହିଲା–ହଁ ଭାଇ, ସେ କଥା ଠିକ୍‍ । ଯେ ପିଲାଦିନୁ ପାକଲା ଆମ୍ୱ ଖାଇଆସିଲା, ତା’ ତୁଣ୍ଡକୁ ଆମ୍ୱଡ଼ା ଯେମିତି, ଯେ ଏତେକାଳ କଲିକତାରେ ରହିଆସିଲା ତା’ ପକ୍ଷରେ ଏ ମଫସଲଗାଁରେ ରହିବା ସେମିତି । ମୁଁ ସିନା କଲିକତା ଯାଇନାହିଁ, ହେଲେ ବାପ-ଦାଦାଙ୍କଠୁ ତ ଶୁଣିଛି । ବାପାସାଆନ୍ତେ ଆମର ସବୁବେଳେ କହନ୍ତି–ଯେ ଥରେ କଲିକତା ଯାଇଚି, ତା’ର ସରଗକୁ ଯିବା ଆଉ ଦରକାର ନାହିଁ । ତମେ ମୋତେ କଅଣ କହୁଛ ? ତେବେ କଉଁଦିନ ଯିବା କଥା ସାର କରୁଛ ଭାଇ ?

 

ଜୟକୃଷ୍ଣ ଗୋଟାଏ ହାଇମାରି ଫୁଟକି ଫୁଟାଇଲା । ତା’ପରେ ଜବାବ ଦେଲା–ହେଲେ, ଯେତେ ଶୀଘ୍ର ଯିବାର ଇଚ୍ଛା ତେତେ ଶୀଘ୍ର ଯାଇହେଉଛି କାହିଁ ଭଉଣୀ ? ଟିକିଏ କେଁ ଅଛି ପରା । ଏତେଦିନ ପରେ ଆସିଛି, ଗୋଟାଏ ସତ୍‍ପାତ୍ର ଦେଖି ସୁଷିଟାକୁ ସମର୍ପଣ କରି ଦେଇ ନ ଗଲେ ଲୋକେ ବଡ଼ ନିନ୍ଦା କରିବେ । ଆସିଲା ଦିନରୁ ମୁଁ ସେହିକଥାଟା ଭାବୁଛି–ହେଲେ କାହାରିକୁ କିଛି କହିପାରୁ ନାହିଁ । କଅଣ କରିବି ? ଗୋଟାଏ କିଛି ଯୋଗାଡ଼ଯନ୍ତ୍ର ହେଲେ ତ କହିବି ? ନୋହିଲେ ସମସ୍ତେ ବୋଲିବେ–ଏଟା ମୁଫତ୍‍ଖୋର, ଖାଲି ନିଶଫୁଲା କଥାଟି ଜାଣେ । ନା କ’ଣ ବାଉଲିମା ?

 

ବାଉଲିମା ମନରେ ଯେଉଁ ଆନନ୍ଦରଶ୍ମିରେଖାଟିକ ସଦ୍ୟ ଦେଖା ଦେଇଥିଲା ତା’ ମଉଳିଯିବାର ଉପକ୍ରମ ହେଲା । କିନ୍ତୁ ସେ ତା’ର କୌଣସି ସୂଚନା ପ୍ରକାଶ ନ କରି କହିଲା–ତେବେ କିଛି ଚେଷ୍ଟା ଚରିତ୍ର କରୁଛ ନା କ’ଣ ? ଏତେ ଚଞ୍ଚଳ ସେପରି କିଛି ହେବାର ଆଶା ଅଛି ନା-?

 

‘‘ଅଛି, ଅଛି, ବାଉଲିମା । ଦେଖାଯାଉ ପିଲାଟାର ଭାଗ୍ୟରେ କ’ଣ ଅଛି ।’’–ଏହାକହି ଜୟକୃଷ୍ଣ ବାହାରକୁ ଯିବାର ଉଦଯୋଗ ଆରମ୍ଭ କରିଦେଲା । ଅଳ୍ପକ୍ଷଣପରେ ମଧ୍ୟ ଛଡ଼ିଖଣ୍ଡ ଧରି ପାଦର ଚଟି ଦି’ପଟ ଚଟ୍‍ ଚଟ୍‍ କରି ବାହାରିଗଲା ।

 

ଠିକ୍‍ ସେତିକିବେଳେ କାହିଁକି କେଜାଣି ବାଉଲିମାର ଅନ୍ତସ୍ତଳ ଆନ୍ଦୋଳିତ କରି ଗୋଟାଏ ନୈରାଶ୍ୟର ନିଃଶ୍ୱାସ ବାହାରି ପଡ଼ିଲା । ତା’ର କେତେ କଥା ମନେ ପଡ଼ିବାକୁ ଲାଗିଲା । ବିଶେଷ କରି ମନେ ପଡ଼ିଲା–ସେହି ଦିନର କଥା । ଯେଉଁଦିନ ସୁଷି ସହିତ ତାକୁ ହରିଶଙ୍କର ବାବୁଙ୍କ ଘରୁ ବିଦା ହୋଇ ଆସିବାକୁ ହେଲା । ଏହି ସୁଷିର ବିବାହ ବ୍ୟପାର ନେଇ ସେଦିନ ଏତେ ଗୋଳମାଳ । ଏହି ସୁଷିକୁ ବିବାହ କରିବାପାଇଁ ହରିଶଙ୍କରଙ୍କର ଏତେ ଶ୍ରଦ୍ଧା, ଏତେ ଅପୂର୍ବ ଅଭିନବ ଘଟଣା ! ଶୁଦ୍ର କନ୍ୟାକୁ ଗ୍ରହଣ କରିବାକୁ ବ୍ରାହ୍ମଣ ସନ୍ତାନର କି ଅଭିଳାଷ ! ସେଥିପାଇଁ କି ହଟହଟା ! କିନ୍ତୁ ଯେ ଏହି ହଟହଟାର ମୂଳ ସେ ଆଜି କୁଆଡ଼େ ? ଏତେ ଶ୍ରଦ୍ଧାକରି ଯେ ବିବାହ କରିବାକୁ ଉଦ୍ୟତ ଥିଲା, ସେ ଆଜି ଟିକିଏ ଦେଖାଦର୍ଶନ ନ ଦେଲେ ଗଲା । କେତେଟା ଟଙ୍କା ଫିଙ୍ଗିଦେଇ, ଘର ଭିତରକୁ ନ ପଶି ସେହି ଦିନରୁ ଯେ ଯାଇଛି–ଯାଇଛି । କିଏ ମଲା ବା ବଞ୍ଚିଲା ତା’ର ଟିକିଏ ତତ୍ତ୍ୱ ବି ନେଉ ନାହିଁ । ହାୟରେ ବିଧାତା ସେ ପୁଣି ଦିନେ ନିରାଶ୍ରୟାର ଆଶ୍ରୟ ହେବାକୁ ଆସିଥିଲା–ଘରେ ଘରେ ଦୟା ବାଣ୍ଟି ବୁଲୁଥିଲା–ନିଜକୁ ଅନାଥାର ଭରସା ବୋଲି ବାହାରକୁ ପରିଚୟ ଦେଉଥିଲା ! ଧିକ୍‍ ଧିକ୍‍, ତାକୁ–ଶତ ଧିକ୍‍ ତା’ର ମୁଖା-ପିନ୍ଧା ମୁହଖଣ୍ଡକୁ !

 

ବାଉଲିମାର ଅସ୍ଥି ମଜ୍ଜା ପର୍ଯ୍ୟନ୍ତ ଘୃଣାରେ ଜର୍ଜର ହୋଇ ଉଠିଲା । ମନରେ ଆଜି କ୍ରୋଧ ଜାତ ହେଲା । ସୁଷମା ଉପରେ ବି ତା’ର ଭୟଙ୍କର ରାଗ ବଢ଼ିଲା । କାହିଁକି ସେହି ଟଙ୍କା କେତେଟା ସେ ହାତ ପତେଇ ସେ ଦିନ ନେବାକୁ ଗଲା ? କାହିଁକି ସେ ତା’ ଫିଙ୍ଗି ନ ଦେଲା ? ଗୋଡ଼ରେ ଦଳି ଦେଇ, ମଳି, ଦେଇ, ସେହି ଦାତାରାମ୍‍ ଉପରକୁ ଫୋପାଡ଼ି ନ ଦେଲା ? ବାଉଲିମା ଆଉ ସମ୍ଭାଳି ପାରିଲା ନାହିଁ । ଡାକିଲା–ରାଣୀ !

 

ସୁଷମା ତା’ର କଣ୍ଠସ୍ୱରରେ ଗୋଟାଏ ଅସ୍ୱାଭାବିକତାର ଆଭାସ ପାଇଲା । ଜୟକୃଷ୍ଣ ସହିତ ତା’ର ଯେଉଁ କଥାବାର୍ତ୍ତାଟା ଏହି ଲାଗେ ହୋଇଗଲା ତାହା ସେ ଅନ୍ୟ ଜାଗାରେ ଥାଇ ସବୁ ଶୁଣିଥିଲା । ବଡ଼ ବିଚଳିତ ହୋଇ ଶୁଣିଥିଲା । ଭାବୁଥିଲା–ଏ ପୁଣି ଭାଗ୍ୟର କି ନୂତନ ପରିହାସ ! ଭାଗ୍ୟଦେବତା ତାକୁ ନେଇ କି ଖେଳଟା ଖେଳୁଛି ! କେତେ ହଟହଟା କରୁଛି । ସେ ହଟହଟାର ଯେପରି ସୀମା ନାହିଁ, ଶେଷ ନାହିଁ, ଆଦି ନାହିଁ, ଅନ୍ତ ନାହିଁ । କିଏ ଭାବିଥିଲା–ଏତେଦିନ ହେଲା ଯେ ଗୃହତ୍ୟାଗ କରି ଯାଇଛି, ଯାହାର ମୁଖର ଆକୃତିଟା ପର୍ଯ୍ୟନ୍ତ ଲୋକ ଭୁଲିଯାଇଛି–ସେ ପୁଣି ଫେରିଆସିବ, ଅବ୍ୟାପାରରେ ବ୍ୟାପାର କରି ବସିବ । ସୁଷିର ସେହି ଶମ୍ଭୁନାଥ ଶତପଥୀଟା ଉପରେ ଘୋର ବିରକ୍ତି ଜାତ ହେଲା । ଏତେଦିନ ଯାଏଁ ସେ କୁଆଡ଼େ ଥିଲା ? ହଠାତ୍‍ ତାକୁ କାହିଁକି ତା’ର ବିବାହର ଚିନ୍ତା ଘାରିବସିଲା ? ସୁଷିର ଯେତେବେଳେ ଘୋର ଦୁଃଖର ସମୟ, ମା’ର ମୃତ୍ୟୁପରେ ସେ ଯେତେବେଳେ ଅକୂଳ ସମୁଦ୍ରରେ ଭାସମାନ, ସେତେବେଳେ ତ ସେ ମୁହୂର୍ତ୍ତକ ପାଇଁ ଆସି ଦେଖାଦେଉ ନ ଥିଲା । ଆଜି ତା’ର ସହାନୁଭୂତି କାହିଁକି ଉଛୁଳି ଉଠିଲା ? ହାୟ ! ଆଜି ବାରୁଦ ସହିତ ଅଗ୍ନିର ସହଯୋଗ କାହିଁକି ଘଟିଲା ? ସେ ଆଜି ଜୟକୃଷ୍ଣ ସାଙ୍ଗରେ ତା’ ବିଷୟ ନେଇ ଚର୍ଚ୍ଚା କରିବସିଲା, ଦୁହେଁ ମିଳି ତା’ର ତିକ୍ତ ଜୀବନରେ ଅଧିମ ତିକ୍ତତା ଭରିଦେବାକୁ ଷଡ଼ଯନ୍ତ୍ର କଲେ । ଏମାନେ କେଉଁ ଅପଦେବତାର ଚର ? କି ଉପାୟରେ ସେ ଏମାନଙ୍କ ହସ୍ତରୁ ମୁକ୍ତି ପାଇବ ? ସୁଷିକୁ ବୁଦ୍ଧି ବାଟ ଦେଖାଗଲା ନାହିଁ । ତା’ର ପ୍ରାଣ ଭିତରେ ଘୋର ଅଶାନ୍ତି କୁହୁଳିବାକୁ ଲାଗିଲା ।

 

ଏହି ସମୟରେ ବାଉଲିମାର ଡାକ ଶୁଭିଲା । ସୁଷି କ୍ଷୀଣ କଣ୍ଠରେ ଜବାବ୍‍ ଦେଲା । ବାଉଲିମା ସମ୍ମୁଖରେ ଆସି ଉପସ୍ଥିତ ହୋଇ କହିଲା–ରାଣୀ ! ଗୋଟାଏ କଥା ଶୁଣିଗଲ ।

 

ସୁଷମାର ଅନ୍ତସ୍ଥଳ ଦୁଲୁକି ଉଠିଲା । କି କଥା ? ଖୁବ୍‍ ଗୁରୁତର କିଛି ନୁହେଁ ତ ? ସେ ସନ୍ଦିଗ୍‍ଧ ସ୍ୱରରେ ପଚାରିଲା–କ’ଣ ବାଉଲିମା ?

 

ବାଉଲିମା କହିଲା–ଆଚ୍ଛା ରାଣୀ, ତମେ ତ ପୋଥିପତ୍ର ପଢ଼ିଛ । ‘ରାମାୟଣ’ ‘ମହାଭାରତ’ ଗାଇ ଶିଖିଛ, ତମକୁ ତ ଜଣା ଥିବ–ମୁଲକରୁ ମୁଲକ କେମିତି ହୁଲିଆ ହୁଏ କହିଲ ?

 

ଚିନ୍ତାଭାରଗ୍ରସ୍ତା ସୁଷିର ମୁହଁରେ ଈଷତ୍‍ ହାସ୍ୟରେଖାଟି ଉଠିଲା । ସେ ବିଦ୍ରୁପ କରି କହିପକେଇଲା–ହଁ. ରାମାୟଣ ମହାଭାରତରେ ତ ସେ ସବୁ କଥା ଢେର ଢେର ଲେଖାହୋଇଛି, କାହିଁକି ?

 

‘‘ତେବେ କହିଲ ରାଣୀ, କେମିତି ସେଟା କରିବାକୁ ହୁଏ, କେଉଁଠି ଯାଇ କରିବାକୁ ହୁଏ-?’’

 

ସୁଷି କୌତୂହଳୀ ହୋଇ ପଚାରିଲା–ହୁଲିଆଜାରିଟାଏ କରିବୁ ନା କ’ଣ ?

 

ବାଉଲିମା–ହଁ, ରାଣୀ ।

 

କାହା ନାଁରେ ଲୋ ?

 

ସେହି ଭୁଲାମନ ବାବୁଟା ନାଁରେ ।

 

ଦୂର ପୋଡ଼ାମୁହୀଁ, ସବୁବେଳେ ସେହି ବାବୁ, ବାବୁ । ତୋ ମୁହଁରେ ସେ ନିଆଁ ଦେବେ ନା କ’ଣ ଲୋ ?

 

ବାଉଲିମା କହିଲା–ସେଇଟା ତ ଦେଲେ ଭଲ ହୁଅନ୍ତା ରାଣୀ ! ସବୁ କରି ସେତକ ବାକି ରଖିଲା କିଆଁ ଶୁଣେ ! ଦିନକ ପାଇଁ ଆସି ତମ ମୁହଁରେ ଆଉ ମୋ ମୁହଁରେ ସେତକ ଦେଇଗଲେ ତ ଯାଆନ୍ତା, ତେଣିକି ସେ ବି ଖଲାସ୍‍, ଆମେ ବି ଖଲାସ୍‍ । କେହି କାହାରିକୁ କହିବାକୁ ନ ଥାନ୍ତା !

 

ଏହା କହି ବାଉଲିମା ଗମ୍ଭୀର ହୋଇ ରହିଲା ।

 

ଅବୋଧା ନାରୀର ଅକୃତ୍ରିମ ସହାନୁଭୂତି ଲକ୍ଷ୍ୟ କରି ସୁଷମାର ଅନ୍ତଃକରଣ ଆର୍ଦ୍ର ହୋଇଉଠିଲା । ସେ ମୁହଁ ଖଣ୍ଡିକ ତଳକୁ ପୋତି ଉତ୍ତର ଦେଲା–ଛି, ବାଉଲିମା । ତାଙ୍କର କି ଦୋଷ-? ନିଜର କପାଳକୁ ନିନ୍ଦା ନ କରି ଅନ୍ୟଲୋକକୁ ଦୋଷ ଦେବାଟା କି ସାଜେ ?

 

ବାଉଲିମା ଦୃଢ଼ସ୍ୱରରେ କହିଲା–ସାଜେ, ରାଣୀ ! ସାଜେ । ତମକୁ କେବେ କହିନାହିଁ, ଆଜି କହୁଛି–ଯେଉଁ ଦିନ ସେ ମୋତେ ଆଣି ଏଇ ଘରେ ରଖିଗଲେ, ସେ ଦିନ କ’ଣ କହିଥିଲେ ଜାଣ ? କହିଥିଲେ–‘‘ବାଉଲିମା, ସୁଷିର ମା’ ତ ସରଗରେ । ଆଜି ତୋତେ ତା’ର ମାଆ ହୋଇ ବସିବାକୁ ହେବ । ତା’ର ସମସ୍ତ ଭାର ତୋ ଉପରେ, ଆଉ ମୋ ଉପରେ ରହିଲା । ତାକୁ ନିଜ ଝିଅଟି ପରି ଦେଖିବୁ । ମାଆର ଅଭାବ ତାକୁ ଯେପରି ନ ବାଧେ ।’’ ଯେ ଦିନେ ଏତେ କଥା କହି ନିଜର ମଣିଷ ହୋଇ ବସିଥିଲା–ପୁଣି, ନିଲଠା ପାଲଟି ବିଭା ହେବ ବୋଲି ମନ କରିଥିଲା, ସେ ଆଜି ଏତେ ନିର୍ଦୟା ପାଲଟି ପାରେ ! ଆଚ୍ଛା, ମୁଁ ପଚାରେଁ ତା’ର କ’ଣ ବା ଅସାଧ୍ୟ ଥିଲା ? ନିଜେ ବିଭାହେବା କଥା ଯଦି ନୋହିଲା,–ଆଉ ତା’ ବା କେମିତି ହୁଅନ୍ତା ?–ବ୍ରାହ୍ମଣ ବରକୁ ଶୁଦ୍ର କନିଆ ! ତେବେ ପଇସା ଖର୍ଚ୍ଚ କରି ସେ ତ ଭଲ ପାତ୍ରଟିଏ ଦେଖି ତାହାରି ହାତରେ ସଅଁପି ଦେଇ ପାରିଥାନ୍ତା । ତା’ ନ କଲା କାହିଁକି ? ପୁଣି ଏଠି ଆଣି ପକେଇ ଏମିତି ହଇରାଣ କରିବାର ମତଲବ୍‍ କ’ଣ ? ସେଥିଲାଗି କହୁଥିଲି–ଗୋଟାଏ ହୁଲିଆ କରି ଆଣିବାକୁ । ଥରେ ମୋ ଆଗକୁ ଆସିଲେ ଜମିଦାର ପୁଅଟିର ଅକଲ ଗୁଡ଼ୁମ୍‍ କରି ଦିଅନ୍ତା । ସେଟା କ’ଣ ହୋଇପାରିବ ନାହିଁ ରାଣୀ ?

 

ସୁଷି ସଂକ୍ଷିପ୍ତ ‘ନା’ ବୋଲି କହି ବାଉଲିମାର ମୁହଁକୁ ଅନାଇ ରହିଲା । ସତେ ଯେପରି ସେହି ଘୃଣାବିରକ୍ତିପୂର୍ଣ୍ଣ ମୁହଁ ଖଣ୍ଡିକରେ ତା’ର ମାତୃମୂର୍ତ୍ତି ପ୍ରତିବିମ୍ୱିତ ଦେଖିପାରିଲା । କ୍ଷଣକ ଅନ୍ତେ ସେ ଗଦ୍‍ଗଦ ସ୍ୱରରେ କହିଲା–ଆଜିଠାରୁ ତୋତେ ମା ବୋଲି ଡାକିବି ବାଉଲିମା, ତୁ ମୋର ମା’ ।

 

ବାଉଲିମା ତାକୁ କୋଳକୁ ଟାଣି ନେଇ କହିଲା–ମୁଁ କି ସତେ ଏଡ଼େ ଭାଗ୍ୟବତୀ ରେ ରାଣୀ !

 

ସୁଷି ଉତ୍ତର ଦେଲା–ଖୁବ୍‍, ଖୁବ୍‍ । ଏହା କହି ସେ ତା’ର ବକ୍ଷ ଉପରେ ମୁହଁଟି ଯାକି ଦେଇ ନିମୀଳିତ ନେତ୍ରରେ ତାକୁ ଆଉଜି ରହିଲା ।

Image

 

ଦ୍ୱାବିଂଶ ପରିଚ୍ଛେଦ

 

ରାଧାପ୍ରିୟାଙ୍କ ପାଦତଳେ ନୀରବ ପ୍ରଣତିଟି ଉପହାର ଦେଇ ଯେଉଁଦିନ ସୁଷମା ହରିଶଙ୍କରଙ୍କ ସାଙ୍ଗରେ ବିନା ଆପତ୍ତିରେ ବାହାରି ଆସିଲା, ସେହିଦିନଠାରୁ ରାଧାପ୍ରିୟାଙ୍କ ମନରେ ତିଳାର୍ଦ୍ଧ ଶାନ୍ତି ନ ଥିଲା । ଦୈନନ୍ଦିନ କାର୍ଯ୍ୟକଳାପରୁ ତା’ର ବିଶେଷ କିଛି ସୂଚନା ପ୍ରଥମେ ପ୍ରଥମେ ମିଳୁ ନ ଥିଲା । ତା’ର କାରଣ, ସେ ନିଜକୁ ସଂଯତ କରି ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ । କିନ୍ତୁ ପ୍ରାଣର ଅଶାନ୍ତି ଅଧିକ ଦିନ ସଂଯମ ମାନି ଚଳେ ନାହିଁ । କ୍ରମେ କ୍ରମେ ତାହା ପ୍ରକାଶିତ ହେବାକୁ ଆରମ୍ଭ କଲା । ସୁବିଧା ପାଇଲେ ରାଧାପ୍ରିୟାଙ୍କ ଅଜ୍ଞାତସାରରେ ତାହା କଥାରେ ପ୍ରକାଶିତ ହୋଇପଡ଼େ । ସେଥିରେ ବାଧାପଡ଼ିଲେ ତାହା କାର୍ଯ୍ୟରେ ଫୁଟିଉଠେ । କାର୍ଯ୍ୟରେ ଓ କଥାରେ ସତର୍କତାର ବେଷ୍ଟନୀ ଯଥାସମ୍ଭବ ସୁଦୃଢ଼ କରି ଘେରିଦେଲେ, ତାହା ଫାଙ୍କି ଦେଇ ନୀରବତାରେ ଆତ୍ମପ୍ରକାଶ କରିବ ସେ । ରାଧାପ୍ରିୟା ବଡ଼ ମୁସ୍କିଲରେ ପଡ଼ନ୍ତି । ଏହିପରି କିଛିଦିନ ଗଲାପରେ ରାଧାପ୍ରିୟା କ୍ରମେ କ୍ରମେ ହଟିବାକୁ ଆରମ୍ଭ କଲେ । ନିଜ ପାଖରେ ତାଙ୍କର ପରାଜୟ ସ୍ପଷ୍ଟରୁ ସ୍ପଷ୍ଟତର ହେବାକୁ ଲାଗିଲା । କେତେବେଳେ ଔଦାସୀନ୍ୟ ଆକାରରେ କେତେବେଳେ ବା କ୍ରୋଧର ମୂର୍ତ୍ତି ଧରି ତାହା ଦେଖାଦେଲା । ସମୟ ସମୟରେ ଅକାରଣ ବିରକ୍ତିର ଲକ୍ଷଣ ସ୍ୱରୂପ ତାହା ପ୍ରକାଶ ପାଇଲା । ସୁଷିର ପ୍ରସ୍ଥାନ ପରେ ରାଧାପ୍ରିୟାଙ୍କ ପାଇଁ ପାନଭାଙ୍ଗି ଯଥାସମୟରେ ଯୋଗାଇବାର ଭାର ପଡ଼ିଲା ପୂର୍ବ ପରିଚାରିକା ସେବତୀ ଉପରେ । ପୂର୍ବରୁ ଏହା ବିଶିଷ୍ଟ କାର୍ଯ୍ୟଟାର ଭାର ତାହାରି ଉପରେ ଥିଲା । ତାମ୍ୱୁଳ ପରିବେଶନ କିପରି କରିବାକୁ ହୁଏ, ତାହାର କୌଶଳ ତାକୁ ଯଥେଷ୍ଟ ବିଦିତ ଥିଲା । ଦିନେ ସେ ସ୍ୱୟଂ ମା-ଠାକୁରାଣୀଙ୍କଠାରୁ ଏ କାର୍ଯ୍ୟ ପାଇଁ ପ୍ରଶଂସା ଦାବି କରୁଥିଲା । ମା-ଠାକୁରାଣୀ ମଧ୍ୟ ତା’ଉପରେ ପ୍ରଶଂସା ବର୍ଷଣ କରିବାକୁ ଦିନେ ପଶ୍ଚାତ୍‍ପଦ ହେଉ ନ ଥିଲେ । କିନ୍ତୁ ଆଜି ଆଉ ସେ ପ୍ରଶଂସା ସେବତୀ ଲାଭ କରିବାକୁ ସମର୍ଥ ହୁଏ ନାହିଁ । ପୂର୍ବ ଗୌରବରେ ପୁନଃ ପ୍ରତିଷ୍ଠିତ ହେବାପାଇଁ ପ୍ରାଣପଣେ ଚେଷ୍ଟାକରେ, ଯଥାସମ୍ଭବ ମନୋନିବେଶ କରି ପାନଭାଙ୍ଗି ରାଧାପ୍ରିୟାଙ୍କ ମନୋରଞ୍ଜନ କରିବାକୁ ଯତ୍ନକରେ । ମାତ୍ର ସେ ଯତ୍ନ କେବଳ ଯତ୍ନରେ ପର୍ଯ୍ୟବେସିତ ହୁଏ, ସିଦ୍ଧିଲାଭ ଘଟେ ନାହିଁ । ଅନେକ ସମୟରେ ରାଧାପ୍ରିୟା ପାନଖଣ୍ଡେ ପାଟିରେ ଗୁଞ୍ଜିଦେଇ, ଥରେ ଦୁଇଥର ଚୋବାଇ ପକାଇ, ଥୁ ଥୁ କରି କାଢ଼ି ପକାନ୍ତି । ସେବତୀ ହତବୁଦ୍ଧି ହୋଇଯାଏ । ହାୟ ହାୟ ! ତା’ର ଏତେ ଶ୍ରମସ୍ୱୀକାରର ପରିଣତି ହେଲା ଥୁ ଥୁ-! ବ୍ରାହ୍ମଣୀ ନାନୀ ଅତିଯତ୍ନ କରି ଦିବ୍ୟସୁନ୍ଦର ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରେ । ରାଧାପ୍ରିୟାଙ୍କ ତୁଣ୍ଡକୁ ଯାହା ଯାହା ରୁଚେ ତାହା ଖୁବ୍‍ ପରିପାଟି କରି ରାନ୍ଧି ଆଣେ । ପାଖରେ ବସି ଭୁଞ୍ଜାଇବାକୁ ଚେଷ୍ଟା କରେ । ମାତ୍ର ଭୁଞ୍ଜିବାରୀତିରୁ ତାହା ରାଧାପ୍ରିୟାଙ୍କ ତୁଣ୍ଡକୁ ରୁଚିକର ହେଲା ବୋଲି ଜଣା ପଡ଼େ ନାହିଁ । ନାନୀ କହେ–ମା’-ଠାକୁରାଣୀ ବଡ଼ିବେସରଟା କ’ଣ ଭଲ ହୋଇ ନାହିଁ ? ଛେନା ଝୋଳଟାରେ କାହିଁ ତ ହାତ ବାଜୁ ନାହିଁ ? ରାଧାପ୍ରିୟା କହନ୍ତି–‘‘ହଁ ଗୋ, ବାଜିବ ନାହିଁ କାହିଁକି-? ଆଉ କେତେ ଖାଇବି ?’’ କିନ୍ତୁ ଏ କଥାକେ ବ୍ରାହ୍ମଣୀ ନାନୀର ମନବୋଧ ହୁଏ ନାହିଁ । ସେ ମୁହଁ ବଙ୍କା କରି ବସେ । ଗୃହଦେବତା ମଦନମୋହନଙ୍କ ପୂଜାରୀ ଦୀକ୍ଷିତ ପୁଅ ଚନ୍ଦନ ତୁଳସୀ ଓ ପାଦୋଦକ ଆଣି ମା’-ଠାକୁରାଣୀଙ୍କ ହାତରେ ଦେଇ କହେ–ମା’, ଆଜି ସନ୍ଧ୍ୟା ଆରତୀବେଳେ ବିଜେ ହେବାକୁ ଭୁଲିବେ ନାହିଁଟି । କିନ୍ତୁ ରାଧାପ୍ରିୟା ଭୁଲିଯାନ୍ତି । ସନ୍ଧ୍ୟା ଆରତି ଶେଷ ହୁଏ, ଅଥଚ ମା’ ଠାକୁରାଣୀ ବିଜେ ହୁଅନ୍ତି ନାହିଁ । ପର୍ବପର୍ବାଣିବେଳେ ଘରେ କିପରି ଉତ୍ସବର ଅନୁଷ୍ଠାନ କରିବାକୁ ହେବ ସେ ବିଷୟରେ ପରାମର୍ଶ କରିବାପାଇଁ ଦାସ ଦାସୀମାନେ ଆସି ତାଙ୍କୁ ବ୍ୟସ୍ତ କରନ୍ତି, ରାଧାପ୍ରିୟା ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରି କହନ୍ତି–‘‘ତମର ବୁଦ୍ଧିଶୁଦ୍ଧି କ’ଣ ପୋଡ଼ିଯାଇଛି ? ଥରକୁ ଥର ଆସି ମୋତେ ପଚାରୁଛ ? ଏତେ ଦିନହେଲା ଏ ଘରେ ରହିଲ, କେତେବେଳେ କ’ଣ ହୁଏ ତା’ କ’ଣ ଜାଣନାହିଁ ? ଦାସଦାସୀମାନେ ରାଧାପ୍ରିୟାଙ୍କର ଏ ଅସ୍ୱାଭାବିକ ବିରକ୍ତି ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି । ସେଠି ଘରବୋହୁ ଆଠଦିନରେ ଥରେ ଆସି ମା’-ସାଆନ୍ତାଣୀଙ୍କର ମଳିନବେଶ ଲକ୍ଷ୍ୟକରି କହେ–ପହରଣ ଖଣ୍ଡି ପାଲଟିଦେବାକୁ ହୁକୁମ ହଉ ମା । ରାଧାପ୍ରିୟା ଉଦାସ କଣ୍ଠରେ କହନ୍ତି–‘‘ଥାଉ ଲୋ ନାକଫୋଡ଼ିମା, ଆଉ ଦିନେ ନେବୁ, ଆଜି କିଏ ଦଉଚି ।’ ଜାଗିରଖିଆ ବନ୍ଧୁବାରିକର କଅଁଳ କହୀ ଘରଣୀ ଆସି ଗୋଡ଼ଧରି ଜିଦ୍ଦିକରି ବସେ–ଆସ ମା’, ଆସ, ମୋ ରାଣଟି, ମୋ ମୁଣ୍ଡ ଖାଇବ, ନଖଗୁଡ଼ାକ ବଢ଼ିଗଲାଣି, ଥରେ ନହୁରୁଣୀଟା ବୁଲେଇ ଦିଏଁ । ରାଧାପ୍ରିୟା କହନ୍ତି–ନା ଲୋ ବାରିକଘର ବୋହୁ, ତୁ ଆଜି ଯା ।

 

ଦିନକୁ ଦିନ ଏହିପରି କାର୍ଯ୍ୟରେ, ବାକ୍ୟରେ, ଆଚରଣରେ ରାଧାପ୍ରିୟାଙ୍କର ଔଦାସୀନ୍ୟ ଫୁଟି ଉଠୁଥିଲା । ସବୁ ବିଷୟରେ ଗୋଟାଏ ନିର୍ଲିପ୍ତଭାବ ପରିଲକ୍ଷିତ ହେଉଥିଲା । ଯେ ପ୍ରକାରେ ହେଉ ଦିନକେତେଟା କଟିଗଲେ ଗଲା । ଜୀବନର ସ୍ରୋତଟା ବୋହି ଶୁଖିଗଲେ ଗଲା, ଏହିପରି ଗୋଟାଏ ବୈରାଗ୍ୟର ଲକ୍ଷଣ ଦେଖଯାଉଥିଲା । ସମସ୍ତେ ଏହା ସ୍ପଷ୍ଟଭାବରେ ଲକ୍ଷ୍ୟ କରୁଥିଲେ । ଏହି ବିଷୟଟା ନେଇ ନାନାପ୍ରକାର ଆଲୋଚନା ଚାଲିଥିଲା । ଦାସ ଦାସୀମାନେ ନାନା ଟୀକା ଟିପ୍‍ପଣୀ ପ୍ରକାଶ କରୁଥିଲେ । କେହି କୃଷ୍ଣମାଧବଙ୍କୁ ଦୋଷ ଦେଉଥିଲା, କେହି ବା ହରିଶଙ୍କରଙ୍କୁ ଆଉ କେହି ବା ସୁଷମାକୁ ଦୋଷୀ ସାବ୍ୟସ୍ତ କରୁଥିଲା । ଶିବଦାସ ବୁଢ଼ା ମୁଣ୍ଡ ହଲେଇ କହୁଥିଲା–ସାଆନ୍ତେ ଭାରି ଗୁଣବନ୍ତ ଲୋକ ହଁ, ହେଲେ କ’ଣ ହେବ, ଟିକିଏ ଅଖାଡ଼ୁ ପ୍ରକୃତିର । ଯାହା କଉଁକାଳେ ଦେଖାନାହିଁ କି ଶୁଣା ନାହିଁ, ତା’ କରିବାକୁ ଯିବାଟା ପିଲାଳିଆ କଥା । ରାଧୁ ଗୁମାସ୍ତାଏ କହନ୍ତି–‘‘ବଡ଼ ଖରାପ କଥାଟା ହେଲା । ମାମୁ ସାଆନ୍ତେ ଟିକିଏ ସମ୍ଭାଳିଯାଇ ଭଲ କଥାରେ ବାବୁ ସାହେବଙ୍କୁ ବୁଝାଇ ଦେଇଥିଲେ ହୋଇଥାନ୍ତା,–ହଠାତ୍‍ ପଞ୍ଚମ ହୋଇଗଲେ । ବାବୁ ଅଭିମାନୀ ଲୋକ, ଅଭିମାନ ଧରି ବସିଲେ । ସେହି ନିଆଶ୍ରୀ ଝିଅଟିର କପାଳ ଫାଟିଲା । ଆହା ବଡ଼ ଗୁଣବତୀ ଝିଅଟି, ଯାହାକୁ କହନ୍ତି ଅମୃତହସ୍ତା । କୀର୍ତ୍ତନିଆ କହେ–‘‘ପେଟପାଟଣା କଥା ବୁଝିବାକୁ ଲୋକଟା ଥିଲା ଏକା ! ଏ ଘରୁ ଲକ୍ଷ୍ମୀପ୍ରତିମା ଚାଲିଗଲା । କେତେଟା ଦିନରେ ସେ ଲୋକଙ୍କୁ କି ଆପଣାର କରି ପକେଇଥିଲା । ସେ ଦିନ ଦୈବକୁ ମୁଁ ନ ଥିଲି, ନୋହିଲେ କି ସହଜରେ ଛାଡ଼ି ଦେଇଥାନ୍ତି ? ଦି’ଜଣଙ୍କ ଗୋଡ଼ ଭିଡ଼ିଧରି ଲମ୍ବହୋଇ ପଡ଼ିଯାଇଥାନ୍ତି–କହିଥାନ୍ତି–ଯିବ ଯଦି ଏହି କୀର୍ତ୍ତନିଆ ଉପରେ ଚଢ଼ିକରି ଯାଅ । ସେତିକି ବୁଦ୍ଧି ତ କାହରିକୁ ଦିଶିଲା ନାହିଁ ।’’ ହରିଆମା ପୋଇଲୀ ତୁନି ତୁନି କହେ–‘‘ଝିଅଟାର ସବୁଗୁଣ ଭଲ ହଁ, ହେଲେ ଆଗପଛ ଦେଖିପାରେ ନାହିଁ-। ମୁଁ କହେଁ–ସେ ତ ରଜାଘର ପୁଅ, ତୁ ତ ଗରିବ ଘର ଝିଅ, ବଡ଼ଲୋକ ପୁଅ ସାଙ୍ଗରେ ପୀରତି କିଆଁ ? ସବୁ କଥା ସେଇଠି ରହିଛି ନା ! ମୂଳରୁ ସେତକ ଯଦି ନ କରି ଥାନ୍ତୁ, ପାଖ ପଶିବାକୁ ଦେଇ ନ ଥାନ୍ତୁ, ତେବେ ଏତେ କଥା କ୍ୟାଁ ହୋଇଥାନ୍ତା ।’

 

କେହି କେହି ବିଶେଷ ବିଜ୍ଞତା ପ୍ରକଟ କରି ବନ୍ତବ୍ୟ ଦିଅନ୍ତି,–‘‘ମା’-ଠାକୁରାଣୀଙ୍କର ଟିକିଏ ଭୁଲ ହେଲା । ସେ ଧରାଛୁଆଁ ଦେଲେ ନାହିଁ, ସାପକୁ ମର ବୋଲି କହିଲେ ନାହିଁ କି ବାଡ଼ିକୁ ଭାଙ୍ଗ ବୋଲି କହିଲେ ନାହିଁ । ସବୁ କଥାରେ ଚୁପ୍‍ ମାରିଗଲେ । ଆଚ୍ଛା ସମସ୍ତଙ୍କୁ ବୁଝାଇ ସମଝାଇ ଝିଅଟିକୁ ଗୋଟିଏ ପାତ୍ର ଦେଖି ଉଠେଇ ଦେଇଥିଲେ ତ କଥା ସରିଥାନ୍ତା ।’ କେହି ଏହା ଶୁଣି ଯୁକ୍ତି କରି ବସନ୍ତି–ଏତେ କଥାକୁ ସମୟ ହେଲା କାହିଁ ? ଅନ୍ୟ କେହି ତା’ର ଜବାବ ଦିଅନ୍ତି–ସମୟର କଥା ତ ନୁହେଁ, ସେ ଦିଗରେ ତିଳାର୍ଦ୍ଧ ଚେଷ୍ଟା ହିଁ ହେଲା ନାହିଁ ।

 

ମିଛଟାରେ ଘରଲୋକ ଗୁଡ଼ାକ ଯେତେବେଳେ ଏହିପରି ଚକ୍ଷୁକୁଟାରେ ଲାଗିଥିଲା ସେତେବେଳେ କୃଷ୍ଣମାଧବଙ୍କର ଦୁଶ୍ଚିନ୍ତା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା । ରାଗଚୋଟରେ ସେ ସ୍ନେହର ଭାବିନେୟ ହରିଶଙ୍କରଙ୍କୁ ଅନେକ ଗୁଡ଼ାଏ ମର୍ମ୍ମନ୍ତୁଦ କଥା କହି ପକାଇଥିଲେ ଏବଂ ତାହାର ଫଳ ଯେ ଏଡ଼େ ଗୁରୁତର ହେବ, ତାହା ଭାବି ନ ଥିଲେ । କୃଷ୍ଣମାଧବ ବାସ୍ତବରେ ହରିଶଙ୍କରଙ୍କୁ ବଡ଼ ସ୍ନେହ କରୁଥିଲେ । ନିଜେ ପୁତ୍ରହୀନ ଥିବାରୁ ଭଗିନୀର ଏକମାତ୍ର ପୁତ୍ରଙ୍କୁ ସେ ନିଜର ପୁତ୍ରପରି ମନେ କରୁଥିଲେ । ଠିକ୍‍ ବୁଝିବାକୁ ଗଲେ ଶିବଶଙ୍କର ଥିଲେ ହରିଶଙ୍କରଙ୍କର ଜନ୍ମଦାତା ପିତା, କିନ୍ତୁ ପିତାର କାର୍ଯ୍ୟ କରୁଥିଲେ କୃଷ୍ଣମାଧବ । ପିଲାଟି ଦିନରୁ ହରିଶଙ୍କରଙ୍କୁ ମଣିଷ କରି ଆଣିଥିଲେ ସେହି । ତାଙ୍କର ସମସ୍ତ ସୁଖ ସୁବିଧା ପ୍ରତି ଲକ୍ଷ୍ୟରଖି ତଦନୁଯାୟୀ ବ୍ୟବସ୍ଥା କରୁଥିଲେ ସେହି । ହରିଶଙ୍କରଙ୍କର ମାତୁଳ କୃଷ୍ଣମାଧବଙ୍କଠାରେ ଯେତେବେଳେ ଯେଉଁ ପ୍ରାର୍ଥନା କରୁଥିଲେ ତାହା ତତ୍‍କ୍ଷଣାତ୍‍ ପୂର୍ଣ୍ଣ ହେଉଥିଲା । ଉଭୟଙ୍କ ମଧ୍ୟରେ ଯେଉଁ ସ୍ନେହ ଶ୍ରଦ୍ଧାର ମଧୁମୟ ବନ୍ଧନଟି ଥିଲା, ତାହା କେବେ ଛିନ୍ନ ହେବବୋଲି କେହି କଳ୍ପନା କରୁ ନ ଥିଲେ । ଆଜି ତାହା ଆଉ ପୂର୍ବଭଳି ମଧୁମୟ ରହିପାରିଲା ନାହିଁ । ଏଟା ଅନ୍ୟଲୋକ ଅପେକ୍ଷା କୃଷ୍ଣମାଧବଙ୍କୁ ହିଁ ଅଧିକ ବାଧୁଥିଲା । ସେ ଦିନ ଏପରି ଗୋଟାଏ କଥା କୃଷ୍ଣମାଧବଙ୍କ ତୁଣ୍ଡରୁ ଖସି ଯାଇଥିଲା ଯାହାପାଇଁ ସେ ପରେ ବଡ଼ ଅନୁତପ୍ତ ହୋଇଥିଲେ । ପ୍ରକାରାନ୍ତରେ ସେ କହିଥିଲେ ହରିଶଙ୍କର ଜମିଦାରୀର କେହି ନୁହେଁ–କୃଷ୍ଣମାଧବ ହିଁ ସବୁ । କଥାଟା ଠିକ୍‍ ଏହି ଭାଷାରେ କୁହା ହୋଇ ନ ଥିଲା ସତ୍ୟ, କିନ୍ତୁ ଭାବଟା ଭିନ୍ନ ନ ଥିଲା । ଏତେବଡ଼ ରୂଢ଼ କଥାଟା କହିଦେବା କୃଷ୍ଣମାଧବଙ୍କର ଉଚିତ ନ ଥିଲା । କି ଜାଣି ବା ଏହି କଥାଟା ପାଇଁ ଆଜି ହରିଶଙ୍କର ଜମିଦାରୀ ସହିତ ପ୍ରାୟ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି । ଆଜିକୁ ବର୍ଷାଧିକ କାଳ ହୋଇଗଲା ସେ ଘରକୁ ଫେରିଲେ ନାହିଁ, କେଉଁଠି ଅଛନ୍ତି ତା’ର ବି କୌଣସି ସ୍ଥିରତା ନାହିଁ । ଚିଠି ନାହିଁ, ପତ୍ର ନାହିଁ । ନିଜର ଖରଚ ପାଇଁ ଟଙ୍କା ବି ଚାହୁଁ ନାହାନ୍ତି । କି ଉପାୟରେ ଚଳୁଛନ୍ତି ତା’ ମଧ୍ୟ ଜଣାନାହିଁ । ଗୃହତ୍ୟାଗର ମାସକ ପରେ କୃଷ୍ଣମାଧବ ରାଧୁ ଗୁମାସ୍ତାଙ୍କୁ ପଚାରିଲେ–ହରିଶଙ୍କର ପାଖକୁ ଟଙ୍କା ପଠେଇଛ ? ଗୁମାସ୍ତା ଜବାବ୍‍ ଦେଲେ–ବାବୁ ସାହେବ କୌଣସି ଠିକଣା ଦେଇଯାଇନାହାନ୍ତି ଯେ ।’ ପର ମାସ ମଧ୍ୟ ଠିକ୍‍ ସେହି ଜବାବ ମିଳିଲା । ଆଉ କିଛିଦିନ ପରେ କୃଷ୍ଣମାଧବ ଆଦେଶ ଦେଲେ–କଟକ ଠିକଣାରେ ହଜାରେ ଟଙ୍କା ପଠେଇଦିଅ । ମାତ୍ର ଟଙ୍କା ଫେରିଆସିଲା । ଗୁମାସ୍ତା ସେ ଖବର କୃଷ୍ଣମାଧବଙ୍କୁ ଦେବାରୁ କୃଷ୍ଣମାଧବ ଚିଡ଼ିଉଠି କହିଲେ–ଆହା ! ଯେଉଁ ଗୁମାସ୍ତାଟି ମିଳିଛି ନା ! ଯିବାସମୟରେ ଆଉ ଠିକଣାଟା ବୁଝି ରଖି ପାରିଲ ନାହିଁ । ରାଧୁଙ୍କ ପାଟି ଆଫା ଆଫା ମାରିଗଲା । କି ଅଖାଡ଼ୁଆ କଥା ! କୃଷ୍ଣମାଧବ ମିଛଟାରେ ଏହିପରି ଦୋଷ ଦିଅନ୍ତି । କିନ୍ତୁ କୃଷ୍ଣମାଧବ ରାଗିଲେ ରାଧୁ ଜବାବ ଦେବାକୁ ସାହସ କରନ୍ତି ନାହିଁ, ସୁତରାଂ କିଛି କହିଲା ନାହିଁ, ଦୋଷଟା ନୀରବରେ ମୁଣ୍ଡେଇ ନେଲେ-

 

କୃଷ୍ଣମାଧବଙ୍କ ଦୁର୍ଭାବନା ଦିନକୁ ଦିନ ବଢ଼ିଲା । ଜମିଦାରୀ ପରିଚାଳନା ତାଙ୍କୁ ବିଷବତ୍‍ ବୋଧ ହେବାକୁ ଲାଗିଲା । ଯେଉଁ କାର୍ଯ୍ୟଟା ତାଙ୍କୁ ଅସୀମ ଆନନ୍ଦ ଦେଉଥିଲା, ସେଟା ଆଜି ଗୋଟାଏ ଦଣ୍ଡଭୋଗ ପରି ଜଣାଗଲା । କିନ୍ତୁ ସେ ଦଣ୍ଡଭୋଗ ପରି ଜଣାଗଲା । କିନ୍ତୁ ସେ ଦଣ୍ଡଭୋଗ ନ କରି ଉପାୟ ନାହିଁ । ଗୋଟାଏ ପଦାର୍ଥ ଯେତେବେଳେ ଲୋକ ରଖି ନ ପାରେ, ପୁଣି ଛାଡ଼ି ମଧ୍ୟ ନ ପାରେ, ସେତେବେଳେ ତାହାର ମନର ଅବସ୍ଥା ଯାହା ହୁଏ, କୃଷ୍ଣମାଧବଙ୍କର ତାହାହିଁ ହେଲା । ସେ ବିବ୍ରତ ହୋଇ ପଡ଼ିଲେ । ଚାରିଆଡ଼କୁ, ଅନେକ ପରିଚିତ ଲୋକଙ୍କ ନିକଟକୁ ପତ୍ର ଲେଖିଲେ–ହରିଶଙ୍କର କେଉଁଠି ଅଛନ୍ତି ତା’ର ସନ୍ଧାନ ଲାଭ କରିବାକୁ ଚେଷ୍ଟା କଲେ, ମାତ୍ର ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । ଦିନେ କୃଷ୍ଣମାଧବ ରାଧାପ୍ରିୟାଙ୍କ ନିକଟରେ ଆସି ଉପସ୍ଥିତ ହେଲେ । କହିଲେ–ନାନୀ ! ହରି ତୋ ପାଖକୁ କିଛି ଚିଠିପତ୍ର ଲେଖୁନାହିଁ ? ରାଧାପ୍ରିୟା ସଂକ୍ଷେପରେ ‘ନା’ ବୋଲି କହି ଚୁପ୍‍ ରହିଲେ । କୃଷ୍ଣମାଧବ ଆଉ କ’ଣ ପଚାରିବେ କିଛି ଭାବି ପାରିଲେ ନାହିଁ । ରାଧାପ୍ରିୟା ମଧ୍ୟ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ । ରାଧାପ୍ରିୟା ମଧ୍ୟ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ । ଉଦାସୀନ ହୋଇ ବସି ରହିଲେ । କୃଷ୍ଣମାଧବ ଥରେ ତାଙ୍କ ମୁହଁକୁ ଲକ୍ଷ୍ୟ କରି ଦେଖିଲେ । ମନେ ହେଲା ଯେପରି ଅନ୍ୟ କୌଣସି ଲୋକର ମୁହଁ–ଭଗିନୀ ରାଧାପ୍ରିୟାଙ୍କର ନୁହେଁ-। କୃଷ୍ଣମାଧବଙ୍କ ଛାତିଟା ଧଡ଼ କରି ଉଠି ଧଡ଼ ପରି ପଡ଼ିଲା । ସେ ନୀରବରେ ସ୍ଥାନ ଛାଡ଼ି ଉଠିଆସିଲେ । ଅପରାଧୀ ପରି ଏକ ନିଃଶ୍ୱାସରେ ପଳେଇ ଯାଇ ଉଆସ ବାହାରେ ଥିବା ନିଜର ବୈଠକଖାନାରେ ଆସି ବସିପଡ଼ିଲେ ।

Image

 

ତ୍ରୟବିଂଶ ପରିଚ୍ଛେଦ

 

ବୈଠକଖାନାରେ ବସିଥିବା ସମୟରେ କୃଷ୍ଣମାଧବ ଖବର ପାଇଲେ ଯେ ଟେଲିଗ୍ରାମ ପିଅନ କି ଗୋଟାଏ ତା’ର ଖବର ଆଣି ଉପସ୍ଥିତ । କୃଷ୍ଣମାଧବ ଉଠିପଡ଼ି ଭାବିଲେ–ନିଶ୍ଚୟ ହରିଶଙ୍କରଠାରୁ ଟେଲିଗ୍ରାମ ଆସିଛି । ଜରୁରୀ ଟଙ୍କାର ଦରକାର ପଡ଼ିଲେ, ହରିଶଙ୍କର ଅନେକ ସମୟରେ ବିଦେଶରୁ ଏହିପରି ଟେଲିଗ୍ରାମ କରିଥାନ୍ତି । ନିଶ୍ଚୟ ଟଙ୍କାର ଦରକାର ପଡ଼ିଛି । ଦିନେ ଏହିପରି ଘଟିବ ସେ ଜାଣିଥିଲେ । ଏତେ ଦିନେ ତାହା ଘଟିଛି । କୃଷ୍ଣମାଧବ ମନେ ମନେ ଖୁସି ହେଲେ । ସ୍ଥିରକଲେ, ଏଥର ଟଙ୍କା ଡାକରେ ପଠାଇବେ ନାହିଁ ? ଟେଲିଗ୍ରାମର କୌଣସି ଉତ୍ତର ମଧ୍ୟ ଦେବେ ନାହିଁ । ନିଜ ହାତରେ ପାଞ୍ଚ ହଜାର ଟଙ୍କା ନେଇ ସ୍ୱୟଂ ହରିଶଙ୍କର ନିକଟରେ ଉପସ୍ଥିତ ହେବେ । ଏକ ହାତରେ ଟଙ୍କା ଦେବେ । ଅନ୍ୟ ହାତରେ ହରିଶଙ୍କରଙ୍କୁ ଟାଣି ଘରକୁ ନେଇ ଆସିବେ । କହିବେ–‘‘ହରି, ଏଡ଼େ ଅଭିମାନ ତୋର ! ପଦେଅଧେ କଥାରେ ଏତେ ରାଗ ! କେବେ ଏତେ ଅଭିମାନ କରି ଶିଖିଲୁ ? ହଁ, ତୁ ଅନ୍ୟର ସନ୍ତାନ ହୋଇପାରୁ, କିନ୍ତୁ ଗଢ଼ିଛି ତୋତେ କୃଷ୍ଣମାଧବ । ଆଜି ତାହାରି ଆଦେଶ, ଚାଲ,ଫେରିଚାଲ, ଅବିଳମ୍ବେ ଘରକୁ ଫେରିଚାଲ । ଥରେ ମା’ ରାଧାପ୍ରିୟାର ଚେହେରା ଦେଖି ତା’ପରେ ଯାହା କର୍ତ୍ତବ୍ୟ କର ।’’

 

ଅଳ୍ପ ସମୟ ମଧ୍ୟରେ କୃଷ୍ଣମାଧବ ଅନେକ କଥା ଭାବିଗଲେ । ଭାବୁଁ ଭାବୁଁ ସେ ବାହାରକୁ ଆସିଲେ । ପିଅନ ହାତରୁ ଟେଲିଗ୍ରାମଟା ଗ୍ରହଣ କରି ଓ ଡାକ ବହିରେ ସ୍ୱାକ୍ଷର କରି ତାକୁ ଫେରାଇ ଦେଲେ । ଖୋଳଟା ଚିରି ପକାଇ ଟେଲିଗ୍ରାମଟା ପଢ଼ିବାକୁ ଆରମ୍ଭ କଲେ । ପଢ଼ୁ ପଢ଼ୁ ମୁଖର କାନ୍ତି ମଳିନ ହୋଇ ଆସିଲା । ମୁଖ ଉପରେ ଆଶଙ୍କାର ଛାୟାପାତ ହେଲା । ଟେଲିଗ୍ରାମ କାଗଜ ଖଣ୍ଡ ହାତରେ ଧରି ସେ ବିଷଣ୍ଣ ବଦନରେ ପୁନଶ୍ଚ ବୈଠକଖାନା ଭିତରକୁ ପ୍ରବେଶ କଲେ ।

 

ଟେଲିଗ୍ରାମଟା ହରିଶଙ୍କରଠାରୁ ଆସି ନ ଥିଲା । ପ୍ରତ୍ୟାଶିତ ଶୁଭ ସମ୍ୱାଦ ମଧ୍ୟ ଆଣି ନ ଥିଲା । ତାହା ବହନ କରି ଆଣିଥିଲା–ଏକ ଦୁଃସମ୍ବାଦ । କୃଷ୍ଣମାଧବଙ୍କ ଜାମାତା ଏକ ମୋଟର ଦୁର୍ଘଟଣାରେ ସାଙ୍ଘାତିକ ଭାବରେ ଆହତ ହୋଇ ବାରିପଦା ହାସପାତାଳରେ ମୁମୂର୍ଷୁ ଅବସ୍ଥାରେ ପଡ଼ିରହିଛନ୍ତି । ସେହି ବାରିପଦା ଟାଉନରେ ସପରିବାର ରହି ସେ କୌଣସି ଏକ ଅଫିସରେ କାର୍ଯ୍ୟ କରୁଥିଲେ । ଆଜି ଅକସ୍ମାତ୍‍ ସେଠାରେ ଏ ବିପଦ । କୃଷ୍ଣମାଧବଙ୍କୁ ତୁରନ୍ତ ଆସିବା ପାଇଁ ତାର କରା ହୋଇଛି ।

 

କୃଷ୍ଣମାଧବ ରାଧାପ୍ରିୟାଙ୍କୁ ଏ ଆକସ୍ମିକ ବିପଦରେ ଖବର ଦେଇ ଯଥା ସମୟରେ ବାରିପଦା ଅଭିମୁଖରେ ଚାଲିଲେ । କିନ୍ତୁ ବାରିପଦାରେ ପହଞ୍ଚିବାବେଳକୁ ସମସ୍ତ ଶେଷ ହୋଇଯାଇଥିଲା । ହାସପାତାଳରେ ଜାମାତାଙ୍କର ଜୀବନବର୍ତ୍ତିକା ଅଳ୍ପ କେତେ ଘଣ୍ଟା ମଧ୍ୟରେ ଚିରଦିନ ପାଇଁ ନିର୍ବାପିତ ହୋଇଥିଲା । କୃଷ୍ଣମାଧବଙ୍କ ଏକମାତ୍ର ସନ୍ତାନ ପ୍ରାଣଠାରୁ ବଳି ପ୍ରିୟ ବିଂଶତି ବର୍ଷୀୟା କନ୍ୟା ମାଳତୀର ସୀମାନ୍ତରୁ ସୌମ୍ୟ ସିନ୍ଦୁର ରେଖାଟି ବିଧାତା କ୍ରୁରହସ୍ତରେ ପୋଛିଦେଇ ସାରିଥିଲା ।

 

କୃଷ୍ଣମାଧବ ସେହି ସଦ୍ୟ ବିଷାଦବୋଳା ପ୍ରବାସ ଭବନରେ ପାଦ ଦେଇ ହୃଦୟର ଉଚ୍ଛ୍ୱସିତ ଶୋକାବେଗ ସମ୍ଭାଳି ରଖି ପାରିଲେ ନାହିଁ–ଝରଝର ହୋଇ ନୟନରୁ ଝରିବାକୁ ଲାଗିଲା-। ସଦ୍ୟ ବୈଧବ୍ୟ ବିଧୁରା କନ୍ୟା ମାଳତୀ ତାଙ୍କର ପାଦ-ଲୁଣ୍ଠିତାହୋଇ ହୃଦୟଫଟା କରୁଣ ଆର୍ତ୍ତନାଦରେ ଗଗନ ବିଦୀର୍ଣ୍ଣ କରିବାକୁ ଆରମ୍ଭ କଲା । କୃଷ୍ଣମାଧବ ସେ ଶୋକାକୂଳ ମୂର୍ତ୍ତିଆଡ଼କୁ ଚାହିଁ ପାରିଲେ ନାହିଁ–ଜନ୍ମଦାତା ପିତା ହୋଇ କେହି ଚାହିଁପାରେ ନାହିଁ । ତାଙ୍କର ମର୍ମ୍ମସ୍ଥଳ ତିଳ ତିଳ ହୋଇ ଦଗ୍‍ଧୀଭୂତ ହେବାକୁ ଲାଗିଲା ।

 

ମାଳତୀ ଯୁବତୀ । ଯେ ବୟସରେ ରମଣୀ ଗୃହ-ସଂସାର ଆଲୋକିତ କରି ସୁଖର ସୁବର୍ଣ୍ଣ ରଶ୍ମି ବିଚ୍ଛୁରିତ କରେ, ସେହି ବୟସରେ ତା’ର ବୈଧବ୍ୟ । ଯେତେବେଳେ ଆଶାର ଅବାରିତ ଅମୃତଭଣ୍ଡାର ନେଇ ସେ ମଧୁଚକ୍ର ନିର୍ମାଣ କରିବାରେ ବ୍ୟସ୍ତ ଥିଲା, ସେତିକିବେଳେ ଝଞ୍ଜାର ଆବିର୍ଭାବ । ନିୟତିର କି କଠୋର କୁଠାରାଘାତ ! କିଏ ଭାବିଥିଲା–ମାଳତୀର କପାଳରେ ଏ ଦୁର୍ଦ୍ଦଶାର ବଜ୍ରପାତ ହେବ ? କେତେ ସ୍ନେହରେ, କେତେ ଯତ୍ନରେ, କେତେ ଆଦରରେ କୃଷ୍ଣମାଧବ ଏହି-ଏକମାତ୍ର ସନ୍ତାନକୁ ବଢ଼େଇ ଆଣିଥିଲେ । ମାଳତୀ ମାତୃହୀନା ହୋଇଥିଲା ସତ. କିନ୍ତୁ ପିତା ସେ ସ୍ଥାନ ପୂରଣ କରିଥିଲେ । ମାତାର ଅଭାବ ମାଳତୀ ପ୍ରାୟ ବୋଧକରି ନ ଥିଲା । କୃଷ୍ଣମାଧବ ଯେତେବେଳେ ସ୍ୱଗୃହ ତ୍ୟାଗ କରି ଭଗ୍ନୀପତିର ଭାବନାରେ ଆସି ବାସ କଲେ, ସେତେବେଳେ ମାଳତୀ ପିଲା । ଭଗ୍ନୀପତିଙ୍କ ବିଶାଳ ହର୍ମ୍ମ୍ୟପୁରୀରେ ବାଳଲୀଳା ଅଭିନୟ କରିବାକୁ ଅନ୍ୟ କେହି ନ ଥିଲେ । ତାହା ଆରମ୍ଭ କରିଥିଲା ଏକମାତ୍ର ବାଳିକା ମାଳତୀ । ମାତ୍ର ସେ ଅଭିନୟର ରସାସ୍ୱାଦ ଉପଭୋଗ କରିବାକୁ ଲାଳାୟିତ ଥିଲେ ସମସ୍ତେ । ସୁତରାଂ ମାଳତୀ ହୋଇଥିଲା ସମସ୍ତଙ୍କର ଆଦରଣୀ । କୃଷ୍ଣମାଧବଙ୍କର ସେ ପ୍ରାଣ, ରାଧାପ୍ରିୟାଙ୍କର ସେ ଆନନ୍ଦର ଉତ୍ସ; ଶିବଶଙ୍କରଙ୍କର ସେ କ୍ରୀଡ଼ାର ସଙ୍ଗିନୀ । ଜମିଦାର ଗୃହର ଅସଂଖ୍ୟ ପରିଚାରକ-ପରିଚାରିକାଙ୍କ କୋଳରେ ବା କାଖରେ ତା’ର ଦିନଗୁଡ଼ିକ ଆନନ୍ଦରେ କଟିଥିଲା । ସମସ୍ତେ ତାକୁ ଡାକୁଥିଲେ–ମାଳ । ଯୌବନାଗମରେ ପିତା ସୁନ୍ଦର ସତ୍‍ପାତ୍ର ଦେଖି ସହାସମାରୋହରେ ମାଳର ବିବାହ ସମ୍ପନ୍ନ କରାଇଥିଲେ । ଜାମାତା ଥିଲେ ଯୋଗ୍ୟ ଉପାର୍ଜ୍ଜନଶୀଳ ଯୁବକ । ମୋଟା ଦରମାରେ ସେ ମୟୁରଭଞ୍ଜରେ ଚାକିରି କରୁଥିଲେ । ଦିନକୁ ଦିନ ଯୁବକ ଯୁବତୀ ଦୁଇଟିଙ୍କର ସୁଖର ସୌଧ ସୁନ୍ଦରଭାବରେ ଗଢ଼ା ହେଉଥିଲା । କିନ୍ତୁ କାଳ ତାହା ପରିପୂର୍ଣ୍ଣ କରି ଦେଲା ନାହିଁ । ଅକାଳରେ ସୁଖର ସ୍ୱପ୍ନ ଭାଙ୍ଗିଦେଲା ।

 

ଯେଉଁ ମାଳତୀ ନାନା ସ୍ୱର୍ଣ୍ଣଳଙ୍କାରରେ ଭୂଷିତା ହୋଇ ଦିନକ ପୂର୍ବରୁ ଗୃହ ଉଜ୍ଜ୍ୱଳ କରି ରଖିଥିଲା ଆଜି ସେ ନିରାଭରଣା । କୃଷ୍ଣମାଧବଙ୍କ ଚକ୍ଷୁରେ ଏହି ନିରାଭରଣା ଯୁବତୀମୂର୍ତ୍ତି ଏକ ଅନିର୍ବଚନୀୟ ବିଭୀଷିକାର ସୃଷ୍ଟି କଲା । ବିଧାତାର କଠୋର ବିଦ୍ରୁପ ପରି ତାହା ପ୍ରତିଭାତ ହୋଇଉଠିଲା । ଭିତରେ ଭିତରେ କୃଷ୍ଣମାଧବ ଚମକି ଉଠିଲେ । ହଠାତ୍‍ ଯେପରି କିଏ ଆକାଶରୁ ତୋଳି ଆଣି ଏହି ନିରାଭରଣା ସଦ୍ୟ ବିଧବାର ସ୍ଥାନରେ ବସାଇ ଦେଲା ଆଉ ଏକ ଯୁବତୀମୂର୍ତ୍ତି । ମାତ୍ର ସେ ବିଧବା ନୁହେଁ–ସଧବା ମଧ୍ୟ ନୁହେଁ । କିନ୍ତୁ କୃଷ୍ଣମାଧବ ତାକୁ ପ୍ରଥମ ଦୃଷ୍ଟିରେ ଦେଖି ଅନାଦର କରି, ଘୃଣା କରି, ନା, ନା ବିଦ୍ରୁପ କରି ଭାବିଥିଲେ ବିଧବା । ଆଜି ହୁଏତ ବିଧାତା ତାଙ୍କ ଉପରେ ଦାଉ ସାଧିଲା,–ତାଙ୍କରି ଅସ୍ତ୍ରରେ ତାଙ୍କର ହୃଦୟକୁ ଚିରକାଳ ପାଇଁ ଆହତ କରି ରଖିଲା । କୃଷ୍ଣମାଧବଙ୍କ ବିଦୀର୍ଣ୍ଣବକ୍ଷରୁ ତପ୍ତ ନିଃଶ୍ୱାସ ମୁହୁଃର୍ମୁହୁ ନିର୍ଗତ ହେଲା ।

 

କନ୍ୟାର ଶ୍ୱଶୁର-ଶ୍ୱଶ୍ରୁ କେହି ଜୀବିତ ନ ଥିଲେ । ଶ୍ୱଶୁରକୁଳର ଅନ୍ୟାନ୍ୟ ଅନେକ ଲୋକ ଥିଲେ ସତ, ମାତ୍ର ସେମାନଙ୍କର ଥିବା ନ ଥିବା ସମାନ । ସମସ୍ତେ ଭିନ୍ନ ଭିନ୍ନ, କାହାରି ସଙ୍ଗରେ କାହାରି ବିଶେଷ କିଛି ସମ୍ପର୍କ ନ ଥାଏ, କେହି କାହାରି ଦୁଃଖସୁଖରେ ବିଶେଷ ଭାଗୀ ହୁଅନ୍ତି ନାହିଁ । ନିଜେ ନିଜର ସଂସାରଟି ନେଇ ବ୍ୟସ୍ତ ଥାନ୍ତି । କୃଷ୍ଣମାଧବ ସେମାନଙ୍କୁ କେବଳ ଦୁଃସମ୍ୱାଦଟା ଅନ୍ୟଦ୍ୱାରା ଜଣାଇଦେଇ ମାଳତୀକୁ ସଙ୍ଗରେ ନେଇ ଫେରିଆସିଲେ ।

 

କିନ୍ତୁ ଘରେ ଗୋଡ଼ ଦେବା ପୂର୍ବରୁ କୃଷ୍ଣମାଧବ ଅନ୍ୟ ଏକ ଦୁଃସମ୍ୱାଦ ଶ୍ରବଣ କଲେ । ଆଠ ଦିନ ହେଲା ରାଧାପ୍ରିୟାଙ୍କର ଭୟଙ୍କର ଜ୍ୱର । ମୁହୂର୍ତ୍ତେ ହେଲେ ଜ୍ୱରର ବିରାମ ନାହିଁ । ଡାକ୍ତରବାବୁଙ୍କ ମତରେ ଜ୍ୱରଟା ଟାଇଫଏଡ଼ । ରୀତିମତ ଚିକିତ୍ସା ହେଉଛି । ସହରର ଖ୍ୟାତନାମା ଡାକ୍ତର ସୁରେନ୍ଦ୍ରବାବୁ ଦିନରେ ତିନି ଥର ଯାଇ ଆସି ରୋଗୀର ତତ୍ତ୍ୱ ନେଉଛନ୍ତି । ରାଧୁ ଗୁମାସ୍ତାଙ୍କୁ ଖାଇବା ପିଇବାକୁ ତର ନାହିଁ । ଘରର ସମସ୍ତେ ପ୍ରାଣପଣକରି ଶୁଶ୍ରୁଷାରେ ଲାଗିଛନ୍ତି । ମାତ୍ର ସମସ୍ତେ ଆତଙ୍କିତ । କାହାର ମନରେ ସୁଖ ନାହିଁ, ଶାନ୍ତି ନାହିଁ । ସମସ୍ତ ଚିକିତ୍ସା, ସମସ୍ତ ଶୁଶ୍ରୂଷା ସତ୍ତ୍ୱେ ରୋଗର ଉପଶମ ଦେଖାଯାଉ ନାହିଁ । ବରଂ ଦୁଇ ଦିନ ହେଲା ଅତିରିକ୍ତ ହୋଇ ଉଠିଛି । ରୋଗିଣୀର ଚେତା ରହୁ ନାହିଁ,–ମଧ୍ୟେ ମଧ୍ୟେ ପ୍ରଳାପ ହେଉଛି ।

 

ଗୋଟାଏ ଗୁରୁତର ବିପଦ ପରେ ଆଉ ଗୋଟାଏ ଗୁରୁତର ବିପଦ । ଖବରଟା ଶୁଣି କୃଷ୍ଣମାଧବ କିଛି ସମୟ ଗୁମ୍‍ ହୋଇ ରହିଗଲେ । ପରେ ଦୀର୍ଘ ନିଃଶ୍ୱାସ ପକାଇ କହିଲେ–‘‘ହେଉ, ବାବା ମଦନମୋହନ, ଯାହା ଇଚ୍ଛା ତୁମ୍ଭର ।’’ ଏହା କହି ସେ ଧୀରେ ଧୀରେ ମାଳତୀକୁ ନେଇ ଉଆସ ଭିତରକୁ ପ୍ରବେଶ କଲେ । ସିଧାସଳଖ ଚାଲିଲେ ରାଧାପ୍ରିୟାଙ୍କ କକ୍ଷ ଅଭିମୁଖରେ । ସେତେବେଳେ ରାଧାପ୍ରିୟା ଅଚେତ । ମୁଖରୁ ପ୍ରଳାପ ଛୁଟୁଛି–ସୁଷମା, ସୁଷମା ତୋତେ କେତେ କହିବି ମ ! ପାନ ଖଣ୍ଡେ ଖା ।’’ ସେ ପ୍ରଳାପ-ଉକ୍ତି ଶୁଣି କୃଷ୍ଣମାଧବଙ୍କ ହୃତପିଣ୍ଡଟା ଛଟ୍‍ ଛଟ୍‍ ହୋଇ ଡେଇଁ ଉଠିଲା ।

 

ପ୍ରକୃତିସ୍ଥ ହୋଇ କୃଷ୍ଣମାଧବ ସମସ୍ତ ଅବସ୍ଥା ଲକ୍ଷ୍ୟ କଲେ । ଅନତିବିଳମ୍ୱେ ଡାକ୍ତର ବାବୁଙ୍କୁ ଡକେଇ ତାଙ୍କଠାରୁ ସମସ୍ତ କଥା ବୁଝିଲେ । ସୁରେନ୍ଦ୍ର ବାବୁଙ୍କର ଗୋଟାଏ ମହତ୍‍ଗୁଣ ଏହି ଯେ ସେ ନିଜର ସୁନ୍ଦର ବ୍ୟବହାର ଓ ସୁମିଷ୍ଟ କଥାବାର୍ତ୍ତା ଦ୍ୱାରା ରୋଗୀ ବା ରୋଗୀର ଆତ୍ମୀୟ ସ୍ୱଜନଙ୍କ ଉଦ୍‍ବେଗ ଏକ ମୁହୂର୍ତ୍ତରେ ଦୂର କରି ପାରନ୍ତି । ଅନ୍ୟାନ୍ୟ ଅନେକ ଡାକ୍ତର ତା’ ପାରନ୍ତି ନାହିଁ । ଖୁବ୍‍ ବଡ଼ ବଡ଼ ଡାକ୍ତରଙ୍କ ଠାରେ ମଧ୍ୟ ଏ ଗୁଣର ଅଭାବ ଦେଖାଯାଏ । ରୋଗତତ୍ତ୍ୱ ସଙ୍ଗେ ସଙ୍ଗେ ସେ ମନସ୍ତତ୍ତ୍ୱଟା ପ୍ରତି ସମାନ ଦୃଷ୍ଟିଦେଇ ଚାଲନ୍ତି । ଫଳତଃ ତାଙ୍କ ଚିକିତ୍ସାରେ ରୋଗୀ ବା ରୋଗୀର କୁଟୁମ୍ୱସ୍ଥ ଲୋକ ହତାଶ ହୁଏ ନାହିଁ । ସୁରେନ୍ଦ୍ର ବାବୁଙ୍କ ସହିତ କଥାବାର୍ତ୍ତା କରି କୃଷ୍ଣମାଧବ ଆଶ୍ୱସ୍ତ ହେଲେ ।

 

ରୋଗିଣୀର ଚିକିତ୍ସା ଆହୁରି କ୍ଷୀପ୍ରଗତିରେ ଚାଲିଲା । କୃଷ୍ଣମାଧବ ରାଧାପ୍ରିୟାଙ୍କ ଶଯ୍ୟାପାର୍ଶ୍ୱରେ ବରାବର ଜଗି ବସି ଶୁଶ୍ରୂଷାର ତତ୍ତ୍ୱାବଧାନ କଲେ,–ନିଜ ମଧ୍ୟ ଶୁଶ୍ରୂଷା କରିବାକୁ ଲାଗିଲେ । କନ୍ୟା ମାଳତୀ ମଧ୍ୟ କ୍ରମେ କ୍ରମେ ଭାଗ୍ୟକୁ ଆଦରି, ନିଜର ବିସ୍ମରଣୀୟ ଦୁଃଖଯାତନାର ଭାର ଧୈର୍ଯ୍ୟସହକାରେ ଦହନ କରି, ପିତୃସ୍ୱକ୍ଷାର ପରିଚର୍ଯ୍ୟାରେ ଲାଗିଲା । ଭଗବାନ୍‍ ଯେ ଚିରଦିନ ପାଇଁ ଏ ଦୁଃଖ ଯାତନାର ଭାବ ତା’ଉପରେ ଲଦିଦେଇଛନ୍ତି । ତାହା ନୀରବରେ ନିର୍ଦ୍ୱନ୍ଦ୍ୱରେ ବହନ କରି ଏ ଜନ୍ମଟା ପାଇଁ କଳାତିପାତ କରିବା ଛଡ଼ା ହିନ୍ଦୁରମଣୀର ଆଉ ଉପାୟାନ୍ତର କ’ଣ ଅଛି ? ପତିହୀନା ସାଧ୍ୱୀ ପତିକୁ ସାରା ଜୀବନରେ ଭୁଲି ପାରେ ନାହିଁ । ମାତ୍ର ଦାରୁଣ ସ୍ମୃତିର ଚିତାଗ୍ନି ହୃଦୟରେ ଜାଳିରଖି ତାକୁ ସଂସାର ମରୁରେ ଚାଲିବାକୁ ପଡ଼େ ।

 

ରାଧାପ୍ରିୟାଙ୍କ ଶୁଶ୍ରୂଷାରେ ନିଯୁକ୍ତ ରହି ମାଳତୀ ଅନେକ ସମୟରେ ରୋଗିଣୀର ପ୍ରଳାପ ଶୁଣେ । ସେ ପ୍ରଳାପ ମୂଖ୍ୟତଃ ସୁଷମାକୁ ଲକ୍ଷ୍ୟ କରି । ମାତ୍ର ସୁଷମା କିଏ, ମାଳତୀ ବୁଝିପାରେ ନାହିଁ । ତାହା ଜାଣିବାକୁ ତା’ର ଅନ୍ତରାତ୍ମା କୌତୂହଳୀ ହୁଏ । ହେଲେ ମଧ୍ୟ, କୌତୂହଳ ନିବୃତ୍ତର ସେ ଚେଷ୍ଟା କରେ ନାହିଁ; କରିବାର ସମୟ ନୁହେଁ । ରାଧାପ୍ରିୟାଙ୍କ ଲାଗି କାହାରି ମନରେ ସୁଖ ନ ଥାଏ । ସୁତରାଂ ସେ କାହାରିକୁ ପଚାରିବାକୁ ସେ ସାହସ କରେ ନାହିଁ ।

 

କିଛିଦିନ ପରେ ରାଧାପ୍ରିୟାଙ୍କ ଶରୀରର ଅବସ୍ଥା ଟିକିଏ ଭଲ ଆଡ଼କୁ ଗତି କଲା । ପ୍ରଳାପଟା କମି ଆସିଲା । ଜ୍ୱରର ପ୍ରକୋପ ଲୋପ ପାଇବା ସଙ୍ଗେ ସଙ୍ଗେ ପ୍ରଳାପ ମଧ୍ୟ ଲୋପ ପାଇଲା । ସଂଜ୍ଞାହୀନତା ଆଉ ଦେଖା ଗଲା ନାହିଁ । ରାଧାପ୍ରିୟା ଟିକିଏ ଟିକିଏ କଥାବାର୍ତ୍ତା କରିବାକୁ ଆରମ୍ଭ କଲେ । ଦିନେ ରାଧାପ୍ରିୟା କୃଷ୍ଣମାଧବଙ୍କୁ ପଚାରିଲେ–ହରି କିଛି ଚିଠିପତ୍ର ଦେଇ ନାହିଁ କୃଷ୍ଣ ? କୃଷ୍ଣମାଧବ ରୋଗିଣୀକୁ ପ୍ରବୋଧ ଦେବାପାଇଁ କହିଲେ–ହଁ. ଦେଇଛି ।

 

ରାଧାପ୍ରିୟା ପଚାରିଲେ–ଭଲ ଅଛି ?

 

କୃଷ୍ଣମାଧବ–ହଁ ।

 

ରାଧାପ୍ରିୟା–ମୋ ଦେହ ପା କଥା ଶୁଣି ନାହିଁ ?

 

କୃଷ୍ଣମାଧବ–ନା, ହରି ମନରେ କଷ୍ଟ ହେବ ବୋଲି ଭାବି ଲେଖି ନାହିଁ । କାଲିଆଡ଼କୁ ଲେଖିବି ।

 

ରାଧାପ୍ରିୟା ମୁଣ୍ଡ ହଲେଇ କହିଲେ–ନା, ନା, କାହିଁକି ଲେଖିବୁ । ମୁଁ ତ ଭଲ ହୋଇ ଆସିଲିଣି । ଆଉ ଲେଖିବାର କି ଦରକାର । ତା’ପରେ ସେ ଟିକିଏ ଚୁପ୍‍ ରହି ପୁନର୍ବାର ପଚାରିଲେ–ହରି ଆଉ କିଛି କଥା ଲେଖି ନାହିଁ କୃଷ୍ଣ ?

 

କୃଷ୍ଣମାଧବ ଏହି ‘‘ଆଉ କିଛି’’ ର ଅର୍ଥ ସ୍ଫଷ୍ଟ ବୁଝିପାରିଲେ । ମୁହଁ ତଳକୁ କରି କହିଲେ–ନା ।

 

ରାଧାପ୍ରିୟା ଦୀର୍ଘ ନିଃଶ୍ୱାସଟିଏ ମୋଚନକରି କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କଲେ । ଏହି ସମୟରେ କୃଷ୍ଣମାଧବ ମାଳତୀର ଦୁର୍ଭାଗ୍ୟର କଥା ରାଧାପ୍ରିୟାଙ୍କ ଶୁଣାଇଲେ । ସେ ତାହା ଶୁଣି କୋହ ସମ୍ଭାଳି ପାରିଲେ ନାହିଁ, ଅଜସ୍ର ଲୋତକଧାରାରେ ରୋଗଶଯ୍ୟା ଭସାଇଦେଲେ-। ଏଥିରେ ରୋଗିଣୀର ଅନିଷ୍ଟ ହେବାର ଆଶଙ୍କା କରି କୃଷ୍ଣମାଧବ ତାଙ୍କୁ ବହୁତ ପ୍ରବୋଧ ଦେଇ ସ୍ଥିର କଲେ । ରାଧାପ୍ରିୟା ମାଳତୀକୁ ପାଖକୁ ଡାକିଲେ । ଦୁଇ ହାତରେ ତାକୁ କୁଣ୍ଢାଇଧରି କହିଲେ–ହଉ ମା’, ଭଗବାନଙ୍କର ଯାହା ଇଚ୍ଛା । ମୋ କୋଳକୁ ଯଦି ଫେରେଇ ଦେଲେ, ଦେଉନ୍ତୁ-

 

ସେହିଦିନ କୃଷ୍ଣମାଧବ ମସୁଧା କରି ରଖିଲେ ଯେ, ଯେତେ ବଡ଼ ବଡ଼ ନାମଜାଦା ଇଂରେଜୀ କାଗଜ ଭାରତରେ ଚଳୁଛି ସବୁଥିରେ ସେ ନିଜ ନାମରେ ଏହି ମର୍ମରେ ଗୋଟାଏ ନୋଟିସ ଦେଇଦେବେ; ଯଥା :–‘‘ଚୌଧୁରୀ ଶ୍ରୀ ହରିଶଙ୍କର ପ୍ରହରାଜ, ବାଲେଶ୍ୱରର ବିଖ୍ୟାତ ପ୍ରହରାଜଇଷ୍ଟେଟର ଖ୍ୟାତନାମା ଉଚ୍ଚଶିକ୍ଷିତ ତରୁଣ ଜମିଦାର–ବୟସ ୨୮ ବର୍ଷ, ଉଜ୍ଜଳ ଗୌରବର୍ଣ୍ଣ (ସବୁବେଳେ ସ୍ୱଦେଶୀ ବସ୍ତ୍ର ପରିଧାନ କରନ୍ତି) –ବର୍ଷାଧିକ କାଳ ହେଲା ଗୃହ ତ୍ୟାଗକରି ଯାଇଛନ୍ତି । ତାଙ୍କର ଅବସ୍ଥିତି ସମ୍ୱନ୍ଧରେ କେହି ସଠିକ ସମ୍ୱାଦ ଦେଇପାରିଲେ ହଜାରେ ଏକଟଙ୍କା ପୁରସ୍କାର ପାଇବେ ।’’

 

ଏହିପରି ନୋଟିସଟା ଲେଖି କୃଷ୍ଣମାଧବ ତା’ର ଅନେକଗୁଡ଼ାଏ ନକଲ ଟାଇପ କରିବାକୁ ଆଦେଶ ଦେଲେ । ଟାଇପ୍‍ ହୋଇ ଆସିଲା ପରେ କୃଷ୍ଣମାଧବ ସେ ଗୁଡ଼ାକ ଆଗରେ ଥୋଇ ଅନେକ କ୍ଷଣ ଧ୍ୟାନମଗ୍ନ ହେଲା ଭଳି କେତେ କ’ଣ ଭାବିଲେ । ତା’ପରେ ସେ ହଠାତ୍‍ ସେଗୁଡ଼ାକ ଗୋଟାଏ ଅଳିଆ ପାଛିଆରେ ପକାଇଦେଇ କହିଲେ–ନା, ଥାଉ, ଏ ମସୁଧାଟା ଭଲ ନୁହେଁ । ପରଦିନ ସେ ଆଉ ଏକ ମସୁଧା କଲେ । ସେଟା ତାଙ୍କୁ ଖୁବ୍‍ ବୋଧହେଲା । ତଦନୁଯାୟୀ ସେ ଆଉ ଗୋଟାଏ ନୋଟିସ ସମ୍ୱାଦ ଆକାରରେ ଖବରକାଗଜମାନଙ୍କରେ ଛାପିବାପାଇଁ ପଠାଇଦେଲେ । ତାହାର ମର୍ମ୍ମ ଏହିପରି–‘‘ଖ୍ୟାତନାମା ଜମିଦାର ଚୌଧୁରୀ ଶ୍ରୀ ହରିଶଙ୍କର ପ୍ରହରାଜଙ୍କର ଧର୍ମ ପରାୟଣା ଜନନୀ ଶ୍ରୀମତୀ ରାଧାପ୍ରିୟା ଦେବୀ ବହୁଦିନାବଧି କଠିନ ଟାଇଫଏଡ଼ ରୋଗରେ ଶଯ୍ୟାଗତା । ଦୁଇଦିନ ତଳେ ତାଙ୍କର ଅବସ୍ଥା ଆଶଙ୍କାଜନକ ହୋଇ ଉଠିଥିଲା । ବର୍ତ୍ତମାନ ଅପେକ୍ଷାକୃତ ଭଲ । ତଥାପି ଆଶଙ୍କାର କାରଣ ରହିଛି ।’’

 

ପଇସା ଖାଇକରି, ବଡ଼ ବଡ଼ ଅକ୍ଷରରେ ଚମକପ୍ରଦ ଶିରୋନାମା ଦେଇ, କୃଷ୍ଣମାଧବ ଏ ସମ୍ୱାଦଟା ଖବରକାଗଜମାନଙ୍କରେ ଛପାଇ ଦେଲେ ।

Image

 

ଚତୁବିଂଶ ପରିଚ୍ଛେଦ

 

ରାଧାପ୍ରିୟା ଅନେକ ପରିମାଣରେ ସୁସ୍ଥ ହୋଇ ଆସିଲେଣି, କିନ୍ତୁ ଏ ପର୍ଯ୍ୟନ୍ତ ସାଧାରଣ ପଥ୍ୟ ଧରି ନାହାନ୍ତି । ବାଡ଼ିଧରି ସାମାନ୍ୟ ଟିକିଏ ଚାଲିବୁଲି ପାରୁଛନ୍ତି । ବେଶି ଚଲାବୁଲା କରିବାକୁ ଡାକ୍ତର ବାବୁଙ୍କର ମନା । ଘରର ସମସ୍ତେ ଟିକିଏ ଆଶ୍ୱସ୍ତି ବୋଧ କରିବାକୁ ଆରମ୍ଭ କଲେଣି । ଆଉ ରାତିଦିନ ଶୁଶ୍ରୂଷା କରିବାକୁ ପଡ଼ୁନାହିଁ । ତଥାପି ଦୁଇ ତିନିଜଣ ପୋଇଲୀ ପରିବାରୀ ବରାବର ଜଗି ରହିଥାନ୍ତି । ମାଳତୀ ଅଧିକାଂଶ ସମୟରେ ରାଧାପ୍ରିୟାଙ୍କ ନିକଟରେ ଥାଏ, ରାତିରେ ମଧ୍ୟ ତାଙ୍କରି ଘରେ ଶୁଏ । କୃଷ୍ଣମାଧବ ଦିନରେ ପ୍ରାୟ ଦୁଇ ତିନିଥର ଆସି ଭଗିନୀର ତତ୍ତ୍ୱ ନିଅନ୍ତି । ରାଧାପ୍ରିୟା କହନ୍ତି କାହିଁକି ଆଉ ବ୍ୟସ୍ତ ହେଉଛୁ କୃଷ୍ଣ ? ବଞ୍ଚିବାର କଥା ତ ହେଲା । ତୁମ୍ଭେମାନେ ତ ମୋତେ ମରିବାକୁ ଦେଲ ନାହିଁ । ହେଲେ, ମରିଥିଲେ ତରି ଯାଇଥାନ୍ତି ଭାଇ ! କୃଷ୍ଣମାଧବ ଏ କଥାର ଉତ୍ତର ଦିଅନ୍ତି ନାହିଁ ।

 

ସେ ଦିନ କୃଷ୍ଣମାଧବ ନିଜର ବୈଠକଖାନାରେ ବସି ଗୁଡ଼ୁଗୁଡ଼ୁ କରି ଗୁଡ଼ାଖୁ ଖାଉଛନ୍ତି ଏବଂ ଧୁଆଁ ଛାଡ଼ୁଛନ୍ତି । ମନେ ମନେ ହରିଶଙ୍କରଙ୍କ କଥା ଭାବୁଛନ୍ତି । ଖବରକାଗଜରେ ଯେଉଁ ସମ୍ୱାଦଟା ସେ ଛାପି ଦେଇଛନ୍ତି ସେଟା କ’ଣ ହରିର ଦୃଷ୍ଟିରେ ପଡ଼ି ନାହିଁ ? କିଏ ଜାଣେ ? କିନ୍ତୁ ନ ପଡ଼ିବ ବା କାହିଁକି ? ହରି ତ ପ୍ରତିଦିନ ଖବର କାଗଜ ପଢ଼େ–ନ ପଢ଼ିଲେ ବାୟା ହୋଇଯାଏ–ସେଟା ତା’ର ଗୋଟାଏ ନିଶା । ନିଶ୍ଚୟ ପଢ଼ିଥିବ । କିନ୍ତୁ ଆଜିଯାଏ ସେ ତ ଆସିଲା ନାହିଁ । ମାଆର ସାଙ୍ଘାତିକ ଅସୁସ୍ଥତାର ଖବରଟାକୁ କ’ଣ ସେ ଲଘୁ ଦୃଷ୍ଟିରେ ଦେଖିଲା ? ନା, ତା’ ତ ବିଶ୍ୱାସ ହେଉ ନାହିଁ ।

 

ନିର୍ଜନରେ ବସି ଏହିପରି ଭାବୁଥିବା ସମୟରେ ମାଳତୀ ବହିଖଣ୍ଡିଏ ହାତରେ ଧରି ଧୀରେ ଧୀରେ ଆସି ଉପସ୍ଥିତ ହେଲା । କନ୍ୟାକୁ ଦେଖି କୃଷ୍ଣମାଧବ ପଚାରିଲେ–କି ଖବର ମା ?

 

ମାଳତୀ କହିଲା–କିଛି ନା ବାବା, ସବୁ ଭଲ, ତେବେ ଗୋଟାଏ କଥା ପଚାରିବାକୁ ଆସିଲି ।

 

କୃଷ୍ଣମାଧବ–କ’ଣ ପଚାରିବୁ ପଚାରୁ ନାହୁଁ ମା ?

 

ମାଳତୀ–ପଚାରିଲେ କିଛି ମନେ କରିବ ନାହିଁ ବାବା ?

 

କୃଷ୍ଣମାଧବ ମାଳତୀର କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ପିଲାଦିନରୁ ମାଳତୀକୁ ସେ ଯେତେ ଭଲ ପାଉଥିଲେ ଆଜି ତା’ର ଅକାଳ ବୈଧବ୍ୟରେ ତାହା ଶତଗୁଣିତ ହୋଇ ଉଠିଛି । ବିଧବା କନ୍ୟାଟିକୁ ଦେଖିଲେ ତାଙ୍କର ହୃଦୟରେ ସ୍ନେହର ବନ୍ୟା ଉଛୁଳି ଉଠେ । ହତଭାଗିନୀ ପ୍ରତି ଗଭୀର ସମବେଦନା ସେ ସ୍ନେହର ପ୍ଲାବନକୁ ପୃଥୁଳ କରିଦିଏ । ସେ ପୁଣି ତା’ର କଥା ଶୁଣି କ’ଣ ଗୋଟାଏ ମନେ କରିବେ ! କୃଷ୍ଣମାଧବଙ୍କର ଏହା କଳ୍ପନାର ଅତୀତ । ସେ ସସ୍ନେହ ନେତ୍ରରେ କନ୍ୟାର ମୁଖଟିକୁ ଚାହିଁ କହିଲେ–କି କଥା ମା ? କାହିଁକି କ’ଣ ମନେ କରିବି ?

 

ମାଳତୀ ହସି ହସି ପଚାରିଲା–ବାବା, ସତ କହୁଛ ? ମୋ ମୁଣ୍ତଛୁଇଁ କହିଲ ।

 

କୃଷ୍ଣମାଧବ କୃତ୍ରିମ କୋପର ଅସ୍ଫାଳନ କରି କହିଲେ–ଦୂର ପାଗଳୀ, ସବୁଦିନେ ସେହି ପିଲାଳିଆ କଥା, କ’ଣ କହୁଛୁ କହ ତୋ କଥାଟା ନ ରହିଲେ ସିନା ଦୋଷ ଦବୁ ।

 

ମାଳତୀ–ତେବେ କହିବି ବାବା ?

 

କୃଷ୍ଣମାଧବ–ହଁ କହ ରେ ।

 

ମାଳତୀ ଧୀରେ ଧୀରେ କହିବାକୁ ଲାଗିଲା–ବାବା ମୁଁ ଯଦି ମନଇଚ୍ଛା ଖରଚ କରିବାକୁ ମାସରେ ପଚାଶଟା ଟଙ୍କା ମାଗେ ତମେ କ’ଣ ଦବ ନାହିଁ ?

 

କୃଷ୍ଣମାଧବ ହସି ହସି ଉତ୍ତର ଦେଲେ–ଏଇ ସାମାନ୍ୟ କଥାଟା ପାଇଁ ଏତେ ଭୂମିକା ! ଯା, ସେହି ହାତବାକ୍‍ସଟା ଫିଟେଇ ତୋର ଯେତେ ଦରକାର ନେଇ ଆ । ଆଉ ଏ ଚାବିଟା ବି ତୁ ରଖ୍‍ । ପଚାଶ ଟଙ୍କା ଛାଡ଼ି ହରିଶଙ୍କରର ତହବିଲରୁ ୫୦୦ଟଙ୍କା ମାସରେ ନେଲେ ବି କେହି ପାଟି ଫିଟାଇବି ନାହିଁ–ହରି ସେ ଭଳି ପିଲା ନୁହେଁ । ତା’ର ଗୋଟାଏ ବ୍ୟବସ୍ଥା ମୁଁ ସମୟ ଦେଖି କରିଦେବି ।

 

ଏହା କହି ସେ ଚାବି ଗୋଛାଏ ମାଳତୀ ଆଡ଼କୁ ଫୋପାଡ଼ି ଦେଲେ । ମାଳତୀ ତାହା ଫେରାଇ ଦେଇ କହିଲା–ନା ବାବା, ଚାବି ମୋର ଦରକାର ନାହିଁ । ମୁଁ ଖାଲି ସେତିକି ଜାଣିବାକୁ ଚାହିଥିଲି, ହେଲେ ଆଉ ଗୋଟାଏ କଥା ଅଛି ବାବା ।

 

କୃଷ୍ଣମାଧବ–ଆଉ କ’ଣ ମା ?

 

ମାଳତୀ–ମୋର ଗୋଟାଏ ଭଉଣୀ ଅଛି ବାବା, ସେ ବି ବଡ଼ ଦୁଃଖିନୀ । ସେହି ଟଙ୍କାଟା ତାହାରି ପାଖକୁ ମାସକୁ ମାସ ପଠାଇ ଦେବାକୁ ତମ ଗୋଡ଼ଧରି ଅନୁରୋଧ କରୁଛି । ମୋ ଅନୁରୋଧ କି ରଖିବ ନାହିଁ ବାବା ?

 

ଏହା କହି ମାଳତୀ କୃଷ୍ଣମାଧବଙ୍କ ପାଦ ଦୁଇଟି ଭିଡ଼ି ଧରିଲା । କୃଷ୍ଣମାଧବ କହିଲେ–ପାଗଳୀଟା, ପାଗଳୀଟା, ଛାଡ଼ ମା’ । ତୋ କଥା କୃଷ୍ଣମାଧବ କେବେ କାଟି ଦେଇଛି, ମାଳ ?

 

ମାଳତୀ–ନା, ବାବା, କେବେ କାଟି ଦେଇନାହିଁ । ସେଥିପାଇଁ ତ ସାହସ କରି କହୁଛି, ତେବେ ଆଜିଠାରୁ ପଠେଇବ ?

 

କୃଷ୍ଣମାଧବ–ତୋ ନାମରେ ପଠେଇ ଦେ ମା । ମୁଁ ପଠେଇଲେ–ମାଳତୀ ବାଧାଦେଇ କହିଲା–ନା, ବାବା, ମୋତେ ଯେ ଚିହ୍ନେ ନାହିଁ ।

 

କୃଷ୍ଣମାଧବ ପରିହାସ ଛଳରେ କହିଲେ–ଭଉଣୀ ପୁଣି ଭଉଣୀକୁ ଚିହ୍ନେ ନାହିଁ ? ଏଟା କେହି ବିଶ୍ୱାସ କରିପାରେ ମାଳ ?

 

ମାଳତୀ ଉତ୍ତର ଦେଲା–ଥଟ୍ଟା ନୁହେଁ ବାବା । ମୁଁ ଯେ ସୁଷମାକୁ କେବେ ଦେଖି ନାହିଁ ।

 

କୃଷ୍ଣମାଧବ ଗମ୍ଭୀର ହୋଇ ଉଠିଲେ । କହିଲେ–ମୁଁ, ଯେ ତା’ର ଠିକଣା ଜାଣେ ନାହିଁ ମା । ତେବେ ରାଧୁକୁ ପଚାରେ–ସେ କାଳେ ଜାଣିଥିବ ।

 

ମାଳତୀ ତତ୍‍କ୍ଷଣାତ୍‍ ଜବାବ ଦେଲା–ନା, ବାବା, ଠିକଣା ମୁଁ ଜାଣେ । ଏହା କହି ସେ ହାତରେ ଧରିଥିବା ବହିଖଣ୍ଡି ଖୋଲି ପ୍ରଥମ ପୃଷ୍ଠାରେ ଲେଖା ହୋଇଥିବା ସୁଷମାର ନାମ ଓ ଠିକଣା ଦେଖାଇଦେଲା ।

 

କୃଷ୍ଣମାଧବ ବହି ଖଣ୍ଡିକ ନିଜ ହାତକୁ ନେଇ ଦେଖିଲେ । ଅତି ସ୍ପଷ୍ଟାକ୍ଷରରେ, ବୋଧହୁଏ ସୁଷମାର ନିଜ ନସ୍ତରେ, ସୁଗୋଲ ଅକ୍ଷରରେ, ନାମ, ଗ୍ରାମ, ପୋଷ୍ଟଅଫିସ ଓ ଜିଲା ସମସ୍ତ ହିଁ ଲେଖା ଅଛି । କୃଷ୍ଣମାଧବଙ୍କର ମନେ ପଡ଼ିଲା–ବୋଧହୁଏ ଦିନେ ସେହି ଠିକଣାରେ ସେ ହରିଶଙ୍କରଙ୍କ ନିକଟକୁ ଟଙ୍କା ପଠାଇଥିଲେ । ସିରସ୍ତାରେ କାଗଜପତ୍ର ମଧ୍ୟରେ ତାହା ଅଦ୍ୟାବଧି ଥାଇପାରେ । ମାଳତୀର ମୁହଁକୁ ଅନାଇ ସେ ପଚାରିଲେ–ଏ ବହି ଖଣ୍ଡ ତୁ କେଉଁଠୁ ପାଇଲୁ ମାଳ-?

 

ମାଳତୀ ଉତ୍ତର ଦେଲା ଯେ, ରାଧାପ୍ରିୟାଙ୍କ ଘରେ ଯେଉଁ ଆଲମାରିଟା ଅଛି ତାହାରି ଉପରେ ସେ ବହି ଖଣ୍ଡ ପଡ଼ିଥିଲା, ଆଲମାରି ଉପରଟା ଝାଡ଼ୁ ଝାଡ଼ୁ ସେ ଖଣ୍ଡ ସେ ପାଇଛି ।

 

କୃଷ୍ଣମାଧବ କହିଲେ–ଭଲ କଥା । ଟଙ୍କାଟା ଏହି ଠିକଣାରେ ପଠାଇ ଦେଇପାରୁ । କିନ୍ତୁ ମୋ ନାମରେ ପଠେଇବାଟା ଉଚିତ ହେବ ନାହିଁ ମା । ଗୋଟାଏ କାମ କର, ତୋହରି ନାଁ ରେ ପଠେଇ ଦେ, ଆଉ ତୋର ହରିଶଙ୍କର ଭାଇର ଆଦେଶ କ୍ରମେ ପଠେଇଲୁ ବୋଲି ଲେଖି ଦେ ।

 

ମାଳତୀ ଉତ୍ତର ଦେଲା–ସେଟା କ’ଣ ଭଲ ହେବ ବାବା ? ବରଂ ଅପରିଚିତ ହେଲେ ବି ନିଜ ନାମରେ ପଠାଯାଇ ପାରେ, କିନ୍ତୁ ହରିଭାଇଙ୍କ ନାଁରେ ପଠେଇବାକୁ ମନ ବଳୁ ନାହିଁ । ସେଥିରେ ସେ ହୁଏ ତ ଅଧିକ ଅପମାନିତ ବୋଧ କରିପାରେ ।

 

କୃଷ୍ଣମାଧବ କହିଲେ–ଆଉ ତ କିଛି ଉପାୟ ଦେଖୁନାହିଁ ମା’ । ତେବେ ଠିକଣାଟା ଟିପି ଦେଇ ଥା ।

 

ମାଳତୀ ଠିକଣାଟା ଖଣ୍ଡିଏ କାଗଜରେ ଟିପି କୃଷ୍ଣମାଧବ ହାତରେ ଦେଇ ଆସିଲା । କୃଷ୍ଣମାଧବ ତାହା ଖୁବ୍‍ ସାବଧାନରେ ରଖିଲେ ।

 

କ’ଣ ଭାବି କି ଜାଣି କୃଷ୍ଣମାଧବ ସେହି ଦିନ ମାଳତୀ ନାମରେ ଶଏ ଟଙ୍କା ସୁଷମା ନିକଟକୁ ମନିଅର୍ଡ଼ର କରି ପଠାଇ ଦେଲେ ଏବଂ ମାଳତୀକୁ ଡାକି କହିଲେ–ମା’, ଶେଷରେ ତୋହରି ନାଁରେ ପଠେଇ ଦେଲି ରେ । ମାଳତୀ ଅବାକ୍‍ ହୋଇ ରହିଲା । କୃଷ୍ଣମାଧବ କହିଲେ–ଯାଉ, କିଛି କ୍ଷତି ନାହିଁ ।

 

ହେଲେ, ମାଳତୀର କଥାଗୁଡ଼ାକ ତାଙ୍କ ମନରେ ଗୋଟାଏ ଗଭୀର ଦାଗ ରଖିଦେଇଗଲା । ଏଇ କେତେଟା ଦିନଭିତରେ ମାଳତୀ ସମସ୍ତ ଘଟଣାଟା ବୁଝିସାରିଛି । ସୁଷମା ପ୍ରତି ତା’ର ସହାନୁଭୂତି ଜାତ ହୋଇଛି । ନିଜର ଭଉଣୀ ପରି ସେ ତାକୁ ଜ୍ଞାନ କରିଛି । ନ ଦେଖିଥିଲେ ବି ସୁଷମା ପ୍ରତି ତା’ର ସ୍ନେହମମତାର ସୁଧା ନିର୍ଝର ସ୍ୱତଃ ପ୍ରଧାବିତ ହୋଇ ପାରିଛି । ତେବେ ଏହି ପରିବାର ମଧ୍ୟରେ ସୁଷମାର ଶତ୍ରୁ କିଏ ? ବୋଧହୁଏ ଜଣେ । ହୁଏ ସେ ଜଣକ ବି ତା’ର ଶତ୍ରୁ ନୁହେଁ । ଠିକ୍‍ ବୁଝିବାକୁ ଗଲେ. ତା’ର ଶତ୍ରୁ ମନୁଷ୍ୟ ରୁପଧରୀ କେହି ନୁହେଁ । ତାହା ଏକ ଅତି ପ୍ରାଚୀନ ଜରାଜୀର୍ଣ୍ଣ ଅନୁଷ୍ଠାନ, କିମ୍ୱା ଅନୁଷ୍ଠାନ-ପ୍ରୀତି ପ୍ରାଚୀନତାର ମୋହ ବା ମୋହଜ ଭ୍ରାନ୍ତି ବୋଲି ମଧ୍ୟ ତା’ର ନାମ ଦିଆଯାଇପାରେ । ଅନ୍ୟ କଥାରେ ତାହା ଦୁର୍ବଳତା ।

 

କୃଷ୍ଣମାଧବ ଧଡ଼ପରି ଉଠିଲେ । ଡାକିଲେ–ରାଧୁ । ଅଳ୍ପ ଖଣ୍ଡେ ଛଡ଼ାରେ କଚେରୀଘର ବାରନ୍ଦାରେ ରାଧୁଙ୍କର ଶାଶ୍ୱତ ଅଧିଷ୍ଠାନ । କୃଷ୍ଣମାଧବ ହୁକୁମ ଦେଲେ–ଦିଲଦାର ମିଆଁ ବରକନ୍ଦାଜ, ପିଆଦା ହନୁମନ୍ତ ସିଂହ, ଚାକର ସଙ୍ଖାଳି ବାରିକ, ରୋଷେୟା ନବଘନ ପଣ୍ଡା, ଆଉ ଖୁଣ୍ଟେ ସବାରି ବେହେରାଙ୍କୁ ଖବର ଦିଅ ।

 

ମଫସଲ ଗସ୍ତକୁ ଗଲେ କୃଷ୍ଣମାଧବଙ୍କର ଏହିପରି ସାଜସଜ୍ଜାର ଆୟୋଜନ ହୁଏ । ସୁତରାଂ ରାଧୁଗୁମାସ୍ତା ଅନୁମାନ କରିନେଲେ–ମାମୁ ସାଆନ୍ତେ ମୋଫସଲ ଗସ୍ତରେ ବାହାରିବେ । ତଦନୁସାରେ ସେ ସମସ୍ତ ଆୟୋଜନ କରିବାରେ ଲାଗିଲେ ।

 

ଯିବା ପୂର୍ବରୁ କୃଷ୍ଣମାଧବ ରାଧାପ୍ରିୟାଙ୍କ ସଙ୍ଗେ ସାକ୍ଷାତ୍‍ କରି ଦୁଇ ଚାରିଦିନ ଭିତରେ ଫେରି ଆସିବେ ବୋଲି କହିଗଲେ । ମାଳତୀ ଓ ରାଧୁଗୁମାସ୍ତାଙ୍କ ମଧ୍ୟ ତାଙ୍କର ବିଶେଷ ତତ୍ତ୍ୱ ନେବାକୁ ଉପଦେଶ ଦେଇଗଲେ ।

 

କିଛି ସମୟ ପରେ ବେହେରାମାନେ ଫେରିଆସି ଖବର ଦେଲେ ସାଆନ୍ତେ ରେଲଗାଡ଼ିରେ ବିଜେ ହୋଇ ଦକ୍ଷିଣକୁ ଯାତ୍ରା କଲେ ।

Image

 

ପଞ୍ଚବିଂଶ ପରିଚ୍ଛେଦ

 

ଭୁବନେଶ୍ୱର ଷ୍ଟେସନ । ରାତ୍ରି ପ୍ରଭାତ ହେବାକୁ କିଛି ବିଳମ୍ୱ ଅଛି, ମାତ୍ର ବେଶି ବିଳମ୍ୱ ନାହିଁ । ଗାଡ଼ି ଆସି ପ୍ଲାଟଫର୍ମରେ ଛିଡ଼ା ହେଲା । ଛୋଟ ଷ୍ଟେସନ । ସେ ଦିନ ଅନେକ ଯାତ୍ରୀ । କିଏ ଗାଡ଼ିରୁ ଓହ୍ଲାଇବାକୁ ବ୍ୟସ୍ତ, କିଏ ବା ଗାଡ଼ିରେ ଚଢ଼ିବାକୁ ବ୍ୟସ୍ତ । ଗାଡ଼ି ଖୁବ୍‍ କମ୍‍ ସମୟ ପାଇଁ ଷ୍ଟେସନରେ ଛିଡ଼ା ହୁଏ, ସେଥିପାଇଁ ବ୍ୟସ୍ତତା । କୃଷ୍ଣମାଧବ ସଦଳବଳେ ଅବତରଣ କଲେ ଏବଂ ଲୋକଗହଳି ଭିତର ଦେଇ ପ୍ଲାଟଫର୍ମ ଆଡ଼କୁ ଚାଲିଲେ । ଫାଟକ ପାଖରେ ଛିଡ଼ା ହୋଇ ତ୍ରିପଣ୍ଡକଳା ତେଲଙ୍ଗା ବାବୁଟିଏ ଟିକିଟ୍‍ ନେଉଥିଲା । ଲୋକ ଦେଖି କାରବାର କରୁଥିଲା । ମଧ୍ୟେ ମଧ୍ୟେ ଜଣେ ଅଧେ ଲୋକଙ୍କୁ ଅଟକେଇ ରଖି କିଛି ଅଣ୍ଟିଗୁଞ୍ଜା ନେଇ ଛାଡ଼ି ଦେଉଥିଲା । କୃଷ୍ଣମାଧବ ଯେତେବେଳେ ଗେଟ୍‍ ପାଖରେ ପହଞ୍ଚିଲେ, ସେତେବେଳେ ତେଲଙ୍ଗା ବାବୁଟି ଶୁଭ୍ରପରିଚ୍ଛଦଧାରୀ ସୁଟକେସ ହସ୍ତ କୌଣସି ତରୁଣ ଭଦ୍ରସନ୍ତାନଠାରୁ ଟିକିଟ ନେଉଥିଲା । ପଛଆଡ଼ୁ କୃଷ୍ଣମାଧବ ଯାଇ ହାବୁଡ଼ି ଗଲେ । ‘‘ଏ କିଏ ରେ ? ହରି !’’ ବୋଲି ଚିତ୍କାର କରି କୃଷ୍ଣମାଧବ ଯୁବକଟିକୁ କୁଣ୍ଢାଇ ପକାଇଲେ । ଯୁବକ ତଟସ୍ଥ ହୋଇଗଲା । ଏ ଯେ ମାତୁଳ କୃଷ୍ଣମାଧବ । ହରିଶଙ୍କର ପାଦତଳେ ମୁଣ୍ଡଲଗାଇ କରି ପ୍ରଣାମ ଅସ୍ତବ୍ୟସ୍ତ ହୋଇ ଉଠିଲେ । କିନ୍ତୁ ଗଳଦଶ୍ରୁନେତ୍ର ମାତୁଳ କୃଷ୍ଣମାଧବଙ୍କ ଆଲିଙ୍ଗନ ପାଶରୁ ନିଜକୁ ମୁକ୍ତ କରିପାରିଲେ ନାହିଁ । କୃଷ୍ଣମାଧବ ଭାଗିନେୟଙ୍କୁ ବାହୁପାଶରେ ଭିଡ଼ିଧରି ଛିଡ଼ା ହୋଇ ରହିଲେ । ନେତ୍ରଯୁଗଳରୁ ଝର ଝର ହୋଇ ଅଶ୍ରୁବିନ୍ଦୁ ଝରିବାକୁ ଲାଗିଲା । ଟିକଟ୍‍କଲେକ୍ଟରଟା ଆଁ କରି ଅନେଇ ରହିଲା । ଫାଟକ ପାଖରେ ଛିଡ଼ା ହୋଇଥିବା ଯାତ୍ରୀମାନେ କୌତୂହଳୀ ହୋଇ ଦୃଶ୍ୟଟା ଦେଖିବାକୁ ଲାଗିଲେ । ପୂରା ପାଞ୍ଚ ମିନିଟ୍‍ ଏହିପରି କଟିଗଲା । ଶେଷରେ ଟିକଟ୍‍କଲେକ୍ଟର ଅଯଥା ବିଳମ୍ବ ହେଉଥିବାର ଦେଖି ହାତଟା ପ୍ରସାରିତ କରି ଚିତ୍କାର କରି ଉଠିଲା–‘ଟିକଟ୍‍ ଆୟା । ପହିଲେ ଟିକଟ୍‍ ଦେନା ଚାହି, ପିଛେ ଓ ସବ୍‍ବାତ୍‍ ।’ କୃଷ୍ଣମାଧବ ଶୁଣିଲେ ନାହିଁ । ପୂର୍ବପରି ସ୍ଥିର ଆଲିଙ୍ଗନ କରି ରହିଲେ । ଟିକଟ୍‍ବାବୁ ଆହୁରି ତା’ର ସ୍ୱରରେ ଚିତ୍କାର କଲା–‘ଟିକିଟ୍‍ ଦେ ଦୋ ବାବୁ ଟିକିଟ୍‍ ଦେ ଦୋ ।’ କୃଷ୍ଣମାଧବ ବିରକ୍ତ ହୋଇ କହିଲେ–‘ଆରେ ଠଏର୍‍ ହୋ, ଟିକିଟ୍‍ ଟିକିଟ୍‍ ମତ ଚିଲାଓ, ଅଭି ଟିକିଟ୍‍ ନେହି ଦେଗା ।’ ଟିକିଟ୍‍ ବାବୁଟି କାବା ହୋଇ ରହିଗଲା । ପରେ କୃଷ୍ଣମାଧବ ଆତ୍ମସ୍ଥ ହୋଇ ଅନାକଗୁଡ଼ିଲ ଟିକିଟ୍‍ ପକେଟରୁ ବାହାର କରି ତା’ ହାତକୁ ବଢ଼େଇ ଦେଲେ । ତା’ପରେ ହରିଶଙ୍କରଙ୍କୁ ଟାଣି ନେଇ ସେ ଫାଟକ ପାର ହେଲେ । କୃଷ୍ଣମାଧବ ନିଷ୍କ୍ରାନ୍ତ ହେଲା ପରେ ଫାଟକବାବୁଟି ମୁରୁକି ମୁରୁକି ହସି ସମ୍ମୁଖସ୍ଥ ଯାତ୍ରୀମାନଙ୍କୁ ଲକ୍ଷ୍ୟ କରି ଦକ୍ଷିଣୀ ମନ୍ତବ୍ୟ ବାଢ଼ିଲା–ବାବୁ ‘ରିଷା’ ପଡ଼ିଗଲା ପରା ! ଓହୋ ! କେଡ଼େ ରିଷା !

 

ଅକସ୍ମାତ୍‍ ଅପ୍ରତ୍ୟାଶିତଭାବରେ କୃଷ୍ଣମାଧବଙ୍କ ସହିତ ହରିଶଙ୍କରଙ୍କର ସାକ୍ଷାତ୍‍ ଘଟିଗଲା । ହରିଶଙ୍କର କିମ୍ୱା କୃଷ୍ଣମାଧବ କେହି ଏହା ସ୍ୱପ୍ନରେ ଭାବି ନ ଥିଲେ । ହରିଶଙ୍କର ସୁଷମାକୁ ସଙ୍ଗରେ ନେଇ ଯେଉଁ ଦିନ ଘରୁ ବିଦାହୋଇ ଚାଲି ଆସିଥିଲେ ଏବଂ ସୁଷମାକୁ ସ୍ୱଗୃହରେ ପୁନଃ ସଂସ୍ଥାପିତ କରି ଫେରିଯାଇଥିଲେ, ସେହି ଦିନରୁ ତାଙ୍କର କୌଣସି ଖବର କେହି ପାଇ ନ ଥିଲେ । ଅଭିମାନୀ ଯୁବକ ଆଉ ଘରକୁ ଫେରିବେ ନାହିଁ, ସମ୍ପତ୍ତି ଦାବି କରିବେ ନାହିଁ, ନିଜେ ଉପାର୍ଜନ କରି ଚଳିବେ ଇତ୍ୟାଦି ନାନାପ୍ରକାର କଳ୍ପନା ସେ ଦିନ ମନରେ ସ୍ଥାନ ପାଇଥିଲା । ଭୁବନେଶ୍ୱରରୁ କଟକକୁ ଫେରି ଆସି ସେ ଦିନଟା ସେ ନିତାନ୍ତ ଅବ୍ୟବସ୍ଥିତ ଭାବରେ କଟାଇଥିଲେ-

 

ପରଦିନ ସେ ଭାରତଲକ୍ଷ୍ମୀ କଟନ୍‍ମିଲରୁ ପ୍ରେରିତ ଏକହଜାର ଟଙ୍କା ଲାଭାଂଶ ଚେକ୍‍ ପାଇଥିଲେ ଏବଂ ସେ ଟଙ୍କାଟା କ’ଣ କରିବେ ତାହା ହିଁ ଭାବୁଥିଲେ । ମନେ ମନେ ଯୁକ୍ତି କରୁଥିଲେ–ଏ ଟଙ୍କାଟା ବି ତ ନିଜର ଉପାର୍ଜିତ ସମ୍ପତ୍ତି ନୁହେଁ । ଏଟା ସେହି ପିତୃପିତାମହଙ୍କ ଉପାର୍ଜିତ ଜମିଦାରୀର ଟଙ୍କା । ତେବେ ସେହି ଜମିଦାରୀ ତହବିଲକୁ ଫେରିଯିବା ଉଚିତ । ମାତୁଳ କୃଷ୍ଣମାଧବଙ୍କ ନାମରେ ଚେକ୍‍ଟା ପଠାଇଦେଲେ ହେବ । କିନ୍ତୁ ସେଟା କି ଭଲ କଥା ହେବ ? କୃଷ୍ଣମାଧବଙ୍କୁ ଗୋଟାଏ ମାଡ଼ ମାରିଲା ପରି ନ ହେବ କି ? ନା, ଥାଉ । ତେବେ ଚେକ୍‍ଟା ଭଙ୍ଗେଇ ସୁଷି ନାମରେ ବେଙ୍କରେ ଜମା ରଖିଦେଲେ ତ ମନ୍ଦ ହୁଅନ୍ତା ନାହିଁ ।

 

ଏହିପରି ନିର୍ଜନରେ ବସି ଭାବୁଥିବା ସମୟରେ ହରିଶଙ୍କରଙ୍କର ଜଣେ ବନ୍ଧୁ ଆସି ଉପସ୍ଥିତ ହେଲେ । କହିଲେ–ଏତେ ଧ୍ୟାନମଗ୍ନ ହୋଇ ସତ୍ୟଯୁଗର ମହର୍ଷି ପରି କ’ଣ ଭାବୁଛ ହେ ! ଥରେ ସମାଧିଟା ଭାଙ୍ଗି ଏ ବାସ୍ତବ ଜଗତ୍‍ଟା ଉପରେ ଦୃଷ୍ଟି ପକାଅ । ବନ୍ଧୁ ଏହା କହି ଠୋ ଠୋ ହୋଇ ହସିବାକୁ ଲାଗିଲେ । ସେ ହାସ୍ୟରୋଳରେ ବାସ୍ତବିକ ହରିଶଙ୍କରଙ୍କର ଧ୍ୟାନ ଭାଙ୍ଗିଗଲା । ସେ ଉତ୍ତର ଦେଲେ–ଆରେ ! ବ୍ରଜମୋହନ ବାବୁ ଯେ ! ଆଉ କ’ଣ ଖବର ?

 

ବ୍ରଜମୋହନ କହିଲେ–ଖବର ସାଙ୍ଘାତିକ । ଏକାବେଳେକେ ରାଣୀ ମମତାଜ୍‍ମହଲଙ୍କ ସମାଧି ମନ୍ଦିର ଅଭିମୁଖେ ଯାତ୍ରା ।

 

‘‘ସତେ ? ତାଜ୍‍ମହଲ ଦେଖିବାକୁ ବାହାରିଛ ନା କ’ଣ ?’’

 

‘ନିଶ୍ଚୟ ।’ ସାହାଜାହାନ ମିଆଁଙ୍କର ଏତେ ବଡ଼ କୀର୍ତ୍ତିଟା ଯଦି ବ୍ରଜମୋହନ ମଙ୍ଗରାଜ ନ ଦେଖନ୍ତି, ତେବେ କାହା ଲାଗି ସେଟାର ସୃଷ୍ଟି ଶୁଣେ ?

 

ହରିଶଙ୍କର ପଚାରିଲେ–ନା, ଥଟ୍ଟା ନୁହେଁ । ସତେ ଆଗ୍ରା ଯାଉଛ ?

 

ବ୍ରଜମୋହନ କହିଲେ–ଥରେ ତ କହିଲି । ସେଥିରେ ପୁଣି ସନ୍ଦେହ କାହିଁକି ? ହଁ ହେ–ଚାଲ ନା–ଟ୍ରିପ୍‍ଟାଏ ମାରିଦେଇ ଆସିବା । ତମ ପରି ମୋର ଯଦି ଟଙ୍କାର ଗଛ ଥାନ୍ତା, ଭାଇ, ପ୍ରତି ମାସରେ ଥରେ ଗ୍ଲୋବ୍‍ଟା ପ୍ରଦକ୍ଷିଣ ନ କରି ଛାଡ଼ନ୍ତି ନାହିଁ । କ’ଣ କହୁଛ–ହରିବାବୁ ? ଯିବ ? ଯିବାକୁ ହିଁ ହବ ହେ ! ଉଠ ।

 

ଏହା କହି ବ୍ରଜମୋହନ ଏକାବେଳେକେ ଟାଣିବାକୁ ଆରମ୍ଭ କଲେ । ହରିଶଙ୍କର କହିଲେ–ଆରେ ଥୟ ଧର । ଯିବା ବୋଇଲେ କ’ଣ ଏଇ ମୁହୂର୍ତ୍ତରେ ?

 

ବ୍ରଜମୋହନ ଉତ୍ତର ଦେଲେ–ହଁ, ଏହି ମୁହୂର୍ତ୍ତରେ । ରେଡ଼ି ହୋଇପଡ଼ । ଖାଇବା ପିଇବା ଆଜି ଆମ ଘରେ, ଉଠ ।

 

ବ୍ରଜମୋହନ ଅସ୍ଥିର କରି ପକାଇଲେ । ହରିଶଙ୍କର ଭାବିଲେ–ପ୍ରସ୍ତାବଟା ମନ୍ଦ ନୁହେଁ । ଥରେ ବୁଲି ଆସିଲେ ଭଲ ହୁଅନ୍ତା । ଏହା ଭାବି ଆଉ ଆପତ୍ତି ନ କରି ଉଠିଲେ । ବ୍ରଜମୋହନ ଖୁସି ହୋଇ କହିଲେ–ବ୍ରେଭୋ ! ବ୍ରେଭୋ !

 

ସେହି ଦିନ ହରିଶଙ୍କର ଆଗ୍ରାଯାତ୍ରୀ ହୋଇ ବାହାରି ପଡ଼ିଲେ । ସୁଷି ନାମରେ ଟଙ୍କାଟା ଡିପୋଜିଟ୍‍ ହେବା ପ୍ରସ୍ତାବ ଶୂନ୍ୟେ ଶୂନ୍ୟେ ଉଡ଼ିଗଲା । ଚେକ୍‍ଟା ବେଙ୍କରେ ଭଙ୍ଗାଇ ନେଇ ସେ ଚାଲିଲେ ।

 

ବର୍ଷାଧିକ କାଳ ହରିଶଙ୍କର ଅନେକ ସ୍ଥାନରେ ବୁଲି ଅନେକ ଜିନିଷ ଦେଖିଲେ । ସମସ୍ତ ଉତ୍ତର-ଭାରତଟା ତନ୍ନ ତନ୍ନ କରି ବୁଲି ଆସିଲେ । ବିଦେଶ ଭ୍ରମଣ ସାଙ୍ଗ ହେଲା । ଅବଶେଷରେ ବ୍ରଜମୋହନଙ୍କ ସହିତ ଫେରିଲେ । କିନ୍ତୁ ବ୍ରଜମୋହନ ବାଟରେ ଅଟକି ଗଲେ । ବନ୍ଧୁବିଶେଷଙ୍କ ସନିର୍ବନ୍ଧ ଅନୁରୋଧ ଏଡ଼ି ନ ପାରି ସେ ହାବଡ଼ାରେ ରହିଗଲେ । ବ୍ରଜମୋହନ ମଧ୍ୟ ଧନୀ ସନ୍ତାନ । ହରିଶଙ୍କରଙ୍କ ପରି ବଡ଼ଲୋକ ନ ହେଲେ ମଧ୍ୟ ଘରେ ଯଥେଷ୍ଟ ଟଙ୍କା ଅଛି । ପୁଣି ଧନବାନ୍‍ ଶ୍ୱଶୁରଙ୍କର ଏକମାତ୍ର କୁଳନନ୍ଦିନୀଙ୍କ ବାବାହ କରି ମନ ଇଚ୍ଛା ଖର୍ଚ୍ଚ କରିବାକୁ ଟଙ୍କା ପାଇଥାନ୍ତି । ସୁତରାଂ ଚିନ୍ତା କ’ଣ ?

 

ଯାହାହେଉ ବ୍ରଜମୋହନ ହାବଡ଼ାରେ ରହିଗଲେ । ହରିଶଙ୍କର ଏକାକୀ ଫେରିଲେ । ଗାଡ଼ି ବାଲେଶ୍ୱର ଷ୍ଟେସନରେ ପହଞ୍ଚିଲା ପରେ ଟିକିଏ ଓହ୍ଲାଇପଡ଼ି ମାଆଙ୍କ ଶ୍ରୀଚରଣ ଦର୍ଶନ କରି ଆସିବାକୁ ଇଚ୍ଛା ହେଲା । ସଙ୍ଗେ ସଙ୍ଗେ ମନେ ପଡ଼ିଗଲା ସୁଷମାର କଥା । ସୁଷମାକୁ ଘରେ ପହଞ୍ଚାଇ ଦେଇ, ମନିବେଗ୍‍ଟାରୁ ପାଞ୍ଚଟି ମାତ୍ର ଟଙ୍କା କାଢ଼ି ନେଇ, ସମଗ୍ର ବେଗ୍‍ଟା ତାହାରି ହାତରେ ଦେଇ ଆସିଥିଲେ । ସେଥିରେ କେତେ ଟଙ୍କା ଥିଲା, ତାହା ଗଣି ଦେଖି ନାହାନ୍ତି । ବୋଧହୁଏ ତିନି ଶହ, ସାଢ଼େ ତିନି ଶହ ଭିତରେ ହେବ । କିନ୍ତୁ ବର୍ଷେ କେତେ ମାସ ହୋଇଗଲା । ଆଉ ଟଙ୍କା ପଇସା କିଛି ପଠା ହୋଇ ନାହିଁ । ହରିଶଙ୍କର ଭାବିଲେ–ସୁଷିର ହାତରୁ ଯଦି ପଇସା କଉଡ଼ି ସରି ଯାଇଥାଏ ? ତା’ର ଅବସ୍ଥା ଆଜି କ’ଣ ହୋଇ ନ ଥିବ ! ଭିକାରିଣୀ ହୋଇ ସୁଷି ଆଜି ଦ୍ୱାରେ ଦ୍ୱାରେ ବୁଲୁ ନ ଥିବ କି ? ଭାବୁ ନ ଥିବ କି–ପ୍ରେମାସ୍ପଦ ବୋଲି ଯେ ଦିନେ ଅନିର୍ବଚନୀୟ ଆସ୍ଫାଳନ କରି ତୁମୁଳ କୁନ୍ଦୁରି ବଜେଇ ଚାଲିଥିଲା, ସେ ଏଡ଼େ ନିଷ୍କରୁଣ, ଏଡ଼େ ପାଷାଣ ! ଦୟାମାୟା ବୋଲି କୌଣସି ବସ୍ତୁର ସେ ଧାର ଧାରେ ନାହିଁ । ହାୟରେ ଛଳନାମୟ ନିଷ୍ଠୁର ରାକ୍ଷସ-!

ହରିଶଙ୍କରଙ୍କ ଅନ୍ତରାତ୍ମା ନିଜ ପ୍ରତି ଘୃଣାରେ ପରିପୂର୍ଣ୍ଣ ହୋଇ ଉଠିଲା । ବାହାରେ ରାତ୍ରିର ଅନ୍ଧକାର ତାଙ୍କୁ କଟମଟ କରି ଚାହିଁ ତୀବ୍ର ଉପହାସ କରିବାକୁ ଲାଗିଲା । ହରିଶଙ୍କର ଗୁମ୍‍ ହୋଇ ବସି ରହିଲେ, ଗାଡ଼ିରୁ ଓହ୍ଲେଇ ପାରିଲେ ନାହିଁ । ପ୍ରସ୍ଥାନ ଘଣ୍ଟା ବାଜିଲା–ଗାଡ଼ି ସିଟି ଦେଲା–ଶେଷରେ ଝମ୍‍ ଝମ୍‍ ଦମ୍‍ ଦମ୍‍ ହୋଇ ଚାଲିବାକୁ ଆରମ୍ଭ କଲା । ହରିଶଙ୍କର ସେହିପରି ବସିରହିଲେ । କିଛିକ୍ଷଣ ପରେ ସୁଷି ଭାବିଲେ–ବୋଧହୁଏ ସୁଷିର ଅବସ୍ଥା ଏତେ ଗୁରୁତର ହୋଇ ନ ଥିବ । ଦୁଇଟା ପେଟ ତ ? ମାସରେ କେତେ ଖରଚ କି ? ବୋଧହୁଏ, ହାତରେ କିଛି ଥିବ । କିନ୍ତୁ ନିଶ୍ଚୟ ଶେଷ ହେବା ଉପରେ ହେବଣି ତା’ପରେ ସୁଷିର ଉପାୟ ?

ହରିଶଙ୍କର ଧଡ଼ପରି ଉଠିଲେ । ସୁଟ୍‍କେସଟା ଖୋଲି ଦେଖିଲେ, ଟଙ୍କା ଶହେ ପାଞ୍ଚ ପା ଭିତରେ ଅଛି । ଇଚ୍ଛା ହେଲା–ଖୁବ୍‍ ଜୋରରେ ଫିଙ୍ଗି ଦିଅନ୍ତେ,–ଠିକ୍‍ ସୁଷିର କୋଳରେ ଯାଇ ଝଣ୍‍ଝଣ୍‍ ହୋଇ ପଡ଼ନ୍ତା । ହାୟ ହାୟ, ସୁଷି ଏତେ ନିକଟରେ ନୁହେଁ । ହରିଶଙ୍କର ଭାବିଲେ–ନା, କଟକରେ ପହଞ୍ଚି ତାଙ୍କର ପ୍ରଥମ କାର୍ଯ୍ୟ ହେବ, ସମସ୍ତ ଟଙ୍କା ସୁଷି ନାମରେ ଟେଲିଗ୍ରାମ ମନିଅର୍ଡ଼ରରେ ପଠେଇ ଦେବା ।

ଗାଡ଼ି ଚାଲିବାକୁ ଲାଗିଲା । ଷ୍ଟେସନ ପରେ ଷ୍ଟେସନ ଗଲା । ମହାନଦୀର ପୋଲ ପଡ଼ିଲା । ବି.ଏନ୍‍.ଆର ଗାଡ଼ି ବୀରଦର୍ପରେ ସିଂହନାଦ କରି ଚାଲିଲା,–ଝମ୍‍ ଝମ୍‍–ଝମାଝମ୍‍, ଝମ୍‍ ଝମ୍‍,–ଝମାଝମ୍‍ ଶେଷରେ କଟକ ଷ୍ଟେସନ ହାବୁଡ଼ିଲା । ‘‘କଟକ୍‍–କଟକ୍‍’’,–‘‘ଚା’–ଗରମ ଚା’–ଗରମ୍‍’’, ‘‘ପାନ୍‍ ବିଡ଼ି ସିଗ୍ରେଟ’’–ନାନା ଶ୍ରବ୍ୟ ଅଶ୍ରାବ୍ୟ ଆବାଜ୍‍ ହେଲା । ହରିଶଙ୍କର ଉଠିଲେ; କିନ୍ତୁ କ’ଣ ମନକୁ ଆସିଲା କି ଜାଣି, ପୁଣି ବସିପଡ଼ିଲେ । ତିଳାର୍ଦ୍ଧ ବି ହଲିଲେ ନାହିଁ । ଗାଡ଼ି ଚାଲିଲା, କଟକ ଷ୍ଟେସନରେ ଓହ୍ଲାଇବା ହେଲା ନାହିଁ, କିମ୍ୱା ‘‘ପ୍ରଥମ କାର୍ଯ୍ୟ’’ଟା ମଧ୍ୟ କରାଗଲା ନାହିଁ ।

ଶେଷରେ ଗାଡ଼ି ଆସି ଭୁବନେଶ୍ୱର ଷ୍ଟେସନରେ ଠିଆ ହେଲା । ହରିଶଙ୍କର ସୁଟକେସ୍‍ ଖଣ୍ଡି ହାତରେ ଧରି ବାହାରି ପଡ଼ିଲେ । ତା’ପରେ ଯାହା ଯାହା ହେଲା, ସବୁ କହିଛି ।

ପ୍ଲାର୍ଟଫର୍ମର ବାହାରକୁ ଆସି କୃଷ୍ଣମାଧବ ଡାକିଲେ–ଦିଲ୍‍ଦାର ମିଆଁ !

ଦିଲ୍‍ଦାର ଜବାବ୍‍ ଦେଲା–ହଜୁର୍‍ ।

କୃଷ୍ଣମାଧବ–କାକଟପୁର ଯାନେବାସ୍ତେ ଏକ୍‍ ଆଚ୍ଛା ଗୋରୁକା ଗାଡ଼ି ଲ୍ୟାଓ ତ । ହନୁମନ୍ତ ସିଂ କୋ ବି ଲେ ଯାଓ ।

ପିଆଦା ଓ ବରକନ୍ଦାଜ ଧାଇଁଲେ । ସିନ୍ଦୁରା ଫାଟିଆସିଲା । କ୍ରମେ କ୍ରମେ ଆକାଶ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହେବାକୁ ଲାଗିଲା । ଷ୍ଟେସନ ଆଗରେ ଯେଉଁ ଗଛଗୁଡ଼ାକ ଅନ୍ଧାରରେ ଭୂତ ଭଳି ଛିଡ଼ା ହୋଇଥିଲା, ସେଗୁଡ଼ାକ ଦିବାଲୋକରେ ଦେହ ମାଜି ସୁନ୍ଦର ଚେହେରା ଫୁଟାଇବାକୁ ଚେଷ୍ଟା କଲେ । ବୃକ୍ଷାଶ୍ରୟୀ ପକ୍ଷୀଗୁଡ଼ାକ ଖାଦ୍ୟନ୍ୱେଷଣରେ ଏଣେ ତେଣେ ଉଡ଼ିଯିବାର ଉଦଯୋଗ କଲେ । ଦିଲ୍‍ଦାର ମିଆଁ ଓ ହନୁମନ୍ତ ସିଂ ଗାଡ଼ି ଗୋଟାଏ ଯୋଗାଡ଼ କରି ଆଣିଲେ । କୃଷ୍ଣମାଧବ ସମସ୍ତଙ୍କୁ କହିଲେ–ଚାଲ । ହରିଶଙ୍କର ଛିଡ଼ା ହୋଇ ରହିଲେ । କୃଷ୍ଣମାଧବ ହାତ ଧରି ଟାଣି ଆଣିଲେ, କହିଲେ–‘‘ଗାଡ଼ିରେ ବସ, କାକଟପୁର ଯିବାକୁ ହେବ ।’’ ହରିଶଙ୍କର ବାଧ୍ୟ ହୋଇ ବସିଲେ; କୃଷ୍ଣମାଧବ ମଧ୍ୟ ବସିଲେ । ଗାଡ଼ି ଚାଲିଲା ।

ଏହି କାକଟପୁର ହିଁ ସୁଷମାର ଗ୍ରାମ ।

Image

 

ଷଡ଼୍‍ବିଂଶ ପରିଚ୍ଛେଦ

 

ବର୍ତ୍ତମାନ ସୁଷମାର ବିଚିତ୍ର ଜୀବନ ଉତିହାସର ଆଉ ଗୋଟିଏ ଅଧ୍ୟାୟର କଥା ନୁହେଁ । ଜୟକୃଷ୍ଣ ସାଙ୍ଗରେ କଥାବାର୍ତ୍ତା କରି ସେଦିନ ଶମ୍ଭୁନାଥ ଶତପଥୀ ସ୍ୱଗୃହକୁ ଗଲେ । ପରଦିନ ତାଙ୍କୁ ଆଉ ଜୟକୃଷ୍ଣ ସହିତ ପୁନରାଳାପ କରିବାପାଇଁ ଆସିବାକୁ ପଡ଼ିଲା ନାହିଁ । ଜୟକୃଷ୍ଣ ନିଜେ ଯାଇ ଶମ୍ଭୁନାଥଙ୍କୁ ନିଜର ସିଦ୍ଧାନ୍ତଟା ଜଣାଇ ଆସିଲା । ଶମ୍ଭୁ ମନେ ମନେ ବଡ଼ ଆହ୍ଲାଦିତ ହେଲେ । ସେହି ମୁହୂର୍ତ୍ତରୁ ସେ କାମରେ ଲାଗିପଡ଼ିଲେ । ଯେଉଁ ‘‘ଲାଏଖପାତ୍ର’’ ଟିର ସୁଚନା ସେ ପୂର୍ବରୁ ଦେଇଥିଲେ, ଅନତିବିଳମ୍ୱେ ଯାଇ ତା’ର ଦ୍ୱାରସ୍ଥ ହେଲେ ଏବଂ କେତେ କଷ୍ଟରେ ଯେ ସେ ଏକ ପରମସୁନ୍ଦରୀ ସର୍ବସୁଲକ୍ଷଣବତୀ ସତ୍‍ପାତ୍ରୀର ଯୋଗାଡ଼ କରିଛନ୍ତି ତାହା ବିଶଦଭାବରେ ବଖାଣି ଗଲେ । ପାତ୍ରୀର ଏକମାତ୍ର ମୁରବି ସେହି ଭ୍ରାତୃଶିରୋମଣିର ପ୍ରସଙ୍ଗ ମଧ୍ୟ ଉତ୍ଥାପନ କରି ଖୁବ୍‍ ଜୋରଦେଇ କହିଲେ–‘‘କିନ୍ତୁ ଦେଖ ବାବା ! ସେ ସହଜ ପାତ୍ରୀ ନୁହେଁ, ଜଣେ ଲକ୍ଷପତିର ହାତରୁ ତାକୁ ଏକପ୍ରକାର ଝାମ୍ପ ମାରି ଛିଣ୍ଡାଇ ଆଣିବାକୁ ହେଇଛି । ସେତକ କରିବାକୁ ନାକେଦମ୍‍ ହେବାକୁ ପଡ଼ିଛି । ବହୁତ ଟଙ୍କାର ଲୋଭ ଦେଖାଇ ଭାଇଟାକୁ ଦଶ କରି କାମ ହାସଲ କରା ହୋଇଛି । ପାଞ୍ଚଶହ ଟଙ୍କାରୁ କ୍ରାନ୍ତିଟାଏ ବି ଛାଡ଼ିବାକୁ ସେ ନାରାଜ । ହେଲେ, ପାତ୍ରୀ ଭଳି ପାତ୍ରୀଟିଏ ଏକା । ସାକ୍ଷାତ୍‍ ଅପସରୀ ! ରୂପ ଦେଖି ଲୋକ ଚମକି ପଡ଼ିବ, ରାଜାର ରାଣୀ ହେବାର ଯୋଗ୍ୟ । ଯଦି ଚାହଁ, ଦେଖେଇ ଦେଇପାରେଁ ।

 

ଶମ୍ଭୁନାଥଙ୍କର ଲାଏଖ ପାତ୍ରଟିଏ କାମୁକ ଧରଣର । ସସନ୍ତାନା ସ୍ତ୍ରୀଟିଏ ବି ବିଦ୍ୟମାନ । କିନ୍ତୁ ସେତିକିରେ ତାଙ୍କର ମନଃପୂତ ନୁହେଁ । ବିଶେଷତଃ ସ୍ତ୍ରୀର ବୟସ ବେଶୀ ହେବା ସଙ୍ଗେ ସଙ୍ଗେ ରୂପକାନ୍ତି ମଧ୍ୟ ଖସିପଡ଼ିଛି । ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀଙ୍କର ଖଟ୍‍ ଖଟ୍‍ ଲାଗେ । ସୁତରାଂ ଆଉ ଗୋଟିଏ ସ୍ତ୍ରୀ ଲୋଡ଼ା । ସେଉଟି ସୁନ୍ଦରୀ ଯୁବତୀ ହେବା ଦରକାର । ଶତପଥୀଙ୍କୁ ସେପରି ଗୋଟିଏ ପାତ୍ରୀ ଅନୁସନ୍ଧାନ କରି ଦେଖିବାକୁ ସେ ଥରେ ଅଧେ କହିଛନ୍ତି । ଉପଯୁକ୍ତ ପାତ୍ରୀ ହେଲେ ସେ ଟଙ୍କା ଦେବାକୁ ପ୍ରସ୍ତୁତ । ଟଙ୍କା ମଧ୍ୟ ମହାଜନିପ୍ରସାଦରୁ ସିନ୍ଦୁକରେ ଯଥେଷ୍ଟ ଅଛି ।

 

ଶମ୍ଭୁନାଥଙ୍କ କଥା ଶୁଣି ମହାଜନେ ଆନନ୍ଦିତ ହେଲେ । ମାତ୍ର ତାଙ୍କର ଟିକିଏ ପାତ୍ରୀ ଦେଖିବାକୁ ଇଚ୍ଛା । ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରି ବିଭା ହେବେ, କାଳେ ପରେ ପସ୍ତେଇବାକୁ ପଡ଼ିବ, ସୁତରାଂ ଦେଖି ଚାହିଁ ମନରୁ ସନ୍ଦେହଟା ପୋଛି ଦେଇଥିବା ଭଲ । ଶମ୍ଭୁନାଥ ତ ତାହା ହିଁ ପ୍ରସ୍ତାବ କରିସାରିଥିଲେ । ସେ କହିଲେ–ବହୁତ ଆଚ୍ଛା । ପରଦିନ ଜୟକୃଷ୍ଣକୁ ସମସ୍ତ କଥା ଜଣାଇ ବ୍ୟବସ୍ଥା କରି ଦେଲେ । ମହାଜନଙ୍କୁ ସଙ୍ଗରେ ନେଇ ଜୟକୃଷ୍ଣଙ୍କୁ ଖୋଜିବା ବାହାନାରେ ଗୃହ ମଧ୍ୟରେ ପ୍ରବେଶ କରି ଶମ୍ଭୁନାଥ ସରୁଗଳାରେ ଡାକିଲେ–‘‘ମୋ ମା’ ସୁଷମା ରାଣୀ କୁଆଡ଼େ ରେ-?’’ ଜୟକୃଷ୍ଣ ପୂର୍ବ ଇଙ୍ଗିତ କ୍ରମେ ଘରେ ଅନୁପସ୍ଥିତ ଥିଲା । ସୁଷମା ବାହାରି ଆସି ଜବାବ୍‍ ଦେଲା–‘‘ଜଇଭାଇ ନାହାନ୍ତି ।’’ ଶମ୍ଭୁନାଥ ପାର୍ଶ୍ୱବର୍ତ୍ତୀ ମହାଜନଙ୍କ ଦେହରେ ବିଷିଆଙ୍ଗୁଳି ଖୁଞ୍ଚିଦେଲେ । ସଙ୍ଗେ ସଙ୍ଗେ ଦୁଇଟା ପିପାସିତ ଚକ୍ଷୁ ଯେପରି ସୁଷମାର ରୂପମାଧୁରୀ ଶୋଷିନେବାକୁ ଆରମ୍ଭ କରି ଦେଲା । ସୁଷମା ଗୋଟାଏ ନିତାନ୍ତ ଅପରିଚିତ ଲୋକକୁ ସମ୍ମୁଖରେ ଦେଖି କ୍ଷଣକ ମଧ୍ୟରେ ପଳାଇଗଲା । ଲୋକଟାର ନିର୍ଲ୍ଲଜ ଚାହାଣି ତାକୁ ଭଲ ଲାଗିଲା ନାହିଁ । ମନେ ମନେ କହିଲା–ଏଟା କିଏ ମ, ନ କହି ନ ପୋଛି ଘରକୁ ପଶି ଆସୁଛି !

 

ମହାଜନେ ସୁଷମାର ରୂପଲାବଣ୍ୟ ଦେଖି ଭାରି ଖୁସିଟାଏ ହେଲେ । ସାକ୍ଷାତ୍‍ ଅପ୍‍ସରୀ ବୋଲି ଶମ୍ଭୁନାଥ ଯେ ବର୍ଣ୍ଣନା କରିଥିଲେ, ଠିକ୍‍ ଅକ୍ଷରେ ଅକ୍ଷରେ ମିଳିଗଲା । ଅତିଶୀଘ୍ର ସେ ବିବାହ କରିବା ପାଇଁ ଅଭିଳାଷ ପ୍ରକାଶ କଲେ । ‘‘ଉଠ କନ୍ୟା’’ ସ୍ୱରୂପ ପାତ୍ରୀକି ନେଇ ନିଜ ଗୃହରେ ବିଭା ହେବାକୁ ମନସ୍ଥ କଲେ ଓ ଶମ୍ଭୁନାଥଙ୍କୁ ତାହାହିଁ ଜଣାଇ ଦେଲେ । କନ୍ୟାପକ୍ଷର ସେଥିରେ ଗୋଟାଏ କାଣି କଉଡ଼ି ପର୍ଯ୍ୟନ୍ତ ଖର୍ଚ୍ଚ ହେବ ନାହିଁ ବୋଲି ଲୋଭ ଦେଖାଇଲେ-। ଶମ୍ଭୁନାଥଙ୍କ ମୁଖରୁ ଜୟକୃଷ୍ଣ ଏହା ଶୁଣି ପରମ ଆପ୍ୟାୟିତ ହେଲା । ଭାବିଲା–ରୋକଠୋକ ଚାରି ଶହ ଟଙ୍କାଟି ଏଥର ମୁଠା ଭିତରେ । ପାଠକ ପାଠିକା ଏହି ହିସାବରେ ଗୋଳମାଳ ହେଲା ବୋଲି ମନେ କରିବେ ନାହିଁ; ଏହି ଚାର ଶହ ସଙ୍ଗେ ଶମ୍ଭୁନାଥଙ୍କର ଭିତରି ଫାଉ ଶହେ ଟଙ୍କା ଯୋଗ କରି ଦେଖିଲେ ଠିକ୍‍ ପାଞ୍ଚଶ ଆସିଯିବ ।

 

ଜବାବ୍‍ ଦିଆ ହୋଇଗଲା । ଜୟକୃଷ୍ଣ ପରମ ଆନନ୍ଦରେ ଘରେ ଆସି ସେ ସୁଖବର ଦେଲା । ବାଉଲିମାକୁ ଡାକି କହିଲା–ବୁଝିଲ ନା ବାଉଲିମା, କଥାବାର୍ତ୍ତା ଛିଣ୍ଡିଗଲା । ଓଃ ଏତେ ଦିନେ ମୁଣ୍ଡରୁ ଗୋଟାଏ ବୋଝ ଓହ୍ଲେଇ ଗଲା ପରା ! ଦିନ ରାତି ମୋତେ ବ୍ରହ୍ମରାକ୍ଷସ ପରି ମାଡ଼ି ବସିଥିଲା । ଏଥର ଏକପ୍ରକାର ଖଲାସ । ବିଭାଘର ଦିନବାର ସବୁ ଧରା ହୋଇଗଲା । ଉଠା କନ୍ୟା, କିଛି ବୋଲି ଝିଝଂଟ ନାହିଁ । ଏ ପିଠିରୁ କିଛି ଖରଚ ନାହିଁ, ସବୁ ଖର୍ଚ୍ଚ ସେ ପକ୍ଷର । ହେଲେ ଖର୍ଚ୍ଚ କରିବାକୁ ସେ ପକ୍ଷର ଡର ନାହିଁ । ବର ବଡ଼ଲୋକ, ନାମ ଗୋବର୍ଦ୍ଧନ ମହାନାଏକ । ଟଙ୍କା ପଇସା ଗଦ୍‍ ଗଦ୍‍ ହଉଚି, ମହାଜନି କାରବାର, ଲକ୍ଷ୍ମୀଠାକୁରାଣୀ ଘରେ ବନ୍ଧା । ସବୁ ଆଡ଼କୁ ଚାହିଁ ଦେଖିଲେ ସୁବିଧା । ସୁଷିଟି ଭାଗ୍ୟ ଭଲ, ପ୍ରଜାପତି ପ୍ରସନ୍ନ । ରଜା ଘରେ ଯାଇ ରାଣୀ ହୋଇ ବସିଯିବ, ପୋଇଲୀ ପରିବାରୀ ଲାଗିବେ,–କେତେ ଲୋକ ଆଜ୍ଞାକୁ ଅବଧାନ ହେବେ । ଏଡ଼େ ବଡ଼ ଘର, ଏଡ଼େ ବଡ଼ ପାତ୍ର ଭାଗ୍ୟକୁ ଜୁଟିଯିବ ବୋଲି ମୁଁ ଭାବି ନ ଥିଲି । ତେବେ କ’ଣ କି, ବାଉଲିମା, ଅସଲ ନସିବ୍‍ । ନସିବ୍‍ ଫିଟିଲେ ଫକୀର ବାଦସା । କହିଲା ପରା–‘‘ନସିବ କ୍ୟା ନ କରେ କାମ୍‍, ଆବେ ଅନନ୍ତା, ଯା ବେ ଅନନ୍ତା, ବାବୁ ଅନନ୍ତ ରାମ । ତା’ର ଅର୍ଥ ବୁଝିଲୁ ନା ? ବୋଇଲା–ତୋତେ ଆଜି ଡାକୁଛନ୍ତି ‘ଅନନ୍ତା’, କହୁଛନ୍ତି–‘ଅନନ୍ତା ଆବେ, ଅନନ୍ତା ଯା ବେ ’ କାଲି ତୋ ନସିବ୍‍ ଖୋଲିଗଲା, ଲୋକେ ଆଉ ତୋତେ ସେପରି କହିବେ ? ଏଡ଼େ ଛାତି ତାଙ୍କର ଆଉ ହବ ? ତୋ ପାଖରେ ନେଫିଡ଼ି ହେବେ, ସାତ ସଲାମ୍‍ ବଜେଇବେ, କହିବେ–ହୋ ଅନନ୍ତରାମ ବାବୁ ! ହେ ସାଆନ୍ତେ ! ହେ ମଣିମା ! ଶୁଣି ଆଜ୍ଞା ହେଉନ୍ତୁ, ଶୁଣି ଆଜ୍ଞା ହେଉନ୍ତୁ । ଏଭଳି କହି ପୋଷା କୁତୀ ପରି ତୋ ପଛେ ପଛେ ଚାଲିବେ । ଏ ସବୁ ନସିବ୍‍ର କାମ୍‍ । କହିଲା–‘‘ଶୁଣ ରେ ମାଳ. ଜଡ଼ କପାଳ ।’’ ଝିଅଟାର କପାଳରେ ଅଛି–ସେ ରାଣୀ ହବ । ତୁ ବନ୍ଦ କରି ପାରିବୁ, ନା ମୁଁ ପାରିବି । ହବଇ ହବ, ନ ହୋଇ ଯିବ କୁଆଡ଼େ ? ବିଧାତା ପ୍ରସନ୍ନ ହେଲେ ସବୁ ହୁଏ । କହନ୍ତି–‘‘ଖୋଦା ପରମ ଦୟାଳୁ, ଅଭି ଦେତା ନେହି, ଯବ୍‍ ଦେଗା, ଛପର ଫାଡ଼କେ ଦେଗା ।’’ ତେବେ ବୁଝିଲୁ ନା ବାଉଲିମା ! ଗୋଟାଏ କଥା । ସୁଷି ଯେତେବେଳେ ରାଣୀ ହୋଇ ବସିଥିବ, ଚାରିପିଠି ପୋଇଲୀ ପରିବାରୀ ଲାଗିଥିବେ, ସେତେବେଳେ ତୋତେ ପଚାରିଲେ ସିନା ହୁଏ । ତା’ ନ କରି ଯଦି ମୁଣ୍ଡି ଛାଞ୍ଚୁଣି କାଢ଼ି କହେ–‘‘ଆଲୋ ଭିଖାରୁଣୀ ଟା, ତୁ କିଆଁ ଏ ଦୁଆର ମାଡ଼ିଲୁ ଲୋ, ତୋତେ କିଏ ଏଠିକି ଆସିବାକୁ କହିଲା ଲୋ ? ନିକଲ୍‍, ନିକଲ୍‍ ଦୂର୍‍ ହ ।’’ ତା’ହେଲେ,–‘‘ସବୁ ସୁଖ ସରିଗଲା ମୁରଲୀ–ବଜାରେ ।’’ ଏହା କହି ଜୟକୃଷ୍ଣ ଅଙ୍ଗ ଦୋହଲାଇ, ଗୀତ ଗାଇ, ହୋ ହୋ ହୋଇ ହସିବାକୁ ଲାଗିଲା ।

 

ଜୟକୃଷ୍ଣ ଏକ ନିଃଶ୍ୱାସରେ କହିଯିବାକୁ ଲାଗିଲେ । ପାଟିରେ ବାଟୁଳି ବାଜିଲା ନାହିଁ । ପ୍ରାଣ ତା’ର ଫୁଲି ଉଠୁଛି, ଆନନ୍ଦର ଲହରୀ ଢୋ ଢୋ ହୋଇ ଢେଉ ମାରୁଛି । ତା’ କଥାରେ କେହି କାନ ଦେଉ ବା ନ ଦେଉ ସେ ପୁରାଣପଣ୍ଡା ପରି ଗାଇଯିବାକୁ ଲାଗିଲା । ବାଉଲିମା ଖାଲି ପାଟିଟା ଆଁ କରି ରହିଥାଏ । ଜୟକୃଷ୍ଣ ଭାବିଲା–ମାଇକିନିଆଟା ତା’ କଥାଗୁଡ଼ାକ ଖାଲି ଗିଳିଯାଉଛି,–ଭାରି ସୁଆଦୁ ଲାଗୁଛି । କିନ୍ତୁ ବାଉଲିମାକୁ କଥାଗୁଡ଼ାକ ବିଷ ପରି ବୋଧ ହେଉଥିଲା,–ତାକୁ ଖାଲି ଅକ୍‍କା କରି ଦେଉଥିଲା । ଅବଶ୍ୟ ସୁଷମା ରାଜରାଣୀ ହୋଇ ବସିବ–ଏ ଚିତ୍ରଟା ମନୋରମ । କିନ୍ତୁ ଏଥିରେ ସତ୍ୟ କେତେ, ମିଥ୍ୟା କେତେ, କିଏ ଜାଣେ ? ଅଫିମାଟାର କଥାରେ ବିଶ୍ୱାସ କ’ଣ-? ଆପୁନିଶା ତ କମ୍‍ ନୁହେଁ ! ତାହାରି ଝୁଙ୍କରେ ଯଦି କହି ଯାଉଥିବ-?

 

ବାଉଲିମାର ମନରେ ଘୋର ସନ୍ଦେହର ଛାୟାପାତ ହେଲା । ଟିକିଏ ଭୀତ ସଞ୍ଚାର ମଧ୍ୟ ହେଲା । କିନ୍ତୁ ସେ କିଛି ନ କହି ଖାଲି ଶୁଣିଯିବାକୁ ଲାଗିଲା । ଜୟକୃଷ୍ଣର ହାସ୍ୟ ବେଳରେ ସେ ଯୋଗ ଦେଇ ପାରିଲା ନାହିଁ । ସେଟା ତାକୁ ରାକ୍ଷସର ବିକଟ ହାସ୍ୟ ପରି ଶୁଣାଗଲା । ଜୟକୃଷ୍ଣ ମନ ଇଚ୍ଛା ହସଟାଏ ହସି ନେଇ ପୁନଶ୍ଚ ଆରମ୍ଭ କଲା–ବୁଝିଲୁ ନା ବାଉଲିମା, ସୁଷି ଏବେ ପଚାରୁ ବା ନ ପଚାରୁ, ଆମ କାର୍ଯ୍ୟଟା ଆମେ କରିଦେଲେ, କଥା ସରିଲା । ଏବେ ଜୟକୃଷ୍ଣ ଆନନ୍ଦରେ ଚାଲିବେ କଲିକତା, ଅର୍ଥାତ ସେହି କୁବେରପୂରୀକୁ ।

 

ବାଉଲିମା ମନେ ମନେ ଅଭିଶାପ ଦେଇ କହିଲା–‘‘ଗାତକୁ ।’’

 

ସୁଷି ଘର ଭିତରେ ବସି ସମସ୍ତ କଥା ଶୁଣୁଥିଲା । ମନେ ମନେ ଟିପ୍ପଣି ବାଢ଼ିଲା–‘‘ନରକକୁ ।’’

 

ତା’ ପରଦିନ ବାଉଲିମା ତତ୍ତ୍ୱାନୁସନ୍ଧାନ କରିବାରେ ପ୍ରାଣପଣେ ଲାଗିଗଲା । ଗୋବର୍ଦ୍ଧନ ମହାନାଏକ ଲୋକଟା କିଏ ? ଅନେକ ପେଟଲୋକଙ୍କୁ ପଚାରି ବୁଝିଲା । ତନ୍ନ ତନ୍ନ କରି ସମସ୍ତ ବିବରଣୀ ସଂଗ୍ରହ କଲା । ତିନି ଗାଁ ପରେ ଗୋବର୍ଦ୍ଧନ ମହାନାୟକ ବୋଲି ଏକ ମହାଜନ ଅଛି । ଅବଶ୍ୟ ସେଭଳି ଡାକୁଆ ମହାଜନ ନୁହେଁ, ତେବେ ବେଶ୍‍ ପଇସାବାଲା । ବାପ ଗୋସାଇଁବାପଙ୍କ ଅମଳରୁ ମହାଜନି କାରବାର । ହେଲେ ଲୋକଟା ପାକଳ,–ଓମର ପଚାଶର ଆଖପାଖ । ସନେଇମା ବାଉଲିମାର ଜଣେ ଆଚ୍ଛା ପେଟଲୋକ । ସେ ଆଖି ଦି’ଟା ସବାଢ଼ାଳେ କାଢ଼ି ପକାଇ କହିଲା–କି ଲୋ ! ଜାଣୁ ନାହିଁ କି ଲୋ ? ହାତୀ ପରି ମାଇପଟା ରହିଛି ପରା ! ପୁଞ୍ଜେ ପିଲା ! ହେଲେ, ମୁର୍ଦ୍ଦାଟା କଥା କହ ନା । କାଳେ ଆଉ ଗୋଟେ ବାହା ହବ,–ମନ ସକ ସକ ହଉଚି । ପଇସା ସବୁ କରେ ଲୋ, ପଇସା ସବୁ କରେ । ହାତରେ ଧନ ଥିଲେ ଲୋକ ଦି’ଟା କ’ଣ, ଦିଗଣ୍ଡା ବାହା ହବାକୁ ମନ କରେ । ହଉଲୋ ମା, ତୋର ମୋର ଯାଏ ଆସେ କେତେ ? ତେବେ, ମାଇପଟା ମନରେ ସୁଖ ନାହିଁ । କଉଁଠୁ ଆସିବ ? ସଉତୁଣୀ ନେଇ ଘର କରିବାକୁ କାହା ମନ ରସେ ? କହିଲା–

 

‘‘ସଉତୁଣୀ ନେଇ ଘର କରିଥିବୁ, ନିତି ଲାଗିଥିବ ଗୋଳ,

ପଣତ କାନିରେ ଆଖି ପୋଛି ପୋଛି କାଟୁଥିବୁ ସାରାକାଳ ।’’

 

ଏଇତ ସାହସର କଥା । ସେଥିରେ ଆଉ ହରଷ କଉଠୁଁ ଆସିବ । ଦାରୁପରି ମାଇକିନାଟା, ଏଇ କଥା ଚବିଶି ଘଣ୍ଟା ଭାଳି ଭାଳି କଣ୍ଟା ପରି ହୋଇଗଲାଣି ।

 

ବାଉଲିମା ଏହା ଶୁଣି ଗାଲରେ ହାତ ଦେଲା । କ’ଣ ! ଏଇଟା ବେକରେ ପରା ରାଣୀକି ଆସି ବାନ୍ଧିବା କଥା ହଉଚି ! ସୁବର୍ଣ୍ଣ ପ୍ରତିମାକୁ ଅଲକ୍ଷଣା କି ପଙ୍କରେ ଘଣ୍ଟିବାକୁ ଯାଉଛି ? ହାୟ-ହାୟ-ହାୟ ! କିଏ ତାକୁ ଏତେ କଥା କରିବାକୁ କହୁଥିଲା ? କିଏ ତା’ ଗୋଡ଼ ଧରି ଅଳି କରୁଥିଲା ? ଯୋଗିନୀଖିଆଟା କେଉଁଠି ଥିଲା, ଆଚମ୍ୱିତରେ ଆସି ଏତେ ନାଟ ଲଗେଇଛି ! ସେଇ କଲିକତାରେ ମଲା ନାହିଁ ? ହାଡ଼ି ଘୋସାରିଲେ ନାହିଁ ? ଏତେ ଲୋକଙ୍କୁ ଅକାଳ ମଉତ ହଉଚି, ତାକୁ ଯା ଭୁଲିଗଲା ! ଏହିପରି ବାଉଲିମା ମନେ ମନେ ବହୁତ ବାହୁନି ହେଲା । ଜୟକୃଷ୍ଣର ମୁଣ୍ଡଟା ଚୋବେଇ ଖାଇ ଯିବାକୁ ତା’ର ଇଚ୍ଛା ହେଲା । ଏହା ପରେ ପୁଣି ସେ ଚୋବେଇ ଖାଇ ଯିବାକୁ ତା’ର ଇଚ୍ଛା ହେଲା । ଏହା ପରେ ପୁଣି ସେ ଖବର ପାଇଲା ଯେ ଜଇ ଏ ମଧ୍ୟରେ କିଛି ଟଙ୍କା ବି ପେଟରେ ପକେଇ ସାରିଲାଣି,–ଆଉ ପୁଳାଏ ଆଚ୍ଛା କରି ମାରିବ । ବାଉଲିମା ଭାବିଲା–ହାୟରେ ଚଣ୍ଡାଳ ! ଏଇଥିପାଇଁ ତ କୁଲୁରୁଛି ! କଥା ଏତେ ଗହୀରରେ ଯାଇ ପଶିଛି । ଭାରି ଭଲ ମଣିଷଟି ପରି କହୁଛି–ମୋ ମୁଣ୍ଡରୁ ଗୋଟାଏ ବୋଝ ଗଲା । ଓହୋ ! ସତେ ଯେମିତି ଦେହଗୋଟାକ ମହାପ୍ରସାଦରେ ଗଢ଼ା ରେ !

 

ଏହିପରି ଭାବୁଁ ଭାବୁଁ ବାଉଲିମା ଆସି ଘରେ ପହଞ୍ଚିଲା । ପହଞ୍ଚି, ଡାକିଲା–‘ରାଣି।’ ସୁଷି ମନରେ ସୁଖ ନ ଥିଲା । ସେ ମେଞ୍ଚାଟି ହୋଇ ଘରର ଗୋଟାଏ କୋଣରେ ପଡ଼ିଥିଲା । ଆକାଶ ପାତାଳ କେତେ କ’ଣ ଭାବୁଥିଲା । ଭାବନାର ଆଦି ଅନ୍ତ ନ ଥିଲା । ଅନ୍ୟମନସ୍କ ଥିବାରୁ ବାଉଲିମାର ଡାକଟା ତା’ କାନରେ ପଶିଲା ନାହିଁ । ବାଉଲିମା ଖୋଜି ଖୋଜି ଆସି ସେହି କୋଣଟାରେ ହାବୁଡ଼ିଗଲା । ସୁଷିର ଅବସ୍ଥା ଦେଖି ତା’ ମନରେ ବଡ଼ କଷ୍ଟ ହେଲା; କିନ୍ତୁ କିଛି କହିପାରିଲା ନାହିଁ । ଖାଲି ଠିଆଟା ହୋଇ ରହିଲା,–ଯେପରି ବିମୂଢ଼ମୂର୍ତ୍ତି । ସୁଷି ଚମକି ପଡ଼ି ଉଠିଲା । ତା’ର ଅନ୍ୟମନସ୍କତା ଉଭେଇଗଲା । ମନରେ ସେ ଦୃଢ଼ତା ଆଣିବାକୁ ଚେଷ୍ଟାକରି କହିଲା–ଆସିଲୁଣି ମା ? ଏତେ ବେଳଯାଏ ଆଜି କୁଆଡ଼େ ଯାଇଥିଲୁ କହନି ?

 

ସୁଷି ଏବେ ବାଉଲିମାକୁ ‘ମା’ ବୋଲି ଡାକିବାକୁ ଆରମ୍ଭ କରିଛି । ବାଉଲିମା କହିଲା କୁଆଡ଼େ ଯିବି ରାଣୀ ? ଏଇ ଗାଁ ଗଣ୍ଡାକୁ ଟିକିଏ ବୁଲିବାକୁ ଯାଇଥିଲି । ଆଉ କଉଁ ଗାତକୁ ଯିବି ?

 

ଉତ୍ତର ଦେବାର ଭଙ୍ଗିରୁ ବାଉଲିମା ମନରେ ଶାନ୍ତି ଥିଲା ପରି ଜଣା ପଡ଼ିଲା ନାହିଁ । ସୁତରାଂ ସୁଷମା ଆଉ କିଛି କହିବାକୁ ସାହସ କଲା ନାହିଁ ।

Image

 

ସପ୍ତବିଂଶ ପରିଚ୍ଛେଦ

 

ବିବାହ ଆଉ ଅଳ୍ପଦିନ ରହିଲା ।

ସୁଷମାର ଆଜି ଗୋବର୍ଦ୍ଧନଙ୍କ ଘରକୁ ଯିବାର କଥା । ଉଠାକନ୍ୟା ହେଲେ ଯାହା କରିବାକୁ ହୁଏ ତାହା ଏହିପରି । ପାତ୍ରୀକୁ ଆଗରୁ ନେଇଯିବାକୁ ହୁଏ । ବରର ବିବାହ ନିଜ ଘରେ ଯଥା ସମୟରେ ହୁଏ । ତଦନୁସାରେ ସୁଷମାକୁ ଆଜି ଗୋବର୍ଦ୍ଧନଙ୍କ ଘରକୁ ନେଇଯିବାକୁ ହେବ । ସେ ଭାର ଜୟକୃଷ୍ଣ ଉପରେ । ସନ୍ଧ୍ୟା ପରେ ବାହାରିବା ସ୍ଥିର ।

ସନ୍ଧ୍ୟାର ଅବ୍ୟବହିତ ପୂର୍ବରୁ ଜୟକୃଷ୍ଣ ଗୃହ ଭିତରକୁ ପ୍ରବେଶ କରି କଡ଼ା ଗଳାରେ ଡାକଦେଲା–ବାଉଲିମା !

ବାଉଲିମା ଡାକଟା ଶୁଣି ଶୁଣିଲା ନାହିଁ । ଜୟକୃଷ୍ଣ ତା’ର ସ୍ୱରରେ ଚିତ୍‍କାର କରି ଉଠିଲା–କାନରେ କ’ଣ ହେଇଚି କି ?

ବାଉଲିମା ତୀବ୍ର ସ୍ୱରରେ ଜବାବ୍‍ ଦେଲା–ହେଇଚି, ତୋ ମୁଣ୍ଡ ଆଉ ଗଣ୍ଡି । ଏତେ ଗରମ କାହିଁକି ?

ଜୟକୃଷ୍ଣ–ଗରମ୍‍ଟା ଯେ ବେଶି ତୋର ଦେଖୁଛି ! ଆଜି ଯିବାକୁ ହେବ, ସେ କଥା କ’ଣ ମନେ ନାହିଁ ।

ବାଉଲିମା–ଯାହାର ଯିବାର କଥା ତାକୁ କହିବୁ । ମୁଁ କ’ଣ ଯିବି ?

 

ଜୟକୃଷ୍ଣ ବିରକ୍ତ ହୋଇ ଡାକିଲା–ସୁଷମା !

 

କୌଣସି ଉତ୍ତର ଆସିଲା ନାହିଁ । ଆହୁରି ବିରକ୍ତ ହୋଇ ଗର୍ଜ୍ଜନ କଲା–ମଲୁଣି କି ? ଆଜି ଭଲଦିନେ ମୋ ପାଟିରୁ ଅବାକ୍ୟ ବାହାରୁଛି । ଘରୁ ବାହାରି ପାରୁ ନାହୁଁ ?

 

ସୁଷମା ବିଦ୍ୟୁତ୍‍ ବେଗରେ ବାହାରି ଆସି ଜୟକୃଷ୍ଣର ଗୋଡ଼ ଧରି ପଡ଼ିଗଲା । ଜୟକୃଷ୍ଣ କହିଲା–ରଖ୍‍ ତୋ ଢଙ୍ଗ । ଏଟା ବାଉଲିମାର ଶିକ୍ଷା ନା କ’ଣ ?

 

ବାଉଲିମା ଗର୍ଜି ଉଠିଲା–ମୁହଁ ସମ୍ଭାଳି କଥା କହ । ଆଉ ଥରେ ବାଉଲିମାର ନାଁ ଧରିଲେ ଜିଭ ଉପାଡ଼ି ଦେବି ।

 

ସୁଷମା ବାଷ୍ପଜଡ଼ିତ କଣ୍ଠରେ କହିଲା–କ୍ଷମା କର, ଜଇଭାଇ । ମୁଁ ପାରିବି ନାହିଁ ।

 

ଜୟକୃଷ୍ଣ ଖୁବ୍‍ ଜୋରରେ ଗୋଡ଼ ଦି’ଟା ଛଡ଼ାଇ ନେଇ ଅଧର ଦଂଶନ କରି କହିଲା–କ’ଣ ? ପାରିବୁ ନାହିଁ ? ଗୋଟାଏ ଗୋଇଠା ଦେଇ ତୋ କଲିଜା ଛତୁ କରିଦେବି । ମୋତେ ଚିହ୍ନି ନାହୁଁ ?

 

ବାଉଲିମା ଆଉ ସମ୍ଭାଳି ପାରିଲା ନାହିଁ । ନିକଟରେ ଗୋଟାଏ ଝାଡ଼ୁ ପଡ଼ିଥିଲା । ସେଟା ଟାଣିଆଣି ତୁରନ୍ତ ଆସି ଆଗରେ ଛିଡ଼ା ହୋଇ ଯାଇ କହିଲା–ଟିପ ଛୁଁ ତ ମୋ ଝିଅ ଉପରେ ଦେଖେଁ ।

 

ଏହା କହି ଝାଡ଼ୁଟା ଜୟକୃଷ୍ଣର ମୁଖମଣ୍ଡଳର ନିତାନ୍ତ ନିକଟବର୍ତ୍ତୀ କରିଦେଲା ।

 

ଜୟକୃଷ୍ଣ ନିରସ୍ତ୍ର । ସୁତରାଂ ଯୁଦ୍ଧରେ ଯୋଗଦାନ କରିବାଟା ଉଚିତ ମନେ ନ କରି ଟିକିଏ ହଟିଯାଇ ଚକ୍ଷୁ ଦୁଇଟାରୁ ନିଷ୍ଫଳ ଅଗ୍ନିବର୍ଷଣ କରିବାକୁ ଲାଗିଲା । ଏହି ସମୟରେ ଦାଣ୍ଡଦ୍ୱାରରେ କଳରବ ଶୁଣାଗଲା । ଜୁତାର ମଚ୍‍ ମଚ୍‍ ଶବ୍ଦ ସଙ୍ଗେ ସଙ୍ଗେ ଦୁଇଟି ପୁରୁଷ ମୂର୍ତ୍ତିର ଅକସ୍ମାତ୍‍ ଆବିର୍ଭାବ ହେଲା । ଜଣେ ବର୍ଷୀୟାନ୍‍, ଅନ୍ୟଟି ତରୁଣ । ପଛରେ ହନୁମନ୍ତ ସିଂ, ସଙ୍ଖାଳି ବାରିକ, ନବଘନ ପଣ୍ଡା । ବାହାରେ ମୁସଲମାନୀ ଗଳାର ଆବାଜ ଶୁଣାଯାଉଛି–ବାବୁଜିକା ବିଛାନା ଗାଡ଼ି ସେ ଉତାର୍‍ କର୍‍ ଭିତର ଦୋ ।

 

ବାଉଲିମାର ହାତରୁ ଝାଡ଼ୁଟା କେତେବେଳେ ଖସି ପଡ଼ିଲାଣି ତାକୁ ଜଣା ନାହିଁ । ଜୟକୃଷ୍ଣ ସ୍ତମ୍ଭୀଭୂତ । ସୁଷି ଧୀରେ ଧୀରେ ଯାଇ କୃଷ୍ଣମାଧବଙ୍କ ପାଦତଳେ ପ୍ରଣାମ କଲା । କୃଷ୍ଣମାଧବ ସସ୍ମିତମୁଖରେ କହିଲେ–ଉଠ୍‍ ମା ।

 

ଯୁଦ୍ଧର ଘନଘଟା ଏକ ମୁହୂର୍ତ୍ତରେ ସଫା ହୋଇଗଲା ।

 

ଜୟକୃଷ୍ଣ ଚାଲାଖ ଲୋକ । ସମସ୍ତ ଘଟଣା ଅଭ୍ରାନ୍ତ ଅନୁମାନ ଦଳରେ ବୁଝିନେଲା । ଘରଟା ଲୋକବାକରେ ପୂର୍ଣ୍ଣ ହୋଇଗଲାଣି ଦେଖିଲା । ବାହାରକୁ ଯାଇ ଦିଲଦାର ମିଆଁର ମୁର୍ତ୍ତି ଦେଖିଲା, ହାତରେ ପୁରୁଷେ ଉଚ୍ଚ ଠେଙ୍ଗାଟା ମଧ୍ୟ ଦେଖିଲା,–‘‘ସଲାମ୍‍ ମିଆଁ ଜି’’ ବୋଲି କହି ଅଚଳାଭକ୍ତି ପ୍ରକାଶ କଲା । ଦଣ୍ଡେ ଘଡ଼ିଏ ଏପାଖ ସେପାଖ ଲଙ୍ଗ୍‍ ଲୁଙ୍ଗ୍‍ ହେଲା । ଭିତରେ ଭିତରେ ମନଟା ତା’ର ଫିକା ପଡ଼ିଗଲା । ଭାରି ବଡ଼ ଶିକାରଟାଏ ହାତରୁ ଖସିଗଲା । ହାୟ ହାୟ ! ଦିନ ଦି’ଟା ଆଗରୁ କାମଟା ହାସଲ କରି ନେଇଥିଲେ କେଡ଼େ ଭଲ ହୋଇ ନ ଥାନ୍ତା ବୋଲି ଅନୁତାପରେ ଟିକିଏ ଦଗ୍ଧ ହେଲା । ମାତ୍ର କପାଳକୁ ଆଦରି ରହିବା ଛଡ଼ା ଅନ୍ୟ ଉପାୟ ନ ଥିଲା । ଗୋବର୍ଦ୍ଧନଙ୍କଠାରୁ ଶହେ ଟଙ୍କା ହାତପଇଠ କରି ସାରିଥିଲେ । ସୁତରାଂ ଏପରି ଅବସ୍ଥାରେ ବୁଦ୍ଧିମାନ ବ୍ୟକ୍ତିର ଯାହା କର୍ତ୍ତବ୍ୟ ତାହା କଲା,–ଖସିଲା । ଅନ୍ଧକାରର ଆବରଣ ତଳେ ଜୟକୃଷ୍ଣ ନିର୍ବିବାଦରେ ଚମ୍ପଟ ମାରିଲା । ଏ ଘଟଣା ପରେ, ଯେତେ ବଡ଼ ଆବିଷ୍କାରଟାଏ ହେଉ ପଛେ, ଜୟକୃଷ୍ଣକୁ ଯେ ଆବିଷ୍କାର କରିପାରିଛି, ତା’ କାହାରିକୁ ଜଣା ନାହିଁ ।

 

ନୈଶଭୋଜନ ସମାପନ ପରେ କୃଷ୍ଣମାଧବ ସମସ୍ତଙ୍କୁ ଅସ୍ଥିର କରି ପକେଇଲେ । କହିଲେ, ଶୀଘ୍ର ଶୀଘ୍ର ଖିଆପିଆ ଶେଷ କରିଦିଅ, ବାହାରି ପଡ଼ିବାକୁ ହେବ । ସମସ୍ତେ ଖାଇ ପିଇ ସାରିଲେ । କେବଳ ସୁଷି ଓ ବାଉଲିମା ଖାଇ ନ ଥିଲେ । କୃଷ୍ଣମାଧବ ସୁଷମା ନିକଟରେ ଉପସ୍ଥିତ ହୋଇ କହିଲେ–‘‘ଖାଇନାହୁଁ ମା ? ଯା, ଶୀଘ୍ର ଯା । ଆଜି ଯେ ଯିବାକୁ ହେବ, ଆଉ ଡେରି କର୍‍ ନା-।’’

 

ସୁଷି ବାଉଲିମାକୁ ଅନ୍ତରାଳକୁ ଡାକି ପଚାରିଲା–ଜଇଭାଇ କୁଆଡ଼େ ଗଲା ମା ?

 

ବାଉଲିମା ଉତ୍ତର ଦେଲା–ଯମପୁରକୁ ।

 

ସୁଷି–ନା, ଥରେ ଦେଖ୍‍ ମା, କାଳେ ଦାଣ୍ଡପଟେ ଥିବ । ସେ ଯେ ଖାଇନାହିଁ ।

 

ବାଉଲିମା କଠୋର ସ୍ୱରରେ କହିଲା–ଚାଲ ଚାଲ୍‍, ବେଳ ହେଇଯାଉଛି । ମୁଁ ଆଉ ଦେଖି ନାହିଁ ଯେ ଦେଖିବି । ଭାଗ୍ୟେ ତା’ର ସେହି ଛିଣ୍ଡା ବେଗ୍‍ ଖଣ୍ଡକ ନେଇଯାଇଛି । ନ ହେଲେ ସେଇଟାକୁ ଚୁଲ୍ଲୀରେ ପକାଇ ପୋଡ଼ି ମନର ଓରମାନ ମେଣ୍ଟେଇଥାନ୍ତି ।

 

ଏ ମଧ୍ୟରେ ବାଉଲିମା ଜୟକୃଷ୍ଣର ଏକମାତ୍ର ସମ୍ପତ୍ତି ସେହି ବେଗ୍‍ ଖଣ୍ଡକୁ ଅଣ୍ଡାଳି ଆବିଷ୍କାର କରିବାକୁ ଚେଷ୍ଟା କରି ସାରିଥିଲା । ମାତ୍ର ସେ ଚେଷ୍ଟା ନିଷ୍ଫଳ ହୋଇଥିଲା ।

 

ବାଉଲିମାର ଆନନ୍ଦର ସୀମା ନ ଥିଲା । ଗୋଡ଼ ଆଜି ତା’ର ତଳେ ଲାଗୁ ନ ଥିଲା । ରଙ୍କ ନିଧି ପାଇଲେ ମଧ୍ୟ ଏତେ ଖୁସି ହୁଏ ନାହିଁ,–ଅନ୍ଧ ଚକ୍ଷୁ ପାଇଲେ ବି ଏତେ ଆହ୍ଲାଦ ପ୍ରକାଶ କରେ ନାହିଁ । ତା’ର ଯେପରି ସମସ୍ତ ମନସ୍କାମ ଆଜି ପୂର୍ଣ୍ଣ । ତା’ ‘‘ବାବୁ’’ ଆସିଛନ୍ତି, ଲୁପ୍ତ ରତ୍ନର ଉଦ୍ଧାର ହୋଇଛି । ଅକାଳ ଧୂମକେତୁଟା ଆପେ ମିଳେଇ ଯାଇଛି । ସୁଷିର ଭାଗ୍ୟ-ତପନ ପୁଣି ହସି ଉଠିଛନ୍ତି । ଆଉ ବାକି ରହିଲା କ’ଣ ? ସୁଖର ସପ୍ତମ ସ୍ୱର୍ଗରେ ବାଉଲିମାର ଆସନ ସୁପ୍ରତିଷ୍ଠିତ ।

Image

 

ପରିଶିଷ୍ଟ

 

କୃଷ୍ଣମାଧବ ସଦଳବଳେ ଯେତେବେଳେ ସୁଷିକୁ ନେଇ ଫେରି ଆସିଲେ, ସେତେବେଳେ ରାଧାପ୍ରିୟା ମାଳତୀକୁ ପାଖରେ ବସାଇ କହୁଥିଲେ–ମାଳ, ଆଜି ବାଁ ଆଖିଟା କାହିଁକି ଘନ ଘନ ଫରକୁଛି କହନି ? ଅଛି ଅଛି, ଫରକି ଉଠୁଛି । ମାଳ କହୁଥିଲା–ସେ ତ ଭଲ ଲକ୍ଷଣ ଅପା । ଭାରି ଶୁଭଟାଏ ଘଟିଲା ଭଳି ମୋତେ ଜଣା ପଡ଼ୁଛି ।

ରାଧାପ୍ରିୟା–ହଇ, ଶୁଭଟାଏ ଘଟିବ ନାହିଁ ତ କ’ଣ ? ଶୁଭ ଘଟିବା ଏ ଜୀବନରେ ସରିଯାଇଛି ମା !

ଠିକ୍‍ ଏହି ସମୟରେ କୃଷ୍ଣମାଧବ ଦୁଇ ହାତରେ ଦୁଇଜଣଙ୍କୁ ଧରି, ଦକ୍ଷିଣ ଦିଗରେ ହରିଶଙ୍କର ଓ ବାମ ଦିଗରେ ସୁଷମା, ଅକସ୍ମାତ୍‍ ଆସି ଉପସ୍ଥିତ ହୋଇଗଲେ ଏବଂ ଆନନ୍ଦରେ ଅଧୀର ହୋଇ କହିଲେ–‘‘ଏଇ ନେ ନାନୀ, ଆଶୀର୍ବାଦ କର, ଏ ଦୁଇଟି ପ୍ରାଣୀ ଦୀର୍ଘଜୀବୀ ହୋଇ ସୁଖରେ ରହନ୍ତୁ । ଆଉ ଏ ବୁଢ଼ା କୃଷ୍ଣମାଧବର ଅପରାଧ ସମସ୍ତେ ଭୁଲିଯାଅ ।’’

ରାଧାପ୍ରିୟା କ୍ଷଣକାଳ ଅବାକ୍‍ ହୋଇ ରହିଲେ । ପରେ ପଦପ୍ରାନ୍ତରେ ଅବଲୁଣ୍ଠିତ ଦୁଇଟି ତରୁଣ ମସ୍ତକ ସ୍ପର୍ଶ କରିବାକୁ ଯାଇ ଅବାରିତ ଅଶ୍ରୁଧାରୀ ଢାଳିଦେଲେ । ସୁଷମାକୁ ପାଦତଳୁ ଉଠାଇବା ସମୟରେ ସେ ଅଜ୍ଞାତସାରରେ କହି ପକାଇଲେ–ଉଠ୍‍ ମା, ସତୀ ସୁଲକ୍ଷଣୀ ! ପୁତ୍ରବତୀ ହୋଇ ଇନ୍ଦ୍ରାଣୀର ସୌଭାଗ୍ୟ ଭୋଗ କର ।

ବାଉଲିମା ରାଧାପ୍ରିୟାକୁ ଦଣ୍ଡବତ କରୁଁ କରୁଁ ହର୍ଷ ଗଦ୍‍ଗଦ ସ୍ୱରରେ କହିଲା–ମୁଁ ଆସିଛି ମା ସାଆନ୍ତାଣୀ !

ରାଧାପ୍ରିୟା କହିଲେ–କିଏ ଲୋ ? ବାଉଲି ମା ? ଉଠ୍‍ ଉଠ୍‍, ତୁ ବି ଆସିଛୁ ? ଆଚ୍ଛା କରିଛୁ–ଭଲ କରିଛୁ ।

ବାଉଲିମା ରାଧାପ୍ରିୟାଙ୍କ ଗୋଡ଼ଟିଏ ଟାଣି ନେଇ ମର୍ଦ୍ଦନ କରିବାକୁ ଆରମ୍ଭ କରିଦେଲା ଏବଂ କହିବାକୁ ଲାଗିଲା ଆହା ହା ! ଏ ଶିରୀପାଦ ଛୁଇଁବା କମ୍‍ ଭାଗ୍ୟର କଥା ନୁହେଁ ମା !

ଇତ୍ୟବସରରେ ମାଳତୀ ସୁଷମାକୁ ଟାଣି ନେଇ ଗୋଟାଏ ନିର୍ଜନ କୋଠରୀରେ ଅପୂର୍ବ ପ୍ରଣୟର ପାରାବାର ଉଛୁଳେଇ ଦେଇଥିଲା । ମାଳତୀ କହିଲା–ସୁଷମା, ଚିହ୍ନି ପାର୍‍ ବା ନ ପାର୍‍, ଏହି ପରମ ପୂଜନୀୟ ବଡ଼ ଭଉଣୀର ଶ୍ରୀଚରଣରେ ଗୋଟାଏ ସାଷ୍ଟାଙ୍ଗ ପ୍ରଣାମ କର ତ ।

ସୁଷମା ସସ୍ମିତମୁଖରେ ଗୋଡ଼ତଳେ ଜୁହାର ହେଲା । ମାଳତୀ ମୁଣ୍ଡ ଉପରେ ହାତ ରଖି କହିଲା–ହରି ଚରଣରେ ମତି ଅଟଳ ରହୁ ।

ସୁଷମା ହାତଟାକୁ ଠେଲିଦେଇ କହିଲା–ଯାଃ ।

ପରଦିନଟା ବୈଶାଖ ମାସରେ ଗୋଟାଏ ଭାରି ଶୁଭଦିନ ଥିଲା, ବିବାହ ବ୍ରତାଦି ମଙ୍ଗଳ କ୍ରିୟା ପାଇଁ ପ୍ରଶସ୍ତ । କୃଷ୍ଣମାଧବ କହିଲେ–ଆଜି ଶୁଭାନୁଷ୍ଠାନ ହବ ହିଁ ହବ ।

କୃଷ୍ଣମାଧବଙ୍କ ଇଚ୍ଛା ଓ କର୍ମ୍ମ ମଧ୍ୟରେ ବିଶେଷ କିଛି ବ୍ୟବଧାନ ନ ଥାଏ । ସୁତରାଂ ଶୁଭ ଘଟ ବସିଲା, ଶୁଭଶଙ୍ଖ ବାଜିଲା, ଶୁଭ ମନ୍ତ୍ର ଶୁଭ ମୁହୂର୍ତ୍ତରେ ଉଚ୍ଚାରିତ ହେଲା । ରାଧୁ ଗୁମାସ୍ତା ବୟୋବୃଦ୍ଧ ବ୍ରାହ୍ମଣ, ମନ୍ତ୍ରୋଚ୍ଚାରଣ କରି ସୁଷିକୁ ସେ ନିଜ କୁଳକୁ ନେଲେ ଏବଂ ନିଜେ କନ୍ୟା ପିତା ହେଲେ । ବର ପିତାର କାର୍ଯ୍ୟ କଲେ–ମାତୁଳ କୃଷ୍ଣମାଧବ । ହରିଶଙ୍କର ବେଦବାକ୍ୟ ପଢ଼ିଲେ–‘‘ଯଥା ରାମସ୍ୟ ବୈଦେହୀ, ଯଥା ରାବଣସ୍ୟ ମନ୍ଦୋଦରୀ’’ ଇତ୍ୟାଦି ।

 

ସୁଷମା ପାତ୍ରସ୍ଥା ହେଲା ।

 

ମାଳତୀ ନାମରେ ସୁଷି ନିକଟକୁ ଯେଉ ଟଙ୍କାଟା ପଠାଯାଇଥିଲା, ସେଟା ଦାବିଦାର ଅଭାବରୁ ସେହିଦିନ ଫେରି ଆସିଲା । ମାଳତୀ ତାହା ଆଣି ସୁଷି ନିକଟରେ ଉପସ୍ଥିତ ହୋଇ କହିଲା–

 

‘‘ଆଲୋ ସଖି ସୁଷି ! ବସିଛୁ ପରା ରୁଷି !

 

ମୁହଁଚୁହାଁଟା ପାଇଲେ ଏଥର ହୋଇଯିବୁ ତ ଖୁସି ?’’

 

ସୁଷମା ହସି ହସି କହିଲା–ଭାରି କବି ଫିଟିଛ ତ ଅପା ?

 

ମାଳତୀ ଜବାବ୍‍ ଦେଲା–

 

‘‘ଦେଖୀ ସେ ମୁହଁ ଛବି.

ହେଇଚି ଆଜି କବି,

କବିତା ଆଜି ବାହାରି ପଡ଼େ ପୀରତି ତୋର ଲଭି ।’’

 

ଏହା କହି ମାଳତୀ କଡ଼ା କଣ୍ଠରେ ଆଜ୍ଞା ଦେଲା–ହାତ ଦେଖା, ନ ହେଲେ ଭଲ କଥା ହେବ ନାହିଁ ।

 

ସୁଷି ପୋଷ ମାନିଲା ପରି ହାତ କାଢ଼ିଲା ।

 

ମାଳତୀ କହିଲା–ଅଞ୍ଜଳି କର ।

 

ସୁଷି ସୁବୋଧ ଶିଷ୍ୟାଟି ଭଳି ଏ ଆଜ୍ଞା ପାଳନ କଲା ।

 

ଝଣ୍‍, ଝଣ୍‍, ଝଣ । ମାଳତୀ ସେ ଅଞ୍ଜଳି ଭିତରେ ଟଙ୍କା ଗୁଡ଼ାଏ ଅଜାଡ଼ି ଦେଲା ।

 

ଏହି ଟଙ୍କାର ଇତିହାସଟା ସେ ମାଳତୀ ମୁଖରୁ ପରେ ଶୁଣି ସମସ୍ତ କଥା ବୁଝି ପାରିଥିଲା ।

 

ଏଥର ଖାଲି ମଧୁରଜନୀର ଉପାଖ୍ୟାନଟା ବାଢ଼ିଦେଲେ ମୋର ଛୁଟି !

 

ସୁନ୍ଦର ଚନ୍ଦ୍ରକିରଣ ଜକ୍‍ ଜକ୍‍ ବୈଶାଖ ରଜନୀ । ସୁସଜ୍ଜିତ ଶୟନ କକ୍ଷ । ମନୋରମ ମଧୁଶଯ୍ୟା । ସମଗ୍ର କକ୍ଷଟି ସମୁଜ୍ଜ୍ୱଳ କରି ରଖିଛି ଏକ ମୂଲ୍ୟବାନ୍‍ ଆଲୋକ ଝାଡ଼ । ବାହାରେ ଜ୍ୟୋସ୍ନା ହସୁଛି, ଭିତରେ ଆଲୋକ ।

 

ଶୁଭ୍ରଶଯ୍ୟା ଉପରେ ଉପବେଶନ କରି ପ୍ରଚୁର ସ୍ୱର୍ଣ୍ଣାଳଙ୍କର ମଣ୍ଡିତା ସୁଷି ହରିଶଙ୍କରଙ୍କ ହାତକୁ ବଢ଼େଇ ଦେଲା ଗୋଟିଏ ଛୋଟ ପାର୍ଶେଲ ବାକ୍‍ସ । ହରିଶଙ୍କର ତନ୍ମଧ୍ୟରୁ ସୁବର୍ଣ୍ଣହାର କାଢ଼ିଲେ, ସ୍ୱର୍ଣ୍ଣାଙ୍ଗୁରୀୟ ବାହାର କଲେ, ସୁନ୍ଦର ଚୁଡ଼ି ମଧ୍ୟ କାଢ଼ିଲେ ଏବଂ ଗୋଟି ଗୋଟି କରି ପ୍ରିୟତମାର ଅଙ୍ଗଦେଶରେ ପିନ୍ଧାଇଦେଲେ । ଅନ୍ୟାନ୍ୟ ଅନେକ ଅଳଙ୍କାର ପରିଧାନ କରିଥିବା ସତ୍ତ୍ୱେ ଏହି କେତୋଟି ଅଳଙ୍କାର ପାଇଁ ଯେପରି ସ୍ଥାନ ଖାଲି ଥିଲା ।

 

ସୁଷି ସସ୍ମିତମୁଖରେ ସଲଜ୍ଜ ନୟନର ଦୃଷ୍ଟି ନିକ୍ଷେପ କରି ପଚାରିଲା–‘‘ଏଥର ହେଲା-?’’

 

ହରିଶଙ୍କର ଉଦବେଳିତ ପ୍ରାଣରେ ପ୍ରଗାଢ଼ ଆଲିଙ୍ଗନ କରି ଉତ୍ତର ଦେଲେ–‘‘ପରିପୂର୍ଣ୍ଣ-।’’

Image